Unknown

 

 

 

 

 

 

 

 

 

 

ଏଇ ଶେଷ ପଦଟି

ଶ୍ରୀ ଶାନ୍ତନୁ ଆଚାର୍ଯ୍ୟ

 

ଗଳ୍ପସୂଚୀ

 

୧.

ହୃଦ କୋଲପ

୨.

ପରିବାର-ବୃକ୍ଷ

୩.

ଅଧିକାର

୪.

ଚତୁର୍ଥ ରାତି

୫.

ସେଇ ଶେଷପଦଟି

୬.

ତୁମେ ଓ ମୁଁ

୭.

ପିଠି

୮.

ନକ୍‌ସଲାଇଟ

୧୦.

ଧର୍ମହାଟ

୧୧.

ଦେଖିବୁ ଏଇକ୍ଷିଣା

୧୨.

ରାଞ୍ଚି ଏକ୍‌ସପ୍ରେସ

୧୩.

ସତ୍ୟାଗ୍ରହୀ

୧୪.

ବାପ ଆଉ ପୁଅ

୧୫.

ପଶ୍ଚାତ୍‌ ଯାତ୍ରୀ

୧୬.

ପଛର ମଣିଷ

୧୭.

ଶେଷ ସମ୍ୱାଦ

Image

 

ଏଇ ଶେଷପଦଟି-ଶ୍ରବଣ କରନ୍ତୁ

 

ଆଧୁନିକ ଗଳ୍ପ ପାଠକରିବା ସାତ୍ତ୍ୱିକ ସୁଖମାନଙ୍କ ମଧ୍ୟରୁ ଗୋଟିଏ । ସମସ୍ତେ ଜାଣନ୍ତି ସୁଖ ତିନିପ୍ରକାର: ସାତ୍ତ୍ୱିକ, ରାଜସିକ, ତାମସିକ । ନିକୃଷ୍ଟ ଟୀକାକାରମାନଙ୍କ ମୁଖରେ ଦୈନନ୍ଦିନ ଜୀବନରେ ସତ୍ତ୍ୱ, ରଜ, ତମ ଏଇ ତିନିଶବ୍ଦ ଏତେ ଗୌଣଭାବେ ଅଧୁନା ବ୍ୟବହୃତ ହୁଏ ଯେ, ଏ ପ୍ରକାର ଶବ୍ଦ ଏବେ କାନରେ ପଡ଼ିଲାମାତ୍ରେ ମନ ଅପେକ୍ଷା ଶରୀର ଅଧିକ ବିବ୍ରତ ହୁଏ । ତେଣୁ ‘‘ଆଧୁନିକ ଗଳ୍ପ ସୁଖକର’’ ଏତିକି କହିଲେ ଆଜିକାର ସହୃଦୟ ପାଠକ ଯେତିକି ଧୈର୍ଯ୍ୟ ଓ ସହାନୁଭୂତି ସହିତ କଥାଟିକୁ କାନାଏ, ସୁଖର ବିଶେଷଣରୂପେ ‘‘ସାତ୍ତ୍ୱିକ’’ ପଦଟି ଯୋଡ଼ିଦେବାମାତ୍ରେ ସେ ସେତିକି ବିରକ୍ତି ଓ ଉତ୍‌କ୍ଷିପ୍ତ ହୋଇପଡ଼ିବା ସ୍ୱାଭାବିକ । ରଖ ହୋ ତମର ଗୀତା ଉପନିଷତ୍‌ର ପାକୁଳି–ସେ ରଡ଼ିଛାଡ଼େ ।

ଏଣେ ଏପଟେ, କୌଣସି ସଭାସମିତିରେ ଆଧୁନିକ ଗଳ୍ପ ଆଲୋଚନା ପ୍ରସଙ୍ଗରେ ମନେକର ଜଣେ ବକ୍ତା ଆଧୁନିକ ଗଳ୍ପରସ୍ୱରୂପ ବ୍ୟାଖ୍ୟାକରିବା ନିମିତ୍ତ କୌଣସି ଭାରତୀୟ ଉକ୍ତିର ଚର୍ବିତ ଚର୍ବଣ ବ୍ୟବହାର ନ କରିବାକୁ ମନସ୍ଥ କରି କହିଲେ–‘‘Form becomes less contrivance than discovery, and the end of story less an ‘effect’ than an illumination” କିମ୍ୱା “Illumination rather than shock or ‘effect’ is likely to be what a modern story aims at”–, ତା’ହେଲେ ବି ଶ୍ରୋତାମାନେ ଚିତ୍କାର କରି ଉଠିବେ, ଓଡ଼ିଆରେ କହନ୍ତୁ, ଓଡ଼ିଆରେ କହନ୍ତୁ, କିଏ ସେ ବିରାଟ ବ୍ୟକ୍ତି ଯାହାଙ୍କ ନାଙ୍ଗୁଡ଼ ଧରିଛନ୍ତି ଆପଣ, ମପାସା ? ଚେକଭ୍‌ ? ଇ.ଏମ୍‌.ଫୋ’ଷ୍ଟର ? ହେମିଙ୍ଗଓ୍ୱେ-? ନା କିଏ-?

ଚର୍ବିତଚର୍ବଣ ବା କ୍ଳିସେ (cliche) କେବଳ ଲେଖକ, ପାଠକ, ବକ୍ତା, ଶ୍ରୋତାମାନଙ୍କୁ ବିରକ୍ତ କରେନାହିଁ, ସାରା ବାୟୁମଣ୍ଡଳକୁ ଦୂଷିତ କରେ । କିନ୍ତୁ ତା’ଠୁ ବଳି ଜଘନ୍ୟ ପରିବେଶ ଦେଖାଯାଏ ଆମ ଓଡ଼ିଶାର ବହି ଦୋକାନମାନଙ୍କର ଆଲମାରି ଥାକରେ, ଯେଉଁଠି ବହିମାନେ ପରସ୍ପର ମଧ୍ୟରେ ଏମିତି କଥାବାର୍ତ୍ତା ହେବା ଶୁଣାଯାଏ, ‘‘କିହୋ ଆଜିକାର ତାଜା ଖବରଟି ଶୁଣିଲଣି ତ ? ଏ ବର୍ଷ ଏକାଡେମୀ ପ୍ରାଇଜଟା ଯାଉଛି କାହା ହାତକୁ ଶୁଣିଛ କିଛି ?’’

‘‘କିଏ ? କିଏ ?’’ ଗୋଟିଏ ବିକଳ ଚିତ୍କାର–

‘‘ଶୁଣିନ ? ଗତ ବିଷୁବବେଳେ ଗୋଟାଏ ମତ ପ୍ରକାଶ ପାଇଥିଲା–କବିତା ଖୁବ୍‌ ଆଗେଇ ଯାଇଛି ଗଳ୍ପଠୁଁ !’’

‘‘ଓଃ !’’ ଗୋଟିଏ ଉଶ୍ୱାସର ନିଶ୍ୱାସ ସହିତ, ‘‘ନାଟକ ତେବେ ପାଉନାହିଁ ! ଭଲ ! କିନ୍ତୁ ମୋର ମନେ ହେଉଛି ବିଷୁବରେ ପ୍ରକାଶ ପାଇଥିବା ମତଟା ଠିକ୍‌–’’

‘‘ଯା ଯାଃ’’, ଗୋଟାଏ ଭୟଙ୍କର ଉଚ୍ଛ୍ୱାସ ଓ ତା’ପରେ, ‘‘ଓଡ଼ିଶାର ପୁଣି କବିତା ! ହଁ ମାନୁଛି, ପ୍ରାଚୀନ କବିତାର ଅଛି କିଛି, ଲୋକ ଏବେ ବି ଭଞ୍ଜ ରାଧାନାଥ ପଢ଼ୁଛନ୍ତି । କିନ୍ତୁ ମତେ ଦେଖାଅ ତ ଗୋଟାଏ ଆଧୁନିକ କବି ଯାହାକୁ କିଏ ପଢ଼ନ୍ତି ! ଏବକାର ପତ୍ରପତ୍ରିକାରେ କବିତା ନାଁରେ କଅଣ ବାହାରୁଛି ଦେଖିପାରୁନ ?’’

‘‘ଇଡିୟଟ୍‌ ! କେବଳ ତୁମେ ଗଳ୍ପ ଲେଖକ ପଞ୍ଝାକ ନୁହଁ–ତୁମ ପାଠକ ବି ! ମୁଁ ମାନୁଛି, ତମର ଦଳେ ପାଠକ ଅଛନ୍ତି, କିନ୍ତୁ ସେମାନେ ପଢ଼ନ୍ତି ସବୁଠୁଁ ବେଶି କଅଣ ? କେଇଟା ଲୋକଙ୍କୁ ତମେ ଏ ଭିତରେ ଦେଖିଲଣି ଯେ ତୁମ ସବୁଙ୍କୁ ଦୁହିଁସାରି ପଛରେ ନ କହୁଛନ୍ତି–ଫକୀରମୋହନ ହିଁ ଥିଲେ ଲେଖକ, ଏଗୁଡ଼ାକ କିଏ ? କଅଣ ଲେଖୁଛନ୍ତି ହୋ ଏଗୁଡ଼ାକ ? ଶୁଣୁନ ତୁମେ ?’’

‘‘ଶୁଣୁଚୁ ଶୁଣୁଚୁ’’ ବହି ଥାକର ଦଳେ ବହି ସଂଖ୍ୟାଗରିଷ୍ଠ ସ୍ୱର ଉତ୍ତୋଳନ କରି ରଡ଼ି ଛାଡ଼ନ୍ତି, ‘‘ଏଗୁଡ଼ାକ ସବୁ ପ୍ରାଚୀନ ନ୍ୟସ୍ତସ୍ୱାର୍ଥବାଦୀଙ୍କ ଷଡ଼ଯନ୍ତ୍ର ! ଏ ଷଡ଼ଯନ୍ତ୍ର ବିରୁଦ୍ଧରେ ଆଧୁନିକମାନେ ଏକଜୁଟ ହୁଅ । ଗଳ୍ପ, କବିତା, ନାଟକ ଭେଦାଭେଦ ଭୁଲିଯାଇ ସବୁ ଆଧୁନିକମାନେ ବାହାରିଆସ !’’

‘‘ବାହାରି ଆସିଲେ ଛତୁ କରିବ ତୁମେ ପଞ୍ଝାକ ।’’ ଏଇଟା ଥିଲା ଜଣେ ଦୁଃଖବାଦୀ ଆଧୁନିକଙ୍କ ସ୍ୱର ଯେ, ଗଳ୍ପ କହିଲାବେଳେ ଶୁଣାଯାଏ କବିତା ପରି, ଆଉ କବିତା ଆବୃତ୍ତି କଲାବେଳେ ଶୁଣାଯାଏ ଗଳ୍ପପରି, ‘‘ବର୍ତ୍ତମାନର ପରିସ୍ଥିତି ଜଣାନାହିଁ କାହାକୁ ଏଠି ମୁଁ ଯାହା ଦେଖୁଛି–ଏଠି ଅସଲ କ୍ଷମତା ନାହିଁ ସାହିତ୍ୟିକଙ୍କ ହାତରେ, ଅଛି......’’, ସେ ଆବୃତ୍ତି କରି ଚାଲିଚନ୍ତି ମନକୁ ମନ ।

ତାକୁ କହିବାକୁ ନ ଦେଇ ସବୁ ବହିତକ କହିଲେ ପ୍ରାୟ ଏକସଙ୍ଗେ ଆଉଗୋଟିଏ ପ୍ରକାର ଉଚ୍ଚସ୍ୱରବିଶିଷ୍ଟ ଅନୁଚିନ୍ତାରେ ଗୁଣୁଗୁଣୁ ହୋଇ ସାରା ବହିବଜାରରେ ଚହଳ ପକାନ୍ତି–

‘‘ଆମେ ବି ଜାଣୁ ସାହିତ୍ୟିକ କ୍ଷମତା କେମିତି ହାସଲ କରିବାକୁ ହୁଏ’’ ! ‘‘ମୁଁ ବାହାର କରୁଛି ଯେ, ଏହା ଭିତରେ ଖଣ୍ଡିଏ ଦୈନିକ !’’

‘‘ମୁଁ ବି ବାହାର କରୁଛି ଖଣ୍ଡିଏ ମାସିକ !’’

‘‘ଆମର ଏତେ ଧନ ନାଇଁ ବାବା, ତଥାପି ଖଣ୍ଡିଏ ଷାଣ୍ମାସିକ ବାହାର ନ କଲେ ନ ହୁଏ, ଭଲ ନାଁଟିଏ କିଏ ବାଛି ଦିଅନ୍ତି ନାହିଁ ଭାଇ !’’

‘‘ଆରେ ଯାଃ, ସେସବୁ ନୁହେଁ, ସେସବୁ ଠିକ୍‌ ବାଟ ନୁହେଁ । ଆଗକୁ ଆସୁଛି ନିର୍ବାଚନ, ଏମ୍‌.ପି. ନ ହେଲେ ନାହିଁ, ଏମ୍‌.ଏଲ୍‌.ଏ. ନ ହେଲେ ନାହିଁ, ଗୋଟିଏ ଜବରଦସ୍ତ ଯୁବସଂଗଠନର ସମ୍ପାଦକ ହୋଇ ମାସ ଚାରିଟାରେ ଟେକିଯିବ ଯଦି ଖବର କାଗଜରେ ନାଁ କେମିତି ନ ବାହାର କରିବେ ଦେଖିବା ତ !’’

 

ସାହିତ୍ୟିକର ଭାଗ୍ୟ ସତେକି ଖବର କାଗଜ ତଳେ ! କି କୁତ୍ସିତ ! କି ମାରାତ୍ମକ ! କେବଳ ଏଠି ନୁହେଁ, ପୃଥିବୀର ଯେଉଁଠି ବହିପତ୍ର କ୍ଷେତ୍ରରେ ଖୁବ୍ ବଡ଼ ବଡ଼ କଥାମାନ ଆମର ଆଜିକା ପଚା ଗପସପ ପରି ପଚା ପ୍ରଚାର ମାଧ୍ୟମସତ୍ତ୍ୱେ କିଛି ନା କିଛି ଅଗ୍ରଗତି କରେ ସେଠିକାର ସମସ୍ୟା ମଧ୍ୟ ଊଣାଅଧିକେ ଆମରି ପରି । ବିଂଶ ଶତାବ୍ଦୀରେ ଜନ୍ମହୋଇ ଦୁଇଦୁଇଟା ଯୁଦ୍ଧ ଅଙ୍ଗେ ନିଭାଇଥିବା ଆମେରିକା ପାଠକର ରୁଚି ମଧ୍ୟ ଶୁଣିଲେ ତାଜୁବ୍‌ ହେବାକୁ ପଡ଼େ ।

 

୧୯୬୯ ସୁଦ୍ଧା ସଂକଳିତ ଆମେରିକାର ଶ୍ରେଷ୍ଠ ଗଳ୍ପ ସଂଗ୍ରହଟିଏ ଆଖିରେ ପଡ଼ିଥିଲା । ଏହି ବହିର ମୁଖବନ୍ଧରେ ବିଂଶ ଶତାବ୍ଦୀର ଆମେରିକା-ଫାସୀ ଗଳ୍ପପାଠକର ରୁଚି ସମ୍ପର୍କରେ କିଞ୍ଚିତ୍‌ ଆଭାସ ଦେବାକୁ ଯାଇ ମାର୍ଥା ଫଲି ( Martha Foley ) ଲେଖିଛନ୍ତି–

 

“I do not know whether what we were doing was right or wrong. I do not know that our readers did not like being dragged into the twentyeth century, but that does not make us wrong for trying.”

 

ଆଜିକାର ଆମେରିକାନ ପାଠକ ବିଂଶ ଶତାବ୍ଦୀକୁ ଟାଣିହୋଇ ଯିବାକୁ ଚାହେଁନା ? ତେବେ ସେ ଥାଏ କେଉଁଠି ? ପଢ଼େ କେଉଁ ଶତାବ୍ଦୀର ସାହିତ୍ୟ ? ଏ ସମ୍ପର୍କରେ ୧୯୬୯ର ଆମେରିକାନ ଶ୍ରେଷ୍ଠ ଗଳ୍ପ-ସଂକଳକ ସେଇ ମୁଖବନ୍ଧରେ ପୁଣି ସୂଚନା ଦେଇଛନ୍ତି । ସେଥିରେ ସେଇ ଦୁଃଖଦାୟକ ଘଟଣାର ଉଲ୍ଲେଖ କରି କହିଛନ୍ତି ଯେ, ବେଶି ଆଧୁନିକ ହେବାକୁ ଯାଇ ବିଂଶ ଶତାବ୍ଦୀର ବେଶି ବେଶି ତାଜାମାଲ ପରିବେଷଣ ନିମିତ୍ତ ଦୁଷ୍କର୍ମ କରିବାର ପ୍ରଚେଷ୍ଟା ଦେଖାଇବା ହେତୁ ଆମେରିକାର କେତେଟା ପତ୍ରିକାର ପାଠକମାନେ କୁଆଡ଼େ ଗ୍ରାହକ ଚାନ୍ଦା ବନ୍ଦ କରିଦେଇ ପତ୍ରିକାର ତଣ୍ଟିଚିପି ଦେଲେଣି । କିନ୍ତୁ ଯେଉଁମାନେ ଖୁବ୍‌ ସିଆଣିଆ ବ୍ୟବସାୟୀ, ସେମାନଙ୍କ ନାବ ଠିକ୍‌ ଚାଲିଛି । ଏମାନେ ଭୁଲରେ ସୁଦ୍ଧା ବିଂଶଶତାବ୍ଦୀ ଲେଖକଙ୍କୁ ତାଙ୍କ ପତ୍ରିକାର ଦୁଆରବନ୍ଧ ମଡ଼େଇ ଦେଉନାହାନ୍ତି ।

 

ବିଂଶ ଶତାବ୍ଦୀରେ ଥାଇ ଊନବିଂଶ, ଅଷ୍ଟାଦଶ ମାଲ୍‌ର ତାରିଫ୍‍ କରିବା କେବଳ ଓଡ଼ିଆ ପାଠକଙ୍କର ବୈଶିଷ୍ଟ୍ୟ ନୁହେଁ । ଫ୍ରାନସ୍‌କୁ ଛାଡ଼ିଦେଲେ ଆଉ ସବୁଠି ବୋଧହୁଏ ମଣିଷର ସାହିତ୍ୟିକ ରୁଚି ସେଇଆ–ପୁରୁଣାଖିଆ । ତେଣୁ ଆଃ ରାଧାନାଥ ଆମର ଥାଆନ୍ତେ କି କିମ୍ୱା ଫକୀରଙ୍କ ପରେ ଆଉ ଗଳ୍ପ କେଉଁଠି ଲେଖାହେଉଛି ଦେଖାଅ ତ, କହିବାଦ୍ୱାରା ଓଡ଼ିଆ ପାଠକର ମହତ୍ତ୍ୱ ବିଶ୍ୱସାହିତ୍ୟ-ଚେତନା ଦୃଷ୍ଟିରୁ ବେଶି ତଳେ ନାହିଁ–ଏଇ ଆମର ଖୁବ୍‌ ଆଶାର କଥା ।

 

ନୂଆପୁରୁଣା ବାଦବିବାଦ କଥା କହି ଲାଭ ନାହିଁ । ପାଠକ କାହିଁକି ପୁରୁଣାକୁ ଭଲପାଉଛି, ନୂଆ ତାକୁ ଗନ୍ଧଉଚି ଏ ପ୍ରଶ୍ନ ପାଠକକୁ ବି ପଚାରି ଲାଭ ନାହିଁ । ପାଠକ ବଡ଼ ସାବଧାନ ମଣିଷ । ସେ ଲେଖକପରି ବିନା କାରଣରେ ହଲିଲା ପାଣିକୁ ଗୋଡ଼ ବଢ଼ାଇବା ଲୋକ ନୁହେଁ, କିନ୍ତୁ ୟା ବୋଲି ପାଠକ ଯେ ଦିନେ ନା ଦିନେ ନୂଆପାଣିକୁ ନ ପଶିବ, ନୁହେଁ । ଓଃ ! ଇତିହାସକୁ ଧନ୍ୟ କହିବ, ଯାହା ଅତୀତକୁ ସୁନ୍ଦର ଗହଣା ପିନ୍ଧାଇ ରାଣୀକରି ବସାଇ ଦିଏ; କିନ୍ତୁ କାଳକୁ ଧନ୍ୟ କହିବ, ଯାହା କଅଣ ଟିକିଏ ଠୁକ୍‌ କରିଦେଲେ, କେଡ଼େ କେଡ଼େ ମହିମାବନ୍ତ ନାରୀ-ପୁରୁଷ, ଟଳିପଡ଼ନ୍ତି ଆଉ ମୁହୂର୍ତ୍ତକେ ଅସ୍ତ ହୋଇଯାଆନ୍ତି ।

 

ହେଇତ କାଲିପରି କଥା, ଇଂରେଜ ଗଳ୍ପସାହିତ୍ୟ ଇତିହାସରେ ଜନ୍‌ ଗଲ୍‌ସ୍‌ଓ୍ୱାର୍ଦ୍ଦି, ଏଚ.ଜି. ଓ୍ୱେଲ୍‌ସ୍‌ ଆଉ ଆର୍‌ନଲଡ୍‌ ବେନେଟ୍‌ଙ୍କ ଗାରିମାରେ ସମକକ୍ଷ ହେବାପାଇଁ ଆଉ ଥିଲା କିଏ ? ଏମିତିକି ଦ୍ୱିତୀୟ ମହାଯୁଦ୍ଧ ପରେ ବି ଲୋକ ଗଲ୍‍ସ୍‌ଓ୍ୱାର୍ଦ୍ଦି, ଓ୍ୱେଲ୍‌ସ୍‌, ବେନେଟ୍‌ ଏଣ୍ଡକୋ:ଙ୍କୁ ମୁଣ୍ଡରେ ବସାଇ ବୁଲୁଥିଲେ । କିନ୍ତୁ ହାଓ୍ୱା କ’ଣ ଟିକିଏ ବଦଳିଗଲା ! କାଳ ଫିସ୍‌କିନା କେଉଁଠି ଟିକିଏ ହସିଦେଲା, ଆଉ ଦେଖ ତାଙ୍କ ହାଲତ ! ଇତିହାସରେ ସେମିତି ବସିଛନ୍ତି ସେମାନେ ରାଜାପରି, କିନ୍ତୁ ତାଙ୍କର ପ୍ରିୟ ପାଠକମାନେ କୁହାକୁହି ହେଉଛନ୍ତି “Like most best-sellers in this century their (Galsworthy, Wells, Bennet) works seem dated, and leave subsequent generations wondering how their grand-parents could have been so misguided as to regard even the best of them as great literature !” (–George Wickes, Masters of British Fiction)

 

ଲୋକ ବଡ଼ମଣିଷଙ୍କ ଉପରେ ଚିଡ଼ନ୍ତି କେତେବେଳେ ଓ କାହିଁକି ? ଯେତେବେଳେ ବଡ଼ ଲୋକମାନେ ଦ୍ରୁତ ଗତିରେ ଗାଡ଼ି ଚଳେଇ ରାସ୍ତାରେ ଗଲାବେଳେ ଆଗକୁ ନ ଚାହିଁ କଡ଼ପଟେ କି ପଛପଟେ ରହିଯାଇଥିବା କୌଣସି ଭଙ୍ଗା ମନ୍ଦିର କିମ୍ୱା ବୃଦ୍ଧ ଗୁରୁଦେବ କିମ୍ୱା ଯୁବତୀ ଭିକାରୁଣୀଟିଏଆଡ଼କୁ ସଶବ୍ଦ ସଭକ୍ତ ସକରୁଣ ଦୃଷ୍ଟିରେ ଅନାଉ ଅନାଉ ଗାଡ଼ି ଚଢ଼ିଯାଏ ଦଳେ ଖେଚଡ଼ ଇସ୍କୁଲ ପିଲାଙ୍କ ଉପରେ, ଯେଉଁମାନେ ରାସ୍ତାରେ କେମିତି ଚାଲିବାକୁ ହୁଏ ତାହା ସୁଦ୍ଧା ତାଙ୍କୁ କେହି ଶିଖାଇ ନ ଥାଏ ।

 

‘‘ଆହା କି କଲ, କି କଲ !’’ –ଲୋକେ ଘେରି ଆସନ୍ତି ।

 

‘‘ଦେଖନ୍ତୁ ଏଥିରେ ମୋର ଦୋଷ କଅଣ ? ମୁଁ ମୋ ଗୁରୁଙ୍କୁ ମନେ ମନେ ପ୍ରଣାମଟିଏ ହେଉଥିଲି, ଏ ଖେଚଡ଼ା ପଞ୍ଝାକ ଇସ୍କୁଲରେ ପଢ଼ୁଛନ୍ତି ଅଥଚ ରାସ୍ତାରେ କିମିତି ଚାଲିବାକୁ ହୁଏ ଶିଖେଇ ନାହିଁ କେହି ୟା’ଙ୍କୁ ! କାହିଁକି ? ରାସ୍ତାର ସବୁ ଛକରେ ତ ଲେଖା ହୋଇଛି ବାମକୁ ମାଡ଼ି ଚାଲ ! ଯେ ନିୟମ ନ ଜାଣେ ସେ ମରିବ ତ !’’

 

ୟା ପରେ ବଡ଼ ମଣିଷଙ୍କର ଗୁରୁଭକ୍ତି, ମୂଲ୍ୟ-ଚେତନା ଏବଂ ଆଇନ କାନୁନ ଜ୍ଞାନ ପ୍ରଭୃତି ଯାବତୀୟ ବଡ଼େଇର ଅବସାନ ଲୋକ କରିଦିଅନ୍ତି । ଇଂଲଣ୍ଡରେ ଗଲ୍‌ସ୍‌ଓ୍ୱାର୍ଦ୍ଦି, ଓ୍ୱେଲ୍‌ସ୍‌, ବେନେଟ୍‌ କୋ:ର ଅବସାନ ପୂର୍ବବର୍ତ୍ତୀ ଦୁର୍ଘଟଣାଟି ଥିଲା ସେହିପରି । ବୁଢ଼ା ବୟସକୁ ସେମାନେ ଅନ୍ୟମନସ୍କ ହୋଇ ରାସ୍ତାରେ ଚାଲିଲେ । ଘମାଘୋଟ ମହାଯୁଦ୍ଧ ସମୟରେ ସହର ଉପରେ ବୋମା ବର୍ଷୁଥିଲାବେଳେ, ଏମାନେ ଓ ୟା’ଙ୍କ ଶ୍ରେଣୀର ଲେଖକମାନେ ମଣିଂ ଓ ଇଭିନିଂଓ୍ୱାକ୍‌ ପାଇଁ ରାସ୍ତାକୁ ବାହାରିଲାବେଳେ ଏମାନଙ୍କର ମୁଣ୍ଡ ଉପରେ ବୋମା ପକାଇବାର ଅଧିକାର ଶତ୍ରୁପକ୍ଷର ଅଛି କି ନା ଏହି ବିଷୟରେ ଏତେଗୁଡ଼ାଏ ଆଲୋଚନା କରି ମୋଟା ମୋଟା ବହି ଲେଖିଲେ ଯେ ଲୋକ ବାଧ୍ୟହୋଇ ମୁହଁ ଆମ୍ୱିଳା କଲେ; ଆଉ ୟା ପରେ ଲୋକେ କେଉଁ ଲେଖକଙ୍କୁ ମୁଣ୍ଡରେ ବସାଇଲେ ସେ ତ ଅଲଗା କଥା ! କିନ୍ତୁ ଶାନ୍ତି ତୁଳନାରେ ଯୁଦ୍ଧ ଅବାସ୍ତବ, ମନର ଉପର ସ୍ତରଟା ତା’ ତଳ ସ୍ତରମାନଙ୍କଠୁଁ ସତ୍ୟ ଉତ୍ପାଦନ ନିମିତ୍ତ ବେଶି ଉର୍ବର କିମ୍ୱା ‘ସକଳ ଘଟେ ନାରାୟଣ’ ଅଥବା ‘ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ’ ପ୍ରଭୃତି ଊନବିଂଶ ଶତାବ୍ଦୀ ସହଜିଆ ଗୋଷ୍ଠୀର ଲେଖକମାନେ କୁଆଡ଼େ ହଜିଗଲେ । ସତେକି ମହାଯୁଦ୍ଧ କେବଳ ଆସିଥିଲା ଏଇ ସହଜିଆଙ୍କ ମୁଣ୍ଡରେ ଚଡ଼କ ପକାଇବାପାଇଁ !

 

ପାଶ୍ଚାତ୍ୟ ସାହିତ୍ୟ ଉପରେ ଯୁଦ୍ଧର ପ୍ରଭାବ ଏ ପର୍ଯ୍ୟନ୍ତ ଆମ ସାହିତ୍ୟରେ କିଛି ଘଟିନିବୋଲି ଆମର ସଂଖ୍ୟାଗରିଷ୍ଠ ସହଜିଆ ପାଠକମାନେ ସମ୍ୱାଦପତ୍ର ତଥା ପତ୍ରପତ୍ରିକା ଆଉ ସଭା ସମିତିରେ ଏବେବି (ସ୍ୱାଧୀନତା ପରେ, ୧୯୭୧ରେ ସୁଦ୍ଧା, ତିନିଥର ପାକିସ୍ଥାନ ପଟୁ ଏବଂ ଆଉଥରେ ଚୀନପଟୁ ଆକ୍ରମଣ ପରେ) ଦୃଢ଼ମତ ପ୍ରକାଶ କରୁଛନ୍ତି । ସେମାନଙ୍କୁ ଗତ ଶହେବର୍ଷର ସ୍ୱାଧୀନତା ଯୁଦ୍ଧ କଥା ଯଦି ମନେପକାଇ ଦିଆଯାଏ, ତେବେ ତ ପ୍ରତିକ୍ରିୟା ଆହୁରି ମାରାତ୍ମକ ! ଗାନ୍ଧୀ ସତ୍ୟାନାଶ କଲା ! ନେହେରୁ ଦେଶଟାକୁ ବିକ୍ରି କରିଦେଲା, କେଉଁ ଦେଶ ବିନା ରକ୍ତପାତରେ ସ୍ୱାଧୀନ ହେବା ଦେଖିଛ ? ସ୍ୱାଧୀନତାର ସେତୁର ମୂଳଦୁଆ ତିଷ୍ଠିବା ପାଇଁ ରକ୍ତ ଦରକାର, ରକ୍ତ ! ଏପରିକି ଖଦଡ଼ପିନ୍ଧା ବୁଢ଼ାମାନେ ବି ସେଇ ପହଳିରେ ଡୁହା ଧରୁଛନ୍ତି । ଭଲ କଥା । ରକ୍ତ କିଏ ଦେବ ଆସ ! କିନ୍ତୁ ସ୍ୱାଧୀନତା ସେତୁ ନିର୍ମାଣପାଇଁ ରକ୍ତର ଚାହିଦା ମେଣ୍ଟେଇବାଲାଗି ବଡ଼ ବଡ଼ ସହରରେ କେତେଟା ନୃଶଂସ ଛୁଆଧରାଙ୍କ ବ୍ୟତୀତ ଆଉ ଠିକାଦାର କାହାନ୍ତି ?

 

ଆମ ସାହିତ୍ୟ ଉପରେ ଯୁଦ୍ଧର ପ୍ରଭାବକୁ ବିଦେଶୀ ପ୍ରଭାବ କହିବାରେ ଯଥାର୍ଥତା ହୁଏତ ଅଛି । କିନ୍ତୁ ବିଦେଶୀ ପ୍ରଭାବହିଁ ଆମ ସାହିତ୍ୟକୁ ‘‘ଆଧୁନିକତା’’ ନାମକ ଏକ ଅଶ୍ଳୀଳ, ଦୁର୍ବୋଧ୍ୟ ତଥା ଅବାସ୍ତବ ଆଚ୍ଛାଦନରେ ଘୋଡ଼ାଇ ପକାଇଛି, ଏପରି ଅଭିଯୋଗ ପୁନଶ୍ଚ ସହଜିଆସୁଲଭ ।

 

ପ୍ରଥମେ ସାହିତ୍ୟ ଦୃଷ୍ଟିରୁ ଅଶ୍ଳୀଳତା କ’ଣ ବୁଝାଯାଏ ଯେମିତି ଅନ୍‌ପାର୍ଲିଆମେଣ୍ଟାରି କହିଲେ ଶବ୍ଦର ନିର୍ଦ୍ଦିଷ୍ଟ ପ୍ରୟୋଗ ବୁଝାଯାଏ, ଏପରି କୌଣସି ସାମ୍ୱିଧାନିକ ସଂଜ୍ଞା ସାରାବିଶ୍ୱରେ କେଉଁଠି ହେଲେ ନିର୍ଦ୍ଦିଷ୍ଟ ହୋଇନାହିଁ । ବିଶ୍ୱ ସାହିତ୍ୟ ଇତିହାସରେ ଥରକୁ ଥର ସାହିତ୍ୟିକ କୃତିଗୁଡ଼ିକ ଅଶ୍ଳୀଳ ଘୋଷଣା କରି ବହି ବାଜ୍ୟାପ୍ତି ହେବାପରି ରାୟ ନ୍ୟାୟଅଦାଲତମାନଙ୍କରୁ ମିଳିଥିବା ଖବର ପ୍ରାୟ ପ୍ରତ୍ୟେକ ପାଠକ ପାଖରେ କିଛି ନା କିଛି ରହିଛି । ସେ ସବୁ ବହି ବା ଲେଖକଙ୍କର ନାମର ପୁନଶ୍ଚ ଦ୍ୱାହିଦେବା ଆବଶ୍ୟକତା ଏଠାରେ ନାହିଁ; କିନ୍ତୁ ସେହି ଇତିହାସରୁ ଆମେ ବାରମ୍ୱାର ଏକ ସାର୍ବଜନୀନ ସତ୍ୟର ପ୍ରତିପାଦନ ଦେଖିବାକୁ ପାଉ ଯେ, ତଥାକଥିତ ଅଶ୍ଳୀଳ-ଘୋଷିତ ବହିଗୁଡ଼ିକ ବିଶ୍ୱର ମହନୀୟ କେତେଖଣ୍ଡ ବହି ମଧ୍ୟରୁ ଖଣ୍ଡେବୋଲି ପରବର୍ତ୍ତିକାଳରେ ପ୍ରାୟତଃ ସ୍ୱୀକୃତ ହୋଇଥାନ୍ତି । ଏଥିରୁ ମନେହେଉଥିବ ଯେ, ଅଶ୍ଳୀଳତା ଅଭିଯୋଗ ଆମ ରକ୍ଷଣଶୀଳ ସମାଜ ଗାଡ଼ିରେ ଗୋଟିଏ ଜରୁରିକାଳୀନ ବ୍ରେକ ଛଡ଼ା ଆଉକିଛି ନୁହେଁ । ଅବଶ୍ୟ ପ୍ରତ୍ୟେକ ସମାଜ ପକ୍ଷରେ ତା’ ଗାଡ଼ିର ଏପରି ବ୍ରେକ ଯଥା ସମୟରେ ବ୍ୟବହାରର ଯଥାର୍ଥତା ରହିଛି । କିନ୍ତୁ ଓଡ଼ିଶାର ଘରେ ଘରେ ବାପା, ମା’, ନିଜେ ପିଲାଙ୍କୁ ସଚ୍ଚରିତ୍ର ହେବାକୁ ଉପଦେଶ ଦେଲାବେଳେ ଆଧୁନିକ ଗଳ୍ପ ଉପନ୍ୟାସ ନ ପଢ଼ିବା, ନାଟକ ନ ଦେଖିବା ପ୍ରଭୃତି ଉପଦେଶ ଦେବା ସହିତ ପ୍ରାଚୀନ ସାହିତ୍ୟ ପଢ଼ିବାକୁ ଅଥବା ସାଧାରଣଜ୍ଞାନ ଅର୍ଜନ ପାଇଁ ଦୈନିକ ଖବରକାଗଜ ପଢ଼ିବାକୁ ନିର୍ଦ୍ଦେଶ ଦେବା କେତେଦୂର ଅଶ୍ଳୀଳତା ନିରୋଧକ ବିଚାର ତାହା ଚିନ୍ତାର ବିଷୟ । ମହାଭାରତ ପରି ପ୍ରାଚୀନ ସାହିତ୍ୟରେ ତ ତଥାକଥିତ ଅଶ୍ଳୀଳତାର ଗଭୀରତା ମାପିବା ଦରକାର ପଡ଼ିବ ନାହିଁ । ଧୃତରାଷ୍ଟ୍ର ଓ ପଣ୍ଡୁଙ୍କର ଜନ୍ମବୃତ୍ତାନ୍ତ ସୌଭାଗ୍ୟବଶତଃ ଆଜିକା ସ୍କୁଲ ପାଠ୍ୟର ଅନ୍ତର୍ଗତ ନୁହେଁ କି ହଜାର ଉପଦେଶ ସତ୍ତ୍ୱେ ପିଲାଏ ମହାଭାରତର କୌଣସି ମୁଖ୍ୟ-ଚରିତ୍ରର ଛାଇ ମାଡ଼ନ୍ତି ନାହିଁ । କିନ୍ତୁ ଖବରକାଗଜରୁ ଆଜିକାଲି ପିଲାଏ ଖୁବ୍‌ ଜ୍ଞାନ ପାଉଛନ୍ତି; ଏଥିରେ ସନ୍ଦେହ ନାହିଁ । ସକାଳ ଖବରକାଗଜ ଖୋଲିଦେବାମାତ୍ରେ କୌଣସି ପୋଷାକ କମ୍ପାନୀ କିମ୍ୱା କସମେଟିକ୍‌ କମ୍ପାନୀର ବିଜ୍ଞାପନରୂପେ ବ୍ୟବହୃତ ନରନାରୀମାନଙ୍କର ବାତ୍ସାୟନୀୟ ଅବସ୍ଥିତିଗତ ଛବିପାଖକୁ ଭିଏତନାମ ବା ବଙ୍ଗଳା ଦେଶର ଉଲଗ୍ନ ଉଦ୍‌ବାସ୍ତୁ ମହିଳାର ଛବି ଏବଂ ତାହା ନିକଟକୁ ଦେଶର ଦୁଇ ବା ତତୋଽଧିକ ନେତୃସ୍ଥାନୀୟ ବ୍ୟକ୍ତିଙ୍କର ଗୋଇ ଖୋଳାଖୋଳି ବ୍ୟାପାରମୂଳକ ଗୋଟିଏ କଲମ୍‌ ସମ୍ୱାଦର ଜଷ୍ଟ୍‍ଅପୋଜିସନ୍‌ କି ଚମତ୍କାର ଆବ୍‌ସର୍ଡ଼ ଆର୍ଟର ବିଷୟବସ୍ତୁ ନ ହୁଏ ! ଛୋଟ ପିଲାମାନେ ଅବଶ୍ୟ ଆବ୍‌ସର୍ଡ଼ ଆର୍ଟ କ’ଣ ତାହା ବୁଝିବାକୁ ଚାହାନ୍ତି ନାହିଁ । କିନ୍ତୁ ସେମାନେ ବେଶ୍‌ ବୁଝିପାରନ୍ତି, କେଉଁ ଚିତ୍ରକୁ ଦେଖି ନ ବୁଝିପାରିଲେ ସୁଦ୍ଧା ବାପା ମା’ଙ୍କୁ ସ୍ପଷ୍ଟୀକରଣପାଇଁ ପ୍ରଶ୍ନ ପଚରାଯାଏ ନାହିଁ । ସେମାନଙ୍କ ପକ୍ଷରେ ସାହିତ୍ୟର ଅଶ୍ଳୀଳତା ମଧ୍ୟ ଏହିପରି ଏକ ଅଣପଚାର ପ୍ରଶ୍ନ ।

 

ଅଶ୍ଳୀଳତା ପଛକୁ ଦୁର୍ବୋଧ୍ୟତା; ଏ ମଧ୍ୟ ବିଶ୍ୱବ୍ୟାପୀ । ଯେଉଁ ଲେଖକମାନେ ବଡ଼ ଲେଖକଙ୍କର କୌଣସି ଗୁଣ ଅନୁକରଣ କରିବା ଅମର୍ଯ୍ୟାଦାକର ବୋଲି ସ୍ଥିର କରିସାରି ବଡ଼ ଲେଖକଙ୍କର ନିଷ୍ଠାକୁ ମଧ୍ୟ ଅନନୁକରଣୀୟ ବୋଲି ବର୍ଜନ କରି କଲମ ଚଳାଇଛନ୍ତି, ତାଙ୍କ ସହିତ ମୁଁ ନୀତିଗତ ଭାବରେ ଅଶ୍ଳୀଳତା ବା ଦୁର୍ବୋଧ୍ୟତାର ଆଲୋଚନାରୁ କ୍ଷାନ୍ତ ରହୁଛି । ଏ ସଂସାର ବାସ୍ତବିକ ଏକ ଜଟିଳ ସ୍ଥାନ, କାରଣ ଏଠି ଅବୋଧ୍ୟତା ତଥା ଦୁର୍ବୋଧ୍ୟତା ମଣିଷର ସବୁ ସାମାଜିକ ଭାବକୁ ବାଡ଼ କରିଦେଇ ଆପେ ବାଡ଼ ଆରପାଖେ ଏକାକୀ ବସିବା ସତେକି ବିଧିଉଦ୍ଦିଷ୍ଟ । ଏ ବାଡ଼ ନାହିଁ କେଉଁଠି ? ଏକ ଘରେ ଥାଇ ବାପା ମା’କୁ ବୁଝେ ନାହିଁ, ମା’ ପିଲାକୁ ବୁଝେ ନାହିଁ, ପିଲାମାନେ ପରସ୍ପରକୁ ବୁଝନ୍ତି ନାହିଁ, କେହି କାହାକୁ ବୁଝିପାରନ୍ତି ନାହିଁ । ପ୍ରତି ଘରର ଦୁର୍ବୋଧ୍ୟ ମାନବିକ ସମ୍ପର୍କର ପ୍ରତିଫଳନ ସମାଜ ଉପରେ, ଜାତି ଉପରେ, ଆନ୍ତର୍ଜାତିକତା ଉପରେ ପଡ଼ିବା ସ୍ୱାଭାବିକ । ଏହି ଦୁର୍ଲଙ୍ଘନୀୟ ଅବୁଝା ପଣିଆକୁ ଲଂଘିବା ପାଇଁ ମଣିଷ ବାଗଦେବୀଙ୍କୁ ଅହୋରାତ୍ର ଆରାଧନା କରି ଆସିଛି–ବେଦରୁ ଆଜିଯାକେ; କିନ୍ତୁ କେଉଁ ବେଦ କେଉଁ ଉପନିଷଦ ଭଲା ସେ ସିଦ୍ଧିରୁ କାଣିଚାଏକରୁ ବେଶି ପାଇଛି !

 

ଦୁର୍ବୋଧ୍ୟତାର ଏହି ବିଶ୍ୱମ୍ଭର ଅସହାୟତା ପରିପ୍ରେକ୍ଷିରେ ଉତ୍କଳ ସରସ୍ୱତୀଙ୍କର ଉପାସକମାନଙ୍କର ଅସହାୟତା ଅବଶ୍ୟ କିଞ୍ଚିତ୍‌ ହାସ୍ୟୋଦ୍ଦୀପକ । ଜଣେ ଭୁକ୍ତଭୋଗୀଭାବେ ଯଦି କହିବା ଶୋଭନୀୟ ହୁଏ, ତେବେ ଗୋଟିଏ ଉଦାହରଣରୁ ମୋର ନିଜର ଅସହାୟତା ମୋର ପାଠକମାନଙ୍କ ନିକଟରେ ପ୍ରକାଶ କରିବାର ଅନୁମତି ପାଇବି ବୋଲି ଆଶା । ଏହି ଗଳ୍ପ ସଂକଳନରେ ‘ତୁମେ ଓ ମୁଁ’ ବୋଲି ଗୋଟାଏ ଗଳ୍ପ ଅଛି । ଏହି ଗଳ୍ପର ଦୁର୍ବୋଧ୍ୟତା ସମ୍ପର୍କରେ କମ୍ପ୍ଲେନ୍‍ ପାଇଁ ମୁଁ ଏହାକୁ ଦୁଇଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ପରସ୍ପର ଅଜଣାରେ ପଢ଼େଇ ସେମାନଙ୍କର ମତାମତା ପାଇଁ ଅପେକ୍ଷା କରି ରହିଲି । କହିବା ବାହୁଲ୍ୟ ଯେ, ମୁଁ ଯେତେବେଳେ ଯେଉଁ ଉପନ୍ୟାସ ବା ଗଳ୍ପ ଲେଖେ, ସେତେବେଳେ ମୋର ଅନ୍ତରର ବକ୍ତାଟି ମଝିରେ ମଝିରେ ଚମକିପଡ଼ି ଯେଉଁ ଜଣେ ଦୁଇଜଣ ପାଠକ ଶିରୋମଣିଙ୍କ ମୁହଁକୁ ହଠାତ୍‌ ମନେପକାଇ କୁରୁଳି ଉଠେ ଆଉ ଭାବେ, ଏଃ କେଡ଼େ ଭଲ ନ ଲାଗିବଟି ଇମେଜଟା ବା ଏଇ ଅର୍ଥଟା ମୋର ଏଇ ପ୍ରିୟ ପାଠକଙ୍କୁ ! ସେଇ ଜଣେ ଦୁଇଜଣଙ୍କୁ ହିଁ ଜଜ୍‌ ନିଯୁକ୍ତ କରିବା ମୁଁ ସମୀଚୀନ ମନେକରିଥିଲି । ମୋ ମନୋନୀତ ଜଜ୍‌ ଦୁଇଜଣ ସେମାନଙ୍କର ରାୟ ଯଥାସମୟରେ ଦେଇଥିଲେ; କିନ୍ତୁ କଅଣ ବୁଝିବାକୁ ହେଲା ସେପରି ରାୟରୁ ? ଜଣେ ମତେ ଭାବ-ଗଦ୍‌ଗଦ୍‍ କଣ୍ଠରେ କହିଲେ ‘‘ତୁମେ ଚୋର ଲୋକ ! ଠିକଣା ସମୟରେ ଦେଖା ନ ଥାଏ ତୁମର । ଗତକାଲି ମୁଁ ୟାକୁ ପଢ଼ିସାରିଛି । ସେତିକି ବେଳଠୁଁ ମୁଁ ତୁମକୁ ଖୋଜୁଛି ।’’ ତା’ପରେ ସେ ‘ଓଃ’ ବୋଲି ଗୋଟିଏ ବେଦନାଦ୍ୟୋତକ ଶବ୍ଦ ଉଚ୍ଚାରଣ କଲେ ଓ କହିଲେ–‘‘କାଲି ଏହିପରି ଗୋଟିଏ ଶବ୍ଦ ଅହେତୁକ ମୋ ଭିତରୁ ବାହାରିଥିଲା–ଏହି ଗଳ୍ପଟି ଶେଷ କଲାବେଳେ ।’’

 

ଅତଃପର ମୁଁ ଦ୍ୱିତୀୟ ଜଜ୍‌ ନିକଟକୁ ଗଲି । ସେତେବେଳକୁ ଜଜ୍‌ ଗୁମ୍‌ ହେଇ ବସିଥାନ୍ତି ତାଙ୍କ ବଗିଚାରେ । ମୁଁ ଗଳ୍ପବିଷୟରେ କିଛି ନ ପଚାରି, ପଚାରିଲି ‘‘ଆପଣଙ୍କ ବଗିଚାରେ ବୁଲ୍‍ବୁଲ୍‍ ଚଢ଼େଇମାନେ ବାସ କରୁଥିବା କଥା ସହରରେ ବ୍ୟାପିଛି, ଏହା କ’ଣ ସତ୍ୟ ?’’ ତା’ପରେ ହଠାତ୍‌ ମୁଁ ଏକ ଦୁଃଖଦାୟକ ଶବ୍ଦ ଶୁଣିବାକୁ ପାଇଲି ଆଉ ତାହାରି ସହିତ ସେ କହିଲେ, ‘‘ଶୁଣନ୍ତୁ, ମୁଁ ଏଯାକେ ଆପଣଙ୍କ ଗଳ୍ପ ପଢ଼ିବା ଶେଷ କରିନାହିଁ । ଏଥର ପଢ଼ିଲେ ତେର ଥର ହବ ।’’

 

‘‘ବୁଲ୍‌ବୁଲ୍‌ ଚଢ଼େଇମାନଙ୍କ ସମ୍ୱାଦ ସତ୍ୟ ?’’ ମୁଁ ଅଝଟ ଧରିଥାଏ।

 

‘‘ସମ୍ପୂର୍ଣ୍ଣ ସତ୍ୟ ! ବାରଥର ପଢ଼ିବାପରେ ମଧ୍ୟ ମୋ ପକ୍ଷରେ ଆପଣଙ୍କ ଗଳ୍ପଟିର ଅର୍ଥ ବୁଝିବା ଅନର୍ଥକ ।’’

 

ମୁଁ ତାଙ୍କ ରାୟର ନିଗୂଢ଼ ଅର୍ଥଟି ବୁଝିପାରିଲି ଓ କ’ଣ ବୁଝିଲି ତାହା ପାଠକମାନଙ୍କୁ ବୁଝେଇବା ନିରର୍ଥକ ।

 

ସାହିତ୍ୟର ଅଶ୍ଳୀଳତା ବା ଦୁର୍ବୋଧ୍ୟତା ଲେଖକ ବା ପାଠକମାନଙ୍କ ପକ୍ଷରେ ପ୍ରକୃତରେ ଗୋଟିଏ ବଡ଼ ସମସ୍ୟା ନୁହେଁ । ଅସଲ ସମସ୍ୟା ହେଉଛି ସାହିତ୍ୟର ଆଶ୍ରୟ ଗ୍ରହଣ କରି ଆମେ ଏ ଭବସାଗର ପାରି ନ ହେଲା ନାହିଁ, ଆମ କ୍ଷୁଦ୍ରସଂସାର ଉପସାଗର ମଧ୍ୟରେ ଟିକିଏ ନୌଚାଳନ କରି ଜୀବନଯାତ୍ରାର ପଥ ସୁଗମ କରିବାର ଆତ୍ମପ୍ରତ୍ୟୟ ଆମ୍ଭମାନଙ୍କ ମଧ୍ୟରୁ କେତେଜଣ ପାଉ ? ଭାରତ ଋଷିମୁନିଙ୍କର ଦେଶ । ପୁଣି ଭାରତ ଭୂଖଣ୍ଡର ଅଧିବାସୀ ଏ ଦେଶର ତପସ୍ୱୀମାନଙ୍କର ମହିମାନ୍ୱିତ ସାଧନା ବଳରେ ଭଗବାନଙ୍କର ନିକଟତମ, ଏ ବିଶ୍ୱାସ ଭାରତବାସୀଙ୍କର ଭାଗବତ ଐକ୍ୟର ମୂଳପିଣ୍ଡ । ତେଣୁ ଭାରତବାସୀ ସ୍ୱଭାବତଃ ଅତ୍ୟନ୍ତ ଋଷି ତପସ୍ୱୀ ତଥା ସାଧୁସନ୍ନ୍ୟାସୀ ବତ୍ସଳ । ଆପଣାର ସମସ୍ତ ଦୁଷ୍କର୍ମ ତଥା ପାପାଚାର ସତ୍ତ୍ୱେ ଯଦି କୌଣସି ବିଶିଷ୍ଟ ସାଧୁ ସନ୍ନ୍ୟାସୀଙ୍କର ଆଶ୍ରା ମିଳିଗଲା ତେବେ ମୋକ୍ଷର ପନ୍ଥା ସୁଗମ–ଏହା ପ୍ରତ୍ୟେକ ଭାରତୀୟର ଗଭୀର ଅବବୋଧରୁ ଜାତ ଏକ ସାତ୍ତ୍ୱିକ ବିଶ୍ୱାସ । ଏହି କାରଣରୁ ସାଧାରଣ ଭାରତୀୟ ଦୈନନ୍ଦିନ ସଂସାର ଜଞ୍ଜାଳ ଭିତରେ ବୁଡ଼ିରହି ସୁଦ୍ଧା ମୋକ୍ଷଆଡ଼କୁ ନିଜର ଦିଗଜ୍ଞାନ ସ୍ଥିରରଖିବା ନିମିତ୍ତ ସାଧୁ ସେବାକୁ ନିଜର କର୍ତ୍ତବ୍ୟ ମନେକରେ । ଏପରି କର୍ତ୍ତବ୍ୟ ବାହାରେ ସାହିତ୍ୟ, ସଙ୍ଗୀତ ତଥା କଳାସେବାର ଆବଶ୍ୟକତା କଅଣ ? ଏପରି ପ୍ରଶ୍ନ ଚିନ୍ତାଶୀଳ ସାହିତ୍ୟକର ହୃଦୟରୁହିଁ ନିଃସୃତ ହୁଏ ।

 

ଉପରୋକ୍ତ ସମସ୍ୟାଟିର ତାତ୍ପର୍ଯ୍ୟ ବୁଝିବାରେ ତ୍ରୁଟି ରହିଲେ ଏପରି ମନେହେବା ସ୍ୱାଭାବିକ ଯେ, ସତେ କି ଆଜିର ସାହିତ୍ୟିକ କହୁଛି–‘‘କାହିଁକି ? ରାମକୃଷ୍ଣ କି ବିବେକାନନ୍ଦଙ୍କ ଉପରେ ଯେଉଁ ଫୁଲ ଚଢ଼ଉଚ ଚଢ଼ଉନ ଆମ ଉପରେ !’’ କିନ୍ତୁ ଫୁଲ ଚଢ଼େଇବା ପଛ କଥା । ଆଗ ପଚାରିବା ଦରକାର ସାଧୁମାନେ କିପରି ପାଣିରେ ଚାଲନ୍ତି ତଥା ରୋଗୀମାନଙ୍କୁ ହୁକୁମ ଦେଇ ରୋଗ ଭଲ କରିଦିଅନ୍ତି ସେପରି ଆଚମ୍ୱିତ କଥାମାନ ସାହିତ୍ୟିକ କରିପାରିବେ କି ?

 

ଜଣେ ସଚ୍ଚାସାଧୁଙ୍କୁ ପ୍ରଶ୍ନ ପଚାରିଲେ ଏହାର ଉତ୍ତର ଅନେକ ପ୍ରକାର ଅବଶ୍ୟ ମିଳିବ । କିନ୍ତୁ ସବୁଠୁଁ ଭଲ ଉତ୍ତରଟି କୃଶବିଦ୍ଧ ଅବସ୍ଥାରେ ଯୀଶୁଖ୍ରୀଷ୍ଟ ସ୍ୱୟଂ ଭଗବାନଙ୍କୁ ଦେଇଥିବା କଥା ଶୁଣାଯାଏ, ‘‘ହେ ପିତଃ, ଅବଶେଷରେ ତୁମେ ବି ମତେ ପରିତ୍ୟାଗ କଲ !’’

 

ଯଥାର୍ଥ ସାଧୁ କୌଣସି ଅଚମ୍ୱା ନିଜଠାରେ ପ୍ରକାଶ କରେନାହିଁ । ତାହା ଭଗବାନଙ୍କଠାରେ ହିଁ ପ୍ରଦର୍ଶିତ ହୁଏ । ସାଧୁ ବା ସେଣ୍ଟ୍‌ ଭଗବାନ ନୁହନ୍ତି । ସେମାନେ ଭଗବତ୍‌ ପ୍ରେରଣାର ବାହକ । ସାହିତ୍ୟିକ କ’ଣ କିଛି କମ୍‌ ଭଗବତ୍‌ ପ୍ରେରଣା କରେ ? କିମ୍ୱା ସେହି କାରଣରୁ ଜଣେ କାରଖାନା ଶ୍ରମିକ ଠିକଣାବେଳେ ହାତୁଡ଼ିଟିକୁ ଠିକଣା ଜାଗାରେ ପିଟିଲାବେଳେ ଯଦି ସଚେତନ ଅବସ୍ଥାରେ ନିଜର ହାତକୁ ନିରୀକ୍ଷଣ କରୁଥାଏ, ତେବେ ସେଇ ହାତ କିଛି କମ୍‌ ଈଶ୍ୱରେଚ୍ଛା ବହନ କରିଛି ବୋଲି ସେ ନିଜକୁ ଧିକ୍‌କାରେ କି ?

 

ସାଧୁ, ସାହିତ୍ୟିକ ଓ ଶ୍ରମିକ–ଏହି ତିନି ଚେତନାର ବଳଣାକୁ ଅଧୁନା ପାଶ୍ଚାତ୍ୟ ଦେଶରେ ଗୋଟିଏ ପଦରେ ‘‘ସାହିତ୍ୟିକ’’ ବୋଲାଯାଏ । କିନ୍ତୁ ଭାରତରେ ସାହିତ୍ୟିକ କହିଲେ ଗୋଟିଏ ମଝିଲା ଶ୍ରେଣୀକୁ ବୁଝାଏ ଯାହା ସାଧୁଠୁଁ ଢେର ଛୋଟ ଆଉ ଶ୍ରମିକଠୁଁ ଢେର ବଡ଼ । ପ୍ଲେଟୋଙ୍କ ରିପବ୍ଲିକରେ ଅବଶ୍ୟ ଯେଉଁ ସାମାଜିକ ଜାତିଭେଦ କରାଯାଇଛି, ସେଥିରେ ସାହିତ୍ୟିକ (କବି)କୁ ଶ୍ରମିକଠାରୁ କମ୍‌ ଆସନ ଦିଆଯାଇଛି; କିନ୍ତୁ ମଧ୍ୟଯୁଗର ଅବସାନ ପରେ ପାଶ୍ଚାତ୍ୟ ଚିନ୍ତାରୁ ପ୍ଲେଟୋସୃଷ୍ଟ ଜାତିଭେଦ ଲୋପ ପାଇଲା ଓ ମଣିଷର କର୍ମ, ଜ୍ଞାନ ଓ ଭକ୍ତି ସତ୍ତାକୁ ଏକତ୍ର କରି ମଣିଷର ପୂର୍ଣ୍ଣାଙ୍ଗ ରୂପ ତଥା ଆଧୁନିକ ମାନବିକତାବାଦର (Humanism) ମାର୍ଗ ଖୋଲିଲା । ଭାରତରେ ଡେରିରେ ହେଲେ ସୁଦ୍ଧା ମଧ୍ୟଯୁଗୀୟ ଚିନ୍ତା ଅବସାନର ନାନା ଲକ୍ଷଣ ଦେଖାଯାଉଛି । ଫଳରେ ସାହିତ୍ୟରେ ସେହି ଲକ୍ଷଣର ପ୍ରତିଫଳନ ଅଳ୍ପେ ବହୁତେ ଦେଖାଯାଉଛି । ସାହିତ୍ୟିକ କ୍ରମଶଃ ଶ୍ରୁତିକୁ ଛାଡ଼ି ଦୃଷ୍ଟି ଉପରେ ଅଧିକ ଆସ୍ଥାଶୀଳ ହେଉଛି । ସେ ବର୍ତ୍ତମାନ ବୁଝଛି ଯାହା ଶୁଣାଯାଉଛି ତାହା ଘଟଣା ହୋଇପାରେ; କିନ୍ତୁ ଯାହା ଦେଖାଯାଉଛି, ତାହା ସତ୍ୟର ଅଧିକ ନିକଟ । ଏହାର ଅନ୍ୟ ଅର୍ଥ ହେଉଛି–ଖବର ଶୁଣିବା ପାଇଁ ଆଗ୍ରହ ମନ୍ଦ ନୁହେଁ; କିନ୍ତୁ ଦୈନନ୍ଦିନ ସମ୍ୱାଦ ଜୀବନର ପରମ ସମ୍ୱାଦ ନୁହେଁ । କୁଷ୍ଠକୁ ଚୁମ୍ୱନ ଦେବା ଆମ ଆତ୍ମାର ଇଚ୍ଛା–ଏହା ଶ୍ରୁତିମାତ୍ର ! କିନ୍ତୁ ବଡ଼ିସକାଳେ ଦାଣ୍ଡଦୁଆର ମୁହଁରେ ଗଳିତ କୁଷ୍ଠରୋଗୀଟିଏ ବସିବା ଦେଖିଲେ ଦେହ ବୁଲେଇ ଉଠିବା ଆତ୍ମାର ସତ୍ୟ–ନିକଟବର୍ତ୍ତୀ ପର୍ଯ୍ୟାୟର ଏକ ଦୃଷ୍ଟି-ସିଦ୍ଧ ଲକ୍ଷଣ । ଏହାର ପରବର୍ତ୍ତୀ ପାହାଚ ବହୁତ, ସର୍ବଶେଷରେ ଯାଇ କୁଷ୍ଠକୁ ଚୁମ୍ୱନ ।

 

ପୃଥିବୀ ତମାମ ଲୋକେ ବର୍ତ୍ତମାନ କାହାଣୀ, ଅଙ୍ଗସୌଷ୍ଠବ ବର୍ଣ୍ଣନା ବା ଚରିତ୍ରର ବୈଚିତ୍ର ତଥା ଇତିହାସରେ ଶୁଣାଥିବା ଘଟଣାର ପୁନରାବୃତ୍ତି ଦେଖିଶୁଣି ଖୁସି ହେବାପାଇଁ ସାହିତ୍ୟ ପଢ଼ୁନାହାନ୍ତି । ସେସବୁ ଖବରକାଗଜରୁ ମିଳିପାରୁଛି । ସାହିତ୍ୟ ତେବେ ଲୋକେ ପଢ଼ନ୍ତି କାହିଁକି ? କିଏ ବା ପଢ଼େ ? ପୁଣି ଖୁସି କରାଇବା ଯଦି ସାହିତ୍ୟର ମତଲବ ନୁହେଁ, ତେବେ ଏ କର୍ମବ୍ୟସ୍ତ ଜୀବନରେ କାହାର ବା ବେଳ ଅଛି ଏ ସାହିତ୍ୟରେ ଧନ୍ଦି ହେବାକୁ ? ଏଇ ପ୍ରଶ୍ନ ବିଶ୍ୱର ସାଧାରଣ ପାଠକ (କେତେକ ଅସାଧରଣ ପାଠକ ବି) ପଚାରିବା ସ୍ୱାଭାବିକ । ଏହାର ଉତ୍ତର ହେବ ପାଠକ ଜୀବନଠୁଁ କଅଣ ପାଇବାକୁ ଆଶା କରୁଛି ? କାହିଁକି ସେ ଧନ୍ଦି ହେଉଛି ଏତେ, ତା’ର ଦୈନନ୍ଦିନ କାମରେ । ଶେଷରେ ସୁଖ ଟିକିଏ ପାଇବା ପାଇଁ ତ ? ଏଇଠି ପୁଣିଥରେ ମୂଳପ୍ରଶ୍ନ ପଚାରି ଦେଇ ଚୁପ୍‌ ହୋଇଯିବା ଭଲ–ସୁଖ କେଇ ପ୍ରକାର ?

 

ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ

ଅଭ୍ୟାସାଦ୍ରତିତେ ଯତ୍ର ଦୁଃଖାନ୍ତଞ୍ଚ ନିଗଚ୍ଛତି

 

ହେ ଭରତ ଶ୍ରେଷ୍ଠ ! ବର୍ତ୍ତମାନ ତ୍ରିବିଧ ସୁଖ ‘‘ମୋ’’ଠାରୁ ଶ୍ରବଣ କର ।

 

ବୁଲ୍‌ବୁଲ୍‌ମାନଙ୍କ ଜୟ ହେଉ ।

 

ଶାନ୍ତନୁ କୁମାର ଆଚାର୍ଯ୍ୟ

ତା ୨୦ । ୧ । ୭୨

ଭୁବନେଶ୍ୱର

Image

 

ହୃଦ କୋଲପ

 

ତମ୍ୱା, ତିଳ, ଘୃତ, ଅନଳ, ଶ୍ରୂବଶ୍ରୂଚ ପ୍ରଭୃତି ସେଇ ସବୁ ସାମଗ୍ରୀ ମୋ’ପାଇଁ ନିରର୍ଥକ ଥିଲା ସେହିପରି, ଯେଉଁପରି ମୋ ବଂଶର ବେଦ–ଯାହାର ନାମ ମଧ୍ୟ ଏବେ ମୋର ଅଜଣା । ଗୁଡ଼ିଏ ପୁରୁଣା, କଳଙ୍କିଧରା କୁଞ୍ଚିଲେନ୍ଥାରେ ଗୁନ୍ଥା ହେଇଥିବା କୁଞ୍ଚିର ଦନ୍ଥଡ଼ା ଦାନ୍ତିକୁ ବେଳେ ବେଳେ ଅନାଇଲେ ସେଥିରୁ କେତେଗୁଡ଼ିଏ ଚିହ୍ନା ମଣିଷଙ୍କ ମୁହଁ ହୁଏତ ମୋର ସ୍ମୃତିକୁ ଆସିଯାଏ; କିନ୍ତୁ ଉପରେ କୁହାଯାଇଥିବା ପଦାର୍ଥଗୁଡ଼ିକ ଏହି ପୁରୁଣା କୁଞ୍ଚିକାଠିଗୁଡ଼ିକଠୁଁ ବି ଆହୁରି ଅମୁହାଁ ଥିଲା–ଆମମାନଙ୍କର ନିବୁଜ ହୃଦ କୋଲପ ଆଗରେ । ସୁତରାଂ ଦକ୍ଷିଣ-ପୂର୍ବ ରେଳପଥର ତିନିନମ୍ୱର ଅପ୍‌ ମାନ୍ଦ୍ରାଜ୍‌ ମେଲରେ ପ୍ରଥମ ଶ୍ରେଣୀ କମ୍ପାର୍ଟମେଣ୍ଟର କବାଟ ସନ୍ଧିରେ ସେଇ ଚିତାଚୈତନକଟା ନାମାବଳୀ ପରିହିତ ଓ ହାତରେ ଆଦି-ଶଙ୍କରାଚାର୍ଯ୍ୟଙ୍କ ଦଣ୍ଡପରି ଖଣ୍ଡେ ବାଡ଼ି ବା ଅନ୍ୟକିଛି ଧରି ଆଖି ମିଟିମିଟି କରୁଥିବା ମୁହଁଟିକୁ ଦେଖିଲାମାତ୍ରେ ମୁଁ ଚଟାପଟ୍‌ ଆଖି ବୁଲେଇ ଆଣିଲି–ମୋ କୋଳ ଉପରେ ପଡ଼ିଥିବା ଖବରକାଗଜ ଉପରକୁ ଓ ଦେଶର ରାଜଧାନୀ ଦିଲ୍ଲୀଠାରେ ଯେଉଁ ଅଭୂତପୂର୍ବ ଘଟଣା ସର୍ବଭାରତୀୟ ମନକୁ ସେତେବେଳେ ଆଚ୍ଛନ୍ନ କରି ରଖିଥିଲା ଓ ଯାହାକୁ ଲୋକେ ଇନ୍ଦିରା-ନିଜଲିଙ୍ଗାପ୍‌ପା ମହାଯୁଦ୍ଧ ବୋଲି ନାମିତ କରିଥିଲେ, ସେଇ ମହାଯୁଦ୍ଧର ସାମ୍ୱାଦିକ ବର୍ଣ୍ଣନାପୂର୍ଣ୍ଣ କାଗଜଟିଦ୍ୱାରା ପୁଣି ଘୋଡ଼େଇ ଦେଲି ।

 

ଜଣେ ଉତ୍ତର-ଭାରତୀୟଭାବେ ମୋର ଦାକ୍ଷିଣାତ୍ୟ ଯାତ୍ରା ସେଥର ପ୍ରଥମ ବା ଦ୍ୱିତୀୟ ଥର ନ ଥିଲା । ପୂର୍ବରୁ କେତେଥର ମୁଁ ସେ ଦିଗକୁ ଯାତ୍ରା କରିଛି । କିନ୍ତୁ କୌଣସି ଥର ଦକ୍ଷିଣ ପ୍ରତି ଉତ୍ତର ଭାରତୀୟର ଏତେଗୁଡ଼ାଏ ବିତୃଷ୍ଣା ମୋ ମନକୁ ଆକ୍ରାନ୍ତ କରିନଥିଲା, ଯେମିତି ଏଥର । ଏଥିପାଇଁ ଅବଶ୍ୟ ଇନ୍ଦିରା-ନିଜଲିଙ୍ଗାପ୍‌ପା ବାଦବିସମ୍ୱାଦକୁ ମୁଁ ପୂରା ଦୋଷ ଦେଉନଥିଲି । କାରଣ ଏହି ସମ୍ବାଦପତ୍ରଟି ମୁଁ ହାତରେ ପାଇବା ପୂର୍ବରୁ ମୋର ଦାକ୍ଷିଣାତ୍ୟ ରେଳଯାତ୍ରାର ଅଧିକ ବିରକ୍ତିକର ଅନୁଭୂତିଟିକୁ ମୋ ମନ ଗ୍ରହଣ କରିସାରିଥିଲା । ତେଣୁ ଇନ୍ଦିରା-ନିଜଲିଙ୍ଗାପ୍‌ପାଙ୍କ ଅପେକ୍ଷା ମୁଁ ମୋ କମ୍ପାର୍ଟମେଣ୍ଟର ଅନ୍ୟଜଣେ ସହଯାତ୍ରୀଙ୍କୁ ନିର୍ଦ୍ଦିଷ୍ଟଭାବେ ଦାୟୀ କରିସାରିଥିଲି–ଯାହାଙ୍କ ଉପସ୍ଥିତି ମତେ ପ୍ରତ୍ୟକ୍ଷଭାବେ ଉତ୍ତେଜିତ କରି ରଖିଥିଲା ।

 

ମୋ ଆଖିଆଗ ବର୍ଥଟିକୁ ସେଇ ଭଦ୍ରଲୋକ ପୂରାପୂରି ଅଧିକାର କରି ବସିଥାନ୍ତି । ତାଙ୍କର ପୃଥୁଳ ଆକାରର ସ୍ଥୂଳତା ଅପେକ୍ଷା ମୁଁ ତାଙ୍କର ସୂକ୍ଷ୍ମ ଶରୀରର ତୀକ୍ଷ୍‌ଣତାଦ୍ୱାରା ସେତେବେଳକୁ ପୂରାପୂରି ସିଇଁ ହୋଇ ସାରିଥାଏ । ଭଦ୍ରଲୋକଙ୍କ ସହିତ ମୋର ପ୍ରଥମ ବଳ ପରଖାପରଖି ହେଇଗଲା–ଆମ ମଧ୍ୟାହ୍ନ ଭୋଜନର ‘‘ମେନୁ’’ ଉପରେ । ଖାନା ଅର୍ଡ଼ର ନେବାକୁ ଆସିଥିବା ରେଲଓ୍ୱେ କର୍ମଚାରୀ ଆମ ବଗିର ଯାତ୍ରୀଙ୍କର ମଧ୍ୟାହ୍ନ ଭୋଜନ ସମ୍ପର୍କରେ ଗୋଟିଏ ତାଲିକା ପ୍ରସ୍ତୁତ କରିବାପାଇଁ ଯେତେବେଳେ ମୋ ପାଖରେ ପହଞ୍ଚିଲେ, ସେତେବେଳେ ସ୍ୱତଃ ମୋ ପାଟିରୁ ବାହାରିଲା–‘‘ନନଭେଜିଟେରିଆନ୍‌ ମଟନ୍‌ ବା ଚିକେନ ଆଉ ପ୍ରଚୁର କଟା ପିଆଜ ସାଲାଦ... ।’’ କିନ୍ତୁ ମୋ ପାଟିରୁ କଥା ନ ସରୁଣୁ ମୋ ସାମନା ସିଟ୍‌ରୁ ଶୁଣିବାକୁ ମିଳିଲା–

 

‘‘ପୂରାପୂରି ଭେଜିଟେରିଆନ୍‍–ଖବରଦାର ! ପିଆଜ ଦୁର୍ଗନ୍ଧ ମୋ ଦେହରେ ଯାଏ ନାଇଁ-।’’ ସେତିକିବେଳେ ମୁଁ ସେଇ ଭଦ୍ରଲୋକଙ୍କୁ ଯାହା ଥରେ ନିକଟରୁ ଦେଖିଥିଲି । ତା’ ପରଠୁଁ ମୁଁ ଓ ସେ ପରସ୍ପରର ବହୁ ଦୂରକୁ ଚାଲିଗଲୁଁ ଓ ସେଇଠୁ ଜଣେ ଅପରକୁ ଖତେଇ ହେବା ଆରମ୍ଭ କରି ଦେଇଥିଲୁ । ଏହିପରି ବହୁଦୂର ଓ ନିରାପଦ ସ୍ଥାନରେ ଥାଇ ମୁଁ ତାଙ୍କୁ ନିରୀକ୍ଷଣ କରି ଯାହା ତାଙ୍କ ସମ୍ପର୍କରେ ବୁଝିଥିଲି, ତାହା ହେଉଛି–ସେ ନିଶ୍ଚୟ ଜଣେ ଖାଣ୍ଟି ଦକ୍ଷିଣୀ ଲୋକ । କିନ୍ତୁ ତାଙ୍କ ବେଶ ପୋଷାକରୁ ସେମିତି କିଛି ଖାଣ୍ଟି କଥା ଦେଖାଯାଉନଥିଲା । ମୋର ପୋଷାକ ଓ ତାଙ୍କର ପୋଷାକ ପ୍ରାୟ ସମାନ ଥିଲା । ମୋ ପରି ସେ ବି ସାହେବୀ ପେଣ୍ଟ୍‌-କୋଟ୍‌ ଓ ଟାଇ ପିନ୍ଧିଥିଲେ ଏବଂ ତାଙ୍କ ହାବଭାବରୁ ମୁଁ ଯାହା ଠଉରେଇଥିଲି, ମୋ’ପରି ସେ ବି ଜଣେ ସରକାରୀ କର୍ମଚାରୀ; ହୁଏତ ଅଧିକ ଶକ୍ତିଶାଳୀ କୌଣସି ସର୍ବଭାରତୀୟ କର୍ମଚାରୀ ବି ହୋଇଥାଇ ପାରନ୍ତି । କିନ୍ତୁ ସାମଗ୍ରିକଭାବେ ବାହ୍ୟ ସାମଞ୍ଜସ୍ୟ ସତ୍ତ୍ୱେ ଆମ ଭିତରେ ଏତେ ଅସାମଞ୍ଜସ୍ୟ ରହିଥିଲା ଯେ, ଆମର ଦୀର୍ଘକାଳର ରେଳଯାତ୍ରା ସତ୍ତ୍ୱେ କେବଳ ଥରଟିଏ ଛଡ଼ା ଦ୍ୱିତୀୟ ଥର ପାଇଁ ଏକାଠି ମିଶିବାକୁ ଆମେ ଆମ ଆଖିର ପୁଅମାନଙ୍କୁ ଏକାଠି ଛାଡ଼ି ଦେଇନଥିଲୁ ।

 

ଏହାରି ଭିତରେ ଆମ କମ୍ପାର୍ଟମେଣ୍ଟର କବାଟ ସନ୍ଧିରୁ ସେଇ ଆଦିଶଙ୍କରାଚାର୍ଯ୍ୟ ରୂପୀ ମୁହଁଟି ଦିଶିଲା । ମୁଁ ଖବରକାଗଜରେ ମୁହଁ ଘୋଡ଼େଇ ହେଇ ବସିଥାଏ । କିନ୍ତୁ ଲୋକଟିର ଚେହେରାରୁ ଶଙ୍କରାଚାର୍ଯ୍ୟ ଭାବ ମତେ ଛୁଇଁଥିଲେ ସୁଦ୍ଧା ମୁଁ ତା’ ସମ୍ପର୍କରେ ଆହୁରି କଥାଏ ବୁଝିଥିଲି । ଦକ୍ଷିଣର ଏଇ ଶଙ୍କରରୂପୀ ଲୋକଗୁଡ଼ିକ ପ୍ରକୃତରେ ଜଣେ ଜଣେ ବୁଲାଜ୍ୟୋତିଷ । ଦକ୍ଷିଣର ଶଙ୍କର ବା ବୁଲାଜ୍ୟୋତିଷ କେହି ମୋ ଧାତୁକୁ ସ୍ପର୍ଶ କରିପାରନ୍ତି ନାହିଁ । ସ୍ୱଭାବତଃ ମୁଁ ମାୟାକୁ ପସନ୍ଦ କରେ–ବ୍ରହ୍ମକୁ ନୁହେଁ, ମ୍ୟାଜିକବାଲାକୁ ପସନ୍ଦ କରେ–ଜ୍ୟୋତିଷଙ୍କୁ ନୁହେଁ । ତେଣୁ ଦରଓ୍ୱାଜା ଫାଙ୍କଟିକୁ ଆଗନ୍ତୁକର ପୂରା ଶରୀର ପ୍ରବେଶ ପାଇଁ ନିଜ ହାତରେ ଖୋଲିଦେବା ପୂର୍ବରୁ ମୋ ସାମନା ସିଟ୍‌ ଭଦ୍ରଲୋକଙ୍କ ଆନନ୍ଦସୂଚକ କୁହାଟରେ ମୋ ନିଜ ଦିହ ବିଷରିପି ଗଲା । ସେମିତି ବିଷରିପି ଥିବା ଦେହ ଘିନି ମୁଁ ଆହୁରି କେତେ ବେଳ ବୁଡ଼ି ରହିଲି ଖବରକାଗଜ ଭିତରେ । କିନ୍ତୁ ହଠାତ୍‌ ମୋ ହାତ ପାପୁଲିର ପଛପଟ ଚମ ଉପରେ ଆଉ ଗୋଟିଏ ହାତର ପ୍ରତ୍ୟକ୍ଷ ସ୍ପର୍ଶ ପାଇବାମାତ୍ରେ ମୋ ଦେହର ବାକିତକ ଚମ ସଂକୁଚି ଗଲା ।

 

‘‘ଆପ୍‌ ଉତ୍ତର ସେ ଆୟେ ହେଁ–ନା ?’’

 

ମୁଁ ତା’ର ଚେହେରା ଓ ବୃତ୍ତି ବ୍ୟତୀତ ତା’ର ଚର୍ମର ସ୍ପର୍ଶକୁ ହଠାତ୍‌ ଏତେ ଘୃଣା କଲି ଯେ, ତା’ଠାରୁ ସମ୍ପୂର୍ଣ୍ଣ ଦୂରକୁ ଚାଲିଯିବା ପରିବର୍ତ୍ତେ ତା’ ଗାଲରେ ଗୋଟିଏ ଚାପୁଡ଼ା ମାରିବାକୁ ଇଚ୍ଛାକଲି । କିନ୍ତୁ ମୋର ଧର୍ମଚେତନା ଅପେକ୍ଷା ମୋର ରାଜନୀତି ଚେତନା ମତେ ତଥାପି ଘାରିଥିଲା ଓ ମୁଁ ସ୍ପଷ୍ଟ ମନେରଖିଥିଲି ଯେ, ଆମ ଗାଡ଼ି ସେତେବେଳକୁ ମୋର ପରିଚିତ ସହରଠାରୁ ବହୁଦୂର ପଥ ଅତିକ୍ରମ କରି ସାରିଥିଲା । ରେଲଓ୍ୱେ ଟାଇମ୍‌ ଟେବ୍‌ଲରୁ ଓ ମୋର ସ୍ଥାନ-କାଳ-ପାତ୍ର ଜ୍ଞାନରୁ ମୁଁ ମୋର ଅବସ୍ଥିତିକୁ ମଧ୍ୟ ନିର୍ଣ୍ଣୟ କରିସାରିଥିଲି । ଆମ ଗାଡ଼ି ସେତେବେଳକୁ ଆନ୍ଧ୍ରପ୍ରଦେଶର ଗୋଦାବରୀ ପାଖାପାଖି ଧରି ଯାଇଥିଲା । ଜ୍ୟୋତିଷଟି ନିଶ୍ଚୟ ସ୍ଥାନୀୟ ହୋଇଥିବ । ଏଣୁ ମୁଁ ମୋର ଉଦ୍ୟତ ହାତକୁ ସଂଯତ କରିନେଇ ସ୍ଥିର ହୋଇ ପୂର୍ବଭଳି ବସି ରହିଲି ।

 

ମତେ ନିରୁତ୍ତର ରହିବା ଦେଖି ଲୋକଟି ଟିକିଏ ସନ୍ଦେହରେ ପଡ଼ିଲା । କିନ୍ତୁ ତୁଣ୍ଡର ଭାଷା ଚଟାପଟ୍‌ ବଦଳାଇ ଦେଲା ସେ । ହିନ୍ଦୁସ୍ଥାନୀ ପରିବର୍ତ୍ତେ ସେ ଇଂରେଜୀ ଭାଷା ବ୍ୟବହାର କରିବା ଶୁଣିପାରି ମୁଁ ଯଥାରୀତି ଆଶ୍ଚର୍ଯ୍ୟ ହେଲି । ଲୋକଟି ଶିକ୍ଷିତ ବୋଲି ସ୍ୱାଭାବିକଭାବେ ଭାବି ନେବାପରେ ମୁଁ ଟିକିଏ ଥଣ୍ଡା ହେଲି ଓ ଖବରକାଗଜ ଆଢ଼ୁଆଳରୁ ତାମୁହଁକୁ ଅନେଇଲି ।

 

ଏତିକିବେଳେ ଆମ ଗାଡ଼ିର ଗଡ଼ନ୍ତି ଚକମାନଙ୍କର ଶବ୍ଦରେ ଗୋଟିଏ ପରିବର୍ତ୍ତନ ହେଲା । ନଈପୋଲ ଉପରେ ରେଳଗାଡ଼ି ଚକ ଗଡ଼ିଲାବେଳେ ଯୋଉ ପ୍ରକାର ଧ୍ୱନି ଶୁଣାଯାଏ, ସେହି ଧ୍ୱନି ଆରମ୍ଭ ହୋଇଗଲା । ଆମ ଗାଡ଼ି ପଡ଼ିଲା ଗୋଦାବରୀପୋଲ ଉପରେ ।

 

ଲୋକଟାର ମୁହଁ ଉପରୁ ଚଟ୍‌କରି ଆଖ ବୁଲେଇ ନେଇ ମୁଁ ବାହାରକୁ ଅନେଇଲି ।

 

ଭାରତର ମଣିଷମାନଙ୍କ ମୁହଁ ଅପେକ୍ଷା ଭାରତର ନଦୀମାନଙ୍କ ମୁହଁ ମୋର ବେଶି ଚିହ୍ନା । ମୋ ମନର ବଳକା ଉତ୍ତାପକୁ ଶୀତଳ କରିଦେବା ଉଦ୍ଦେଶ୍ୟରେ ମୁଁ ଆହୁରି ଝୁଙ୍କିପଡ଼ିଲି ଗୋଦାବରୀ ନଈଆଡ଼କୁ । ଝରକା ବାହାରକୁ ମୋ ବେକ ଝୁଙ୍କିଗଲା ଟିକିଏ । ଏତେବେଳେ ବେକର ମାଂସପେଶୀ ଟାଣି ହୋଇଯିବା ସ୍ୱାଭାବିକ । ହଠାତ୍‌ ଏଇ ଟଣକି ରହିଥିବା ବେକ ମାଂସପେଶୀ ଉପରେ ତା’ ଆଙ୍ଗୁଳିର ଚମ ଦ୍ୱିତୀୟଥର ପାଇଁ ବିଜୁଳି-ସକ୍‌ ଦେଲା ମତେ ।

 

ଝରକା ବାହାରୁ ସାପପରି ଚିହିଙ୍କି ଆସିଲା ମୋ ବେକ–

 

‘‘ଖବରଦାର୍‌– !’’ ମୁଁ ତା’ଆଡ଼କୁ କଟ୍‌ମଟ୍‌ କରି ଚାହିଁଲି ।

 

‘‘ୟେ ଗୋଦାବରୀ ହୈ’’ ସେ ମୋ ଦୃଷ୍ଟିକୁ ବେଖାତିର ହସି ହସିକା କହିଲା ।

 

‘‘ମତେ ବେଶ୍‌ ଜଣା–’’ ମୁଁ ଆହୁରି ରୂଢ଼ ସ୍ୱରରେ ଜବାବ ଦେଲି ଓ ସେ ମତେ ଦକ୍ଷିଣ ଭାରତର ଭୂଗୋଳ ବିଷୟରେ ଅଜ୍ଞ ଭାବୁଥାଇପାରେ ଏଇଆ ଆଶଙ୍କା କଲାପରି ପୁଣି କହିଲି ‘‘ୟା ପରେ ଆସିବ କୃଷ୍ଣା, କାବେରୀ–’’

 

ମୋର ଭୂଗୋଳ ଜ୍ଞାନ ତାକୁ ହୁଏତ ପ୍ରଭାବିତ କଲା । ତା’ର ହସ ଟିକିଏ ପଡ଼ିଗଲା ଓ ସେ ଗମ୍ଭୀର ହୋଇଗଲା । କିନ୍ତୁ ଟିକିଏ ପରେ ପୁଣି ସେମିତି ହସିଲା, ଆଉ ସତେକି ମୋର କୌଣସି ଭୁଲ୍‌ ସେ ତଥାପି ଲକ୍ଷ୍ୟ କରିଥିଲା ସେମିତି ମୁଣ୍ଡ ହଲେଇ ହଲେଇ କହିଲା–‘‘ନର୍ମଦେ-ସିନ୍ଧୁ-କାବେରୀ ।’’

 

ଭାରତର ନଦୀମାନଙ୍କ ନାମକୁ ଏକାଠି କରି ସଂସ୍କୃତରେ ଗୋଟିଏ ଶ୍ଳୋକ ଥିବା କଥା ଓ ବିବାହ ଶ୍ରାଦ୍ଧ ପ୍ରଭୃତି ଶୁଭାନୁଷ୍ଠାନମାନଙ୍କରେ ଏହି ନଦୀନାମାବଳୀ ଆବୃତ୍ତି ହେବା ମୁଁ ଶୁଣିଥିଲି । ତାହା ବୋଧହୁଏ ଏହିପରି ଗଙ୍ଗାଶ୍ଚ ଗୋଦାବରୀଶ୍ଚ...ନର୍ମଦେ ସିନ୍ଧୁ କାବେରୀ.......

 

ମୁଁ ତା’ର କଣ୍ଠସ୍ୱରରୁ ମୋ ଭିତରେ ବୁଡ଼ି ରହିଥିବା ସଂସ୍କୃତ ଶ୍ଳୋକର ଛନ୍ଦଟିକୁ ପାଇପାରିଲି । ସେଇ ଛନ୍ଦରେ ମତେ ତା’ ସହିତ ଛନ୍ଦିଦେବ ବୋଲି ସେ ହୁଏତ ଭାବି ଚିନ୍ତି ତାହାକୁ ପ୍ରୟୋଗ କରିଥିଲା । ତା’ପ୍ରତି ମୋର ଏହି ମୌଳିକ ସନ୍ଦେହ ହେତୁ ମୁଁ ତା’ଠୁଁ ପୁଣିଥରେ ନଈ ଆଡ଼କୁ ମୁହଁ ବୁଲେଇ ନେଲି ଓ ବରଂ ସେଇ ଉଧାର କଲା ଛନ୍ଦରେ ମୁଁ ଗୋଦାବରୀ ନଈ ସାଙ୍ଗରେ ନିଜକୁ ଶାନ୍ତଭାବେ ଛନ୍ଦିଦେବି ବୋଲି ଭାବିଲି ।

 

ତଳେ ଗୋଦାବରୀ ନଦୀର ବିସ୍ତୃତ ଜଳଧାର ଗୋଟାଏ ସାମୁଦ୍ରିକ ସବୁଜ ରଙ୍ଗ ଧରିଥାଏ । ଶରତ ଋତୁର ଉପରଓଳା ଖରାର ସୁନାପରି ହଳଦିଆ ରଙ୍ଗ ଓ ଗଭୀର ନଦୀଜଳର କୃଷ୍ଣରଙ୍ଗ ଏକାଠି ଗୋଳିଆ ପୋଳିଆ ହୋଇ ଏହିପରି ସାମୁଦ୍ରିକ ସବୁଜ ବା ନେଳି ଦିଶୁଥାଏ ।

 

ସେଇ ନେଳୀ ରଙ୍ଗ ମୋ ଦୃଷ୍ଟି ଦ୍ୱିତୀୟ ଥର ପଡ଼ିବାମାତ୍ରେ ଓ ସେଥିରେ ସଂସ୍କୃତ ଛନ୍ଦଟି ମିଶିଥିବା ଦୃଷ୍ଟିରୁ ବୋଧହୁଏ ମୁଁ ନଦୀର ମାୟାରେ ଛନ୍ଦି ହୋଇପଡ଼ିଲି । ସେ ମୋର ଏଇ ମାୟାଚ୍ଛନ୍ନ ଦୃଷ୍ଟିକୁ ଲକ୍ଷ୍ୟ କରିଥିଲା । ତା’ର ଶଙ୍କରାଚାର୍ଯ୍ୟ ପଣିଆ ହୁଏତ ମୋର ଏଇ ମାୟା ବିରୁଦ୍ଧରେ କାମ କରିବାକୁ ଲାଗିଲା । ସ୍ୱରକୁ ଖୁବ୍‌ ଗମ୍ଭୀର କଲା ପରି ସେ ମୋ ମୁଣ୍ଡ ପଛପଟୁ ପୁଣି ମତେ ଆକର୍ଷଣ କଲା–

 

‘‘ଆପ୍‌ ଗଙ୍ଗାଜୀସେ ଆୟେ ହୈ-ନା ?’’

 

ମୁଁ ଉତ୍ତର ଦେଲି ନାହିଁ ।

 

‘‘କବସେ ଘର୍‌ ଛୋଡ଼ା–କାଲସେ ନା ?’’

 

ମୁଁ ନଈ ସହିତ ମାୟାବଦ୍ଧ ହୋଇ ପୂର୍ବପରି ବସି ରହିଥାଏ ।

 

‘‘ତୋ ଦେଖିୟେ–ଗଙ୍ଗାଜୀ କୋ ଛୋଡ଼କର ଆୟେଥେ ତୋ ଫିର୍‌ ମିଲଗୟେ ଓ୍ୱହିଁପର୍‌-। ଅତୀତ ସେ ଆପ୍‌ ଆୟେଥେ ନା ? ଫିର୍‌ ପହୁଁଚ ଗୟେ ୟହାଁ ଯହେଁସେ ଆୟେଥେ... । ଆପ୍‌ ଗୋଦାବରୀ ମେ ଗଙ୍ଗାଜୀକୋ ଦେଖ୍‌ତେ ହୈ ନା ?’’

 

ମୁଁ ବାସ୍ତବିକ ତାହାହିଁ କରୁଥିଲି । କିନ୍ତୁ ସେ ଯେତେବେଳେ ତା’ର ଅଦ୍ୱୈତରେ ଆହୁରି ପାଦେ ଆଗକୁ ଚାଲିଯାଇ କହିଲା–

 

‘‘ଆପ୍‌ ଚାହେଙ୍ଗେ ତୋ ମୈ ଆପକେ ଲିୟେ ଫିର୍‌ ଏକ ସମ୍ମିଲନ୍‌କା କୋଶିସ୍‌ କରୁଁଗା–ଆପ୍‍ ପିତୃପୁରୁଷ କୋ ତୋ ଶ୍ରାଦ୍ଧ ଦେତେ ହୈଁ–ନା ? ଏକ ତମ୍ୱିକା ପୈସା ହୋଗା ?’’

 

ତା’ର ସେଇ ଶେଷବାକ୍ୟଟି ମୋର ନଦୀ ପ୍ରତି ଲାଗିଥିବା ଆକର୍ଷଣକୁ ଝିଙ୍କି ଓଟାରି ଦେଲା । ତା’ରିଠୁ ଉଧାର କରା ଛନ୍ଦଟିକୁ ନିଜ ହାତରେ ନିଜେ କାଟିସାରିଲା ପରେ ମୁଁ ଏଥର ପୂର୍ଣ୍ଣମାତ୍ରାରେ ତା’ଆଡ଼କୁ ମୁହଁ ବୁଲାଇ ଦେଖିଲି । ତା’ପ୍ରତି ମୋର ମତାମତ ନିର୍ଦ୍ଦିଷ୍ଟ ହୋଇଉଠିଲା-। ମୁଁ ତାକୁ ଶୁଣାଇବା ପାଇଁ ପ୍ରସ୍ତୁତ ହୋଇଯାଇ ମନେ ମନେ କହିଲି–ଓ ! ସେଇ ପଇସା ମାଗିବା କଥାଟା ଏତେବେଳଯାକେ ଲୁଚାଇଚ କାହିଁକି ? ...ପଇସା ମଗା ଭିକାରି ! ମୋର ତ ବିଶ୍ୱାସ ଆସି ଯାଇଥିଲା ସତେ ଆସିଗଲେ କି ଆଉ ଶଙ୍କର ! ତା’ପରେ ପ୍ରକାଶ୍ୟରେ ମୁଁ କହିଲି ‘‘ମୋର ବିଶ୍ୱାସ ନାଇଁ–ନା,...ବିଶ୍ୱାସ ନାଇଁ–ଏ ଦେଶର ମାଟି, ପାଣି, ପବନ, ମଣିଷ–ନା କାହାରିକୁ ନୁହେଁ–’’

 

ତା’ର ବୃତ୍ତି ଅନୁଯାୟୀ ସେ ହସି ଦେଲା । ମୋର ଏ ଅପ୍ରତ୍ୟାଶିତ କ୍ରୋଧକୁ ପୂର୍ବରୁ ସେ ଯେ ଦେଖି ନ ଥିଲା ତା’ ନୁହେଁ; କିନ୍ତୁ ମତେ ଏକୁଟିଆ ହେଇ ଭାବିବାକୁ ଛାଡ଼ି ଦେବାକୁ ସେ ବୋଧହୁଏ ତା’ ବୃତ୍ତିର ଆଉ ଗୋଟିଏ ଦାୟିତ୍ୱ ବୋଲି ଜାଣିଥିଲା ।

 

‘‘ତୋ, ଠିକ୍‌ ହାୟ ! ମୈ ଫିର୍‌ ମିଲୁଁଗା–ଯବ୍‌ ବିଶ୍ୱାସ ଓ୍ୱାପସ୍‌ ଆୟେଗା–ଆପକା ହୃଦସଂସାର ମେ ।’’ ସେ ମୌନ ହୋଇଗଲା ।

 

ଏତିକିବେଳେ କୌଣସି କାରଣରୁ ଆମର ଦାକ୍ଷିଣାତ୍ୟଗାମୀ ମେଲ୍‌ ଗାଡ଼ିର ବେଗ ହଠାତ୍‌ କମି ଆସିବା ଭଳି ଅନୁଭବ କରି ମୁଁ ପୁଣି ନଈଆଡ଼େ ଚାହିଁଲି । ଗାଡ଼ି ସତକୁ ସତ ଅଟକିବା ପାଇଁ ବ୍ରେକ୍‌ ଦେଲା । ନଈ ପୋଲ ତଥାପି ପାରି ହୋଇନଥାଏ–ଆମ ଡବାର ଚକଗୁଡ଼ିକ । ଗାଡ଼ି ଚକର ଧ୍ୱନିଯୁକ୍ତ ଘର୍ଘର ଶବ୍ଦ ହଠାତ୍‌ ନିର୍ଦ୍ଦିଷ୍ଟ ଛନ୍ଦ ହୁଡ଼ି ବିକଳ ଶବ୍ଦ କଲାପରି କେଁ କେଁ ହେବାକୁ ଲାଗିଲା । କିଛିସମୟ ପରେ ଗାଡ଼ି ଅଟକି ବି ଗଲା । ଗାଡ଼ି ଅଟକିବାମାତ୍ରେ ସେ ଓହ୍ଲେଇଗଲା ଆମ କମ୍ପାର୍ଟମେଣ୍ଟରୁ । ଅଳ୍ପ କବାଟ ଖୋଲି ଆସ୍ତେ ଝୁଲିପଡ଼ିଲା ସେ ବାହାରକୁ । ତା’ପରେ ସେ ଚାଲିଗଲା–ବୋଧହୁଏ ଆମ ଡବା ପଛକୁ ଲାଗିଥିବା ଗୋଟିଏ ତୃତୀୟ ଶ୍ରେଣୀ ଡବା ଆଡ଼କୁ ।

 

ମୁଁ ତା’ର ଚାପରୁ ରକ୍ଷା ପାଇଗଲି ଭାବି ଗୋଟିଏ ଦୀର୍ଘ ନିଃଶ୍ୱାସ ନେଲି ଓ ପୁଣିଥରେ ଫେରି ପଡ଼ିଲି ମୋ ହାତର ଖବରକାଗଜ ଆଡ଼କୁ । କିନ୍ତୁ ହଠାତ୍‌ ସେଇ ଖବରକାଗଜ ପୃଷ୍ଠାର ଇନ୍ଦିରା-ନିଜଲିଙ୍ଗାପ୍‌ପାଙ୍କ ସମ୍ପର୍କରେ ଥିବା ହେଡ୍‍ଲାଇନ ଉପରେ ହିଁ ମୋ ହୃଦୟ ଭିତରୁ ଜାତ ସେଇ ଲୋକଟିର ମୁହଁର ବାକ୍ୟଟି ସତେକି ଲେଖି ହୋଇଗଲା–‘‘ମୈ ଫିର୍‌ ମିଲୁଁଗା, ଯବ୍‌ ବିଶ୍ୱାସ ଓ୍ୱାପ୍‍ସ ଆୟେଗା... ।’’ ସେଇ ବାକ୍ୟଟିକୁ ମୁଁ ଅନୁବାଦ କରି ଆଉଥରେ ଉଚ୍ଚାରଣ କରନ୍ତେ ତାହା ମୋ ମାତୃଭାଷାରେ ଆହୁରି ଅଦ୍ଭୁତ ଶୁଭିଲା–‘‘ମୁଁ ଫେର୍‌ ମିଳିବି ତୁମମାନଙ୍କ ସହିତ, ଯେତେବେଳେ ବିଶ୍ୱାସ ତୁମମାନଙ୍କ ହୃଦୟକୁ ଫେରି ଆସିବ ।’’

 

ମୁଁ ମୋ ନିଜ ବାକ୍ୟରେ ରୋମାଞ୍ଚିତ ହୋଇଗଲି । ଗୋଦାବରୀ ନଦୀ ପୋଲ ଉପରେ ଆମର ଅଟକି ରହିଥିବା ଗାଡ଼ିରୁ ମୁଁ ଝୁଙ୍କିପଡ଼ିଲି । ଏଥର ଗୋଦାବରୀ ନଦୀର ପୃଷ୍ଠଭୂମିରେ ଆମର ସମୁଦାୟ ଗାଡ଼ିର ଦୈର୍ଘ୍ୟ ଉପରେ ମୋର ଆଖି ପଡ଼ିଲା । ତଳେ ନଈ ପାଣିରେ ତଥାପି ସେଇ ଆକର୍ଷଣୀୟ ଅଦ୍ଭୁତ ସବୁଜ ରଙ୍ଗ ବ୍ୟାପୀ ରହିଥାଏ । ମୁଁ ତଳକୁ ଚାହିଁଲି ଓ ହଠାତ୍‌ ମୋ ଭିତରେ ସେଇ ମାରାତ୍ମକ ଚିନ୍ତାଟି ଉଦୟ ହେଲା । ମୁଁ ନିଶ୍ଚୟ ପରୀକ୍ଷା କରିବି ସେଇ ବାକ୍ୟଟିକୁ–ମୋ ଭିତରେ ଗୋଟିଏ ଉଗ୍ର ବାସନା ମୁଣ୍ଡଟେକି ଉଠିଲା । ମୋର ସେ ବାସନାକୁ ସାହାଯ୍ୟ କରିବାକୁ ଦୀର୍ଘ ସମୟ ଧରି ଗାଡ଼ି ଅଟକି ରହିଲା ସେଇଠି ବୋଧହୁଏ ।

 

ସେମିତି ବାସନାସକ୍ତ ହୋଇ ମୁଁ ହଠାତ୍‌ ମୋ ବିଶ୍ୱାସକୁ ପ୍ରଚାର କରିଦେବା ଉଦ୍ଦେଶ୍ୟରେ ସତେକି କମ୍ପାର୍ଟମେଣ୍ଟ ଭିତରକୁ ନିଘାକଲି । ମୋର ଏକମାତ୍ର ସହଯାତ୍ରୀ ସେଇ ନୈଷ୍ଠିକ ଦକ୍ଷିଣୀ ସର୍ବଭାରତୀୟ ଅଫିସରଟି ବର୍ତ୍ତମାନ ଯେଉଁଠି ଥାଆନ୍ତୁ ପଛକେ, ଅତୀତରେ ଆମର ସେଇ ବିସ୍ମୟକର, କଥୋପକଥନକୁ ନିଶ୍ଚୟ ମନେରଖିଥିବେ । ତାଙ୍କର ନିଶ୍ଚୟ ମନେଥିବ, ଯେଉଁପରି ନାଟକୀୟଭାବେ ସେଦିନ ମୁଁ ତାଙ୍କୁ ହଠାତ୍‌ ଏମିତି ଗୋଟିଏ ପ୍ରଶ୍ନ ପଚାରିଥିଲି, ଯେଉଁଥିରେ ସେ ଭୟ ପାଇଲା ଭଳି ଚମକି ପଡ଼ିଥିଲେ–

‘‘ଆଚ୍ଛା ! ଅଳ୍ପ ସମୟ ତଳେ ଏଠିକି କେହି ଜଣେ ଆସିଥିବା କଥା ଆପଣଙ୍କ ମନେପଡ଼ୁଚି କି ?’’ ମୁଁ ତାଙ୍କ ହାତକୁ ମୋ ଅଜାଣତରେ ଛୁଇଁ ଦେଲି ବୋଧହୁଏ ।

‘‘କିଏ ?’’ ଚମକିପଡ଼ି ସେ ବଡ଼ ବଡ଼ ଆଖିରେ ମତେ ଚାହିଁଲେ ।

‘‘ଆସି ନ ଥିଲେ ଜଣେ ଏଠିକି ?’’ ମୁଁ ଶୀତେଇ ଗଲି ମୋ ନିଜ ବାକ୍ୟରେ ଥିବା ବିଶ୍ୱାସରେ !

‘‘କାହା କଥା କହୁଚନ୍ତି ଯେ ! ଜ୍ୟୋତିଷ ?’’ ସେ ଅନୁଭବ କରିପାରିଲେ ମୋ ଶୀତେଇବାକୁ ।

‘‘ନାଃ’’, ମୁଁ ତାଙ୍କ ଆଖିର ପୁଅକୁ ସିଧାସଳଖ ଚାହିଁଲି ମୋ ଆଖିର ପୁଅଦ୍ୱାରା ଓ ସେତିକିବେଳେ ମୋ ଉପରେ ମୋ ନିଜ ବିଶ୍ୱାସ ଆହୁରି ଦୃଢ଼ ହୋଇଗଲା । ମୁଁ ଖୋଲିଦେଲି ନିଜକୁ ଓ କହିଲି ‘‘ସେ ଲୋକଟିର ଦେହର ରଙ୍ଗକୁ ଆପଣ ଲକ୍ଷ୍ୟ କରିଛନ୍ତି ? ବଡ଼ ଅଦ୍ଭୁତଭାବେ ଶ୍ୟାମଳ–ଏକ ପ୍ରକାର ସବୁଜ, ବରଂ ହରିତ୍‌ କୁହନ୍ତୁ !’’

ଅର୍ଦ୍ଧଶାୟିତ ଅବସ୍ଥାରୁ ସେ ଉଠି ବସିଲେ । ଘୁଞ୍ଚିବାକୁ ଇଚ୍ଛାକଲେ ଜଣେ ଦକ୍ଷିଣ ଭାରତୀୟ କାହିଁକି, ଯେକୌଣସି ଭାରତୀୟର ଶାରୀରିକ ପୃଥୁଳତା ଏତେ ଶୀଘ୍ର ମିଳେଇଯାଏ ବୋଲି ମୋର ଆଶା ନ ଥିଲା ।

‘‘ଓଃ !’’ ତାଙ୍କର ସେଇ ଦୀର୍ଘନିଃଶ୍ୱାସଟି ମୋର ଏଯାକେ ମନେଅଛି । ଅତୀତରେ ମୋ ବୋଉ ରାମାୟଣ ପଢ଼ିଲାବେଳେ ସ୍ଥାନେ ସ୍ଥାନେ ଏମିତି ଅଟକି ରହି ଦୀର୍ଘନିଃଶ୍ୱାସ ନେଉଥିଲା, ମୋର ମନେପଡ଼ିଲା ।

‘‘ଆପଣ ସେ ସବୁଜ ମଣିଷଟିକୁ ଦେଖି ନାହାନ୍ତି ?’’ ମୁଁ ପୁଣିଥରେ ପଚାରିଲି ।

‘‘ବୋଧହୁଏ–’’ ସେ ଧୀର ସ୍ୱରରେ କହିବାକୁ ଆରମ୍ଭ କରୁଥିଲେ । କିନ୍ତୁ କ୍ରମଶଃ ଭାବପ୍ରବଣ ହୋଇପଡ଼ି ଉଚ୍ଚସ୍ୱରରେ ଅନୁଯୋଗ କଲେ–‘‘ମୋର ବିଶ୍ୱାସ, ଆପଣ ଠିକ୍‌ ଦେଖିଛନ୍ତି-। ହଁ, ସେ ନିଶ୍ଚୟ ସେଇ ।’’ ତା’ପରେ ସେ ମୋ ସହିତ ସହଯୋଗ କଲାପରି ଭାବିବାକୁ ଲାଗିଲେ ଓ ପୁଣି କହିଲେ–‘‘ଭାରତର ମଣିଷମାନେ ଭାରତର ନଈପରି–ଅଦ୍ଭୁତ । ଆପଣ ନିଶ୍ଚୟ ଠିକ୍‌ ଦେଖିଛନ୍ତି–ତାଙ୍କର ବର୍ଣ୍ଣ...ଶ୍ୟାମଳ...ମୁଁ ଠିକ୍‌ ଜାଣେ ସେ ମଣିଷ ନୁହଁନ୍ତି କି ନଈ ନୁହଁନ୍ତି–ସେ ସାକ୍ଷତ୍‌... ।’’ କିନ୍ତୁ ତାଙ୍କ ବାକ୍ୟଟିକୁ ଶେଷ କରିବାକୁ ନ ଦେଇ ମୁଁ ପଚାରିଲି, ‘‘ମଣିଷ ହେଉ ବା ନଈ ହେଉ–ମୁଁ ଆଶ୍ଚର୍ଯ୍ୟ ହେଉଛି–ସବା ଶେଷରେ ସାମାନ୍ୟ ତମ୍ୱା ପଇସାଟିଏ କାହିଁକି ସେ ଭିକ୍ଷା କରୁଥିଲେ !’’ ଯଥାର୍ଥ ବିସ୍ମୟ ସହ ପଚାରିଥିଲି ମୁଁ ।

 

‘‘ତମ୍ୱା ପଇସାଟିଏ ?’’ ମୋର ସହଯାତ୍ରୀ ପୁଣିଥରେ ଚମକିଲା ଭଳି ଚାରିଆଡ଼କୁ ଚାହିଁଲେ । ବୋଧହୁଏ ସେଇ ଲୋକଟି ସହିତ ମୋର ପୂର୍ବର କଥାବାର୍ତ୍ତା ସେ ମନଦେଇ ଶୁଣିନଥିଲେ ସେତେବେଳେ ।

 

‘‘ହଁ, ହଁ !’’ ମୁଁ ଜୋର୍‌ ଦେଇ କହିଲି ।

 

‘‘ଓଃ !’’ ପୁଣିଥରେ ସେମିତି ରାମାୟଣ ପଢ଼ିଲାବେଳର ନିଃଶ୍ୱାସ ସେ ମାରିଲେ ।

 

‘‘ଏଥିରେ କିଛି ରହସ୍ୟ ଅଛି ନା କ’ଣ ?’’ ମୁଁ ବସିପଡ଼ିଲି ତାଙ୍କ ବର୍ଥରେ । ମୋ ଦେହକୁ ତାଙ୍କ ଦେହ କେତେକାଂଶରେ ସ୍ପର୍ଶ କରିଥିଲା, ଆମର ସେଇ ସାମୟିକ ଉତ୍ତେଜନା ଭିତରେ ।

 

ତଥାପି ମୋର ପ୍ରଶ୍ନର ଉତ୍ତର ଦେବା ଛଳରେ ସେ ବ୍ୟାଖ୍ୟା କଲାପରି କହିଲେ–

 

‘‘ଭାରତର ନଈମାନଙ୍କ ଜଳକୁ ତମ୍ୱାପାତ୍ରୀରେ ଧରି ପିତୃତର୍ପଣ କରିବା ଏକ ପବିତ୍ର କାର୍ଯ୍ୟ–ବୋଧହୁଏ ଏମିତି କିଛି କାରଣରୁ ଭାରତୀୟ ଯାତ୍ରୀମାନେ ପ୍ରତ୍ୟେକ ଥର ନଈ ପାରିହେଲାବେଳେ ପାଣିକୁ ଯେକୌଣସି ତମ୍ୱା ଜିନିଷରେ ଛୁଇଁ ଦେବାକୁ ପୁଣ୍ୟ ମନେକରନ୍ତି । ବୋଧହୁଏ ସେହି ତର୍ପଣ ଉଦ୍ଦେଶ୍ୟରେ– ।’’

 

‘‘ଆପଣ ବିଶ୍ୱାସ କରନ୍ତି–ଏଇ ତର୍ପଣ ପ୍ରଭୃତିରେ ?’’ ମୁଁ ପୁଣିଥରେ ଅଟକେଇ ଦେଲି ତାଙ୍କୁ କଥା ମଝିରେ । କିନ୍ତୁ ମୋ ଭିତରେ ଟଗବଗ ହେଉଥିବା ବିଶ୍ୱାସଟିକୁ ମୁଁ ସେତେବେଳଯାକେ ଆୟତ୍ତ କରିପାରିନଥିଲି । ତେଣୁ ତାଙ୍କର ଉତ୍ତର ପାଇଁ ଅପେକ୍ଷା ନ ରଖି ମୁଁ ସେତେବେଳକୁ ମୋ ପକେଟ ଅଣ୍ଡାଳି କେତେକ ତମ୍ୱା ପଇସା କାଢ଼ି ସାରିଥିଲି ଓ ସେଗୁଡ଼ିକ ଥୋଇ ସାରିଥିଲି–ମୋ ଖାଇବା ହାତ ପାପୁଲି ଉପରେ ।

 

ମୋର ହାବଭାବରେ ସେତେବେଳକୁ ତାଙ୍କ ମୁହଁ ଉପରେ ଗୋଟିଏ ସଲଜ୍ଜ ତାମ୍ରବର୍ଣ୍ଣ ବୁଲିଯାଇଥିଲା । ସେଇ ବର୍ଣ୍ଣଟିକୁ ଦେଖି ମୁଁ ଆହୁରି ପ୍ରେମରେ ପଡ଼ିଗଲାପରି ଲାଗିଗଲି ତାଙ୍କଠେଇଁ–

 

‘‘ତା’ହେଲେ ଆସନ୍ତୁ–ସେଇ ପବିତ୍ର କାର୍ଯ୍ୟଟି କରିବା–’’ ମୁଁ ହାତ ବଢ଼େଇଦେଲି ତାଙ୍କଆଡ଼କୁ ।

 

କିନ୍ତୁ ସେ ମୋ ହାତଆଡ଼କୁ ତାଙ୍କ ହାତ ହଠାତ୍‌ ବଢ଼େଇ ଦେଲେ ନାହିଁ, ଟିକିଏ ସ୍ଥିର ହୋଇଗଲେ । ମାତ୍ର, ମୁହୂର୍ତ୍ତକ ଭିତରେ ପୁଣି ଅସ୍ଥିର ହୋଇପଡ଼ିଲେ ଓ ଟିକିଏ ଲାଜରା ହୋଇଗଲେ କି କଅଣ ! ତା’ପରେ, ଅନୁତାପ କଲାପରି ମୁହଁଟା ଶୁଖିଗଲା ତାଙ୍କର । କହିଲେ–

 

‘‘ଦେଖନ୍ତୁ ! ବଡ଼ ଗୋଟାଏ ସ୍ୱାର୍ଥପରତା ହେଇଗଲା...ଟିକିଏ ପୂର୍ବରୁ–ମୁଁ ସେ କାମ ସାରିଦେଇଚି ଆଜ୍ଞା ! –ଆପଣ ଅନ୍ୟମନସ୍କ ଥିଲେ–କ୍ଷମା କରିବେ ।’’

 

ମୁଁ ମୋ ହାତକୁ ଫେରେଇ ଆଣିଲି ନାହିଁ । ସେମିତି ଖୋଲା ପାପୁଲିଟି ତାଙ୍କ ଆଗରେ ଦେଖେଇ କରି କହିଲି–

 

‘‘ଆସନ୍ତୁ ନା ! ପ୍ରକାଶ୍ୟରେ ଆଉଥରେ ଏକାଠି ସେଇ କାର୍ଯ୍ୟଟି କରିବା । ମୋର ମନେହେଉଛି, ଆମର ପିତୃପୁରୁଷ ଏଇ ସାମୂହିକ ତର୍ପଣକୁ ଆହୁରି ତୃପ୍ତିରେ ଗ୍ରହଣ କରିବେ ।’’

 

ମୋର ଆମିଷାହାରରେ ମତେ ନିତି ସାହାଯ୍ୟ କରୁଥିବା ମୋ ଖାଇବା ହାତ ପାପୁଲିରୁ ତମ୍ୱା ପଇସାଟିଏ ଗ୍ରହଣ କଲାବେଳେ ତାଙ୍କର ମୁହଁ ଉପରେ ସେଇ ତୃପ୍ତିଟିକୁ ମୁଁ ଦେଖିପାରିଲି, ଯାହା ବିଷୟରେ ମୁଁ କହୁଥିଲି ।

 

ସାଙ୍ଗହେଇ ଗୋଦାବରୀ ନଦୀ ଭିତରକୁ ଆମେ ତମ୍ୱା ପଇସା ନିକ୍ଷେପ କରିଥିଲୁ ସେଦିନ ।

 

ତମ୍ୱା ସହିତ ନଦୀ ଜଳର ସ୍ପର୍ଶ ମୁହୂର୍ତ୍ତରେ ଆମର କଥୋପକଥନ ମୋର ସ୍ପଷ୍ଟ ମନେଅଛି– । ସେ ମୋ ହାତ ଚିପି ଧରିଲେ, ଆଉଜଣେ ଭକ୍ତ ଅନ୍ୟଜଣେ ଭକ୍ତକୁ କହିଲା ପରି କହିଲେ–

 

‘‘ଆପଣ ଭଗବାନଙ୍କ ଦର୍ଶନ ପାଇଛନ୍ତି–ଆଉ ଜୀବନରେ ଚିନ୍ତା କଅଣ ?’’ ସେମିତି ଚିପି ଧରିଥାନ୍ତି ମୋ ହାତକୁ ସେ ।

 

ମୁଁ ତାଙ୍କର ହାତର ଉଷୁମକୁ ଅନୁଭବ କରୁଥିଲି; କିନ୍ତୁ ପ୍ରକୃତରେ ମୁଁ ଚିନ୍ତାଶୂନ୍ୟ ହୋଇପାରିନଥିଲି । ମୋର ସବୁଠୁଁ ବଡ଼ ଚିନ୍ତାଟି ଥିଲା ସେତେବେଳେ ଆଉ ଟିକକେ ଆମ ହାତର ଉଷୁମ, ଆମ ଛାତିର ଏ ବିଶ୍ୱାସ ସବୁ ପୁଣି ପାଣି ଫାଟିଯିବ–ସବୁ କୋହଳ ହୋଇଯିବ । ଟିକିଏ ପରେ ତାଙ୍କ ନିକଟରୁ ମତେ ପୁଣି ଫେରି ଯିବାକୁ ପଡ଼ିବ–ମୋର ସେଇ ଇନ୍ଦିରା-ନିଜଲିଙ୍ଗାପ୍‌ପା ସମ୍ୱାଦପତ୍ରର ଖୋଳପା ଭିତରକୁ–ସେତେବେଳେ ସେଇ ଶୂନ୍ୟ ମୁଁ ଭର୍ତ୍ତି କରିବି କିମିତି ? ମୁଁ ଅବଶ ହୋଇ ପଡ଼ୁଥିଲି । ...ଏତିକିବେଳେ ନିଦରୁ ଉଠୁଥିବା ଗୋଟିଏ ଦୀର୍ଘ ସୁଷୁପ୍ତ ଆତ୍ମାର ନିଶ୍ୱାସ ପରି ଆମ ଗାଡ଼ିର ନିଶ୍ୱାସଟିଏ ଶୁଣାଗଲା ଓ ସାଙ୍ଗେ ସାଙ୍ଗେ ଆମର ଅଟକିଥିବା ଗାଡ଼ି ପୁଣି ଗତିଶୀଳ ହୋଇଉଠିଲା ।

 

ଅକ୍ଟୋବର, ୧୯୭୦

Image

 

ପରିବାର-ବୃକ୍ଷ

 

ମୋ ପରିବାରର ଲୋକସଂଖ୍ୟା ଏତେ କମ୍‌ ଯେ ସେଦିନ ମୋର ଆଶଙ୍କା ହେଲା–ଆମେ ଏ ଧରାପୃଷ୍ଠରୁ ଆସ୍ତେ ଆସ୍ତେ ଲୋପପାଇ ଆସୁଥିବା ଗୋଟିଏ ବିରଳ ଜାତିର ଜୀବ ନୋହୁଁ ତ ?

 

ଗତ କେତେ ପୁରୁଷର ବଂଶକ୍ରମ ମୋ ଆଖି ଆଗରେ ଝୁଲୁଛି । ପ୍ରତିବର୍ଷ ପିତୃପକ୍ଷ ଶ୍ରାଦ୍ଧ ଦିଆଗଲାବେଳେ ଏ ନାଁଗୁଡ଼ିକ ଆବୃତ୍ତି କରିବାକୁ ପଡ଼େ । ବାରମ୍ୱାର ଆବୃତ୍ତି କରି କରି ମନେରହିଯିବା ସ୍ୱାଭାବିକ; କିନ୍ତୁ ଏତେଗୁଡ଼ାଏ ବର୍ଷ ଆବୃତ୍ତି ପରେ ମଧ୍ୟ ଏଇମାତ୍ର କେତୋଟି ନାଁ ମୋ କୁଳପୁରୋହିତଙ୍କର ଆଦୌ ମନେରହିଲା ନାହିଁ । କେବଳ ପୁରୋହିତ କାହିଁକି–ମୋର ଦୁଇଟାଯାକ ଅପର ପ୍ରାଇମେରୀ ପଢ଼ୁଆ ପୁଅଙ୍କର ବି !

 

ମୋର ସର୍ବକନିଷ୍ଠ ସନ୍ତାନଟି ଅବଶ୍ୟ ଅତି ଛୋଟ । ଏତେ ଛୋଟ ଯେ, ତା’ ବୟସର ଯେକୌଣସି ମଣିଷ ଶିଶୁ ପକ୍ଷରେ ଏକଠୁ ଦୁଇର ପାର୍ଥକ୍ୟ ଅନୁଭବ କରିବା ଯେତିକି କଷ୍ଟ, ମା’ଠାରୁ ରମାର ପାର୍ଥକ୍ୟ ବୁଝିବା ତା’ଠୁଁ ଆହୁରି କେତେଗୁଣ କଷ୍ଟ । ତଥାପି ଏଇ ଦୁଇବର୍ଷର ସବା ଛୋଟ ପିଲାଟିର ସ୍ମୃତିକୁ ମଧ୍ୟ ପରୀକ୍ଷା କରି ମୁଁ ଜାଣିବାକୁ ପାଇଛି–ଏ ପରିବାର ଧରାପୃଷ୍ଠରୁ ଲୋପ ପାଇ ଆସୁଥିବା ଗୋଟିଏ ବିରଳ ଜୀବଜାତି କେବଳ ନୁହେଁ, ଏ ପରିବାରର ଆତ୍ମସ୍ମୃତି ମଧ୍ୟ କ୍ରମେ ଲୋପ ପାଇଯିବା ଉପରେ ।

 

‘‘ଦିନ ଆସିବ, ଯେତେବେଳେ ବାପ ନାଁ ପଚାରିଲେ ବି ମନେପଡ଼ିବ ନାଇଁ ତୁମର ! ତୁମରି ପରି ପିଲାମାନେ ସେଦିନ ପରା ବେଦକୁ ମଧ୍ୟ ଶୁଣି ଶୁଣି ମନେ ରଖିପାରୁଥିଲେ !’’

 

‘‘ଇଡିୟଟ୍‌ କାହାଁକା–ଏଇ ସାତଟା ନାଁ ମନେ ରଖି ପାରୁନ ?’’

 

ପିଲାମାନଙ୍କୁ ଗାଳି ଦେଇସାରି ସେଦିନ ଗୋଟିଏ ପରିବାର-ବୃକ୍ଷ ତିଆରି କରିବାରେ ଲାଗିପଡ଼ିଲି । ବୃକ୍ଷଟିକୁ ଇତିହାସ ବହି ଭଳି କାଗଜରେ ଆଙ୍କିବା ଅପେକ୍ଷା ବାସ୍ତବ ଆକାରଦେଇ ପିଲାଙ୍କୁ ଅଧିକ ଇମ୍ପ୍ରେସ୍‌ କରିବା ମୋର ଲକ୍ଷ୍ୟ । ତେଣୁ ଘର ସାମନା ଛୋଟ ବଗିଚା ଭିତରେ ଗୋଟିଏ ପାମ୍‌ ଗଛକୁ ହିଁ ବାଛିଲି । ଶାଖାହୀନ ଆଉ ପବପବ ହୋଇ ବଢ଼ିଥିବା ଏଇ ସରଳ ସ୍ତମ୍ଭାକୃତି ଗଛଟି ବେଶ୍‌ କାମକୁ ପାଇଲା । ତା’ ମୂଳରୁ ଅଗଯାକେ ଫୁଟେ ଫୁଟେ ଅନ୍ତରରେ ସାତପୁରୁଷ ପାଇଁ ସାତଟି କିସମର ଦାମିକା ଅଏଲପେଣ୍ଟ ବ୍ୟବହାର କରି ପରିବାର-ବୃକ୍ଷଟିକୁ ନିର୍ମାଣ କଲି ।

 

ଏହି ବୃକ୍ଷଟିର ନିର୍ମାଣ ପାଇଁ ଅବଶ୍ୟ ମତେ ବେଶି ରଙ୍ଗ ଖର୍ଚ୍ଚ କରିବାକୁ ପଡ଼ିଲା ନାହିଁ । ମାତ୍ର ସାତଟି ଫୁଟ ଉଚ୍ଚ, ଆଉ ହାରାହାରି ଦଶଇଞ୍ଚ ବ୍ୟାସବିଶିଷ୍ଟ ଗୋଟିଏ ସ୍ତମ୍ଭରେ ରଙ୍ଗ ବୋଳି ତହିଁର ଗୋଟିଏ ପାଖେ ସାତଟି ପୁରୁଷ ଓ ଅନ୍ୟପାଖେ ସାତଟି ସ୍ତ୍ରୀ ଲୋକଙ୍କ ନା ଲେଖିବା କିବା କାମ ! ତଥାପି ବସେଇ ବସେଇ କାମ କରୁ କରୁ ସେଦିନ ସକାଳୁ ସନ୍ଧ୍ୟା ହୋଇଗଲା । ମଝିରେ ଗଣ୍ଡିଏ ଖାଇବାପାଇଁ ମୁଁ ଯାହା ଉଠିଛି, ସେତିକି ।

 

ସନ୍ଧ୍ୟା ସୁଦ୍ଧା ସବୁକାମ ଶେଷ । ରଙ୍ଗହାତ ପୋଛାପୋଛି ଧୂଆଧୋଇ ସାରି ଦାଣ୍ଡପିଣ୍ଡାରେ କପେ କପେ ଚା’ ସହିତ ମୁଁ ଓ ମୋର ସ୍ତ୍ରୀ ବସି ବୃକ୍ଷଟିର ଶୋଭା ଦେଖୁଥାଉ । ଛୋଟ ପିଲାଟି ତା’ ଖେଳରେ ବ୍ୟସ୍ତ ଥାଏ । ବଡ଼ ପିଲା ଦୁଇଟା ସେ ପର୍ଯ୍ୟନ୍ତ ସ୍କୁଲରୁ ଫେରିନଥାନ୍ତି-। ଆମେ ଅପେକ୍ଷା କରୁଥାଉ ତାଙ୍କୁ । ଯେତେହେଲେ ସେଇମାନଙ୍କ ପାଇଁ ତ ଏତେ ଆୟୋଜନ-! ସେମାନଙ୍କର ସ୍ମୃତିଶକ୍ତିର ଅଭିବୃଦ୍ଧି ସହିତ ପରମ୍ପରା ଓ ଇତିହାସବୋଧ ନିର୍ମାଣ ସେ ମୁହୂର୍ତ୍ତରେ ଯେତେ ବଡ଼ ନୁହେଁ, ପିଲାମାନଙ୍କ ଆନନ୍ଦ ଦେଖିବା ସେତେବେଳକୁ ଆମ ପାଇଁ ବଡ଼ ହୋଇସାରିଥାଏ ।

 

ମୋ ସ୍ତ୍ରୀ ଯାହା ଖୁସି ହବାର ହେଇ ସାରିଥାନ୍ତି । କାରଣ ତାଙ୍କ ନାଁଟିକୁ ଅବଶ୍ୟ ସବୁଠୁଁ ଟିକିଏ ବଡ଼ କରି ପରିବାର-ବୃକ୍ଷର ସବା ଉପର ସ୍ତରର ଆହୁରି ଉପରଆଡ଼କୁ ମୁଁ ଲେଖି ଦେଇଥାଏ । ତା’ ଉପରକୁ ପାମ୍‌ ଗଛର ବାହୁଙ୍ଗା । ଗଛର ମଞ୍ଜପତ୍ରକୁ ଛାଡ଼ିଦେଲେ ସମୁଦାୟ ପାଞ୍ଚୋଟି ବାହୁଙ୍ଗା ଥାଏ । ସବୁତକ କଞ୍ଚା ଆଉ ତାଜା । ଏଥି ମଧ୍ୟରୁ ତିନିଟି ଭଲ ଭଲ ବାହୁଙ୍ଗା ପସନ୍ଦ କରି ମୋ ତିନି ପିଲାଙ୍କ ନାଁ ବଡ଼ ବଡ଼ ତିନିଟି ବେଲୁନରେ ଲେଖି ବାନ୍ଧି ଦିଆଯାଇଥାଏ । ସେଇ ବେଲୁନ୍‍ ଓ ବାହୁଙ୍ଗାମାନଙ୍କ ସମ୍ପର୍କରେ ଆମର କଥାବାର୍ତ୍ତା ପଡ଼ିଥାଏ ।

 

ପ୍ରଥମେ ବେଲୁନ୍‍ଗୁଡ଼ିକୁ ଅନଉ ଅନଉ ମୋ ସ୍ତ୍ରୀ ହସିଦେଲେ । ତା’ପରେ ବେଲୁନ୍‍ ନ ଥିବା ଖାଲି ବାହୁଙ୍ଗା ଦିଇଟା ଆଉ ମଝି ମଞ୍ଜ ସମ୍ପର୍କରେ କଅଣ ପଦେ କହିଲେ ଓ ହସିଲେ । ମୁଁ ବି ହସିଲି; କିନ୍ତୁ ସେ ହସ ମଝିରେ ତାଙ୍କ ମୁହଁ ଟିକିଏ ମଉଳିଗଲା ଭଳି ଦିଶିଲା । ଖାଲି ବାହୁଙ୍ଗାରୁ ବେଲୁନ୍‍ ଆଡ଼କୁ ପୁଣି କଥାକୁ ଟାଣି ଆଶଙ୍କିତ ହେଲାପରି କହିଲେ–

 

‘‘ଆମ ନାଁ ଗଛ ଗଣ୍ଡିରେ–ଅଏଲପେଣ୍ଟରେ ଲେଖାହେଲା, କିନ୍ତୁ ପିଲାମାନଙ୍କ ନାଁକୁ ପତଳା ବେଲୁନ୍‍ ରବର ଉପରେ ଲେଖିଲ !’’

 

‘‘ପତଳା ବେଲୁନ୍‍-ରବର !’’ ସ୍ତ୍ରୀଙ୍କ ସ୍ୱରରେ ପ୍ରକାଶିତ ଆଶଙ୍କା ଅପେକ୍ଷା ତାଙ୍କ ଚିନ୍ତାର ଆଶଙ୍କା ମତେ ବାସ୍ତବିକ ବିଚଳିତ କରିଦେଲା ।

 

ଗଛରେ ଝୁଲୁଥିବା ବେଲୁନ୍‍ ଆଡ଼ୁ ମୁହଁ ବୁଲେଇ ମୁଁ ପ୍ରଥମେ ମୋର ପାଦ ପାଖରେ ଖେଳୁଥିବା ସବା ସାନ ପିଲାଟାକୁ ଟିକିଏ ଚାହିଁଲି । ପିଲାଟି ଅବଶ୍ୟ ବୁଝିପାରିଲା ନାହିଁ ମୋର ସେ ଚାହାଣିକୁ; କିନ୍ତୁ ମୁଁ ବୁଝିଥାଏ । ପ୍ରକୃତରେ ଏଡ଼େ ସୁନ୍ଦର ମଣିଷ ପିଲାକୁ ଗୋଟିଏ ରବର ବେଲୁନରେ ପର୍ଯ୍ୟବସିତ କରିବା ଚିନ୍ତାଟି ମତେ ଭୟଙ୍କର ଜଣାଗଲା । ତଥାପି ସ୍ତ୍ରୀଙ୍କ ମୁହଁକୁ ଚାହିଁ ହସିଦେଲି ଅବଶ୍ୟ ତାଙ୍କ କଥା ଉପରେ; କିନ୍ତୁ ଆଶ୍ୱାସନା ଦବାପାଇଁ ସାଙ୍ଗେ ସାଙ୍ଗେ କହିଲି–

 

‘‘ଆସନ୍ତା କାଲି ସକାଳୁ ମୋର ପ୍ରଥମ କର୍ତ୍ତବ୍ୟ ହେଲା, ଏ ବେଲୁନ୍‌ଗୁଡ଼ାକୁ ଏଠୁ ହଟେଇବା । ତିନିଟି ସ୍ଥାୟୀ କାଠର ବଲ୍‍–ବେଲୁନ୍‌ ଜାଗାରେ ଟାଙ୍ଗିଦେଲେ କେମିତି ହୁଅନ୍ତା ? ଚଳିବ ତ ?’’

 

ଏଥି ମଧ୍ୟରେ ଆମେ ଯାହାଙ୍କୁ ଅପେକ୍ଷା କରୁଥିଲୁ, ସେ ଦୁହେଁ ବହିବସ୍ତାନି ଧରି ସ୍କୁଲରୁ ଫେରିଲେ । ରଙ୍ଗିନ ପରିବାର ବୃକ୍ଷଟିକୁ ଦେଖିବାମାତ୍ରେ ଖୁସିର ସୀମା ରହିଲା ନାଇଁ ତାଙ୍କର । ତା’ ସହିତ ଆହୁରି ଆନନ୍ଦ ମିଶିଥିଲା ଯେ, ତାଙ୍କ ବାପା ମା’ଙ୍କ ନାଁ ବ୍ୟତୀତ ତାଙ୍କ ନିଜ ନାଁ ବି ଗଛ ଉପରୁ ବେଲୁନ୍‍ ଆକାରରେ ଉଡ଼ୁଥାଏ । ମୂଳରୁ ଅଗଯାକେ, ଅଗରୁ ମୂଳଯାକେ ନାଁଗୁଡ଼ିକ ଥରକୁ ଥର ପଢ଼ିଲାଗିଲେ ସେମାନେ । ଲକ୍ଷ୍ୟକଲି ମୁଁ ସେତେବେଳେ–କେତେ ଖୁସିରେ ସେମାନେ ନିଜ ନାଁ ବ୍ୟତୀତ ସେଇ ଅନ୍ୟ ନାଁଗୁଡ଼ିକୁ ପଢ଼ିଲାଗିଲେ । ଯୋଉ ନାଁକୁ ତାଙ୍କର ସ୍ମୃତି ଭିତରକୁ ଠେଲିବା ପାଇଁ ଏତେ ପରିଶ୍ରମ କରିଥିଲି ମୁଁ, ସେ ପରିଶ୍ରମ ସାର୍ଥକ ହେଲାପରି ମତେ ଲାଗିଲା । ଏମିତି କି ମୋ ବଡ଼ ପିଲାଟା, ଯୋଉଟା ଅନ୍ୟମାନଙ୍କ ଅପେକ୍ଷା ବୁଦ୍ଧିଆ ବୋଲି ମତେ ଲାଗେ–ଗଛ ମୂଳରୁ ମାଟିକୁ ଟିକିଏ ଆଙ୍ଗୁଠିରେ ଖୋଳି ବି ଦେଲା । କଅଣ ଦେଖିଲା ! ପଚାରିଲାରୁ କିଛି କହିଲା ନାହିଁ; କିନ୍ତୁ ମୁଁ ଜାଣେ ସେ କଅଣ ଚାହୁଁଥିଲା । ସବାତଳ ପରସ୍ତ ରଙ୍ଗତଳକୁ ମାଟି ଭିତରେ ଗଛମୂଳରେ ଆଉ କିଛି ରଙ୍ଗ ମୁଁ ଦେଇଛି କି ନା, ସେଇୟାକୁ ଖୋଜୁଥିଲା ନିଶ୍ଚୟ । ତେଣୁ ମୌଖିକଭାବେ ମୁଁ ତା’ର ଜିଜ୍ଞାସା ମେଣ୍ଟେଇ ଦେବାପାଇଁ କହିଲି–

 

‘‘ସବାତଳେ ଅଛନ୍ତି ମନୁ–ଯେ କି ଆଦିପିତା–ଯାହାଙ୍କ ନାମରୁ ମାନବ ଶବ୍ଦ ତିଆରି–ବେଦର ଉତ୍ପତ୍ତି ଯେଉଁ ଶ୍ରେଷ୍ଠ ପୁରୁଷଙ୍କଠୁଁ–’’

 

କିନ୍ତୁ ଏସବୁ ଉତ୍ତାରେ, ସେଦିନ ରାତିରେ ମୋ ପରିବାର ଶୋଇପଡ଼ିଲା ପରେ, ମୁଁ ଟିକିଏ ବେଳ ଅନିଦ୍ରା ରହିଲି । ସେତେବେଳେକୁ ମୋ ସ୍ତ୍ରୀଙ୍କର ରବର ପ୍ରତି ସେଇ ଭୟ କେଉଁଠି ଥାଏ, ହଠାତ୍‌ ମୋ ଦେହକୁ ସଂକ୍ରମିତ ହୋଇଆସିଥାଏ । ଏମିତିକି ରାତି ଶେଷଆଡ଼କୁ ଦୁଃସ୍ୱପ୍ନ ମଧ୍ୟ ଦେଖିଲି । ଭୋର୍‌ ହବାର ବହୁତ ପୂର୍ବରୁ ଶେଯରୁ ଉଠିପଡ଼ି ମୋ ପାଖରେ ଶୋଇଥିବା ପିଲା ତିନିଟି ଓ ମୋ ସ୍ତ୍ରୀଙ୍କୁ ହାତରେ ଟିକିଏ ଟିକିଏ ଛୁଇଁ ମଧ୍ୟ ସନ୍ତୁଷ୍ଟ ହେଇନପାରି ଦାଣ୍ଡକବାଟ ଖୋଲି ପରିବାର ବୃକ୍ଷଟିକୁ ଦେଖିବାକୁ ଦଉଡ଼ି ଆସିଲି । କାରଣ ଦୁଃସ୍ୱପ୍ନ ମୁଁ ଦେଖିଥିଲି ଯେ, ଗତ ରାତିରେ ଗୋଟିଏ ଝଡ଼ ହେଇଥିଲା ଆଉ ଏ ଝଡ଼ରେ ପରିବାର-ବୃକ୍ଷଟି ସେତେ କ୍ଷତିଗ୍ରସ୍ତ ନ ହେଲେ ମଧ୍ୟ ତିନିଟିଯାକ ବେଲୁନ୍‌ ଗଛରୁ ଛିଣ୍ଡି ଯାଇଥାଏ ଓ ପ୍ରବଳବେଗରେ ବହୁଥିବା ପବନମୁହଁରେ ପଡ଼ି ଉଡ଼ୁଥାଏ । ରାତି ତମାମ୍‌ ଏଇ ସ୍ୱପ୍ନରେ ହିଁ ମୁଁ ଧାଉଁଥାଏ ବେଲୁନ୍‌ମାନଙ୍କ ପଛରେ କାହିଁ କୁଆଡ଼େ, ଆଉ ତା’ ସାଙ୍ଗେ ସାଙ୍ଗେ ମୁଁ ମଧ୍ୟ ଶୁଣି ପାରୁଥାଏ ମୋ ସ୍ତ୍ରୀଙ୍କ କାନ୍ଦକୁ ! ସେ ଅବଶ୍ୟ ମୋ ସାଙ୍ଗେ ଦଉଡ଼ୁ ନ ଥାନ୍ତି; କିନ୍ତୁ ଘରର ପାହାଚ ଉପରେ ବସି ଆକାଶକୁ ମୁହଁ କରି ଛାତିଫଟା ଚିତ୍କାର କରୁଥାନ୍ତି–ଏତେ ଜୋରରେ ବାହୁନୁଥାନ୍ତି ଯେ, ବେଲୁନ୍‌ ପଛରେ ଗୋଡ଼େଇ ଗୋଡ଼େଇ ଶହ ଶହ ମାଇଲ ଦୂରରେ ଥାଇ ମଧ୍ୟ ସେ ବାହୁନା ମୋ କାନରେ ପଡ଼ୁଥାଏ ।

 

କିନ୍ତୁ ଦାଣ୍ଡ କବାଟ ଖୋଲି ପାହାଚରେ ଗୋଡ଼ ପକେଇଲାବେଳେ ସେଦିନ ସକାଳୁ ମୁଁ ଝୁଣ୍ଟିଲି ସେଇ ହତଭାଗାଟାକୁ । ତିରିଶ ପଇଁତିରିଶ ବର୍ଷର ରୋଗିଣା ମଣିଷଟିଏ । ଜଣେ ବନ୍ଧୁ, ଲୋକଟିକୁ ଜୁଟେଇ ଦେଇଥିଲେ ମୋ ଘରେ ଦି’ ତିନି ବର୍ଷତଳେ । ସେତେବେଳେ ମୋର ସେଇ ତୃତୀୟ ପିଲାଟି ମା’ ପେଟରେ ଥାଏ । ସହକାରୀ ମଣିଷର ଖୁବ୍‌ ଦରକାର ଥାଏ । ସହରରେ ଆମେ ନିକଟସମ୍ପର୍କଶୂନ୍ୟ ଏକେଲା ପରିବାରଟିଏ । ରଖିନେଲି । ରହିଚି । ସେଇଦିନୁ ନିଜ ଘରକୁ ଯିବା ନାଁ ଧରେ ନାଇଁ । ଘରେ ପିଲାଛୁଆ ଅଛନ୍ତି ବୋଲି କହେ । ଚିଠିପତ୍ର ବି ଦିଆନିଆ କରେ; କିନ୍ତୁ ତଡ଼ିଲେ ବି ଘରକୁ ଯାଏନାଇଁ । ନିଜ ସ୍ତ୍ରୀକୁ ତା’ର ଡରବୋଲି କହେ । ଏଇଥିରୁ ରୋଗଟା ଧରା ପଡ଼ିଗଲା । ଡାକ୍ତରଖାନାକୁ ପଠେଇବି ବୋଲି ଧମକେଇବାରୁ ସତକଥା ମାନିଗଲା । ପ୍ରକୃତରେ ସେ ପୁରୁଷ ହେଲେ ବି ଅଣପୁରୁଷିଆ ପାଲଟି ସାରିଥିଲା । କେତେ ବର୍ଷତଳେ, କୋଉ ଅଫିସରେ ଅଡ଼ର୍ରଲି ଥିଲା । ସେତିକିବେଳେ ଥରେଅଧେ ପରିସ୍ରାରେ ରକ୍ତ ଆସିଥିଲା ବୋଲି ତା’ର ଉତ୍ତର ଶୁଣିଲା ପରେ ଲୋକଟିକୁ ଆଉ ଘରେ ରଖିବାର ପ୍ରଶ୍ନ ନ ଥିଲା; କିନ୍ତୁ ପଇସାପତ୍ର ତୁଟେଇ ସାରିଲା ପରେ ଗୋଟାଏ ଦିନ କୋଉଠି କାହା ବସାରେ ରହି ପରଦିନ ପୁଣି ଆସି ହାଜର ହେଲା; ଆଉ ଏତେ ଅନୁନୟ ବିନୟ ହେଲା ଯେ, ଶେଷରେ ତାକୁ ଡାକ୍ତରଖାନାକୁ ନବା ଆଣିବାରେ ମତେ ପୁଣି କିଛି ଖର୍ଚ୍ଚାନ୍ତ ହବାକୁ ପଡ଼ିଲା । ଡାକ୍ତର ମତେ ଗୁପ୍ତରେ ଅବଶ୍ୟ କହିଥିଲେ–‘‘ରୋଗଣାଟାଏ, କିନ୍ତୁ ଅଦରଓ୍ୱାଇଜ୍‌ ହାର୍ମଲେସ୍‍–ରଖି ନିଅନା ! ଚଳିଯିବ ।’’

 

ତଥାପି ଲୋକଟାର ନିକଟ ସମ୍ପର୍କରେ ଆସିବାକୁ ଘୃଣା ଲାଗେ ଆମକୁ । ପୂର୍ବେ ରୋଷେଇବାସ କରି ଦଉଥିଲା । ଏବେ ବାହାରିଆ କାମ କରେ; କିନ୍ତୁ ଲୋକଟାର ବଦଭ୍ୟାସ, ରୋଷେଇ ଘରକୁ ହଟୁଣେଇ ପଶି ଆସିବା । ମାଇପିଙ୍କ ପରି ଦି’ଓଳି ରୋଷେଇରେ ହାତ ନ ଦେଲେ ତା’ର ଆତ୍ମା ସନ୍ତୋଷ ହୁଏ ନାହିଁ ବୋଧହୁଏ । ରୋଷେଇଘରେ ତାକୁ ଦେଖିଲେ ମୁଁ ତାକୁ ଗାଳିଦିଏ ଓ ମୋ ସ୍ତ୍ରୀକୁ ସତର୍କ କରିଦିଏ ତା’ ରୋଗ ସମ୍ପର୍କରେ; କିନ୍ତୁ ସଂସାରରେ ପ୍ରତ୍ୟେକ ସ୍ତ୍ରୀଲୋକ ଯାହା, ମୋ ସ୍ତ୍ରୀ ବି ସେଇଆ । ଏକେତ ଆୟା, ଚାକରାଣୀଙ୍କ ପ୍ରତି ପରିବାର କର୍ତ୍ତ୍ରୀମାନେ ଯେତେ ନିଷ୍ଠୁର, ପୁରୁଷ ଚାକରଙ୍କ ପ୍ରତି ସେତେ ନିଷ୍ଠୁର ନ ହେବା ସ୍ୱାଭାବିକ । ଦ୍ୱିତୀୟରେ ମୋ ସ୍ତ୍ରୀଙ୍କର ଯେଉଁ ସ୍ୱାସ୍ଥ୍ୟ, ସେ ସ୍ୱାସ୍ଥ୍ୟର ଯେକୌଣସି ଗୃହକର୍ତ୍ତ୍ରୀ ଚାକରବାକରମାନଙ୍କ ପ୍ରତି କଠୋର ହେବା ଅର୍ଥ ଅନାବଶ୍ୟକ ସ୍ୱାବଲମ୍ୱନକୁ ନିଜ ଉପରେ ନିଜେ ଲଦିଦେଇ ସେଇ ବୋଝ ତଳେ ଆପେ ଚାପିହେଇ ମରିଯିବା । ମୁଁ ମୋ ସ୍ତ୍ରୀଙ୍କର ମନସ୍ତାତ୍ତ୍ୱିକ ଓ ଶାରୀରିକ ଉଭୟ ବୋଝ ଉଠେଇବାର ଶକ୍ତିକୁ କଳିଛି ଓ କଳିସାରି ଚୁପ୍‌ ରହିଛି, ଯେତେବେଳେ ସେ ମୋତେ କହିଛନ୍ତି–

 

‘‘ରୋଗା, ନିର୍ଜୀବାଟାଏ । ମାତ୍ର ଖରାପ ଲୋକ ନୁହଁ । ପିଲାମାନଙ୍କୁ ଭଲ ପାଇଗଲାଣି-। ପିଲାଏ ବି ଭଲ ପାଇଗଲେଣି । ତଡ଼ିଲେ ମଧ୍ୟ ଯାଉନାହିଁ । କଅଣ କରିବା କୁହ-!’’

 

କିନ୍ତୁ ଏସବୁ ସତ୍ତ୍ୱେ ମୁଁ ଆହୁରି କଥାଟିଏ ଲକ୍ଷ୍ୟ କରିଥିଲି ଓ ଏହି କାରଣରୁ ଉଭୟ ମୋ ସ୍ତ୍ରୀ ଓ ଏ ଲୋକଟା ଉପରେ ଦିନେ ଖୁବ୍‌ ଚିଡ଼ି ଗାଳି ଦେଇଥିଲି । କଥାଟା ହେଉଚି–ଲୋକଟା ଗୃହୀ ନ ହେଲେ ମଧ୍ୟ ଗୃହସମସ୍ୟାରେ ତା’ର ମୁଣ୍ଡ ବରାବର ଖେଳୁଥାଏ । ସ୍ତ୍ରୀ ପିଲାଙ୍କ ପାଖକୁ ନ ଗଲେ ମଧ୍ୟ ସେମାନଙ୍କୁ ବରାବର ଟଙ୍କାପଇସା ପଠାଏ । ନିଜ ସ୍ତ୍ରୀ ଆଉ ପିଲାଙ୍କ ବିଷୟରେ ମୋ ସ୍ତ୍ରୀ ସାଙ୍ଗେ ଏଣୁତେଣୁ ଗପ ମେଲିବାକୁ ସୁଖପାଏ । କେବଳ ସେତିକି ନୁହେଁ, କୁଆଡ଼ୁ ଖଣ୍ଡେ ଖଣ୍ଡେ ଲେଖା ବା ଅଲେଖା ପୋଷ୍ଟକାର୍ଡ଼ ଧରି ଆସେ । ଆଉ ଏଇସବୁ ଦିନମାନଙ୍କରେ ସେ ବିଶେଷତଃ ଆମ ଉପରେ ରାଗେ, ରାଗ ଶୁଝେଇବାଭଳି ହୁଏତ ତରକାରୀକୁ ଖୁବ୍‌ ରାଗ କରିଦିଏ କିମ୍ୱା ତର୍କାରି ଲୁଣିଆ–ପୁଣି ସେଇ ରାଗବଶତଃ, କୋଉ କଣରେ ମାଇକିନିଆଙ୍କ ପରି ବସିବସିକା କାନ୍ଦେ । ମୋ ସ୍ତ୍ରୀ ତାକୁ ବୁଝେଇ ଲାଗିଥାନ୍ତି । ଥରେ ଅଧେ ଏ ଘଟଣା ଦେଖି ସହାନୁଭୂତିଶୀଳ ହୋଇ ଲୋକଟାର ସମସ୍ୟା ବୁଝିବା ଗୋଟାଏ କଥା; କିନ୍ତୁ ଦେଖାଗଲା–ଚାକିରି ଯେତେ ଯେତେ ପୁରୁଣା ହବାକୁ ଲାଗିଲା, ସମସ୍ୟା ଆହୁରି ଆହୁରି ବଢ଼ିଲା । ଶେଷକୁ ଦିନେ ଗୋଟାଏ ଘଟଣାରେ ଚୂଡ଼ାନ୍ତ ହେଲା, ଯୋଉ ଘଟଣାରେ ମୁଁ ସେ ଲୋକ ସମେତ ସ୍ତ୍ରୀଙ୍କୁ ମଧ୍ୟ ଏମିତି କଡ଼ାକରି ପାନେ ଦେଲି ଯେ, ଚାକର ପୂଝାରିଙ୍କ ପାଖରେ କେତେଟା ମାନବିକ ଦୁର୍ବଳତା ଚଳେ, ଆଉ କେତେଟା ଚଳେନା, ଚଳିପାରେନା, ମୋ ସ୍ତ୍ରୀ ଶିଖିନେଲେ । ସେଇଦିନୁ ଘରେ ଚାକରର ସମସ୍ୟା କମି କମିକା ଏଣିକି ପ୍ରାୟ ଆଉ ନ ଥିଲା ।

 

ଘଟଣାଟା ହଉଚି–ସେଦିନ ମୁଁ ଅଫିସ୍‍ରୁ ଫେରିଲାବେଳକୁ ଦେଖେ ଯେ, ମୋ ଘର ଆଗରେ ଗୋଟାଏ ପାଲା ଲାଗିଚି । କିଏ ଜଣେ ବାହାର ଲୋକ ଖୁବ୍‌ ଭିଡ଼ାଭିଡ଼ି ହୋଇ ହାତ ହଲେଇ କଅଣ ପାଟିତୁଣ୍ଡ କରୁଚି । ମୋ ସ୍ତ୍ରୀ ଦାଣ୍ଡପିଣ୍ଡାରେ ଠିଆ ହୋଇ ମଧ୍ୟସ୍ଥତା କରୁଛନ୍ତି । ଅନ୍ୟ ପାଖରେ ମାଇଚିଆ ଲୋକଟା ଗେଣେରେ ଗେଣେରେ ହେଇ କଅଣ ଗୁଡ଼ାଏ ବକୁଚି । ମୋ ହାଡ଼ ଚିଡ଼ିଗଲା ଏ ଦୃଶ୍ୟରେ । ବାହାରେ ଠିଆ ହେଇ, ପାଟି କରୁଥିବା ଲୋକଟା ଆଡ଼କୁ ନ ଚାହିଁ ମୁଁ ପ୍ରଥମେ ମୋ ସ୍ତ୍ରୀଙ୍କ ଉପରେ ଚଢ଼ଉ କଲି–

 

‘‘କି ପାଲା ଲାଗିଛି ଏଠି ?’’

 

‘‘ଏଇ କୃଷ୍ଣ ! ଆମ ରଘୁନାଥର ଭଣଜା । ଟଙ୍କା ତିରିଶଟା ୟା ହାତରେ ପିଲାଙ୍କ ପେଇଁ ପଠେଇଥିଲା–ମାଗିଲାରୁ ଦେଖିଲ ମାମୁଁଟାକୁ କେମିତି...’’ ଓଢ଼ଣାଟାକୁ ସଜାଡ଼ୁ ସଜାଡ଼ୁ ମୋ ସ୍ତ୍ରୀ ବାକ୍ୟଟିକୁ ଲମ୍ୱାଉଥିଲେ ।

 

‘‘କୋଉ କୃଷ୍ଣ ସେ ? କି ଭଣଜା ? ବନ୍ଦ କର, ବନ୍ଦକର ଏ ପୁରାଣ, ନଚେତ୍‌...’’ ମୋର ଗୋଟାଏ ରଡ଼ିରେ ସବୁ ବନ୍ଦ । ବାହାରେ ହାତ ହଲଉଥିବା ଲୋକଟା ଚମ୍ପଟ ସେତିକିରେ । ମାଇଚିଆ ତା’ ଥାନକୁ ପଳେଇଲା । ବାକି ରହିଲେ ମୋ ସ୍ତ୍ରୀ ।

 

ରାଗ ସେ ପର୍ଯ୍ୟନ୍ତ ଝଡ଼ି ନ ଥାଏ । ପୁଣି ଝଡ଼େଇଲି–‘‘କିଏ ସେ କୃଷ୍ଣ ? କାହିଁକି କୃଷ୍ଣ ଏଠି ନାଚୁଥିଲା ?’’ ତା’ର ଉତ୍ତରରେ ସ୍ତ୍ରୀ ପୁଣି କଅଣ କହୁଥିଲେ; କିନ୍ତୁ ସେତେବେଳ ପର୍ଯ୍ୟନ୍ତ ମୋ ନିଜର ପୌରାଣିକ ଚେତନାର କ୍ରୋଧ ଶାନ୍ତ ହେଉ ନଥିଲା । ପୁଣିଥରେ ଚଢ଼ା ଗଳାରେ କହିଲି–

 

‘‘ଶୁଣ ! ଏ ଘରୁ କୃଷ୍ଣ, ରଘୁନାଥ ସବୁ ଆଜି ଯିବେ । ନଚେତ୍‌ ମୁଁ ଯିବି । କୋଉଟା ତୁମର ଇଚ୍ଛା ?’’

 

ସମସ୍ୟା ପ୍ରାୟ ସେଇଦିନୁ ବନ୍ଦ ହେଇଯାଇଥିଲା । ସ୍ତ୍ରୀ ଭୀଷଣ ଅପମାନିତ ହେଇ କେତେଦିନ ପର୍ଯ୍ୟନ୍ତ ମୋ ସାଙ୍ଗରେ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ । କିନ୍ତୁ ମୋର ମନେହେଉଥିଲା, ଅନ୍ୟ ଲୋକଙ୍କ ସମସ୍ୟାକୁ ଘେନି ମୋ ସ୍ତ୍ରୀଙ୍କର ମୁଣ୍ଡ ବଥେଇବା ରୋଗ ବହୁତ କମି ଯାଇଥିଲା । ଏକେବାରେ କମି ଯାଇଥିଲା କହିଲେ ଚଳେ; କିନ୍ତୁ ସେଦିନ ସକାଳୁ ସମସ୍ୟା ଏମିତି ଗୁପ୍ତ ଭାବରେ ପୁଣି ମୋ ଘରକୁ ପଶି ଆସିବ, ସେକଥା ଅବା ମୁଁ ଆଗରୁ କିପରି ଜାଣିଥାନ୍ତି-?

 

ସକାଳୁ ବାହାରକୁ ପାଦ ବଢ଼େଇବାମାତ୍ରେ ରୋଗିଣା ମଣିଷଟାକୁ ଝୁଣ୍ଟିଲା ପରେ, ପୁଣି ଏତେବାର କରି କହିବା ସତ୍ତ୍ୱେ ଯେ ଏ ପିଣ୍ଡାରେ ପିଲାଛୁଆ ଚଳପ୍ରଚଳ ହେଉଚନ୍ତି, ତୋ ଦିହରେ ରୋଗ ଅଛି, ଏଠି ଶୋ ନା’–ସେଇ ମଣିଷକୁ ସେଇ ବାରଣ କରାହୋଇଥିବା ଥାନରେ ଦେଖି ପକେଇଲେ ଯେ କେହି ଉତ୍ତ୍ୟକ୍ତ ହୋଇଯାନ୍ତା । ମୁଁ ଅବଶ୍ୟ ସେତେଦୂର ଉତ୍ତ୍ୟକ୍ତ ହେଲି ନାହିଁ–ଆଜି ସକାଳେ । ଖାଲି ଟିକିଏ ଚିଡ଼ିଲି, ଆଉ ବଂଶବୃକ୍ଷ ନିକଟକୁ ଧାଇଁଗଲି । ବେଲୁନ୍‍ଗୁଡ଼ିକ ଯଥା ସ୍ଥାନରେ ଥାଆନ୍ତି । ସ୍ୱପ୍ନରେ ଦେଖିଥିବା ଝଡ଼ ବାସ୍ତବରେ ଘଟି ନ ଥାଏ । ତଥାପି ରବର ବେଲୁନ୍‍ଗୁଡ଼ାକୁ ଶୀଘ୍ର ସେଠୁ ଉତାରି ତା’ ସ୍ଥାନରେ କିଛି ଗୋଟାଏ ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ମୁଁ ସେଇ ସକାଳୁ ସକାଳୁ ବାହାରି ପଡ଼ିଲି । ରବର ବେଲୁନ୍‌ ପରିବର୍ତ୍ତେ କାଠ ବଲ୍‌ ତିନିଟି ଭଲ କରି ରଙ୍ଗ କରି ଟାଙ୍ଗିବାପାଇଁ ପୂର୍ବଦିନ ସନ୍ଧ୍ୟାର ପ୍ରତିଶ୍ରୁତି ପୁଣି ମନେପଡ଼ିଲା । ଚାଲିଲି ମୋର ଜଣେ ଆର୍ଟିଷ୍ଟ ବନ୍ଧୁଙ୍କ ଘର ଆଡ଼େ । ଉଭୟ କାଠ ଆଉ ରଙ୍ଗକାମ ସେ କରନ୍ତି । ମୋ ଘର ଆଗ ଦୁଆରି ଯୋଉ ରାସ୍ତାଟା ଟିକିଏ ଦୂର ନେସନାଲ ହାଇଓ୍ୱେରେ ମିଶିଛି, ସେଇ ଛକର ବଜାରରେ ତାଙ୍କ ଷ୍ଟୁଡ଼ିଓ । ଫାଟକ ଫିଟେଇ ବାହାରିପଡ଼ିଲି ।

 

ଏତେ ସକାଳୁ ରାସ୍ତାକୁ ଜଣେହେଲେ ମଣିଷ ବାହାରିନଥାନ୍ତି । ସକାଳୁଆ ଖୋଲା ରାସ୍ତା ଦେଖି କେଇଟା ଟ୍ରାଫିକ୍‌ ଖୁବ୍‌ ବେଗରେ ଛୁଟୁଥାଏ । ଏ ରାସ୍ତାରେ ଏଇ ଟ୍ରାଫିକ୍‌ ଭୟରେ ପ୍ରାତଃଭ୍ରମଣ ଏତେ ସୁଖକର ନୁହେଁ; କିନ୍ତୁ ମତେ ଯିବାକୁ ପଡ଼ିଲା । କାରଣ ଆର୍ଟିଷ୍ଟ ଘରକୁ ସେଇ ସକାଳେ ମୁଁ ତ କେବଳ ପ୍ରାତଃଭ୍ରମଣରେ ବାହାରି ନ ଥିଲି, ଉଡ଼ନ୍ତା ରବର ବେଲୁନ୍‌କୁ ସ୍ଥାୟୀ କରିବା ଚିନ୍ତା ମତେ ଗ୍ରାସିଥିଲା ।

 

ନେସନାଲ ହାଇଓ୍ୱେ ଛକ ଆଉ ଖୋଜେ ବାଟ । ଛକ ଉପରେ ସେଇ ପଥନିର୍ଦ୍ଦେଶକ ସ୍ତମ୍ଭଟି ସ୍ପଷ୍ଟ ଦେଖାଗଲାଣି । ଗୋଟିଏ ଅଦ୍ଭୁତ ପଥନିର୍ଦ୍ଦେଶକ ସ୍ତମ୍ଭ ଏ । ଦିନେ ଦିନେ ଅଫିସ୍‍ ଫେରନ୍ତି ଏଇ ସ୍ତମ୍ଭ ତଳେ ଟିକିଏ ଅଟକିଯାଏ ମୁଁ । ଅନ୍ୟ କିଛି କାରଣରୁ ନୁହେଁ, ସ୍ତମ୍ଭରୁ ବାହାରିଥିବା କେତେଟା ଫଳାରେ ଟୁ-କାଲ୍‌କାଟା, ଟୁ-ମାଡ୍ରାସ ବ୍ୟତୀତ ଟୁ-ଟୋକିଓ, ଟୁ-ନ୍ୟୁୟର୍କ, ଟୁ-ଲଣ୍ଡନ ପ୍ରଭୃତି କେତେଟା କାଳ୍ପନିକ ରାସ୍ତାଆଡ଼କୁ ଦିଗ ନିର୍ଦ୍ଦେଶ ସହିତ ସ୍ଥାନଗୁଡ଼ିକର ଦୂରତା ଲେଖା ହୋଇଥାଏ । ଅଫିସ୍‍ ଫେରନ୍ତି ଭାରାକ୍ରାନ୍ତ ମନକୁ ଏଇ କାଳ୍ପନିକ ରାସ୍ତାରେ କିଛିବାଟ ସାନ୍ଧ୍ୟ ଭ୍ରମଣରେ ବୁଲେଇ ନେଲାବେଳେ ଦିନେ ଦିନେ ଭାରି ଉଶ୍ୱାସ ଲାଗେ । ଅବଶ୍ୟ ଏ ଉଶ୍ୱାସ ପାଇବା ଥାନଟି ଏକା ମୋର ମନୋପଲି ନୁହେଁ । ସମୟ ସମୟରେ ଏଇଠି ମୁଁ ତାଙ୍କୁ ଦେଖେ–ସେଇ ଆର୍ଟିଷ୍ଟ ବନ୍ଧୁଙ୍କୁ–ଯାହାଙ୍କ ଘରକୁ ସକାଳୁ ଧପାଲିଥାଏ । ଦିନେ ଦିନେ ନିଛାଟିଆବେଳେ ପେଏଣ୍ଟ ଆଉ ବ୍ରସ ଧରି ଠିଆ ହୋଇଥିଲାବେଳେ ମୁଁ ତାଙ୍କୁ ବି ଦେଖେ ଏଠି । ସେ କଅଣ କରୁଥାନ୍ତି ମୁଁ ଜାଣେନା । କିନ୍ତୁ ସ୍ତମ୍ଭ ଉପରର ଟୁ-ଟୋକିଓ, ଟୁ-ହନୋଲୁଲୁ ପ୍ରଭୃତି ସେଇ ନାଁଗୁଡ଼ିକୁ ଦେଖୁ ଦେଖୁ ମୁଁ ହସିଦିଏ । ଦିନେ ଦିନେ ସ୍ତମ୍ଭ ଉପରେ ଗୋଟିଏ ନୂଆ-ସ୍ଥାନର ନାଁ, ଆଉ ତା’ର ଦୂରତା ମଧ୍ୟ ଦେଖିବାକୁ ମିଳେ । ଟୁ-ଭିଏଟନାମ (ସାଇଗନ) ଏତେ ହଜାର କି.ମି.–ମୁଁ ଜାଣି ବଡ଼ପାଟିରେ ପଢ଼େ । ମୁଁ ହସିଦିଏ; କିନ୍ତୁ ସେ ହସନ୍ତି ନାହିଁ । ଗମ୍ଭୀର ହୋଇଯାନ୍ତି । ମୋ ହୃଦୟ କିନ୍ତୁ ଭରିଯାଏ ତାଙ୍କର ସେହି ଗମ୍ଭୀର, ଦୂର ଚାହାଣିରେ ।

 

ଛକ ମୁଣ୍ଡରେ ମୁଁ ପ୍ରାୟ ପହଞ୍ଚିଗଲିଣି । ବଜାରର ଗହଳି ଏପର୍ଯ୍ୟନ୍ତ ଲାଗିନାହିଁ । କେବଳ ଗୋଟାଏ ଲମ୍ବାଧାଡ଼ି ମନୁଷ୍ୟଶୂନ୍ୟ ମିଲ୍‌କ କ୍ୟାନ୍‌ ରାସ୍ତା ଉପରକୁ ମାଡ଼ି ଆସିଥିବା ଦେଖି କୌତୂହଳବଶତଃ ଟିକିଏ ଅଟକିଗଲି । ଏ ଦୃଶ୍ୟ ଯେ ମୁଁ ଆଗରୁ ନ ଦେଖିଚି ନୁହେଁ; କିନ୍ତୁ ଅଦୃଶ୍ୟ ମଣିଷମାନଙ୍କର ପ୍ରତିନିଧିତ୍ୱ କରୁଥିବା ଏଇ ଦୁଗ୍‌ଧପାତ୍ରଗୁଡ଼ିକ ମତେ ଆଜି ସକାଳୁ କେମିତି କେମିତି ଦିଶିଲା । ରାସ୍ତା ଉପରକୁ ଲମ୍ବି ଆସି ଏକ ପ୍ରକାର ରାସ୍ତା ଅବରୋଧ କରିଥିବା ମିଲ୍‌କ କ୍ୟାନ୍‌ ଧାଡ଼ିର ସବାପଛ କ୍ୟାନ୍‌ଟି ପାଖରେ ମୋ ପାଦ ଅଟକିଚି କି ନାହିଁ, ହଠାତ୍‌ କୋଉଠୁ ଶୁଣିଲା ପରି ଶୁଣିଲି–

 

‘‘ଆଜ୍ଞା ନମସ୍କାର !’’

 

ବୁଲିପଡ଼ିଲି ।

 

ରାସ୍ତା-ନିର୍ଦ୍ଦେଶକ ସ୍ତମ୍ଭର ପିଣ୍ଡି ଉପରେ ବୋଧହୁଏ ଗତ ରାତିରୁ ଶୋଇଥିବା ଜଣେ ମଣିଷ ଓହ୍ଲେଇ ଆସି ଆଖି ମଳି ମଳି ମୋ ଆଗରେ ଠିଆ ହେଲା ।

 

‘‘ଚିହ୍ନିପାରୁ ନାହାନ୍ତି ଆଜ୍ଞା ? ମୁଁ କୃଷ୍ଣ...’’

 

‘‘କୃଷ୍ଣ ?’’

 

ମତେ ଚିନ୍ତା କରିବାର ଦେଖି ଲୋକଟି ଟିକିଏ ଲାଜରା ହେଇଗଲା ଭଳି ଦିଶିଲା । କିନ୍ତୁ ହଠାତ୍‌ କଅଣ ଭାବି ତଳକୁ ମୁହଁ ପୋତିଦେଲା । କହିଲା–

 

‘‘ସେଦିନ ମୋର ଦୋଷ ହେଇଗଲା ଆଜ୍ଞା ! ମାମୁଁର ତିରିଶଟା ଟଙ୍କା ଯେମିତି ପାଇଲି–ମଦ ପିଇ ଦେଇଥିଲି । ହେଲେ ମୁଁ ଦୋଷରା କୃଷ୍ଣ ଆଜ୍ଞା ଏଇଲେ । ହେଇ ଦେଖୁନାହାନ୍ତି–ମିଲ୍‌କ କେନ୍‌ଟା ! ସାନ ଛୁଆ ମାସକର । ତା’ ମା’ଠେଇଁ ଦୁଧ ନାହିଁ...’’

 

ଲୋକଟାକୁ ମୁଁ ତଥାପି ଠଉର କରିପାରିଲି ନାହିଁ । କୃଷ୍ଣ ନାଁକୁ ଯେତେ ଖୋଜିଲେ, ମାତ୍ର ଗୋଟିଏ କୃଷ୍ଣ ନାଁ ବରାବର ମନେପଡ଼ିଲା ଓ ସେ ଏ ସଂସାରରେ ଦ୍ୱିତୀୟ କୃଷ୍ଣ ଆଉ କିଏ ହୋଇପାରେ ?

 

ମୁହଁ ବୁଲେଇନେଲି ଓ ଆର୍ଟିଷ୍ଟଙ୍କ ଷ୍ଟୁଡ଼ିଓ ଦିଗରେ ଗୋଟିଏ ପାଦ ପକେଇଚି କି ନାହିଁ, ହଠାତ୍‌ ଗୋଟାଏ ଝଡ଼ପରି କଅଣ ବୋହିଗଲା ଓ ତା’ ଆଗରେ, ପଛରେ, ଚତୁର୍ଦ୍ଦିଗ ଝଣଝଣାତ୍‌ ହେଇ ଧାଡ଼ି ଲାଗିଥିବା ମିଲ୍‌କ କ୍ୟାନ୍‌ଗୁଡ଼ାକ ଏତେ ଜୋରରେ ଏଣେ ତେଣେ ଛିଞ୍ଚାଡ଼ିହେଇ ପଡ଼ିଲା ଯେ, ମୋର ମନେହେଲା ମୁଁ ବୋଧହୁଏ ଗତ ରାତିର ସେଇ ସ୍ୱପ୍ନର ଝଡ଼ରେ ହିଁ ପଡ଼ିଗଲି-। କିଛି ସମୟ ପାଇଁ ମୋ ଆଖି ବୁଜି ହେଇଯାଇଥିଲା ।

 

କିନ୍ତୁ ମୋର ଆଖି ଯେତେବେଳେ ଖୋଲିଗଲା, ମିଲ୍‌କ କ୍ୟାନ୍‌ ପରିବର୍ତ୍ତେ ମୁଁ ପ୍ରଥମେ ଖୋଜି ପକେଇଲି ସେଇ ଲୋକଟାକୁ, ଯେ ଟିକିଏ ପୂର୍ବରୁ ମୋ ପାଖରେ ଠିଆ ହୋଇଥିଲା, ଆଉ ନିଜକୁ କୃଷ୍ଣ ବୋଲି ପରିଚୟ ଦଉଥିଲା ।

 

ମାତ୍ର ଲୋକଟି ସେଠି ନ ଥିଲା । ଗୋଟାଏ ହାଇଓ୍ୱେ ମଟର ତାକୁ ମୋ ପାଖରୁ ଭିଡ଼ିନେଇ କୋଡ଼ିଏ ଫୁଟ ଦୂରରେ ମାଡ଼ିଦେଇ ଯାଇଥିଲା । ଦୂରରୁ ହାତଗୋଡ଼ ଛଟାଛଟିର ସେଇ ପରିଚିତ ଦୃଶ୍ୟରୁ ମୁଁ ଜାଣିନେଲି ତା’ର ପ୍ରକୃତ ଅବସ୍ଥା । କୃଷ୍ଣ ? ଇଏ କୃଷ୍ଣଟି ! ମୁଁ ଅବାକ ହୋଇ ରହିଗଲି ।

 

ଦୁର୍ଘଟଣା ସ୍ଥଳକୁ ତା’ପରେ ଛୁଟିଲା ମଣିଷଙ୍କ ସୁଅ । ଭୟଙ୍କର, ରକ୍ତାକ୍ତ ଦୁର୍ଘଟଣା ଆଗରେ ମୁଁ ଆଦୌ ଠିଆ ହୋଇପାରେ ନାହିଁ । ହାଇଓ୍ୱେ ମଝିରେ ରାସ୍ତା-ନିର୍ଦ୍ଦେଶକ ସେଇ ସ୍ତମ୍ଭକୁ ଆଶ୍ରାକରି ମୁଁ ତଥାପି କେତେବେଳଯାକେ ଠିଆହୋଇ ଥରୁଥାଏ । ରାସ୍ତା ମଝିରେ ମରି ପଡ଼ିଥିବା କୃଷ୍ଣକୁ ଘେରି ନାନା ପ୍ରକାର ନାନା ଜାତିର ମଣିଷ ନାନା ଭାବଭଙ୍ଗୀରେ ଯେଝା ଯେଝାର କୃଷ୍ଣ ସମ୍ପର୍କୀୟ ସ୍ମୃତି ବ୍ୟକ୍ତ କରୁଥାନ୍ତି । ମୁଁ ତଥାପି ସ୍ମରଣ କରିପାରୁ ନ ଥାଏ ସେ କେଉଁ କୃଷ୍ଣ ଯେ, ଚାଲିଗଲା !

 

ଏହି ସମୟରେ ଜଣେ ଭଦ୍ରଲୋକ ଲୋକ ଗହଳି ଭିତରୁ ବାହାରି ମୋ ଆଡ଼କୁ ଆସୁଥିବା ଦେଖି ମୁଁ ପ୍ରକୃତିସ୍ଥ ହେଲି । ନିକଟେଇ ଆସିବା ପରେ ତାଙ୍କୁ ଚିହ୍ନିପାରିଲି । ସେ ସେଇ ଆର୍ଟିଷ୍ଟ, ଯାହାଙ୍କ ଘରକୁ ସକାଳେ ବାହାରିଥିଲି ମୁଁ–ମୋ ପରିବାର ବୃକ୍ଷ ପାଇଁ କାଠ ବଲ୍‌ ତିନିଟି ଅର୍ଡ଼ର ଦେବାପାଇଁ ।

 

ରାସ୍ତା-ନିର୍ଦ୍ଦେଶକ ସ୍ତମ୍ଭ ଚାରିପଟେ ପିଣ୍ଡି ଉପରକୁ ଉଠୁ ଉଠୁ ସେ ମତେ ପଚାରିଲେ–

 

‘‘ସିଏ ଆପଣଙ୍କ ପରିବାରର ବୋଧହୁଏ–ଯେ ମରିଗଲା ?’’

 

‘‘ମୋ ପରିବାରର ?’’ ମୁଁ ଚମକି ପଡ଼ିଲି ।

 

‘‘ଆପଣଙ୍କ ସ୍ତ୍ରୀ, ପିଲା, ଚାକର ସମସ୍ତେ ସେଠି ବସି କାନ୍ଦୁଛନ୍ତି–ଶୁଣିପାରୁ ନାହାନ୍ତି ?’’

 

‘‘ମୋ ସ୍ତ୍ରୀ ? ମୋ ପିଲା ?’’

 

ନେସନାଲ ହାଇଓ୍ୱେ ମଝିରେ ଠିଆ ହୋଇଥିବା ସେଇ ସ୍ଥାନ ଆଉ ଦୂରତାର ପରିବାର-ବୃକ୍ଷ ଉପରକୁ ମୁଁ ଆସ୍ତେ ଆଉଜିଗଲି ।

 

୧୯୬୮

Image

 

Unknown

ଅଧିକାର

 

ଅନୀତାର ବୟସ ବାର ପୂରିଗଲା ।

‘‘ଆଜିକୁ ନିୟୁତ ନିୟୁତ ବର୍ଷ ତଳେ ଏ ପୃଥିବୀରେ...’’

‘ଏହାପରେ ସେ ପଢ଼େଇବେ ସାବର୍‌ଟୁଥ୍‌ ଟାଇଗର୍‌ମାନଙ୍କ କଥା–’ ଅନୀତା ଆଗଚଲା ପଡ଼ି ତା’ ପାଖରେ ବସିଥିବା ସାଙ୍ଗ ସୁମିତ୍ରା କାନରେ ଚୁପ୍‌ ଚୁପ୍‌ କରି କହିଲା ।

ସୁମିତ୍ରା ଗୋଟାଏ ବୋକୀ ଝିଅ । ସେ ଅନୀତାର ସେଇ ଚୁପ୍‌ଚୁପ୍‌ କଥାରୁ କଅଣ ବୁଝିଲା, ଫିସ୍‌କିନା ହସିଦେଲା ଓ ବିବର୍ତ୍ତନବାଦ ପଢ଼ାଉଥିବା ଶ୍ରେଣୀର ଶିକ୍ଷକଙ୍କୁ ଇଙ୍ଗିତ କଲାପରି କହିଲା–

‘‘ତୁ କେମିତି ସାର୍‌ଙ୍କ ମନକଥା ଜାଣିଲୁ ଲୋ ଟୋକୀ ! କ’ଣ କିଛି ଅଛି କି– ?’’

ପ୍ରଥମେ ସୁମିତ୍ରାର ଇଙ୍ଗିତରୁ ଅନୀତା କିଛି ବୁଝିପାରିଲା ନାହିଁ; କିନ୍ତୁ ଯେତେବେଳେ ତା’ର ମନେପଡ଼ିଗଲା ଯେ, ସେ ଆଜି ଘରୁ ସ୍କୁଲକୁ ଆସିଲାବେଳେ ତା’ ମା’ ତା’ କାନରେ ଚୁପ୍‌ଚୁପ୍‌ କରି ଶିଖେଇଥିଲା–

‘‘କାହାରିକୁ କହିବୁ ନାହିଁ ! ଯଦି କେହି ପଚାରେ ଏତେ ଦିନ କାହିଁକି ଆସି ନ ଥିଲୁ ସ୍କୁଲକୁ, ତେବେ କହିଦବୁ ଖାଲି–ମୋ’ ମା’ର ଦେହ ଭଲ ନ ଥିଲା । ବୁଝିଲୁ ?’’ –ଅନୀତା ଚଟ୍‌କରି ସୁମିତ୍ରାର ମନ୍ଦ ଅଭିପ୍ରାୟକୁ ବୁଝି ନେଇଥିଲା ।

‘‘ଆଜିକୁ ନିୟୁତ ନିୟୁତ ବର୍ଷ ତଳେ...’’ ଶିକ୍ଷକ ବିବର୍ତ୍ତନବାଦ ବିଷୟର ପୁଣି ଗୋଟିଏ ନୂଆ ପାରାଗ୍ରାଫ୍‌ ଆରମ୍ଭ କରୁଥିଲେ ।

 

ଏହାପରେ ଶିକ୍ଷକ ବିବର୍ତ୍ତନବାଦର କେଉଁ ବୃତ୍ତାନ୍ତଟିକୁ ପୁଣି ବ୍ୟାଖ୍ୟା କରିବେ, ଅନୀତା ବେଶ୍‌ ଧରିପାରୁଥିଲା–ତା’ର ଆଗଚଲା ବୁଦ୍ଧିରେ; କିନ୍ତୁ ବଦ୍‌ମାସ ସୁମିତ୍ରାକୁ ତା’ ସମ୍ପର୍କରେ ଆଉ କୌଣସି ଟିପ୍‌ପଣୀ ଦେବାକୁ ସୁଯୋଗ ନଦେବା ପାଇଁ ସ୍ଥିର କରି ଅନୀତା ଚୁପ୍‍ ହୋଇଗଲା ଓ ମନକୁ ମନ ଭାବିଲା, ନିୟୁତ ସଂଖ୍ୟାରେ କେତେଟା ଶୂନ ଥାଏ ? ଏ ପ୍ରଶ୍ନର ଉତ୍ତର ନିଜକୁ ନିଜେ ଦେଇନପାରି ଅନୀତା ସୁମିତ୍ରାକୁ ଆଢ଼ୁଆଳ କରି ସଂଖ୍ୟାଟିକୁ ଖାତା ଉପରେ ଲେଖୁଥିଲା ।

 

‘‘କଅଣ ଲେଖୁଚୁ କିଲୋ ? ପ୍ରେମପତ୍ର ?’’ ବୋକୀ ସୁମିତ୍ରା ଅନୀତାକୁ ଚୁମୁଟି ଦେଲା ।

 

ଅନୀତା ବିରକ୍ତ ହୋଇ ସୁମିତ୍ରାର ହାତକୁ ନିଜ ଦେହ ଉପରୁ ଛାଟିଦେଲା; କିନ୍ତୁ ସୁମିତ୍ରାର ସେଇ ମନ୍ତବ୍ୟ ତା’ର ଆତ୍ମବିସ୍ମୟକୁ ଖୁବ୍‌ ତେଜି ଦେଲା ।

 

ପ୍ରେମପତ୍ର ! –ଏଥର ସେ ଇଚ୍ଛାକଲେ...ଏପରି କେତେକ ପତ୍ର ଲେଖିବାର ଅଧିକାର ତାକୁ ମିଳିଗଲା, ତା’ହେଲେ ?

 

ଅନୀତା ପ୍ରେମପତ୍ର ପରିବର୍ତ୍ତେ ତା’ର ସେଇ ଅଧିକାର ସମ୍ପର୍କରେ ହଠାତ୍‌ ସଚେତ ହେଇଗଲା ।

 

ଏ ଅଧିକାରଟା ଏତେ ଦିନଧରି କାହିଁକି ତା’ର ନ ଥିଲା ? ସେ ବିସ୍ମିତ ହେଲା ।

 

‘‘ତୁ କେତେବର୍ଷ ତଳୁ ଏ କାମ କଲୁଣି ସୁମିତ୍ରା ?’’ ହଠାତ୍‌ କୌତୂହଳୀ ହୋଇ ସେ ପଚାରିଲା ।

 

‘‘କେଉଁ କାମ ?’’ ସୁମିତ୍ରା ତା’ର ବୋକାଳିଆ ଓଠ ଦିଇଟାକୁ ଗୋଟାଏ ହସୁଥିବା ଷଣ୍ଢର ମୁହଁପରି ନେଫେଡ଼ିଦେଲା ।

 

ଅନୀତାର ମୁହଁ ହଠାତ୍‌ ନାଲି ପଡ଼ିଗଲା ।

 

ସନ୍ଧ୍ୟାବେଳୁ ଅଫିସ୍‍ରୁ ଫେରିବା ପରଠାରୁ ଅନୀତାର ବାପା ଖଣ୍ଡିଏ ବହିଧରି ପଢ଼ାଘରେ ବସିଥିଲେ ।

 

ସ୍କୁଲରୁ ଫେରୁ ଫେରୁ ଅନୀତା ନିଜ ଘରର ସେଇ ଅଦ୍ଭୁତ ଚୁପ୍‌ଚାପ୍‌ ମଝିରେ ତା’ ବାପାଙ୍କର ସେଇ ଚଷମାଦିଆ ବାଘୁଆ ମୁହଁକୁ କଣେଇ ଚାହିଁ ଚାଲିଗଲା ।

 

ବାପାଟି ? –ପଛେଇ ଆସି କବାଟ ଫାଙ୍କରେ ଅନୀତା ପୁଣିଥରେ ଉଙ୍କି ମାରିଲା ।

 

ନିର୍ଜନ ଘରେ ତା’ ବାବାଙ୍କୁ ଏମିତି ଏକୁଟିଆ ବସି ବହି ପଢ଼ିବା ଅବସ୍ଥାରେ ଦେଖିବା ଅନୀତା ପକ୍ଷରେ ନୂଆ ନ ଥିଲା ।

 

କିନ୍ତୁ ଆଜି ହଠାତ୍‌ ତା’ ବାପାଙ୍କୁ–ସେ ତା’ର ବାପାଟି ବୋଲି କାହିଁକି ଲାଗିଲା ?

 

ମା’ ବୋଧହୁଏ ଘରେ ନାହିଁ ।

 

ଅନୀତା ଟିପେଇ ଟିପେଇ ଘର ଭିତରକୁ ଗଲା ।

 

ମା ! –ଅନୀତା ପାଟିରୁ ଶବ୍ଦ ବାହାରିବା ପରିବର୍ତ୍ତେ ମୁଣ୍ଡାଏ ଛେପ ଢୋକି ହୋଇଗଲା-। ସତେ କି ସେ ଭାଙ୍ଗିଦେବାକୁ ଚାହୁଁନଥିଲା ସେଇ ଶୂନ୍‌ଶାନ୍‌ ନୀରବତାକୁ–ଯେଉଁଟା ତାକୁ କିଞ୍ଚିତ୍‌ ଡରାଉଥିଲା ବି !

 

ଅନୀତାର ସ୍କୁଲ ଫେରନ୍ତିକୁ ତା’ ବାପା ଲକ୍ଷ୍ୟ କରିଥିଲେ ନିଶ୍ଚୟ । ପଢ଼ାଘରୁ ସେଇ ପ୍ରଥମେ ବଡ଼ ପାଟିରେ ଡାକି କହିଲେ–

 

‘‘ରୋଷେଇ ଘରେ ଜଳଖିଆ ଅଛି–ଖା !’’

 

ଅନୀତାର ସନ୍ଦେହ ଦୃଢ଼ୀଭୂତ ହେଲା ।

 

ମା’ ଘରେ ନାହିଁ ।

 

‘‘ତୋ ମା’ ଜରୁରୀ କାମରେ ତା’ ବାପାଙ୍କ ଘରକୁ ଚାଲିଯାଇଚି–ଆଜି ରାତିରେ ଫେରିବ କି ନାହିଁ କେଜାଣି !’’

 

‘‘ଫେରିବ ନାହିଁ ?’’ ଅନୀତାର ସ୍ୱର ଭୟ ଓ ଆନନ୍ଦ ମଧ୍ୟରେ ପରସ୍ତେ ଉବୁଟୁବୁ ହୋଇଗଲା ।

 

ତା’ ଜୀବନରେ ଏଇ ବୋଧେ ପ୍ରଥମ ଯେତେବେଳେ ସେ ଏଇ ମା’–ଅନୁପସ୍ଥିତ ଘରଟାକୁ ଭଲ ପାଇଗଲା ।

 

ଅନୀତା ରୋଷେଇ ଘରେ ନ ପଶି ସିଧା ଚାଲିଲା ତା’ ନିଜ ପଢ଼ାଘରକୁ । ପଢ଼ାଘରେ ପଶୁ ନ ପଶୁଣୁ ସେ ଫର୍ଦ୍ଦେ କାଗଜ ତା’ ନୋଟ୍‌ଖାତାରୁ ନିସ୍ତବ୍ଧରେ ଚିରି ପକାଇଲା । ତା’ପରେ କଲମ ଧରି ସେ ବସିପଡ଼ିଲା । କିନ୍ତୁ; ତା’ ହାତ ଅଟକିଗଲା ।

 

ପ୍ରେମପତ୍ର କେମିତି ଲେଖିବାକୁ ହୁଏ ?

 

ଅନୀତା ଡରିଗଲା ପରି ଚତୁର୍ଦ୍ଦିଗକୁ ଚାହିଁଲା । ତାକୁ ପ୍ରେମପତ୍ର ଲେଖି ଆସେ ନାହିଁ ! ସେ ତାହାହେଲେ କଅଣ କରିବ ? ଯଦି ସାରାଜୀବନ ତାକୁ ଏ ଅଧିକାରରୁ ବଞ୍ଚିତ ହେବାକୁ ପଡ଼େ-?

 

କଲମରୁ କ୍ୟାପ୍‌ ଫିଟେଇ ନିବ୍‌କୁ ଧଳାକାଗଜ ଉପରେ ଥୋଇ ଅନୀତା ପ୍ରେମପତ୍ର ଲେଖିଲା ପରି କଲମ ଚଳେଇଲା, କିନ୍ତୁ କେତୋଟି ଅସୁନ୍ଦରିଆ ଲୋକଙ୍କ ମୁହଁ ଭଳିଆ କେଇଟି ଢେବା ଢେବା ତେଢ଼ାମେଢ଼ା ଗାର ପଡ଼ିବା ଛଡ଼ା କଲମରୁ ଆଉ କିଛି ବାହାରିଲା ନାହିଁ ।

 

ନିଜର ଅଧିକାର ଓ ସୁଯୋଗ ସତ୍ତ୍ୱେ ପ୍ରେମପତ୍ର ଲେଖିବାର ସେଇ ଅପାରଗତାରେ ଅନୀତା ଆହୁରି ଡରିଗଲା; କିନ୍ତୁ ହଠାତ୍‌ ତା’ ମୁଣ୍ଡରେ ଗୋଟିଏ ବୁଦ୍ଧି ପଶିଲା । ତା’ର ମନେପଡ଼ିଗଲା–ଆଲମାରି ଭିତରେ ଠାଏ ପୁଟୁଳାବନ୍ଧା ହେଇ ସେଇ ଯୋଉ ଚିଠିଗୁଡ଼ାକ ଅଛି, ସେଗୁଡ଼ାକ ତ ଏମିତି କିଛି ହୋଇଥାଇପାରେ ! ସେଗୁଡ଼ାକୁ କେମିତି ଏତେ ସଂଖ୍ୟାରେ, ଫର୍ଦ୍ଦ ଫର୍ଦ୍ଦ ଥାକ ଥାକ କରି ଲେଖି ଚାଲିଗଲା–ମା’ ? ମା’ଟା କ’ଣ ଭାରି ପଣ୍ଡିତ ? ଦେଖେଁ–

 

କାଗଜ କଲମ ରଖିଦେଇ ଅନୀତା ଉଠିପଡ଼ିଲା ।

 

ସେ ତଥାପି ତା’ ପାଦର ଶବ୍ଦକୁ ନ ଶୁଣିବା ପାଇଁ ସାବଧାନ ହୋଇ ପାଦ ପକାଉଥିଲା-

 

ଅନୀତା ତା’ ମା’ର ଶୋଇବାଘର ଆଲମାରି ପାଖରେ ପହଞ୍ଚିଲା ।

 

ତା’ର ସନ୍ଦେହ ହେଲା–ମା’ଟା ତା’ର ଏତେ ବୋକୀ ନୁହେଁ ଯେ, ଆଲମାରିଟାକୁ ଖୋଲା ରଖି ଚାଲିଯାଇଥିବ !

 

କିନ୍ତୁ ଅନୀତା ଆଲମାରି ପାଖରେ ନ ପହଞ୍ଚୁଣୁ ତା’ର ସନ୍ଦେହ ତୁଟି ଯାଇଥିଲା ।

 

ମା’ଟା ନିଶ୍ଚେ ବୋକୀ–ମନେ ମନେ ସେ ହସିଲା ମା’ର ମୁହଁ ମନେପକେଇ ।

 

କିନ୍ତୁ ଚିଠି ପୁଟୁଳିଟା ଗତବର୍ଷ ଯେଉଁ ଜାଗାରେ ସେ ଦେଖିଥିଲା, ଏବର୍ଷ କଅଣ ସେଇଠି ଥିବ ? –ସେ ଆଶ୍ଚର୍ଯ୍ୟ ହେଉଥିଲା ।

 

ଅନୀତା ଆଲମାରିର ଭିତର ପାଖରେ ଥିବା ଗୋଟାଏ ଦରଜାକୁ ଆସ୍ତେ ଟାଣିଲା ।

 

ପୁଟୁଳିକଯାକ ଚିଠି ସେଇଠିହିଁ ଥିଲା ।

 

ଚିଠି ? ନା ପ୍ରେମପତ୍ର ? –ଅନୀତା ସେ ପୁଟୁଳିଟାକୁ ଫିଟେଇବ କି ନାହିଁ–ଟିକିଏ ଦୋଦୋପାଞ୍ଚ ହେଲା ।

 

ଦିନେ ଏଗୁଡ଼ାକ ଥିଲା ପ୍ରେମପତ୍ର–ଆଜି ? ଖାଲି ଚିଠି ! ନା ? ଅନୀତା ମନରେ ବଳ ପାଇଲା ପରି ହସିଲା ଓ ପୁଟୁଳିଟିକୁ ବିନାଦ୍ୱିଧାରେ ଖୋଲି ପକେଇଲା ।

 

ନାଲି, ନେଳି, ଶାଗୁଆ–ପ୍ରେମର ବହୁବିଧ ରଙ୍ଗ ଭିତରୁ ଅନୀତା ନିଜ ରୁଚିମୁତାବକ ଖଣ୍ଡେ ଶାଗୁଆ ରଙ୍ଗର କାଗଜକୁ ବାଛିନେଲା ।

 

ଏଇ ତା’ହେଲେ ତା’ ମା’ର ପ୍ରେମପତ୍ର ? ଅନୀତାର ରୁମଗୁଡ଼ାକ ଟାଙ୍କୁରି ଉଠିଲା ।

 

କାହା ପାଖକୁ ଲେଖା ହେଇଚି ଏଇଟା ? –ଅନୀତା ଜାଣିଥିଲା ତା’ ଜନ୍ମ ପୂର୍ବରୁ ତା’ ମା’ ତା’ ବାପାଙ୍କୁ ଯେଉଁ ସବୁ ଚିଠି ଲେଖିଥିବାରୁ ସେ ଏ ପୃଥିବୀକୁ ଆସିଥିଲା, ସେଗୁଡ଼ିକ ସବୁ ତା’ ବାପାଙ୍କଠାରୁ ଫେରସ୍ତ ପାଇଥିଲା ତା’ ମା’ ଓ ସେଗୁଡ଼ିକୁ ସଂଗ୍ରହ କରିଥିଲା ସେଇ ପୁଟୁଳିଭିତରେ ।

 

ଅନୀତା ତା’ ମା’ର ଅନୁପସ୍ଥିତିକୁ ଭଲ ପାଉଥିଲେ ସୁଦ୍ଧା ତା’ପ୍ରତି ସେପର୍ଯ୍ୟନ୍ତ ଈର୍ଷା କରିନଥିଲା ।

 

କିନ୍ତୁ ସେଇ ଶାଗୁଆ ରଙ୍ଗର କାଗଜଟାକୁ ଦେଖୁ ଦେଖୁ ହଠାତ୍‌ ତା’ ଛାତି ଭିତରେ କଅଣ ସବୁ ତରଳ ଜିନିଷ ହଠାତ୍‌ ଶୁଖିଗଲା ।

 

କାହା ପାଖକୁ ଲେଖାହେଇଚି ଏଇଟା ? ଚିଠି ପରିବର୍ତ୍ତେ ପ୍ରଥମେ ଲଫାଫା ଉପରେ ଆଡ୍ରେସ୍‌କୁ ସେ ପୁଣିଥରେ ଚାହିଁଲା ।

 

ହଠାତ୍‌ ତା’ର ଟାଙ୍କୁରି ଉଠିଥିବା ରୁମଗୁଡ଼ାକ ଝିଙ୍କକାଠିପରି ମୁନିଆ, ଟାଆଁସା ହେଇ ଚତୁର୍ଦ୍ଦିଗକୁ ଛିଞ୍ଚାଡ଼ି ହେଇ ପଡ଼ିବା ନିମିତ୍ତ ଉଦ୍ୟତ ହେଇଗଲା ।

 

ଏ ଆଡ୍ରେସ୍‌ଟା କାହାର ? କାହାର ନାଁ ଏଇଟା ? ଏଟା ତ ତା’ ବାପାଙ୍କ ନାଁ ନୁହେଁ !

 

ହଠାତ୍‌ ଅନୀତା ଛାତି ଭିତରର ସେଇ କାଠୁଆ ଜିନିଷଟି ତାକୁ ପ୍ରବର୍ତ୍ତେଇ ଦେଲା–ଚିଠିଟାକୁ ସେଇଲାଗେ ନେଇ ତା’ ବାପାଙ୍କୁ ଦେଖେଇ ଦେବାକୁ !

 

କିନ୍ତୁ, ତଥାପି ଅନୀତା ସେପରି କିଛି କରିପକାଇଲା ନାହିଁ । ସେ ହଠାତ୍‌ ବୁଝିନେଇଥିଲା ଯେ, ସେ ଆଉ ପିଲା ହୋଇ ନାହିଁ ।

 

ସେ ଆଉ ପିଲା ହୋଇ ନାହିଁ–ଏତିକି ଜାଣିଲା ପରେ ତା’ର ଧୈର୍ଯ୍ୟ ବହୁତ ବଢ଼ିଗଲା । ଏପରିକି ସେ ତା’ ମା’କୁ ଈର୍ଷା କରିବା ପରିବର୍ତ୍ତେ ଦୟା କରିବାକୁ ଲାଗିଲା ।

 

କଅଣ ଲେଖିଚି ସେ ବୋକୀଟା ?

 

ଅନୀତା ତା’ ମା’ର ପ୍ରେମପତ୍ରର ପ୍ରଥମ ଧାଡ଼ିଟାକୁ ପଢ଼ୁପଢ଼ୁ ଅଟକିଗଲା ।

 

‘‘ପ୍ରିୟତମ, ଆଜିକୁ ନିୟୁତ ନିୟୁତ ବର୍ଷ ଧରି...’’

 

ଅନୀତାକୁ ହସ ଲାଗିଲା । ତା’ର ମନେପଡ଼ିଗଲା ସକାଳେ ବିବର୍ତ୍ତନବାଦ ସମ୍ପର୍କରେ ଶିକ୍ଷକ ଯେଉଁ ପାଠଟି ପଢ଼ାଉଥିଲେ–ଏଇଟା ପ୍ରେମପତ୍ର ନା ବିବର୍ତ୍ତନବାଦ ମ !

 

ତା ବୋକୀ ମା’ ପ୍ରତି ଅନୀତାର ଦୟା ଆହୁରି ବଢ଼ିଗଲା ।

 

ଚାପା ସ୍ୱରରେ ଖୁବ୍‌ ହସି ହସିକା ସେ ଭାବିଲା–ୟା ପରେ ସେ ବୋକୀ ନିଶ୍ଚୟ ଲେଖିଥିବ ସାବର୍‌ଟୁଥ୍‌ ଟାଇଗର୍‌ମାନଙ୍କ କଥା !

 

ଅନୀତାର ମନେପଡ଼ିଗଲା, ସକାଳେ ତା’ର ଏଇ ଆଗଚଲା ମନ୍ତବ୍ୟର ମର୍ମ ନ ବୁଝିପାରି ବୋକୀ ସୁମିତ୍ରା କେମିତି ତାକୁ ଥଟ୍ଟା କରିଥିଲା, କିନ୍ତୁ ଏଇଲେ ତା’ ନିଜ ମନ୍ତବ୍ୟକୁ ନିଜେ ଥଟ୍ଟା କରୁଥିଲେ ସୁଦ୍ଧା ସେ ତା’ ଆଗଚଲା ବୁଦ୍ଧିର ପ୍ରମାଣ ପାଇବାପାଇଁ ମା’ ଚିଠିରୁ ଆଉ ଗୋଟିଏ ଧାଡ଼ି ପଢ଼ିଲା–

 

‘‘ଅନ୍ଧକାର ଓ ମେଘାଚ୍ଛନ୍ନ ରାତିରେ, କଣ୍ଟକିତ ଓ ଦନ୍ତୁରିତ ପଥରେ, ମୁଁ ତୁମର ଅନୁଧାବନ କରିଛି ହେ ପ୍ରିୟ ମୋର ! ନିୟୁତ ନିୟୁତ ବର୍ଷ ଧରି ବାଘ, ଭାଲୁ, ସାପ ଆଉ ବିକଟାଳ ରୂପମାନଙ୍କ ମୁଖା ପିନ୍ଧି ଧ୍ରୁବ ଆଉ ପ୍ରହ୍ଲାଦଙ୍କୁ ଡରାଇଲା ପରି...’’

 

ଅନୀତାର ବିରକ୍ତ ମୁହଁ ଆରକ୍ତ ହୋଇ ଆସିଲା ।

 

ସେ ପ୍ରେମପତ୍ର ପଢ଼ୁଚି, ନା ଗୋଟାଏ ପ୍ରାର୍ଥନା !

 

ଗୋଟାଏ କ୍ରସ୍‌ଓ୍ୱାର୍ଡ଼ ପଜ୍‌ଲ୍‌ର ସାମନାସାମନି ହେଇଗଲା ପରି ଅନୀତା ଅସ୍ତବ୍ୟସ୍ତ ହୋଇପଡ଼ିଲା ଓ ବାରମ୍ବାର ତା’ ମା’ର ହାତଲେଖା ଚିଠିଟାକୁ ଆମୂଳଚୂଳ ପଢ଼ିବା ଛଡ଼ା ଆଡ୍ରେସରେ ଥିବା ନାଁଟାକୁ ଘନ ଘନ ଦେଖିଲା । ଅଜଣା ଲୋକର ନାଁ ତଥାପି ତା’ ଛାତି ଭିତରେ ପିନ୍‌କଣ୍ଟା ପରି ଚିନ୍‌ ଚିନ୍ ହେଉଥିଲା ।

 

ପ୍ରେମପତ୍ର ଲେଖିବାର ଶୈଳୀକୁ ଆୟତ୍ତ କରିସାରିଥିଲେ ସୁଦ୍ଧା ଅନୀତା ତଥାପି ଆୟତ୍ତ କରିପାରୁନଥିଲା, ସେଇ ନାଁର ଚାବିଟାକୁ । ପ୍ରେମପତ୍ର ଜଣା ନା ଅଜଣା ପୁରୁଷ ପାଖକୁ ଲେଖାଯାଏ–ସେ ତଥାପି ବୁଝିପାରୁନଥିଲା ।

 

‘‘ଅନୀତା !’’

 

ମା’ ନ ଥିବା ନିର୍ଜନ ଘରେ ପୁରୁଷ କଣ୍ଠସ୍ୱରରେ ଅନୀତା ଚମକି ପଡ଼ିଲା ।

 

ତରତର ହେଇ ତା’ ମା’ର ଚିଠିପୁଟୁଳାକୁ ବନ୍ଦ କରିଦେବାବେଳେ ଅନୀତା ପୁଣିଥରେ ଚାହିଁଦେଲା ସେଇ ଆଡ୍ରେସ୍‌ର ନାଁ-ଟାକୁ ।

 

‘‘ଅନୀତା !’’ –ତା’ ବାପା ପୁଣିଥରେ ଡାକିଲେ ।

 

ଅନୀତା ତା’ ବାପାଙ୍କ ଡାକର ଜବାବ ଦେବା ପରିବର୍ତ୍ତେ ଟିପେଇ ଟିପେଇ ଚାଲିଲା ।

 

ଜଣେ ଅଜଣା ଲୋକ ନିକଟକୁ ପ୍ରେମପତ୍ର ଲେଖିବାପାଇଁ ମନରେ ସେତେବେଳକୁ ସେ ବିଷୟବସ୍ତୁ ସ୍ଥିର କରିସାରିଥିଲା ।

 

ଟିପେଇ ଟିପେଇ ଅନୀତା ତା’ ପଢ଼ାଘର ଆଡ଼କୁ ମୁହାଁଉଥିଲା; କିନ୍ତୁ କେତେବେଳେ ନିଜ ପଢ଼ାଘର ପରିବର୍ତ୍ତେ ସେ ଯାଇ ପହଞ୍ଚି ଯାଇଥିଲା ତା’ ବାପାଙ୍କ ପଢ଼ାଘର ଆଉଜା କବାଟ ପାଖେ ।

 

କବାଟ ଫାଙ୍କରୁ ସେ ଘର ଭିତରକୁ ପୁଣିଥରେ ଉଙ୍କିମାରିଲା–ଯେମିତି ସ୍କୁଲରୁ ଫେରିଲାବେଳେ । ଅଜଣା ଲୋକଟି ତଥାପି ସେମିତି ବସିଥାଏ ।

 

କିନ୍ତୁ ହଠାତ୍‌ ଗୋଟାଏ ଚୋରାବସନ୍ତ ପରି କବାଟ ଠେଲି ଦେଇ ଅନୀତା ପଶିଗଲା ଘରଭିତରକୁ ଓ ତା’ ବାପାଙ୍କୁ ତର୍କେଇ ଦେଲା ।

 

‘‘ତୁମର ନାଁ କଅଣ ?’’ ଅନୀତା ମୁହଁରୁ ହଠାତ୍‌ ଏଇ ପ୍ରଶ୍ନ ବାହାରିଗଲା ।

 

ଅନୀତାର ବାପା ବହିରୁ ମୁହଁ ଟେକି ନିଜର ବାରବର୍ଷର ଝିଅର ମୁହଁକୁ ଚାହିଁଲେ ।

 

‘‘ମୋ ନା ?’’ ହୁଏତ ତାଙ୍କର ମଧ୍ୟ ପାସୋର ଯାଇଥିଲା । ତା’ର ବାପା ହଡ଼ବଡ଼େଇ ଯାଉଥିବା ଦେଖି ଅନୀତା ଆହୁରି ଗମ୍ଭୀର ହୋଇଗଲା ।

 

‘‘ତୁମକୁ ଏତେଗୁଡ଼ାଏ ନାଁ କିଏ ଦେଲା ?’’ ଅନୀତା ତା’ ବାପାଙ୍କର ଆହୁରି କତିକୁ ଲାଗିଆସିଲା–‘‘ତୁମେ କ’ଣ କି ଏମିତି ? ଭଗବାନ ? ନା କିଏ ?’’

 

ବିଷୁବ ସଂକ୍ରାନ୍ତି, ୧୯୭୧

Image

 

ଚତୁର୍ଥ ରାତି

 

ମୁଁ ଜାଣେନା ବାହାଘର ଚାରିଦିନ ନପୂରୁଣୁ ସେ ମତେ କାହିଁକି ସେମିତି କହିଲା–

 

ସେତେବେଳେ ମୁଁ ମୋ ବେଡ଼୍‍-ରୁମରେ ଗୋଟିଏ ହେଲେ ଇରୋଟିକ୍‌ ଛବି ଆଜି ଭଳି ଟାଙ୍ଗୁ ନ ଥିଲି । ବରଂ ସେତେବେଳେ ସେ ପ୍ରକାର ଛବି ମତେ ଅତିଶୀଘ୍ର ଅବଶ କରି ପକାଉଥିଲା-। ମୁଁ ଥିଲି ଗୋଟିଏ ସଚ୍ଚା ସ୍ପୋର୍ଟସ୍‌ମ୍ୟାନ । କଲେଜ ବ୍ଲୁ ଗଣ୍ଡାଗଣ୍ଡା ଟଙ୍ଗା ହେଇଚି ଏପର୍ଯ୍ୟନ୍ତ ମୋ ଡ୍ରଇଂରୁମ୍‌ ସୋ କେଶରେ । କଲେଜ ବ୍ଲୁ କଥା ଏଠି ଅବଶ୍ୟ ପଡ଼ିନାଇଁ । ପଡ଼ିଚି–ମୁଁ ଜାଣେ କଅଣ ପଡ଼ିଚି !

 

ହେମମୟୀ ଥିଲା ମୋର ପ୍ରଥମ ପକ୍ଷ ସ୍ତ୍ରୀ । ଏ ବିଷୟରେ ମୁଁ ନିଃସଙ୍କୋଚରେ ସମସ୍ତଙ୍କୁ କହିଦେବା ପାଇଁ ଇଚ୍ଛାକରୁଛି ଯେ, ମୁଁ ପଲିଗାମିର ଘୋର ବିରେଧୀ; କିନ୍ତୁ ମୋର ଭାଗ୍ୟ ତ ଥିଲା ଅନ୍ୟପ୍ରକାର । ଗୋଟିକ ପରେ ଗୋଟିଏ ମୋର ତିନିଟି ସ୍ତ୍ରୀ ମରିଯିବା ପରେ ମତେ ମୋର ଏଇ ଚତୁର୍ଥପକ୍ଷ ସ୍ତ୍ରୀକୁ ଘରକୁ ଆଣିବାକୁହିଁ ପଡ଼ିଲା ।

 

ମୁଁ ଜାଣେନା ବାହାଘରର ମୋଟେ ଚାରିଦିନ ନ ଯାଉଣୁ ସେ ମତେ କାହିଁକି ସେମିତି କହିଲା–

 

ମୋର ଚତୁର୍ଥପକ୍ଷ ସ୍ତ୍ରୀର ବୟସ ମୋ ବୟସର କେତେଭାଗରୁ ଭାଗେ, ସେମିତି ଅଙ୍କ ମୁଁ କେବେ କରି ନାଇଁ । କିନ୍ତୁ ମୋର ଠିକ୍‌ ମନେପଡ଼ୁଚି–ଯେତେବେଳେ ମୋ ଏଜେଣ୍ଟ ପଣ୍ଡାବାବୁ ମୋ’ଠୁଁ ମାତ୍ର ପାଞ୍ଚଶ ଟଙ୍କାର ଖଣ୍ଡେ ଚେକ୍‌ ଲେଖେଇ ନେଲାବେଳେ ତାଙ୍କର ଚିର ବିଷାଦଗ୍ରସ୍ତ ଆଖି ଦୁଇଟିରେ ମତେ କେମିତି ଅନାଇଥିଲେ–ମୋର ଠିକ୍‌ ମନେଅଛି । ମୁଁ ତାଙ୍କର ଆଖି ଚାରିପାଖେ ଅନେକଗୁଡ଼ିଏ କନସେଣ୍ଟ୍ରିକ୍‌ ସର୍କଲହିଁ ଦେଖିବାକୁ ପାଇଥିଲି ଓ ସେତିକିବେଳେ ମୋର ମନେହେଉଥିଲା–ପଣ୍ଡାବାବୁଙ୍କ ଆଖି ଚାରିପାଖ କଳା ପ୍ୟାଚ୍‍ ହଳକୁ କାଢ଼ି ନେଇ ଯଦି ଗୋଟାଏ ରେକର୍ଡ଼ ପ୍ଲେୟର୍‌ ଡିସ୍କ୍‍ ଉପରେ ରଖାଯାଇ ବଜାଯାନ୍ତା, ତେବେ ସେଥିରୁ କି ସବୁ ଗାନା ବାହାରନ୍ତା-

 

ପଣ୍ଡାବାବୁ ପାଞ୍ଚଶ ଟଙ୍କାର ଅଧାଦାମରେ କାମଟିକୁ ଉଠାଇ ଦେଲେ । ବାକିତକ ଥିଲା ତାଙ୍କର ଟି.ଏ. ଆଉ ଡି.ଏ. ।

 

‘‘ଆପଣ ଯଦି ସନ୍ତୁଷ୍ଟ ନୁହଁନ୍ତି ସାର୍‌ !’’

 

ପଣ୍ଡାବାବୁଙ୍କର କୌଣସି ସଫେଇ ମତେ ସ୍ପର୍ଶ କରେନା–ମୁଁ ଜାଣେ । କିନ୍ତୁ କେତେକଙ୍କ ଆଖି ସାଙ୍ଗରେ ମୋ ଆଖି ମିଶିଲେ, ପହିଲେ ମୋ ଆଖିହିଁ ଜକେଇ ଯାଏ, ଏହା ମତେ ବେଶ୍‌ ଜଣା । ସେତେବେଳେହିଁ ସେଇଆ ହେଲା । ମୋର ଜକେଇ ସାରିଥିବା ଆଖିକୁ ଅନିଶା କରି ପଣ୍ଡାବାବୁ କାରୁଣ୍ୟପୂର୍ଣ୍ଣ ସ୍ୱରରେ ମତେ ପ୍ରବୋଧ ଦେବାରେ ଲାଗିପଡ଼ିଲାପରି କହିଲେ, ‘‘ଏମିତିକି ଆପଣ ଯଦି କହିବେ, ହନିମୁନ ପରଦିନ–ୟୁ କାନ ଆସ୍‌କ୍‌ ଫର୍‌ ଏ ରିପ୍ଲେସମେଣ୍ଟ ସାର୍‌–ମୁଁ ଗ୍ୟାରେଣ୍ଟି ଦେଉଚି !’’

 

ମୁଁ ତଥାପି ପଣ୍ଡାବାବୁଙ୍କର ଆଖି ଚାରିପଟର ସେଇ ଗ୍ରାମୋଫୋନ୍‌ ରେକର୍ଡ଼ ପ୍ଲେଟ ପରି କଳାପ୍ୟାଚ ଦୁଇଟାର ପୂରା ମ୍ୟୁଜିକ୍‌ ଶୁଣି ସାରିନଥିଲି ବୋଧହୁଏ ।

 

ପଣ୍ଡାବାବୁ ଶୁଣାଇଦେଲେ–

 

‘‘ହଜାର ହଜାର ଲକ୍ଷଲକ୍ଷ ସଂଖ୍ୟାରେ ଚାଲି ଆସୁଚନ୍ତି, ସେମାନେ ବର୍ଡ଼ର ସେପଟୁ–ଭେରି ୟଙ୍ଗ, ଭେରି ଭେରି ୟଙ୍ଗ...ଅଫ୍‌ ୟୋର ଡଟରସ ଏଜ ସାର୍‌ !’’

 

ମୋର ଚତୁର୍ଥପକ୍ଷ ସ୍ତ୍ରୀ ପ୍ରତି ମୋର ଏଇ ସାଇକୋଲଜିର ସୃଷ୍ଟି ପାଇଁ ମୋର ଏଜେଣ୍ଟ ପଣ୍ଡାବାବୁହିଁ ଦାୟୀ–ମୁଁ ଭଲକରି ଜାଣିଥିଲି । କିନ୍ତୁ ଡ୍ୟାମ୍‌ଇଟ୍‌ !

 

ସମସ୍ୟାଟା ମୋ ପକ୍ଷରୁ ଆଦୌ ଉଠିନଥିଲା । ବିବାହର ଚତୁର୍ଥଦିନ ଯଥାରୀତି ମୁଁ ମୋ ବେଡ଼୍‍ରୁମରେହିଁ ସେମିତି ଆଙ୍ଗ୍‌ଜାଇଟିର ସହିତ ଅପେକ୍ଷା କରିଥିଲି ଓ କାନପାତି ନୀରବତାକୁ ଶୁଣିଥିଲି ଯେମିତି ପୂର୍ବ ତିନିଥର ହେମମୟୀ, ଶ୍ୟାମାମଣି ଆଉ ସେଇ ଅଧାପାଗଳୀଟି ପାଇଁ ।

 

ଅଧପାଗଳୀଟି ପାଇଁ ।

 

ବରଂ, ସତ କହିବାକୁ ଗଲେ ମୁଁ ଆଉ କାହାରି କଥା ସେହି ଆଙ୍ଗ୍‌ଜାଇଟି ଭିତରେ ଚିନ୍ତା କରୁନଥିଲି । କାରଣ ସେଇ ଅଧାପାଗଳୀଟି, ଯେ ଥିଲା ମୋର ତୃତୀୟ ପକ୍ଷର ସ୍ତ୍ରୀ, ହୁଏତ ସେହି ହିଁ ଥିଲା ମୋର ପ୍ରକୃତ ଧର୍ମପତ୍ନୀ ! ତା’ଛଡ଼ା ଆଉ କାହାକୁ ଯେ ମୁଁ ବାହା ହେଇଥିଲି ବା ହେଉଚି, ଏହା ତ ମୁଁ ଜାଣେନା ।

 

ମୋର ଚତୁର୍ଥପକ୍ଷ ସ୍ତ୍ରୀ ସମେତ ଚାରୋଟି ମୋର ଅତିପ୍ରିୟ ମୁହଁ ଭିତରୁ କେବଳ ସେଇ ଦରପାଗଳୀର ମୁହଁଟି ମୋର ଜମା ମନେପଡ଼େନା–ଜମା ମନେପକାଇ ପାରେନା ମୁଁ । କିନ୍ତୁ ତା’ର ଗୋଟିଏ ଭଙ୍ଗୀ ମୋର ଯେତେବେଳେ ମନେପଡ଼ିଯାଏ–ଚାଉଁକରି ଲଗେ ମୋ ଦିହରେ । କାହିଁକି-?

 

ଦିନେ ଏମିତି ଗୋଟାଏ ଭୟାର୍ତ୍ତ ସ୍ନେହ ଭିତରେ ଆତ୍ମହରା ହେଇ ତାକୁ ମୁଁ ଡାକି ଦେଇଥିଲି–ମା’ !

 

ତା’ର ପାଗଳାମୀ ସେଇ ଦିନୁହିଁ ବଢ଼ିଯାଇଥିଲା, ମୁଁ ଠିକ୍‌ ଲକ୍ଷ୍ୟ କରିଚି–ଠିକ୍‌ ଲକ୍ଷ୍ୟ କରିଚି ।

 

ପ୍ରେମ କରିବା ପରିବର୍ତ୍ତେ ସେ ଦରପାଗଳୀଟି ମତେ ମୂଳରୁହିଁ ସ୍ନେହ କରୁଥିଲା–ଏକଥା ତ ମତେ ଅଛପା ନଥିଲା । ଆଉ, ଯୋଉଦିନ ମୁଁ ସେଇ ଭୁଲ କରିବସିଲି, ସେଇ ଦିନୁ ସେ ମତେ ପୂରା ଅକତିଆର କରି ନବାକୁ ବସିଲା ।

 

ସତ କହିବାକୁ ଗଲେ, ମୋ ବେଡ଼୍‍ରୁମରେ ଇରୋଟିକ ଛବିମାନଙ୍କର ଆବିର୍ଭାବ ଘଟିଥିଲା ସେହି ପିରିୟଡ଼ରେ । ସେହି ଦରପାଗଳୀର ଉପସ୍ଥିତିରେ ମୋର ଅବସନ୍ନତାକୁ ମୁଁ ଅନ୍ୟ କୌଣସି ପ୍ରକାରେ ପାରି ହେଇନଥାନ୍ତି–ଏହା ମତେ ବେଶ୍‍ ଜଣାଥିଲା ।

 

ଆଉ ଗୋଟାଏ କଥା ପରିଷ୍କାର କରିଦେବି ?

 

ମତେ ପ୍ରେମ କରିବା ପରିବର୍ତ୍ତେ ବାତ୍ସଲ୍ୟ ଦେବାକୁ ଆରମ୍ଭ କରି ଦେଇଥିବା ଦରପାଗଳୀର ମୃତ୍ୟୁ ପାଇଁ ପ୍ରକୃତରେ ମୁଁ ନିଜେ ଦାୟୀ । ଅବଶ୍ୟ ମୁଁ ତାକୁ ବିଷ ଦେଇ ମାରି ପକାଇ ନାହିଁ ବା ଘାତକ ହାତରେ ବଧ କରିନାହିଁ । ସେପରି ସ୍ନେହୀ ମଣିଷକୁ ମାରିବା ପାଇଁ ବିଷର ପ୍ରୟୋଗ ବା ଦରକାର କଅଣ ?

 

ସେଦିନ ସେ ମତେ କୋଳରେ ଧରି ବସିଥାଏ । ମୋ ମୁଣ୍ଡର ଅଲରାବାଳଗୁଡ଼ାକୁ ଆସ୍ତେ ଆସ୍ତେ ସାଉଁଳି ଦଉଥାଏ । ମୋର ମନେ ପଡ଼ିଯାଉଥାଏ, ଅତି ପିଲାଦିନର କୋଉ ଗୋଟାଏ କଥା । ମୋର ମା’ ମତେ ଆଉଁଷି ଦଉଥିଲା... ।

 

ମୋର ମା’ ।

 

ମୁଁ ଚମକିପଡ଼ିଲି । ମୁଣ୍ଡ ଭିତରେ ଚିନ୍‌ କରି ବିଜୁଳୀ ମାରିଦେଲା ।

 

ଚଟାକ୍‌କିନା ମୁଁ ତା’ ହାତକୁ ଧରି ପକେଇଲି ଓ ଛାଟି ଫୋପାଡ଼ି ଦେଲି । ତା’ପରେ ଧଡ଼୍‌କିନା ଉଠି ଠିଆହେଇ ପଡ଼ିଲି ମୁଁ ।

 

‘‘ଶାଳି ! ଆଶୀର୍ବାଦ କରି ମତେ ଶୀତଳେଇ ଦବୁ ବୋଲି ମନେକରୁଚୁ ! କଅଣ ବୋଲି ଭାବୁଚୁ ନିଜକୁ ? ମୋ ମା’ ! ଦେଖିବୁ...ଦେଖିବୁ...’’

 

ମୋ ଦିହରେ ସୁତାଖିଏ ବି ନ ଥିଲା ସେତେବେଳେ ?

 

‘‘ଦେଖ୍‌ ! ଦେଖ୍‌ !’’ ମୁଁ ଉନ୍ମତ୍ତ ପରି ନାଚିବାକୁ ଲାଗିଲି ଆଉ ସେତିକିବେଳେ ମୋର ଅଜାଣତରେ ଛୋଟ ପିଲାପରି ମୁଁ ଚର୍‌ର୍‌ ଚର୍‌ର୍‍ ମୂତି ପକେଇଲି ।

 

ଅଳ୍ପଦିନ ଭିତରେ ସାମାନ୍ୟ ରୋଗରେ ପଡ଼ି ସେ ଚାଲିଗଲା । ମରିଗଲା ନାହିଁ–ଛାଇପରି ମିଳେଇଗଲା ଶୂନ୍ୟରେ ।

 

ମରିବାର ଅଳ୍ପ ସମୟ ପୂର୍ବରୁ ସେ ମତେ ପାଖକୁ ଡାକିଥିଲା । ମୁହଁରେ ଥାଏ ହସ ।

 

‘‘ଶୁଣ ! ତୁମକୁ ପୁଣିଥରେ ବାହା ହବାକୁ ପଡ଼ିବ !’’

 

ମୁଁ କିଛି ଗୁରୁତ୍ୱ ଦେଲିନାଇଁ । ପାଗଳୀଟା ଯାହା କହୁଚି କହୁଥାଉ ।

 

‘‘ଶୁଣୁଚୁ ! ମୁଁ କଅଣ କହୁଚି ?’’ ମତେ ଅନ୍ୟମନସ୍କ ଦେଖି ସେ ଏମିତି ଗୋଟାଏ ଉଚ୍ଚକୁ ସ୍ୱର ଉଠେଇଦେଲା, ଯେମିତି କି ମୁଁ ତା’ ଆଗରେ ସାତ ସାନ !

 

ଚମକିପଡ଼ିଲି ମୁଁ ।

 

ଏଇତ ଥିଲା ସ୍ୱର ! ନୁହେଁ କି–ମୋ ମା’ର ? ହାୟ ଭଗବାନ !

 

ମତେ ଚମକି ପଡ଼ିବା ଦେଖି ତାକୁ ଖୁବ୍‌ ଖୁସି ଲାଗିଲା । ସନ୍ତୋଷର ଶେଷ ହସଟି ହସୁହସୁ ଯେ ତା’ର ଶେଷ ରାୟଟି ଦେଇଥିଲା–

 

‘‘ଛୋଟ କଣ୍ଢେଇଟିଏ ବାହାହବୁ–ମନେରହିଲା ?’’

 

ତା’ ମୁହଁରୁ ହସ ମଉଳିଯିବା ପୂର୍ବରୁ ସେ ଚାଲିଗଲା ।

 

ମୋର ଏଜେଣ୍ଟ ପଣ୍ଡାବାବୁଙ୍କୁ ହୁଏତ ମୋର ତୃତୀୟ ସ୍ତ୍ରୀର ଏଇ ମୃତ୍ୟୁକାଳୀନ ଇଚ୍ଛା ସମ୍ପର୍କରେ କୋଉ ଦିନ ମୁଁ ନିଜେହିଁ କହି ଦେଇଥାଇପାରେ । ବୋଧହୁଏ ଏଇ କାରଣରୁ ସେମିତି ମନ୍ତବ୍ୟଟିଏ ସେଦିନ ବାହାରିଥିଲା ତାଙ୍କ ମୁହଁରୁ–

 

‘‘ଅଫ୍‌ ୟୋର୍‌ ଡଟର୍‌ସ୍‌ ଏଜ୍‌ ସାର୍‌ !’’

 

ତାଙ୍କ ମନ୍ତବ୍ୟକୁ ମୁଁ ଅବଶ୍ୟ ଆଜି ଗୁରୁତ୍ୱ ଦେଉନାହିଁ । କାରଣ, ପୂର୍ବ ଅଭିଜ୍ଞତା ଦୃଷ୍ଟିରୁ ମୋର ଏଇ ଚତୁର୍ଥ ପକ୍ଷ ସ୍ତ୍ରୀଟି ତ ଏକା ନୁହେଁ, ଦୁନିଆର ଆଉ ସମସ୍ତେ ମୋ ଆଗରେ ଏଡ଼େ ବକଟେ ବକଟେ ଛୋଟିଆ କଣ୍ଢେଇ ନୁହଁ କି ?

 

କିନ୍ତୁ, ତଥାପି, ମୁଁ ଜାଣେନା, ମୋର ଚତୁର୍ଥ ସ୍ତ୍ରୀ ସହିତ ମୋର ପ୍ରଥମ ମିଳନରେ ହଠାତ୍‌ ସେଇ ଛୋଟ କଣ୍ଢେଇଟି କାହିଁକି ସେମିତି କହିଲା–ତା’ ସହିତ ମୋର କଅଣ ବା ସମ୍ପର୍କ ଥିଲା, ବାହା ହବାର ଚାରିଦିନ ନ ଯାଉଣୁ !

 

‘‘ତୁମେ ମତେ ଛୋଟପିଲା ବୋଲି ଭାବୁଚ ?’’ କିର୍‌ କିର୍‌ ହେଇ ହସିଉଠିଲା ସେ ମତେ ଦେଖୁ ଦେଖୁ ।

 

ଚମକିଲି ମୁଁ ପୁଣିଥରେ ।

 

ମୋ କୋଳରେ ଲୋଟିପଡ଼ି ସେ କହିଲା–

 

‘‘ମୋ ବାପାଙ୍କ ଆଖିରେ ସୁଦ୍ଧା ଅଢ଼େଇ ଶହଟି ଟଙ୍କାଠୁ ମୁଁ ଦିଶିଲି ଛୋଟ ! ...ମୁଁ ଛୋଟ ନୁହେଁ, ଏଡ଼େ ଛୋଟ ନୁହେଁ, ମତେ ଛୋଟ ଭାବନାଇଁ...ମୁଁ ସବୁ ବୁଝିଚି...ସବୁ ଜଣା ମତେ’’

 

ମୁଁ ତାକୁ ମୋ କୋଳରୁ ଉଠେଇ ନେଇ ଦୁଇହାତରେ ଧରିଲି ।

 

ତା’ର ଆଖି ଦୁଇଟା ଦପ୍‌ ଦପ୍‌ ଜଳୁଥିଲା । ଅନ୍ୟ ତିନିଜଣଙ୍କ ପରି ଏପରି ମୁହୂର୍ତ୍ତରେ ଆଖି ବୁଜି ନ ଦେଇ ସେ ନିଃସଙ୍କୋଚରେ ମୋ ମୁହଁକୁ ଅନାଇ ରହିଥିଲା ।

 

ଏଇ ସଙ୍କୋଚହୀନ ଛୋଟ ପିତୁଳାର ଦୃଷ୍ଟି ଆଗରେ ମୋର ଅସ୍ତିତ୍ୱ ମିଳେଇ ଯିବାକୁ ଲାଗିଲା । ଏସବୁ ବୁଝିଛି ତା’ହେଲେ !

 

ମୋ ମୁଣ୍ଡ ଉପରକୁ ସେ ଯେତେବେଳେ ତା’ ଓଠ ଦୁଇଟିକୁ ନୁଆଁଇ ଆଣୁଥିଲା–ମୁଁ ପୁଣିଥରେ ଚର୍‌ର୍‌ ଚର୍‌ର୍‌ ମୂତି ପକାଇଲି ।

 

ନବରବି : ପୂଜାସଂଖ୍ୟା–୧୯୭୧

Image

 

ସେଇ ଶେଷପଦଟି

 

ବସ୍‍ଷ୍ଟାଣ୍ଡ, ସିନେମା ବା ସମୁଦ୍ରକୂଳରେ ଜଣେ ଅଚିହ୍ନା ସ୍ତ୍ରୀଲୋକକୁ ଏକାକୀ ବୋଲି ଭାବି ଦେବା ଓ ସେ ସମ୍ପର୍କରେ ତଦାରଖ କରିବା ଜଣେ କାମୁକ ଲୋକର ଆଚରଣ ହୋଇପାରେ-

 

କିନ୍ତୁ କାମନା ଏପରି ଭୀରୁ ପଦାର୍ଥ ଯେ, ତାହା ବସ୍‌ଷ୍ଟାଣ୍ଡ, ସିନେମା ବା ସମୁଦ୍ରକୂଳ ପରି ‘‘ନିର୍ଜନ’’ ସ୍ଥାନ ବ୍ୟତୀତ ପୁଅ, ଝିଅ, ନାତିନାତୁଣୀ; ଏପରିକି ସ୍ୱାମୀ-ସ୍ତ୍ରୀର ଗହଗହ ସଂସାର ଭିତରେ କୁଆଡ଼େ ହଜିଯାଏ–ଗୋଟାଏ ପାଳଗଦାରେ ଛୁଞ୍ଚି ପରି । ତାକୁ ଉଦ୍ଧାର କରିବା ସେତେବେଳେ ଗୋଟିଏ ମାନବିକତାର କାର୍ଯ୍ୟ ହୋଇପଡ଼େ ।

 

‘‘ଆପଣ ଏକା ନା ସାଙ୍ଗରେ ଆପଣଙ୍କର.... ।’’

 

...ଉତ୍ତର ପାଇଁ ସମୟ ଅପେକ୍ଷା କରୁନଥିଲା ।

 

‘‘ଆମେ ହେଲୁ ଦୁଇ–ଆଉ କେତେଜଣ ଦରକାର ?’’

 

ମୁଁ ଟ୍ୟାକ୍‌ସି ଡ୍ରାଇଭରକୁ ବଡ଼ ପାଟିରେ ଡାକି ଜଣେଇ ଦେଲି ।

 

‘‘ଏଠାକାର ନିୟମ ଅନୁସାରେ ଗୋଟିଏ ଛଅସିଟ୍‌ର ଟ୍ୟାକ୍‌ସିରେ ଡ୍ରାଇଭରକୁ ଛାଡ଼ି ଆଠଜଣ ପ୍ୟାସେଞ୍ଜର ଯାନ୍ତି । କେମିତି ପଶିବେ ଏ ଭିଡ଼ରେ ? –ଠେଲାଠେଲି, ଖୁନ୍ଦାଖୁନ୍ଦିରେ ? ମୁଁ ଏଠାର ଲୋକଙ୍କୁ ଜାଣେ–ବଦମାସ୍‌, ପାଜି, ଠଗ, ସଇତାନ, ସବୁକିଛି । କିନ୍ତୁ ସାଙ୍ଗରେ କାହାକୁ ନ ଆଣି ଏମିତି ଏକା ବା ଆସିଲେ କାହିଁକି ? କୋଉଠିକି ଆସିଥିଲେ ? ଝିଅଘରକୁ–ନା ? ମୋ’ପରି ଗାଡ଼ି ଫେଲ୍‌ ହେଲେ–ଲାଷ୍ଟ ବସ୍‌ ? ମୁଁ କିନ୍ତୁ ଅନ୍ୟକାମରେ ଏଠିକି ଆସିଥିଲି । ଆପଣଙ୍କ ଝିଅଘର ଏଠି କେଉଁଠି–କହିଲେ ? ଜୋଇଁ କ’ଣ କରନ୍ତି ?’’

 

ସେ କିଏ ? କାହିଁକି ପଚାରୁଥିଲି ମୁଁ ସେମିତି ପ୍ରଶ୍ନ ତାଙ୍କୁ ? ତାଙ୍କର ଝିଅଜୋଇଁ ଏଠି ଥାଇପାରନ୍ତି–ନ ଥାଇ ବି ପାରନ୍ତି ! ହଠାତ୍‌ ତାଙ୍କ ଚେହେରା ସହିତ ତାଙ୍କ ଝିଅଜୋଇଁଙ୍କ ସମ୍ଭାବନା ମୋ ମନକୁ ଆସିଲା କେମିତି ? କିନ୍ତୁ ପ୍ରକୃତରେ ସେ ସେତିକି ବୟସ୍କ ଦିଶୁ ନ ଥିଲେ । ହୁଏତ ବୟସ ଆହୁରି କମ୍‌ ହୋଇଥାଇପାରେ ବି ! ତଥାପି ମୁଁ ତାଙ୍କର ଏହି କମିଲା ବୟସ ଦୃଷ୍ଟିରୁ ଯେ ଆକୃଷ୍ଟ ହୋଇପଡ଼ିଥିଲି, ତା’ ବି କୁହାଯାଇନପାରେ । ତେବେ କ’ଣ ମତେ ଟାଣୁଥିଲା ତାଙ୍କ ଆଡ଼କୁ-?

 

‘‘ଓଃ ! ମତେ ଯେକୌଣସି ପ୍ରକାରେ ଆଜି ରାତିରେ ଘରେ ପହଞ୍ଚିବାକୁ ପଡ଼ିବ । ଘରେ ମୋର ଯୁବତୀ ସ୍ତ୍ରୀ । ଏକା । ତା’ଛଡ଼ା ଘରଟା ଗୋଟାଏ ଛେଚଡ଼୍‍ ଜାଗାରେ–ସହରର ଗୁଣ୍ଡାଶ୍ରେଣୀର ଲୋକ ଭର୍ତ୍ତି ହୋଇଚନ୍ତି ସେଠି । ମୋର ତ ବେଶି ଡର ଆଜିକାଲିର ପିଲାଙ୍କୁ ! ମୋ ଘରକୁ ଲାଗି ଗୋଟାଏ ମେସ୍‌ !...’’

 

‘‘ଏ କୁଲି !’’

 

ପାଖରେ ଚାଲିଯାଉଥିବା ଜଣେ କୁଲିକୁ ମୁଁ ହଠାତ୍‌ ବୁଲିପଡ଼ି ଡାକିଲି ।

 

କୁଲି ଆସିଗଲା ।

 

ମୋ ସହିତ ମୋ ନିଜର କିଛି ଭାରି ଜିନିଷ ନ ଥିଲା ।

 

ତେବେ କୁଲିକୁ ଡାକିଲି କାହିଁକି ?

 

‘‘ଆଚ୍ଛା...ଏ ମା’ଙ୍କର ଏତକ ସାମାନ୍‌ ଧର୍ ତ–ଟ୍ୟାକ୍‌ସିକୁ !’’

 

ମୁଁ ତାଙ୍କୁ ମୋ ନିଜ ମା’ବୋଲି ମନେକରୁନଥିଲି ସେତେବେଳକୁ । କୁଲି ଉଦ୍ଦେଶ୍ୟରେ ମୁଁ ତାଙ୍କୁ ପ୍ରୟୋଗ କରିଥିଲି କେବଳ ।

 

‘‘ନା, ନା–କୁଲି କଅଣ ହବ–ଏଇ ଛୋଟ ଛୋଟ ଜିନିଷ କେଇଟା ମୁଁ ନେଇଯିବି ଯେ-!’’ ସେ ତାଙ୍କର ଜିନିଷଗୁଡ଼ିକୁ ଏକାଠି କରୁଥିଲେ ।

 

‘‘ତା’ହେଲେ ଦିଅନ୍ତୁ–ମତେ ଗୋଟାଏ’’ ମୁଁ ତାଙ୍କ ବୋଝ ଉଠେଇବାରେ ଅଯାଚିତଭାବେ ସାହାଯ୍ୟ କଲି।

 

କାହିଁକି କଲି ଏମିତି ?

 

ଆମ ଦୁଇଜଣଙ୍କ ବ୍ୟତୀତ ଟ୍ୟାକ୍‌ସି ପାଖରେ ସେତେବେଳକୁ ଅନ୍ୟ ପାସେଞ୍ଜର ଜମିଯାଇଥାନ୍ତି ।

 

‘‘ଜନାନା ଅଛନ୍ତି–ଫ୍ରଣ୍ଟ ସିଟ୍‌ଟା–’’ ଫ୍ରଣ୍ଟ ସିଟରେ ବସିପଡ଼ୁଥିବା ଦି’ଜଣଙ୍କୁ ମୁଁ ଉତାରି ଦେଲି ବାହାରକୁ ।

 

ଟ୍ୟାକ୍‌ସିର ଫ୍ରଣ୍ଟ୍‌ ସିଟ୍‌ କବାଟ ତାଙ୍କ ପାଇଁ ଖୋଲି ଧରିଲି ମୁଁ । ଡ୍ରାଇଭରକୁ ଛାଡ଼ି ସେ ସିଟରେ ଆଉ ଜଣେ ପାସେଞ୍ଜର ବସିଯାଇଥାଏ ପୂର୍ବରୁ । ଏଥିରେ ଡ୍ରାଇଭର ସମେତ ଚାରିଜଣ ଯିବେ । ସେ ବସିଗଲେ ମଧ୍ୟ ସେଠି ଆଉ ଜଣକୁ ଖୁନ୍ଦିବାକୁ ଚାହିଁବ ଡ୍ରାଇଭର–ଏହା ମତେ ଜଣା ।

 

‘‘ଭିତରକୁ ଯାଆନ୍ତୁ ।’’ ମୁଁ ତାଙ୍କ ପାଇଁ କବାଟ ସେମିତି ଖୋଲି ଧରିଥାଏ ।

 

ସେ ନଇଁପଡ଼ିଲେ ଓ ଟ୍ୟାକ୍‌ସିର ଆଗପଛ ଠେଲାପେଲା ହଉଥିବା ମଣିଷମାନଙ୍କ ଅଜାଣତରେ ସେମାନଙ୍କ ଉପରେ ଥରେ ଦୃଷ୍ଟି ପକେଇ ନେଇ ଦୂରଛଡ଼ା ହେଇ ମୋ ଆଡ଼କୁ ଚାହିଁଲେ ଟିକିଏ–

 

‘‘ଆପଣ ମୋ ପାଖରେ ବସିବେ ତ !’’ ସତେକି ପଚାରିଲେ ସେ ।

 

ମୋ’ଠୁଁ ଉତ୍ତରକୁ ଅପେକ୍ଷା ନ ରଖି ସେ ଯୋଡ଼ିଦେଲେ ପଦଟା–

 

‘‘କାହାରିକି ଏମାନଙ୍କୁ ଚିହ୍ନେନା ମୁଁ–ବହୁତଗୁଡ଼ାଏ ବାଟ–ତା’ଛଡ଼ା...’’ ତାଙ୍କ ଚାରିପଟର ମୁହଁ ସଞ୍ଜକୁ ଅନେଇ ସେ କଅଣ ସବୁ ଭାବିଲେ ।

 

ମୁଁ ଏତେବେଳେ ତାଙ୍କ ଆଖିକୁ ସିଧା ଚାହିଁଲି ।

 

ତାଙ୍କ ସହିତ ମୋର ଆଦୌ ପରିଚୟ ନ ଥିଲା ।

 

କିଏ ଏ ?

 

ସ୍ତ୍ରୀଲୋକଟାର ମତଲବ କ’ଣ ?

 

ମୁଁ ତଥାପି ଚିହ୍ନିପାରିଲି ନାହିଁ ।

 

ତାଙ୍କ ମୁହଁ ଉପରୁ ମୋ ଆଖି ଖସଡ଼ିଲା । ବୁଝିପାରିଲେ ସେ । ତାଙ୍କ ଛାତି ଉପର ଲୁଗା ସଜାଡ଼ି ଦେଲେ ସେ । ଆଖି ଅପେକ୍ଷା କଲା ନାହିଁ । ଖସଡ଼ିଗଲା ଅନ୍ୟଆଡ଼େ–ଗୋଟାଏ ମାଛି ପରି-ତଳ-ଉପର, ଆଗ-ପଛ, ଭିତର-ବାହର ।

 

ଯେକୌଣସି ପାରିବାରିକ ମାତୃସ୍ଥାନୀୟା ଦେହପରି ସେ ଦେହର ଗଠନ; କିନ୍ତୁ ମୋ ମନ ଭିତରେ ଭୁଟ୍‌କି ମାରି ଉଠିଲା ସେଇ ସନ୍ଦେହଟା–ପ୍ରଷ୍ଟିଚ୍ୟୁଟ୍‌ ?

 

ପ୍ରଷ୍ଟିଚ୍ୟୁଟ୍‌ ! –ମତେ ଖୁସିଲାଗିଲା, ସେ ଶବ୍ଦଟା ପାଇଯିବାରୁ ।

 

‘‘ଆଚ୍ଛା, ମୋ’ପାଇଁ ଜାଗାଟାଏ ରଖନ୍ତୁ ।’’

 

ତାଙ୍କର ଜିନିଷଗୁଡ଼ାକ ଗାଡ଼ି ବୁଟରେ ଲଦିଦେବା ପାଇଁ ମୁଁ ପଛକୁ ଚାଲିଗଲି ।

 

ଲଦାଲଦିରେ ଟିକିଏ ଅଯଥା ବେଳ ନେଲି ମୁଁ ।

 

ସେ ତଥାପି ଅପେକ୍ଷା କରିଥାନ୍ତି–ମୁଁ ବସି ସାଇଲେ ସେ ମୋ କଡ଼ପଟିଆ ହେଇ ବସିବେ ଓ କବାଟ ବନ୍ଦ କରିବେ ।

 

ମୁଁ ଫେରିଆସିଲି ।

 

ମତେ ଜାଗା ଦବାପାଇଁ ସେ ମୋ’ପାଇଁ କବାଟ ଖୋଲିଧରିଲେ ।

 

କିନ୍ତୁ ହଠାତ୍‌ ମୁଁ ଆଖିବୁଜି ଦେଲି ଓ ପଛ କବାଟ ଖୋଲିଦେଇ ଧଡ଼୍‌କରି ପଛସିଟରେ ଖୁନ୍ଦି ହୋଇଗଲି । ଏଥର ପଛସିଟ୍‌–ଭର୍ତ୍ତି । କେବଳ ଗୋଟିଏ ସିଟ୍‌ ଖୋଲାଥିଲା ଆଗରେ ।

 

ଡ୍ରାଇଭର ହର୍ଣ୍ଣ ଦେଲା ।

 

...ଜଣେ ପ୍ୟାସେଞ୍ଜର ସିଟ୍‌ ତଥାପି ଖାଲି ।

 

ପୁଣି ହର୍ଣ୍ଣଦେଲା ଡ୍ରାଇଭର...‘‘ବୈଠିୟେ ମାଇଜୀ ! ଆଦ୍‌ମୀ ମିଲ୍‌ଯାଏଗା ଅଭି ଅଭି !’’

 

ସେ ବସିପଡ଼ିଲେ ।

 

ତାଙ୍କ ପାଖ କବାଟ ତଥାପି ଖୋଲା ଥାଏ ।

 

ଜଣେ ଦଉଡ଼ି ଦଉଡ଼ି ଆସୁଥିଲା–ବସ୍‌ଷ୍ଟାଣ୍ଡଆଡ଼ୁ । ପାସେଞ୍ଜର ନିଶ୍ଚୟ । ମୁଁ ଆତିଙ୍କିତ ହୋଇପଡ଼ିଲି ହଠାତ୍‌ । କାହିଁକି ?

 

ଲୋକଟାର ଚେହେରା ନିକଟେଇ ଆସିଲା ।

 

ମୁଛ ଆଉ ମୋଟା ଭୁରୁ । ଡେଙ୍ଗା । ନିଦାଳିଆ ମୋଟା ।

 

ଡ୍ରାଇଭର ଲମ୍ବା ହର୍ଣ୍ଣ ମାରିଲା ।

 

ମୁଁ କଡ଼ ଲେଉଟେଇଲି ।

 

ଉଠିଲି ନାହିଁ ।

 

ମୁଛବାଲା ଡେଙ୍ଗା ନିଦାଳିଆ ମୋଟା ଲୋକଟା ସାମନା ସିଟ୍‌ର ଦରଖୋଲା କବାଟ ପୂରା ଖୋଲିଦେଲା । ନଇଁ ପଡ଼ିଲା । ନିଆଁ ଛୁଇଁଲା ଭଳି ପେଲି ହେଇ ପଛେଇ ଆସିଲା । ସାମ୍ନା ସିଟ୍‌ର ଭଦ୍ରମହିଳାଙ୍କ ସହିତ ଗୁଞ୍ଜିଗାଞ୍ଜି ହେଇ ବସିବାର ସୁଯୋଗ ହୁଏତ ଏକା ତା’ର ହିଁ ଥିଲା । କିନ୍ତୁ କାହିଁକି ଏମିତି ଚମକିଲା ସେ ? ଡାକିଲା–

 

‘‘ସାମନେକା ଜନାନା କିସକେ ସାତ୍‌ ହୈ ଭାଇ ?’’

 

ସମସ୍ତେ ନିରୁତ୍ତର ।

 

ନିର୍ଜନ ।

 

କେବଳ ଡ୍ରାଇଭରର ଆଖି ମୋ ଉପରେ ଥରେ ପଡ଼ିଥିଲା ସେଇ ନିର୍ଜନ ବେଳାରେ । ହୁଏତ ସେ ମନେରଖିଥିଲା ମୋ ପ୍ରଥମ ଡାକକୁ–

 

‘‘ଆମେ ହେଲୁ ଦୁଇ.... !’’

 

ମୁଁ ଚୋର ପରି ବାହାରି ଆସିଲି ପଛ ସିଟ୍‌ରୁ ।

 

ମତେ ଜାଗା ଦେବା ପାଇଁ ସେ ପୁଣିଥରେ ବାହାରକୁ ଆସିଲେ । ମୁଁ ବସିଗଲି । ମୋ ପଛ ସିଟରେ ମୁଛବାଲା ମୋଟା ଲୋକଟି ସାନ୍ଧି ଦେଲା ଅନ୍ୟମାନଙ୍କୁ । ଗଁ ଗଁ ହେଲେ ଟିକିଏ ସମସ୍ତେ ।

 

ଏଣେ ସାମନା ସିଟରେ ସେ ବସିଗଲେ ମୋ କଡ଼ରେ । ମୁଁ ଚିପି ହେଇଗଲି ଟିକିଏ । ମାତ୍ର, ତାଙ୍କ ଉପରେ ଢଳି ନ ପଡ଼ି ମୁଁ ଆମ ସିଟ୍‌ର କବାଟକୁ ଭିଡ଼ିଦେଲି ଆମଆଡ଼କୁ । କବାଟ ପଡ଼ିବାମାତ୍ରେ ତାଙ୍କ ଦେହ ଓ ମୋ ଦେହ ଗୋଟାଏ ଯାଆଁଳା ଫଳପରି ଲାଗିଗଲା ।

 

ମୋ ଦେହରୁ ନିଆଁ ବାହାରିଗଲା ।

 

‘‘ପ୍ରଷ୍ଟିଚ୍ୟୁଟ ?’’ ମୁଁ ତଥାପି ଭାବୁଥିଲି ସେଇ ନିଆଁର ଘେର ଭିତର । ମତେ ଭଲ ଲାଗୁଥିଲା ।

 

କିନ୍ତୁ ହଠାତ୍‌ ମୋ ମୁହଁ ତାଙ୍କ ମୁହଁକୁ ଚାହିଁ ଏକ ସମ୍ପୂର୍ଣ୍ଣ ବିପରୀତ ଶବ୍ଦ ଉଚ୍ଚାରଣ କଲା–

 

‘‘ଆପଣଙ୍କ ଠେଇଁ ମୋର ଜଣେ ବନ୍ଧୁର ମା’ଙ୍କ ଚେହେରାର ବହୁତ ସାମଞ୍ଜସ୍ୟ ।’’

 

ବନ୍ଧୁର ମା’ ? ମିଛ ! ମୁଁ ତାଙ୍କୁ ବୋଧହୁଏ ମିଛ କହିଲି ।

 

କିନ୍ତୁ କାହିଁକି କହିଲି ସେମିତି ?

 

ଅବଶ୍ୟ ତଦ୍ଦ୍ୱାରା ମୋର ଗୋଟାଏ ଉପକାର ହେଲା ।

 

ମୋ ଦିହର ଯତ୍‌କିଞ୍ଚିତ୍‌ ନିଆଁ ଲିଭିଗଲା ଧଡ଼୍‌କରି ।

 

ମୁହୂର୍ତ୍ତକ ପାଇଁ ସବୁ ଥଣ୍ଡା ପଡ଼ିଗଲା ।

 

ମୁଁ ଆଶ୍ୱସ୍ତ ହେଲି ।

 

କିନ୍ତୁ ତାଙ୍କର କଅଣ ହେଲା ? ତାଙ୍କ ଦେହରେ ସଞ୍ଚରିଥିବା ନିଆଁ ଲିଭିଲା କି ନ ଲିଭିଲା-?

 

ମୁଁ ଜାଣେନା ।

 

ଟ୍ୟାକ୍‌ସି ସେତେବେଳକୁ ସହରର ଆଲୋକିତ ରାସ୍ତା ଛାଡ଼ିଦେଇ ଅନ୍ଧାରକୁ ପଶିଲା । କେବଳ ପବନରେ ଭାସିବୁଲୁଥିବା କେତେକ ଧୂଳିକଣା ଉପରେ ହେଡ଼୍‌ଲାଇଟ୍‌ର ଧକ୍‌କାରୁ ଯେତିକି ଆଲୁଅ ଟ୍ୟାକ୍‌ସି ଭିତରର ପୁରୁଷମୟ ଜଗତଟିକୁ ଆଲୋକିତ କରୁଥିଲା, ସେଇ ଆଲୋକରେ ମୁଁ ତାଙ୍କ ମୁହଁକୁ ଆଉଥରେ ଚାହିଁବା ଉଚିତ ମନେକଲି ନାହିଁ । କିନ୍ତୁ ଅନ୍ଧାର ଓ ଜଣେ ନାରୀର ସାନ୍ନିଧ୍ୟ–ମୋ ମନ, ମୋ ଇଚ୍ଛାର ବଶବର୍ତ୍ତୀ ହୁଏ ନାହିଁ–କେତେକ ପରିସ୍ଥିତିରେ ।

 

ମୁଁ କଣେଇ କଣେଇ ଚାହିଁଲି ମୋ ବାଁ ପଟକୁ । ବନ୍ଧୁର ମା’ ! ମୁଁ ମନେ ମନେ ଦୋହରୋଉଥିଲି ସେଇ ମନ୍ତ୍ରକୁ ।

 

କିନ୍ତୁ ମନ୍ତ୍ର ମଧ୍ୟ ମନୁଷ୍ୟକୃତ, ମିଥ୍ୟା, ମନଗଢ଼ା ।

 

ହଠାତ୍‌ ମୋ ଭିତରେ ପୁଣିଥରେ କୁହୁଳି ଉଠିଲା–ନିଆଁ ।

 

ପ୍ରଷ୍ଟିଚ୍ୟୁଟ୍‌ ? –ମୁଁ ପୁଣିଥରେ ସନ୍ଦେହରେ ଆଉଟୁ ପାଉଟୁ ହେଇଗଲି ।

 

‘‘ଆପଣ ତା’ହେଲେ ଆପଣଙ୍କ ଝିଅଘରକୁ ଆସିଥିଲେ ନା ?’’

 

ପ୍ରଷ୍ଟିଚ୍ୟୁଟ୍‌, ଆଉ ଝିଅଘର–ୟାର ସମ୍ବନ୍ଧ କ’ଣ ? କାହିଁକି ବାରମ୍ବାର ମୋ ମନକୁ ଏଇ ପ୍ରଶ୍ନଟି ଆସୁଥିଲା–ତାଙ୍କୁ ପଚାରିବାପାଇଁ ?

 

‘‘ଆପଣଙ୍କ ପୁଅଝିଅ–ସନ୍ତାନସନ୍ତତି କଅଣ ? ପୁଅ କ’ଣ କରନ୍ତି ?’’ ମୁଁ ଟ୍ୟାକ୍‌ସି ଭିତରର ମୁହଁ ଅନ୍ଧାରରେ ଲୁଚିଲୁଚି ତାଙ୍କ ଉତ୍ତରକୁ ଅପେକ୍ଷା କରୁଥାଏ ।

 

ସେ ମୋ ପ୍ରଶ୍ନର ମୌଖିକ ଉତ୍ତର ଦେଉଥାନ୍ତି ।

 

କିନ୍ତୁ ସେଇ କଥୋପକଥନ ଭିତରେ ହଠାତ୍‌ ମୁଁ ତାଙ୍କଠାରୁ ଯେଉଁ ଅନ୍ୟ ଉତ୍ତରଟିକୁ ଏତେବେଳ ଧରି ଅପେକ୍ଷା କରୁଥିଲି–ଗୋଟିଏ ଛୋଟ ଚଢ଼େଇ ପରି ତାହା କେଉଁଠୁ ଉଡ଼ିଆସିଲା ଓ ମୋ କୋଳ ଉପରେ ଓହ୍ଲେଇ ପଡ଼ିଲା ।

 

ତାଙ୍କ ଡାହାଣ ହାତର ଛୋଟ ପାପୁଲି ସେଇଟି–ଯୋଉଟାକୁ ମୁଁ ହଠାତ୍‌ ଗ୍ରହଣ କରିପାରିଲି ନାହିଁ ।

 

ବାଜେ...ଇତର...ପ୍ରଷ୍ଟିଚ୍ୟୁଟ୍‌ ! ମୋର ସନ୍ଦେହ ଦ୍ୱିଗୁଣିତ ହୋଇଗଲା ମୁହୂର୍ତ୍ତକ ମଧ୍ୟରେ-

 

କିନ୍ତୁ ତଦ୍ଦ୍ୱାରା ମୁଁ ତାଙ୍କ ହାତକୁ ମୋ କୋଳ ଉପରୁ ଫୋପାଡ଼ି ମଧ୍ୟ ଦେଲି ନାହିଁ ।

 

ବରଂ ସେଇ ପ୍ରାୟାନ୍ଧକାରର ସୁଯୋଗ ନେଇ ମୁଁ ତାଙ୍କର ପାପୁଲି ମିଶା ହାତକୁ ମୋ ମୁଠା ଭିତରେ ଚିପି ଧରିଲି । ବେଶ୍‌ ଛୋଟ ନରମ ହାତଟିଏ ସେଇଟି !

 

ମୁଁ ବୋଧହୁଏ ବହୁତ ଟିକିଏ ବେଳଧରି ରଖିଲି ତାଙ୍କ ହାତକୁ ।

 

ସାମନାପଟୁ ଗୋଟାଏ ଟ୍ରକ୍‌ର ଆଲୁଅ ଆମ ଉପରେ ପଡ଼ିଲା । ମୁଁ ଛାଡ଼ିଦେଲି ସେ ହାତକୁ । କିନ୍ତୁ ସେ ତାଙ୍କ ହାତ ଫେରେଇ ନେବାରେ ଟିକିଏ ଡେରି ହେଇଗଲା । ଅସ୍ଥିର ହୋଇ ମୁଁ ପ୍ରାୟ ଛିଞ୍ଚାଡ଼ି ଦେଲି ତାଙ୍କ ହାତକୁ...ମୋ କୋଳ ଉପରୁ...କଅଣ ଗୋଟାଏ ବାଜେ ଜିନିଷ ଭଳି ।

 

ମୋ ଏ ପଟେ ବସିଥିବା ପୁରୁଷ ଯାତ୍ରୀଟି ଡ୍ରାଇଭର ସହିତ କଥାବାର୍ତ୍ତା ଚଳେଇଥିଲା । ହଠାତ୍‌ ବନ୍ଦ ହେଇଗଲା, ସେ ମଧ୍ୟ ଟିକିଏ ।

 

ବୋଧହୁଏ ସେ ଲକ୍ଷ୍ୟ କରିଥିଲା, ଆମ ସମ୍ପର୍କକୁ ।

 

କିନ୍ତୁ କଅଣ ? କାହିଁକି ? କିବା ସମ୍ପର୍କ ଏଥିରେ ? ସେ ତ ମୋ ମା’ପରି–ମୋର ସାହସ ସେଇ ପଦକରେ ଫେରିଆସିଲା ବହୁତ ।

 

ଆର ଲୋକଟିର ହସର ପ୍ରତିକ୍ରିୟା ମତେ ହଠାତ୍‌ ଉତ୍ତେଜିତ କଲା ଅନ୍ୟପ୍ରକାର ।

 

ମୋର ସାହସ ଦ୍ୱିଗୁଣିତ ହୋଇଗଲା ।

 

ସାମନାରୁ ଟ୍ରକ୍‌ର ଉଜ୍ଜ୍ୱଳ ଆଲୁଅ ଆମ ସମସ୍ତଙ୍କ ମୁହଁକୁ ପ୍ରଜ୍ଜ୍ୱଳିତ କରି ରଖିଥାଏ । ଆର ଲୋକଟିର ମୁହଁର ହସ ଏ ଯାକେ ନିଭି ନ ଥାଏ ।

 

ହଠାତ୍‌ ଏକ ଅଜ୍ଞାତ ବୀରତ୍ୱ ମତେ ଉଷ୍ଣ ଓ କଠୋର କରିଦେଲା । ମୁଁ ତଥାପି ଥରୁଥିଲି ମୋ ନିଭୃତରେ । ମୁଁ ସର୍ବସମକ୍ଷରେ ଏଥର ମୋ ହାତକୁ ଲମ୍ବେଇ ଦେଲି ଓ ମୁହୂର୍ତ୍ତକ ପୂର୍ବରୁ ଯୋଉ ହାତକୁ ଛିଞ୍ଚାଡ଼ି ଫୋପାଡ଼ି ଦେଇଥିଲି, ତାକୁ ପୁଣି ଗୋଟେଇ ଆଣି ଧରିନେଲି । ମୋ କର୍କଶ ହାତ ଅବଶ୍ୟ ପୂର୍ବପରି କର୍କଶ ଜଣାଯାଉନଥିଲା ମତେ–ମୋ ନିଜକୁ ।

 

କିନ୍ତୁ ମୋର ଥରା ଏଥର ବଢ଼ିଗଲା । ବାହାରକୁ ଦିଶିଲା ମଧ୍ୟ ।

 

ଏତେଗୁଡ଼ାଏ ଅଧିକାର–ଜଣେ ଅଜଣା ସ୍ତ୍ରୀଲୋକ ଉପରେ ମତେ ଏ ଅଧିକାର ଦେଲା କିଏ ? କୋଉଠୁ ପାଇଲି ?

 

ଏଇ ହାତଟିକୁ ଗୋଟିଏ ପ୍ରଷ୍ଟିଚ୍ୟୁଟ୍‌ର ହାତ ବୋଲି ମୁହୂର୍ତ୍ତକ ତଳେ ମୁଇଁ ଭାବିଥିଲି । ପୁଣି ଏଇ ହାତକୁ... !

 

ଡ୍ରାଇଭର ଓ ମୋ ମଝିରେ ବସି ପୁଣି ସ୍ୱାଭାବିକ କଥାବାର୍ତ୍ତା ଚଳେଇଥିବା ଲୋକଟିକୁ ମୁଁ କଣେଇ ଚାହିଁଲି ।

 

ଆଶ୍ଚର୍ଯ୍ୟ ହେଲି–ସେ ହୁଏତ ଆଦୌ ଲକ୍ଷ୍ୟ କରିନାହିଁ ଆମର ସମ୍ପର୍କକୁ–ଉଭୟ ଅନ୍ଧାରରେ ବା ଆଲୋକରେ ।

 

ଆସ୍ତେ ଆସ୍ତେ ମୋର ସମସ୍ତ ଅସ୍ତିତ୍ୱରେ ବୀରତ୍ୱ ପରିବର୍ତ୍ତେ ଭୀରୁତାର ଅଗ୍ନି ପୁଣି ସଞ୍ଚରି ଯାଉଥିଲା । କିନ୍ତୁ ମୋର ଭୟଙ୍କର ଆତ୍ମଭର୍ତ୍ସନାରେ ଦବିଗଲା ସେଇଟା ।

 

ମୁଁ ଗୋଟାଏ ମାନସିକ ରୋଗୀ କି ? ମୁଁ ବଡ଼ ପାଟି କଲି ଭିତରେ ଭିତରେ ।

 

ମୋର ଭୟଙ୍କର ଆତ୍ମଭର୍ତ୍ସନା ମୋର ବାସନାକୁ ଶୀତଳ କଲା କିମ୍ବା ନ କଲା, ସେଥିରେ କିଛି ଯାଏ ଆସେ ନା । ମୁଁ ମାନସିକ ରୋଗୀ କି ନା, ସେଥିରେ ମଧ୍ୟ କିଛି ଯାଏ ଆସେ ନା କାହାରି । କିନ୍ତୁ ମୁଁ ସବୁଠୁଁ ବେଶି ଆଶ୍ଚର୍ଯ୍ୟ ହେଇଗଲି ଯେ, ମୋ ଆତ୍ମଭର୍ତ୍ସନାର କୌଣସି ପ୍ରଭାବ ସେତେବେଳେ ମୋ ନିଜ ହାତ ଉପରେ ପଡ଼ିଲା ନାହିଁ ।

 

ତାଙ୍କ ହାତକୁ ବହୁତ ସମୟ ସେମିତି ଧରିଥିବାରୁ ବା କୌଣସି ଅନ୍ୟକାରଣରୁ ସେ ଆସ୍ତେ ଆସ୍ତେ ମୋ ଉପରକୁ ଢଳି ପଡ଼ୁଥିଲେ ।

 

ଶେଷରେ ସେ ତାଙ୍କ ଶରୀରର ସମସ୍ତ ବୋଝ ମୋ ଉପରେ ଲଦି ଦେଲେ । ପ୍ରାୟ ମୂର୍ଚ୍ଛିତ ଅବସ୍ଥାରେ ମୋ ଉପରେ ଆଉଜି ପଡ଼ିଲେ ସେ ।

 

ସମୁଦାୟ ଯାତ୍ରାର ବାକିତକ ଅଂଶ ମୁଁ ତାଙ୍କର କେବଳ ହାତ ନୁହେଁ, ସମଗ୍ର ଶରୀର ଓ ସତ୍ତାକୁ ବହନ କରିଥିଲି...ଏକ ଅପୂର୍ବ ସୋହାଗରେ ।

 

‘‘ଏସବୁ କାହିଁକି ଏମିତି ହେଲା ?’’ ସେଦିନ ରାତିରେ ସବୁକଥା କହିସାରି ମୁଁ ମୋ ସ୍ତ୍ରୀର ଶେଷ ମତାମତ ଖୋଜୁଥିଲି–ସେଇ ଘଟଣା ଉପରେ ।

 

‘‘ତୁମେ ତାଙ୍କୁ କୋଉଠି ଛାଡ଼ିଲ ? ଟେକ୍‌ସି ଷ୍ଟାଣ୍ଡରେ, ନା ଘରେ ?’’ ମୋ ସ୍ତ୍ରୀ ଓଲଟି ପଚାରିଲେ ମତେ ।

 

‘‘ଘରେ ।’’

 

‘‘ତାଙ୍କ ନିଜ ଘରେ ?’’

 

‘‘ମୁଁ ଜାଣେନା–କିନ୍ତୁ ସେ ଘରେ ତ ଲୋକେ ଚଳପ୍ରଚଳ ହଉଥିଲେ ! କେହି ଜଣେ ଦିଶୁଥିଲା ପୁଅପରି...କେହି ଜଣେ ସ୍ୱାମୀ ପରି...’’

 

‘‘ଆଃ, ଦିଶୁଥାଇ ପାରନ୍ତି–କିନ୍ତୁ ଦେଖିଲ କଅଣ ସେଠି ?’’ ସ୍ତ୍ରୀଙ୍କର ସ୍ୱର ବିମର୍ଷ ହୋଇ ଭାଙ୍ଗିପଡ଼ିଲା ।

 

‘‘କଅଣ ଦେଖିଥାନ୍ତି ?’’ ଆଶ୍ଚର୍ଯ୍ୟ ହେଲି ମୁଁ ତାଙ୍କର ସେଇ ସ୍ୱରର ବିମର୍ଷତାରେ ।

 

‘‘ଯେଉଁ ପଦଟା ସଭା ଶେଷରେ, ଅଜାଣତରେ କହି ପକେଇଲ ତୁମେ–ସୋହାଗ ! ସେ ଘରେ ସୋହାଗ ଅଛି ? ଦେଖିଲ ?’’

 

 

ହଠାତ୍‌ ମୁହଁ ଲୁଚେଇବା ପାଇଁ ଦରକାର ପଡ଼ିଗଲା ତାଙ୍କର । ଝଟ୍‌ କରି ଉଠିଗଲେ ସେ ଝରକା ପାଖକୁ । ବାହାରେ, ତାଙ୍କ ଆଖି ସାମ୍ନାରେ ରାତିର ଅନ୍ଧାର ଜମିଥାଏ । ଘର ଭିତରେ, ତାଙ୍କ ପଛପଟେ, ଯୋଉ ଆଲୁଅଟା ଘର ଭିତରେ ଜଳୁଥିଲା, ସେଇଟା ସେମିତି ଜଳୁଥାଏ ।

 

କିଛି ସମୟ ଅନ୍ଧାରଆଡ଼କୁ ମୁହେଁଇ ଠିଆ ହେଇ ସେ ପୁଣି ବୁଲିପଡ଼ିଲେ ପଛକୁ । ତାଙ୍କ ମୁହଁରେ ଭୟ ଲେସି ହେଇଯାଇଥାଏ ।

 

‘‘ମତେ ଡର ମାଡ଼ୁଚି–ମୋର କଅଣ ମନେହେଉଚି ଜାଣ ?’’

 

ତା’ପରେ ହଠାତ୍‌ ତାଙ୍କ ସ୍ୱରର ରୂପ ବଦଳିଗଲା । ସେ ସ୍ୱର ବିମର୍ଷ ବା ଭୟାର୍ତ୍ତ ଲୋକର ସ୍ୱର ନୁହେଁ । ସେହି ସ୍ୱରରେ କହିବାକୁ ଲାଗିଲେ ସେ–

 

‘‘ଯେତେବେଳେ ଏମିତି ଦିନ ଆସିବ ଏଇ ଘରକୁ–ଯେତେବେଳେ ମୋ ପିଲାମାନେ, ଆଉ ତାଙ୍କ ସାଙ୍ଗରେ ମିଶି ତୁମେ ବି ଖାଲି ମା’ ମା’ ହଉଥିବ; କିନ୍ତୁ ମୋ’ପ୍ରତି କାହାରି ହୃଦୟରେ କାଣିଚାଏ ହେଲେ ସୋହାଗ ନ ଥିବ, ସେତେବେଳେ ସେଇ ମା’ ପଦର ବୋଝ ବୋହି ଏ ଘରେ ମୁଁ କେମିତି ବଞ୍ଚିବି–କେମିତି ବଞ୍ଚିବି !’’

Image

 

ତୁମେ ଓ ମୁଁ

 

ଏ ବସ୍‌ଷ୍ଟାଣ୍ଡ ସେଇ ବସ୍‌ଷ୍ଟାଣ୍ଡ–ଯୋଉଠି ଆମେ ସେଦିନ ଜଣେ ମିଠେଇ ବିକାଳିକୁ ଛେଚିଥିଲେ । ଅବଶ୍ୟ ଆମେ ତାକୁ ଛେଚିବା ଉଦ୍ଦେଶ୍ୟ ନେଇ ବସ୍‌ଷ୍ଟାଣ୍ଡକୁ ଯାଇନଥିଲେ; ବରଂ ସବୁ ସନ୍ଧ୍ୟାରେ ବସ୍‌ଷ୍ଟାଣ୍ଡକୁ ଯିବାପାଇଁ ତୁମ ଘରେ ପହଞ୍ଚିଲେ ତୁମେ ମତେ ଚା’ ଦିଅ; କିନ୍ତୁ ସେଦିନ ତୁମେ କହିଲ–ଚିନି ମିଳୁନାଇଁ । ତା’ପରେ ଆମେ ଛୋଟ ଛୋଟ ଦୋକାନୀମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇଉଠିଲେ । ଆଉ ତୁମର ମନେଥାଇପାରେ, ବିଶେଷକରି, ଆମେ କଥାବାର୍ତ୍ତା ହେଉଥିଲେ ସେଇ ମିଠେଇ ଦୋକାନୀଟା କଥା । ଜାଣେନା କାହିଁକି ତୁମେ ଉଠେଇଲ ତା’ ନାଁ ଆଉ କହିଲ–ମନେକର ଚିନିର ଏ ଅବସ୍ଥା ଲାଗିରହିବ କିଛିଦିନ, ସେଇ ଲୋକଟିର ଅବସ୍ଥା କଅଣ ହେବ ? ତା’ ପିଲାମାନେ ଭୋକରେ ମରିବେ କି ନା ? ମୁଁ କଅଣ ଉତ୍ତର ଦେଲି ଜାଣେନା; କିନ୍ତୁ ତୁମ ଘରେ ଚା’ ଟିକିଏ ସେଦିନ ନ ପାଇ ମୋର ତୁମପ୍ରତି ସାମାନ୍ୟ ବିରକ୍ତି ଆଉ ସନ୍ଦେହ ବି ଆସୁଥିଲା । ମୁଁ ବରାବର ଲକ୍ଷ୍ୟ କରୁଥିଲି, ତୁମ ଘରେ ଅଇଁଠା କପ୍‌ ଆଉ ପ୍ଲେଟ୍‌ ସବୁ ପଡ଼ିଥିଲା କି ନା ! ପାଇ ନ ଥିଲି ଅବଶ୍ୟ; କିନ୍ତୁ ତୁମ ଘରେ ଯେ ପ୍ରକୃତରେ ଚିନି ନ ଥିଲା, ସେ ବିଶ୍ୱାସ ମୋର ନ ଥିଲା । ବୋଧହୁଏ ତୁମେ ମୋର ଆଖିର ଅନୁସନ୍ଧିତ୍ସାକୁ ପଢ଼ିନେଲ, ତେଣୁ ନିର୍ଦ୍ଧାରିତ ସମୟର ବହୁତ ପୂର୍ବରୁ କହିଲ–ଚାଲ, ବସ୍‌ଷ୍ଟାଣ୍ଡକୁ ଯିବା, ଡେରି ହୋଇଗଲାଣି ।

 

ଆମେ ଘରୁ ବାହାରିଯିବାକ୍ଷଣି ରାସ୍ତାର ପ୍ରଥମ ଛକରେ ଯେଉଁ ଶାଢ଼ିପିନ୍ଧା ଆମେରିକୀୟ ତରୁଣୀଟିକୁ ଦେଖିଲେ, ମୋର ସ୍ପଷ୍ଟ ମନେପଡ଼ୁଚି, ତୁମେଇ ତାକୁ ପ୍ରଥମେ ମତେ ଦେଖେଇ ଦେଲ । ତା’ପରେ ତୁମେ ମୋ କାନରେ ତା’ ବିଷୟରେ ଗୋଟାଏ ଖରାପ କଥା କହିଲ-। ମୁଁ ତୁମ ଘେନି ସାମାନ୍ୟ ଲଜ୍ଜିତ ହେଲି; କାରଣ ମୋର ମନେହେଲା, ସେ ଯେମିତି ଆମର କଥାବାର୍ତ୍ତାକୁ ଏତେଦୂରରେ ଥାଇ ମଧ୍ୟ ବୁଝିନେଲା । ମୁଁ ଜାଣେ, ସ୍ତ୍ରୀଲୋକମାନେ ଏସବୁ ବ୍ୟାପାରରେ ଭଗବାନଙ୍କ ପରି ସର୍ବମୟୀ; କିନ୍ତୁ ତୁମେ ମୋ ସହିତ ଏକମତ ହେଲ ନାଇ । ନିଜ ପିଲାଦିନର ଗୋଟିଏ ଅନୁଭୂତି ବର୍ଣ୍ଣନା କରି ସ୍ତ୍ରୀଲୋକଙ୍କର ଅଜ୍ଞତା ପକ୍ଷରେ ଯୁକ୍ତି କରି ତୁମେ କହିଲ–ସ୍ତ୍ରୀଲୋକମାନେ ମାୟାବୀ ନୁହଁନ୍ତି; କେବଳ ମାୟା । ତା’ପରେ କହିଲ କିପରି ତୁମ ପିଲାଦିନେ ସନ୍ଧ୍ୟା ଆଉ ସକାଳେ ନଈଘାଟରେ ତୁମେ ଜଗି ବସୁଥିଲ । ତୁମର ବୟସ ସେତେବେଳେ ପାଞ୍ଚ; କିନ୍ତୁ ଆଶ୍ଚର୍ଯ୍ୟଭାବେ ତୁମର ବୁଦ୍ଧି ପରିପକ୍ୱ ହୋଇସାରିଥିଲା । ବୟସ୍କା ସ୍ତ୍ରୀଲୋକମାନଙ୍କର ଉଲ୍ଲଗ୍ନତା ଜିଜ୍ଞାସା ପ୍ରଖର ହୋଇଥିଲା ସେ ବୟସରୁ ତୁମ ଭିତରେ । ନଈଘାଟ ପାଖରେ ଛୋଟପିଲାଙ୍କ ପରି ତୁମେ ବାଲିରେ ଖେଳ । ପ୍ରକୃତରେ କିନ୍ତୁ ଖେଳୁ ନ ଥାଅ । ଆଖି ଖୋଲି ସବୁ ଦେଖୁଥାଅ, ଆଉ କାନରେ ସବୁ ଶୁଣୁଥାଅ–ସେମାନଙ୍କର ଗୁପ୍ତ ଆଉ ଗୋପ୍ୟ ସବୁକିଛିକୁ । ତୁମର ଉପସ୍ଥିତିକୁ ସେମାନେ ଆଦୌ ସନ୍ଦେହ କରନ୍ତି ନାଇଁ । କାରଣ ତୁମ ମତରେ ସେମାନେ ନିଜେ ମାୟା । ବିଶେଷକରି ଯେଉଁଠାରେ ଶିଶୁତ୍ୱ ଥାଏ, ସେଠି ସେମାନେ କେବଳ ଅନ୍ଧ ନୁହନ୍ତି–ଅନ୍ଧକାର ।

 

ମୁଁ ଯୁକ୍ତି କରିଥିଲି ତୁମ ସାଙ୍ଗେ ଅନ୍ୟପ୍ରକାରେ । କହିଥିଲି–କିନ୍ତୁ ମୁଁ ଯେତେବେଳେ ଶିଶୁ ହେଇଥିଲି, ମତେ ଜଣେ ବୟସ୍କା ଭଦ୍ରମହିଳା ଖରାପ କାର୍ଯ୍ୟରେ ପ୍ରୟୋଗ କରିଥିଲେ । ତୁମେ ଉତ୍ତର ଦେଇଥିଲ–ଏ କ୍ଷେତ୍ରରେ ନାରୀ ହେଇଛି ମୁଁ, ସେ ଭଦ୍ରମହିଳା ପୁରୁଷ ! ତୁମ ଉତ୍ତରରେ ମୁଁ ଉତ୍ତ୍ୟକ୍ତ ହୋଇଉଠିଥିଲି; କିନ୍ତୁ ତୁମେ କଥାଟାକୁ ବାଁରେଇ ଦେଲ । ବାଁରେଇ ଦବା ତୁମର ସ୍ୱଭାବ । ଆଉ ଏଥିପାଇଁ ତୁମ ସହିତ ମୋର ବନ୍ଧୁତା, ଶତ୍ରୁତାକୁ ଟପିପଡ଼େ ।

 

ସେଦିନ ସନ୍ଧ୍ୟାରେ ଅନ୍ୟପ୍ରସଙ୍ଗ ହେଲା ସେଇ କୃଷ୍ଣଚୂଡ଼ା ଗଛଟା । ବସ୍‌ଷ୍ଟାଣ୍ଡଠୁଁ ଟିକିଏ ଦୂର ଏଇ ଛକ । ରାସ୍ତାକଡ଼ରେ କୃଷ୍ଣଚୂଡ଼ା ଗଛରେ ଫୁଲ ଖୁନ୍ଦି ହୋଇଥାଏ । ତୁମେ, ଯେ କି ଫୁଲପ୍ରିୟ, ବିଶେଷ କରି ଏଇପରି ଗାଢ଼ ନାଲି କିମ୍ବା ହଳଦିଆ ରଙ୍ଗର ଫୁଲପ୍ରତି ତୁମର ଆଗ୍ରହ ପ୍ରଚୁର । କହିଲ–ଚାଲ କିଛି ଫୁଲ ତୋଳିବା, କିନ୍ତୁ ଫୁଲଗୁଡ଼ିକ ହାତ ପାହାନ୍ତିରେ ନ ଥିଲା କିମ୍ବା ତୁମକୁ ଗଛ ଚଢ଼ି ଆସେ ନା । ତେଣୁ ବାଧ୍ୟହୋଇ, ତୁମର ମନ ରଖିବାକୁ ମତେଇ ଚଢ଼ିବାକୁ ପଡ଼ିଲା । ପ୍ରଥମେ ଗୋଟିଏ ଛୋଟ କେଣ୍ଡା ମୁଁ ତୁମ ପାଖକୁ ପକେଇଲି । ତୁମେ କହିଲ–ବାଃ ! ଆଉ ଗୋଟିଏ ପକାଅ ତ । ମୁଁ ମନେ ପକେଇଦେଲି–ଦେଖ, ନିକଟରେ ନଗରପାଳଙ୍କ ଘର । ଗଛରୁ ଫୁଲ ଛିଣ୍ଡେଇଲେ କାଳେ କିଏ କଅଣ କହିବ ? ତୁମେ ଏଣିକି ତେଣିକି ଚାହିଁଲ, ଆଉ ଇସାରା ଦେଲ ଯେ, ସବୁ ଠିକ୍‌ ଅଛି–ନିରାପଦ । ନଗଳପାଳକ ପ୍ରତି ଯେତେ ଭୟ ନୁହେଁ, ଫୁଲ ପ୍ରତି ସମ୍ମାନ ଦୃଷ୍ଟିରୁ ମୁଁ ଆଉ କେଣ୍ଡାଏ ବୁଢ଼ାଳିଆ ଫୁଲ ତୋଳିଲି ଓ କହିଲି–ଏତିକି ଥାଉ । ବାକି କାଲିକି । କିନ୍ତୁ ତୁମେ ପୁଣି କହିଲ–ପାଖରେ ତ କେହି ନାହିଁ, ଡର କଅଣ ? ଗୋଟାଏ ଡାଳ ତଳକୁ ପକାଅ ନା !

 

ତୁମେ ବୋଧହୁଏ ଜାଣନା, ବେଳେ ବେଳେ ମୁଁ ତୁମର କଥାକୁ ତଳେ ନ ପକାଇଦେବାର ବଡ଼ କାରଣ ହେଉଚି, ତୁମ ପ୍ରତି ସେଇ ମୁହୂର୍ତ୍ତରେ ମୋର ନିର୍ମମ ଘୃଣା; କିନ୍ତୁ ସେତେବେଳେ ସେଇ ମୁହୂର୍ତ୍ତର ସୁଯୋଗ ନେବାପାଇଁ ତୁମେ ମଧ୍ୟ ପଛାଅ ନାଇଁ । ବିରକ୍ତି ଆଉ ଘୃଣାରେ ମୋ ଦେହ ଥରୁଥିଲେ ମଧ୍ୟ କେବଳ ତୁମର ପ୍ରକୃତିଗତ କେତେଟା ଶିଶୁ-ସୁଲଭ କାମନା ପ୍ରତି କାରୁଣ୍ୟ ପ୍ରକାଶ କରି ତୁମପାଇଁ ସେଦିନ ଗୋଟିଏ ବଡ଼ ଫୁଲଡାହିଆ ଭାଙ୍ଗି ତଳକୁ ପକାଇଲି-। ମୋର କହିବାର କଥା–ନେ, ଖା ! ଆଉ ଜଳା ନା ! ତୁମେ ଭାରି ଖୁସି ହେଲ । ଫୁଲର ଡାହିଆକୁ ଛାତିରେ ଯାକିଲ । ମୁଁ ତଳକୁ ଓହ୍ଲାଉଥିଲି; କିନ୍ତୁ ତୁମେ ଭାରି ନିଉନ ହେଇ କହିଲ–ହେ, ହେ, ଆଉ ଗୋଟିଏ ପକା–ମାତ୍ର ଗୋଟାଏ ! ମୁଁ ବୁଝିପାରିଲି, ତୁମେ ମତେ ଇସାରା ଦେଉଥିଲ ଯେ, ପୂରା ଗଛଟାକୁ ଭାଙ୍ଗିପକା । କାରଣ ତୁମେ ପ୍ରକୃତରେ ନଗରପାଳ ଉପରେ ରାଗିଥିଲ । ଠିକ୍ ତା’ ପୂର୍ବରୁ ତୁମେ ଆକ୍ଷେପ କରିଥିଲ ଯେ–‘‘ଦେଖ, ସବୁ ଗଛ ଲାଗିବ ଏଇଠି, ୟା’ଙ୍କରି ଘର ସାମନାରେ ! ଆଉ, ଏ ଗଛମାନେ ମଧ୍ୟ ଯେପରି ବୁଝିଛନ୍ତି ୟା’ଙ୍କର ପ୍ରତାପ । ସବୁବର୍ଷ ଏଇ ଗଛମାନଙ୍କରେ ଖୁନ୍ଦିହୁଏ ଫୁଲ–ବ୍ୟାଙ୍କ ଖାତାରେ, ସଂଖ୍ୟାର ଡାହାଣଆଡ଼କୁ ବଢ଼ିଚାଲିଥିବା ଶୂନଗୁଡ଼ାକ ପରି !’’

 

ଗୋଟାକ ପରେ ଗୋଟାଏ ଡାଳ ଭାଙ୍ଗି ମୁଁ ତଳକୁ ଫିଙ୍ଗୁଥାଏ, ଆଉ ତୁମେ କହୁଥାଅ–ବାସ୍‌ ! ବାସ୍‌ !

 

ସେତେବେଳକୁ ଗଛର କଅଁଳ ପତ୍ରଟିଏ ତ ନ ଥିଲା, ସବୁଠୁଁ ବିପଦର କଥା ହେଲା, ଯେତେବେଳେ ତଳୁ ତୁମେ ଇସାରା ଦେଲ ଯେ, ଖୋଦ୍‌ ନଗରପାଳଙ୍କ କାର୍‌ ସେଇଆଡ଼କୁ ମୁହାଁଇ ଆସୁଚି ! ଭୟରେ ଥୁଣ୍ଟା ଗଛର ଗୋଟାଏ ଡାଙ୍ଗପରି ମୁଁ ସ୍ଥିର ହୋଇଗଲି । ସତକୁ ସତ ନଗରପାଳଙ୍କ ଗାଡ଼ି ସେଇଆଡ଼କୁ ଆସୁଥିଲା ଓ ଗାଡ଼ିର ଗତି ମନ୍ଥର ହେଉଥିଲା ମଧ୍ୟ । ତଳେ, ଫୁଲଡାହିଆ ଭିତରେ ଆତ୍ମଗୋପନ କରି ତୁମେ ମତେ ଉପଦେଶ ଦେଉଥିଲ–ଯଦି କେହି କିଛି ପଚାରେ, ଉତ୍ତର ଦିଅ ଯେ, ତୁମେ ଜଣେ କଲେଜଛାତ୍ର । କୌଣସି ମିଟିଂ ମଣ୍ଡପ ସଜାଇବାପାଇଁ ଫୁଲ ଦରକାର । ନଗରପାଳକ କଲେଜ ଛାତ୍ରଙ୍କୁ ଖୁବ୍‌ ଡରନ୍ତି । ମୁଁ ବି ତୁମର ପ୍ରତ୍ୟୁତ୍ପନ୍ନମତିତ୍ୱକୁ ତାରିଫ୍‌ ନ କରି ରହିପାରିଲି ନାଇଁ; କିନ୍ତୁ ତା’ ସହିତ ମନେ ମନେ ଅସଂଖ୍ୟ ପ୍ରମାଦ ଗଣୁଥିଲି । ପ୍ରଥମେ ଫୁଲ ଲୁଣ୍ଠନ କରିବା ମୋର ବିବେକ ବିରୁଦ୍ଧ । ଏଥିପାଇଁ ଉପଯୁକ୍ତ ଦଣ୍ଡ ଜେଲ ବୋଲି ମୁଁ ନିଜେ ନିଜ ପାଇଁ ଦଣ୍ଡବିଧାନ କରିଥାଏ । ଦ୍ୱିତୀୟରେ ମୁଁ ଜଣେ କଲେଜ ଛାତ୍ର ନୁହେଁ । ତୃତୀୟରେ ନଗରପାଳକଙ୍କ ଘର ସାମନାରେ ଏ ଗଛ । ଜଣେ ଦାୟିତ୍ୱପୂର୍ଣ୍ଣ ନଗରପାଳକ କଅଣ କେବେ କ୍ଷମା ଦେଇପାରନ୍ତି, ଏଡ଼େ ବଡ଼ ନାଗରିକ ଆଉ ବ୍ୟକ୍ତିଗତ କ୍ଷୟକ୍ଷତିକୁ ?

 

ନଗରପାଳକଙ୍କ କାର୍‌ ଧୀରେ ଧୀରେ ଆଗେଇ ଆସିଲା । ବ୍ରେକ୍‍ର ଅଭ୍ରାନ୍ତ କେଁ କେଁ ଶବ୍ଦ ମଧ୍ୟ ଶୁଣାଗଲା । ମୁଁ ପ୍ରାୟ ତଳକୁ ଖସି ପଡ଼ିଥିଲି; କିନ୍ତୁ ହଠାତ୍‌ ମୁଁ ଚୈତନ୍ୟସ୍ଥ ହେଲି, ଯେତେବେଳେ ଦେଖିଲି ଯେ, ନଗରପାଳକଙ୍କର ଗାଡ଼ିର ଗତି ପୁଣି ବଢ଼ିଉଠିଲା । ମଟରକାର ଭିତରୁ ମୁଁ ତାଙ୍କ ସହିତ ଚାରିଚକ୍ଷୁ ହେଲି । ଆଖି ପଲକ ନ ପକାଇ ମୁଁ ତାଙ୍କ ମୁହଁକୁ ଅନାଇ ରହିଲି-। କାରଣ ମୁଁ ଶୁଣିଥିଲି ଯେ, ଭୂତ ବା ଦେବତାମାନେ ମଣିଷ ଶରୀରରେ ପ୍ରବେଶ କଲେ ମଧ୍ୟ ସେମାନଙ୍କର ଆଖିପତା ପଡ଼େନାଇଁ; ଏବଂ ଜ୍ୱଳନ୍ତ କୃଷ୍ଣଚୂଡ଼ାର ଶିଖାଭିତରେ ତୁମେ ଅଗ୍ନିପରୀକ୍ଷା ଦେଲାପରି ବସି ରହିଥିବାରୁ ତୁମକୁ ମଧ୍ୟ ସେ ଦେଖିପାରିନଥିବେ । ତେବେ ଗାଡ଼ିର ବ୍ରେକ୍‌ ସେ ଦେଲେ କାହିଁକି ? ପରେ ବସ୍‌ଷ୍ଟାଣ୍ଡ ଯିବା ରାସ୍ତାରେ ମୁଁ ତୁମକୁ ଏ ପ୍ରଶ୍ନ ପଚାରିଥିଲି । ତୁମେ ଉତ୍ତର ଦେଲ–ସେ ନିଶ୍ଚୟ ଗାଡ଼ି ଅଟକାଇ ଆମକୁ ପୋଲିସ୍‌ ଜିମା କରିବାପାଇଁ ମନରେ ବିଚାରିଥିଲେ; କିନ୍ତୁ ଶେଷ ମୁହୂର୍ତ୍ତରେ ସେ ବୋଧହୁଏ ବିଚାରିଲେ ଯେ, ଛୋଟ ଛୋଟ କଥା ଉପରେ ଏପରି ମାତିଲେ ଫଳ କିଛି ହୁଏ ନାଇଁ । ତେଣୁ ସେ ଦେଖି ନ ଦେଖିଲାପରି ଗାଡ଼ିର ଗତି ବଢ଼ାଇଦେଲେ-। ତୁମେ ଜାଣନା, ତୁମର ସେଇ ମନ୍ତବ୍ୟଟା ମତେ କେମିତି ବିନ୍ଧିଦେଲା–ଟିକିଏ ପୂର୍ବରୁ ତୁମେ ମୋର ବାଲ୍ୟକାଳକୁ ଯେପରି ନାରୀତ୍ୱ ସହିତ ତୁଳନା କରିଥିଲ, ସେହିପରି ଅସମ୍ମାନକର ମନେହେଲା-

 

ଜ୍ୱାଳା ତଥାପି ଦେହରେ ନିଭାଉଥିଲି, ଯେତେବେଳେ ବସ୍‌ଷ୍ଟାଣ୍ଡରେ ଆମେ ପହଞ୍ଚିଥିଲେ, ଆଉ ସତେ ଆମକୁ ସ୍ୱାଗତ କଲାପରି ରାସ୍ତା ଆଉ ଷ୍ଟଲ୍‌ମାନଙ୍କର ବଡ଼ ବଡ଼ ବାର୍‌ଲାଇଟ୍‌ଗୁଡ଼ାକ ଜଳିଉଠିଲା । ମୁହୂର୍ତ୍ତକ ମଧ୍ୟରେ ମୁଁ ତୁମକୁ ହଜାଇ ବସିଲି । ପ୍ରତିଦିନ ତୁମେ ତାହାହିଁ କର । ମୁଁ ଅବଶ୍ୟ ଜାଣେ ତୁମର ସ୍ଥିତିକୁ । କାରଣ, ଅଧଘଣ୍ଟାଏ ପରେ ତୁମେ କୁଆଡ଼ୁ ପୁଣି ଫେରିଆସ, ଆଉ ମୋ କାନ୍ଧରେ ଭରାଦେଇ କହ–ରାତି ଚମତ୍କାର, ଜୀବନ ଚମତ୍କାର, ମଣିଷ ବି ଚମତ୍କାର ! ତୁମେ ହୋସରେ ନ ଥାଅ ଜାଣି ମଧ୍ୟ ମୁଁ ତୁମକୁ ଯୁକ୍ତିରେ ପରାସ୍ତ କରିବାକୁ ଇଚ୍ଛା କରେ, ଆଉ ବିଦ୍ରୋହ କରେ । ବିଶେଷକରି ତୁମେ ଯେତବେଳେ ମଣିଷକୁ ଚମତ୍କାର ବୋଲି କହ-। କାରଣ, ତୁମର ମଣିଷମାନେ ନାରୀ ବା ଶିଶୁ ନୁହନ୍ତି ବୋଲି ମୁଁ ଜାଣେ । ସେମାନେ ମଦ୍ୟପ, ଜୁଆଡ଼ି, ଆଉ ଯାବତୀୟ ଚଲାଖ, ଚତୁର, କ୍ଳିଷ୍ଟ ମଧ୍ୟ; ତଥାପି ତୁମକୁ ଯୁକ୍ତିରେ ପରାସ୍ତ କରିବା କଷ୍ଟ-। ବରଂ ତୁମର ହୋସ ନ ଥିବାବେଳେ ତୁମେ ଆହୁରି ଶକ୍ତିଶାଳୀ ଯୁକ୍ତି କରିପାର ।

 

କିନ୍ତୁ, ସେଦିନ ମୁଁ ତୁମକୁ ବସ୍‌ଷ୍ଟାଣ୍ଡର ଆଲୁଅମାନଙ୍କ ଭିତରେ ହଜାଇ ଦେବାପାଇଁ ଇଚ୍ଛୁକ ନ ଥିଲି । ତୁମର ବୁଦ୍ଧିଦୀପ୍ତ ବୟସାନୁଭୂତିର ରାଜ୍ୟକୁ ପଶିବା ଅଭିଳାଷରେ ମୁଁ ତୁମର ପଶ୍ଚାତ୍‌ଧାବନ କଲି ଏବଂ ତୁମକୁ ମୁଁ ଖୋଜି ବୁଲିଲି ପ୍ରଥମେ ସେଇ ମଦ୍ୟଶାଳାରେ, ଯାହାକୁ ‘‘ବାର୍‌’’ ବୋଲି ତୁମେ କହ । ସେଠାରେ ଯେଉଁମାନେ ବସିଥିଲେ, ଜଣ ଜଣ କରି ସମସ୍ତଙ୍କ ମୁହଁକୁ ନିର୍ଲଜ୍ଜ ଆଖିରେ ଦରାଣ୍ଡି ମୁଁ ତୁମକୁ ଆବିଷ୍କାର କରିବାକୁ ଚେଷ୍ଟାକଲି । କିନ୍ତୁ ସେଠି ଯେଉଁମାନେ ଥିଲେ, ମୁଁ ବିବ୍ରତ ହୋଇ ପଛକୁ ଫେରୁଥିଲି ଯେ, ସେମାନେ ଅଧିକାଂଶ ନାରୀ, ଏପରି କି ଅଳ୍ପ ବୟସର ତରୁଣ ଆଉ କିଶୋର ମଧ୍ୟ ! ତୁମେ ତେବେ କେଉଁଠି ? ଏତିକିବେଳେ ମୁଁ ଦେଖିଲି, ସେଇ ଶାଢ଼ିପିନ୍ଧା ଆମେରିକାନ ତରୁଣୀଟିକୁ । ଅନେକବେଳୁ ମତେ ଦେଖି ସେ ହସୁଥିଲା । ଭୟ ପାଇଲି । କାରଣ, ନାରୀ ସର୍ବମୟୀ ବୋଲି ମୋର ଧାରଣା ତଥାପି ଯାଇନଥିଲା । ବାହାରକୁ ପଳାଇ ଆସୁଥିଲି, ଏହି ସମୟରେ ସେ ମୋତେ ଇଙ୍ଗିତରେ ପାଖକୁ ଡାକିଲେ । ମତେ ଯିବାକୁଇ ପଡ଼ିଲା ।

 

ମଦର କଠିନ ଦୁର୍ଗନ୍ଧ ଭିତରେ ସେ ମୋ କାନରେ କହିଲେ–ନାରୀକଣ୍ଠରେ ନୁହେଁ, ପୁରୁଷର କର୍କଶର ସ୍ୱରରେ–ଅବିକଳ ସେମିତି କେତେଟା ଅଶ୍ଳୀଳ କଥା । ତା’ପରେ ସେ ମତେ ଇସାରା ଦେଲେ ତୁମକୁ ଅମୁକ ମିଠେଇ ଦୋକାନରେ ଖୋଜିବାପାଇଁ । ମୁଁ ଜାଣିପାରିଲି, ସେ ମହିଳା ଜଣେ ଆମେରିକୀୟ ଗୁପ୍ତଚର, ଯେ କି ଆମର ଗତିବିଧି ଲକ୍ଷ୍ୟ କରିଥିଲେ–ସତେ କି ଆମର ‘‘ବେଦ’’ଠାରୁ ଏପର୍ଯ୍ୟନ୍ତ ।

 

ତୁମକୁ ଖୋଜିବାପାଇଁ ‘‘ବାର୍‌’’ ଭିତରୁ ବାହାରି ପଡ଼ିଲାବେଳେ ନଗରପାଳଙ୍କ ଗାଡ଼ି ସେଠାରେ ଅଟକିଲା । ମତେ ବାଟ କାଟି ଚାଲି ଆସିବାକୁ ହେଲା ।

 

ମୁଁ ଯେତେବେଳେ ମିଠେଇ ଦୋକାନ ଆଗରେ ପହଞ୍ଚିଲି, ତୁମକୁ ତଥାପି ସେଠି ଦେଖିବାର ଆଶା କରିନଥିଲି । ପ୍ରଥମେ ମୁଁ ଦେଖିଲି, ମିଠେଇ ଦୋକାନୀଟିର ବିରାଟ ନିକିତିଟାକୁ, ଯେଉଁଟା ସବୁବେଳେ ସେଠି ଝୁଲୁଥାଏ । ଲୋକ ଭିଡ଼ ଖୁବ୍‌ । ସେମାନଙ୍କର ମୁଣ୍ଡର ସମଷ୍ଟି ଓ ତା’ଉପରେ ଝୁଲୁଥିବା ସେଇ ନିକିତିଟା ମତେ ଦିଶିଲା ଗୋଟାଏ ବିଚାରାଳୟ ପରି ।

 

ବିଚାରାଳୟ ସମ୍ବନ୍ଧରେ ମୋର ବାଲ୍ୟାନୁଭୂତ ଟିକିଏ କହିଦିଏ । ପିଲାଦିନୁ ମୁଁ ବିଚାରାଳୟ ଭିତରକୁ ଯିବାକୁ ଡରେ । ସ୍କୁଲରେ ପଢ଼ୁଥିଲାବେଳେ ଗୋଟାଏ ନାରୀଧର୍ଷଣ ମକଦ୍ଦମାର ଶୁଣାଣିବେଳେ ମୁଁ ସ୍କୁଲ ପାଖ ଏକ ବିଚାରାଳୟକୁ ପଶି ଯାଇଥିଲି । ସମୁଦାୟ ବୟସ୍କପୂର୍ଣ୍ଣ ଗ୍ୟାଲେରୀ ଭିତରେ ମୁଁ ଏକମାତ୍ର ପିଲା । ସେମାନେ ସମସ୍ତେ ମତେ ବିଭିନ୍ନ ଆଖିରେ ଦେଖିବାକୁ ଲାଗିଲେ । ଏପରି କି ଧର୍ଷିତା ନାରୀ, ଯେ କି ସାକ୍ଷ୍ୟ ଦେବାପାଇଁ କାଠଗଡ଼ା ଭିତରେ ଠିଆ ହୋଇଥିଲା, ସେ ବି ଚୁପ୍‌ ହେଇଗଲା, ଆଉ ଲାଜ ପାଇଲା ପରି ମୋର ଉପସ୍ଥିତି ଏଡ଼େଇବାପାଇଁ ଏଣିକି ତେଣିକି ଚାହିଁଲା । କୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ନାଲି ମଖମଲି, ନିଶୁଆ ଦରଓ୍ୱାନ ମୋର ଗୋଟାଏ କାନ ଧରି ମତେ ବାହାରକୁ ଫୋପାଡ଼ି ଦେଲା–ସତେକି ବଡ଼ ମଣିଷଙ୍କ ପାଟିରେ ମଡ଼ା ହେଇଥିବା ମେଞ୍ଚାଏ ଛିଣ୍ଡାକନାକୁ ଓଟାରି ଫୋପାଡ଼ି ଦେଲେ ସେମାନେ । ସେହିଭଳି ଏ ସନ୍ଧ୍ୟାରେ ତୁମକୁ ଖୋଜିବାପାଇଁ ମିଠେଇ ଦୋକାନରେ ପଶୁ ପଶୁ ମୋର ଦୁର୍ଦ୍ଦଶା ଆରମ୍ଭ ହେଲା ।

 

ମିଠେଇ ଦୋକାନ ଆଗରେ ଜମିଥିବା ମଣିଷଙ୍କ ଭିଡ଼ ଠେଲି ଭିତରକୁ ପଶୁଥିଲେ, ଏହି ସମୟରେ ଜଣେ କିଏ ମୋ କାମିଜକୁ ପଛରୁ ଟାଣି ଧଇଲା । ଭାବିଲି ବୋଧହୁଏ ତୁମେ ମୋ ପଛରେ; କିନ୍ତୁ ଯେ ମୋ କାମିଜ ଟାଣିଥିଲା, ସେ କହିଲା–ଅନୁଗ୍ରହ କରି ଲାଇନ ଭାଙ୍ଗନ୍ତୁ ନାଇଁ । ଆପଣଙ୍କ ସ୍ଥାନ ପଛରେ ।

 

ଅତ୍ୟାଗ ମତେ ପଛେଇ ଆସିବାକୁ ପଡ଼ିଲା । ଲାଇନ ଥାଉ ବା ନ ଥାଉ, ସେମାନଙ୍କ ସହିତ କିଛି ସମୟ ଠିଆ ହେବା ପରେ ମୁଁ ବୁଝିପାରିଲି ସେଇକଥା, ଯାହା ମୁଁ ବୁଝିପାରିନଥାନ୍ତି, ଯଦି ଏକା ନିଶ୍ୱାସକେ ଭିଡ଼ ଆଡ଼େଇ ମୁଁ ଦୋକାନ ଭିତରେ ତୁମକୁ ଭେଟିଥାନ୍ତି ।

 

ଏ ଭିଡ଼ ମିଠେଇର ଭିଡ଼ ନୁହେଁ–ଏହା ଚିନିର ଭିଡ଼ ବୋଲି ଯେତେବେଳେ ମୁଁ ବୁଝିଲି, ସେତେବେଳେ ତୁମେ ଯଦି ମୋ ହାବୁଡ଼େ ପଡ଼ିଥାନ୍ତ, ବିଶ୍ୱାସ କର ଜୀବନସାରା ଆମେ ଶତ୍ରୁ ହୋଇ ରହିଯାଇଥାନ୍ତେ । କାରଣ, ତୁମ ଘରେ ଚା’ ଟିକିଏ ନ ପାଇଥିବା ରାଗ ସେପର୍ଯ୍ୟନ୍ତ ମନରୁ ପାସୋର ଯାଇ ନ ଥିଲା । ଆଉ, ବର୍ତ୍ତମାନ ଯାଇଁ ମୁଁ ବୁଝିଲି, ତୁମ ଘରେ ଅଇଁଠା ଚା’ କପ୍‌ ନ ପାଇ ମୁଁ ଯେତେବେଳେ ପ୍ରାୟ ତୁମ କଥା ବିଶ୍ୱାସ କଲି ଯେ, ତୁମ ଘରେ ପ୍ରକୃତରେ ଚିନି ନାହିଁ, ସେତେବେଳେ ମୁଁ ତୁମ ଛାତି ପକେଟକୁ ଅନାଇଥିଲି । ଏହାର ପଛରେ କିଛି ଉଦ୍ଦେଶ୍ୟ ନ ଥିଲା । ତୁମେ ଜାଣ, ତୁମ ସହିତ ମନଖୋଲି ମୁଁ ଯେତେବେଳେ କଥାବାର୍ତ୍ତା କରେ, ସେତେବେଳେ କେବଳ ତୁମର ମୁହଁ ଅପେକ୍ଷା ଛାତିଆଡ଼କୁ ଚାହିଁ ମୁଁ ତାହା କରେ । ବର୍ତ୍ତମାନ ମନେପଡ଼ୁଚି–ତୁମକୁ ସେତେବେଳେ ଦେଖିବାରେ ଟିକିଏ କେମିତି ବାଧା ମୁଁ ଅନୁଭବ କରିଥିଲି । ତୁମର ପୋଷାକର ସ୍ୱଚ୍ଛତା ଯୋଗୁ ତୁମ ଛାତି ପକେଟରେ ମୋ ଆଖିକି ଦିଶୁଥିଲା ଖଣ୍ଡିଏ ସରକାରୀ ଆଉ ମାଟିଆ ରଙ୍ଗର ଛୋଟ କାଗଜ । ତାହା କଅଣ ତେବେ ଖଣ୍ଡିଏ ସ୍ପେଶାଲ ପର୍ମିଟ–ଚିନିର ?

 

ଏହାପରେ ମୋର ମନର ଅବସ୍ଥା କଅଣ ହୋଇଥିବ ବୁଝିପାରୁଥିବ । ବିଶ୍ୱାସ କର, ମୁଁ ଭିଡ଼ରୁ ବାହାରି ପ୍ରାୟ ଅନେକ ଦୂର ଘରମୁହାଁ ଚାଲି ଆସିଥିଲି । ନ ଆସନ୍ତି କାହିଁକି ? ମୋର ତ ଚିନି ଦରକାର ନ ଥିଲା ବା ତୁମେ ଦରକାର ନ ଥିଲ ! କିନ୍ତୁ ତଥାପି ବାଟରେ ଠାଏ ଅଟକିଲି । ଅନ୍ଦାଜ କଲ ଦେଖି, ତାହା କେଉଁ ଜାଗା ? ହଁ, ସେଇ କୃଷ୍ଣଚୂଡ଼ାର ଗଛମୂଳ । ଆମେ ଯୋଉ ଡାହିଆ ସବୁ ଭାଙ୍ଗି ପକେଇଥିଲେ, ତାହା ତଥାପି ଜୀଅନ୍ତା ପଡ଼ିଥିଲା–ଜୀବଦ୍ଦଶାରେ ଦୁର୍ଦ୍ଦାନ୍ତ ଲୋକ ମଲାପରେ ଜୁଇ ଗାତ ନିଆଁ ଭିତରେ ସେ ପୁଣି ବଞ୍ଚି ଉଠିଲାପରି ।

 

ସେଇଠୁ ପୁଣି ପଛକୁ ଫେରିପଡ଼ିଲି । ଫେରି ନ ଥାନ୍ତି; କିନ୍ତୁ ମନ ଭିତରେ କିଏ ହସି ହସି କହିଲା ଛୋଟ କଥା, ଛୋଟ କଥା ? ଆଜି ରାସ୍ତାର ଫୁଲଗଛ ଭାଙ୍ଗିବା ଛୋଟ କଥା । କାଲି ମିଠେଇ ଦୋକାନୀଙ୍କୁ ଚୋରା ପର୍‌ମିଟ୍‌ ବିକ୍ରି ଛୋଟ କଥା । ତେବେ ବଡ଼ କଥା କିଏ ?

 

ମିଠେଇ ଦୋକାନ ଆଗରେ ଭିଡ଼ ସେତେବେଳକୁ ପ୍ରବଳ ହୋଇଥିଲା; କିନ୍ତୁ ମୋର ମନର ଗତି ମଧ୍ୟ ପ୍ରବଳ ଆକାର ଧରି ନେଇଥିଲା । ମୁଁ ତୁମକୁ ଧୃତରାଷ୍ଟ୍ର ସତ ଭୀମକୁ ଧରିଲାପରି ଧରିନେବାପାଇଁ ହାତ ବଢ଼ଇଦେଲି । କିନ୍ତୁ ଆଶ୍ଚର୍ଯ୍ୟ ହେଲି, ତୁମେ ବି ଅବିକଳ ସେହିପରି ମତେ ଆଲିଙ୍ଗନ କରିବା ପାଇଁ ମୋ ଆଡ଼କୁ ବାହୁ ବିସ୍ତାର କରିଦେଲ । ପରସ୍ପର ଆଲିଙ୍ଗନ ଭିତରେ ତୁମେ ମତେ ଗୋଟିଏ ପଟକୁ ଡାକିନେଇ କହିଲ–ଆଜି ସନ୍ଧ୍ୟାର ଦ୍ୱିତୀୟ ବିଜୟ ଏହିଠାରେ ହିଁ ହେବ ।

 

ମୁଁ ତୁମର ଛାତିକୁ ମୋ ଛାତି ଉପରେ ତଥାପି ନିବିଡ଼ଭାବେ ଅନୁଭବ କରିପାରୁନଥିଲି । ଏକାଧିକ କାଗଜର ପରଦାଟି ମଝିରେ ବାଧା ଜନ୍ମାଉଥିଲା । ସ୍ପେଶାଲ ପରମିଟ୍‌ଟିକୁ ଭଙ୍ଗାଇ ତୁମେ ତାକୁ ବ୍ୟାଙ୍କ୍‌ ନୋଟରେ ପରିଣତ କରିସାରିଥିଲ ନିଶ୍ଚୟ ।

 

ଇଙ୍ଗିତର ଉତ୍ତର ନ ପାଇ ସ୍ୱାଭାବିକ ସ୍ୱରରେ ତୁମେ ବୁଝେଇ ଲାଗିଲ ତା’ପରେ ତୁମ ମନର କଥା । ତୁମେ କହିଲ–ପ୍ରଥମ ବିଜୟ ଆମର ହୋଇଛି ନଗରପାଳର ଦ୍ୱାର ସମ୍ମୁଖସ୍ଥ ସେଇ କୃଷ୍ଣଚୂଡ଼ାର ବିଧ୍ୱସ୍ତୀକରଣରେ, ଦ୍ୱିତୀୟ ବିଜୟ ଆମକୁ ଅପେକ୍ଷା କରୁଚି ଏଇଠାରେ । ଆଉ ତା’ପରେ ତୁମେ ମୋତେ ମିଠେଇ ଦୋକାନ ଆଗରେ ଝୁଲୁଥିବା ନିକିତିଟାକୁ ଦେଖାଇ ଦେଇଥିଲ-

 

ବିଶ୍ୱାସ କର, ମୁଁ, ତୁମେ ଆଉ ଆମେ ସାଙ୍ଗ ହୋଇ ଯେତେବେଳେ ସେଇ ମିଠେଇ ଦୋକାନଟାକୁ ଜୁର କରୁଥିଲେ କୃଷ୍ଣଚୂଡ଼ାର ଡାହିଆ ଭାଙ୍ଗିଲାପରି, ଆଉ ଚଟାପଟ ମାଡ଼ ଲଗାଉଥିଲେ ସେଇ ପେଟା ଦୋକାନୀଟାର ପିଚାରେ, ତୁମର ସ୍ୱର ମୁଁ ତଥାପି ଶୁଣୁଥିଲି ମୋର କାନରେ–‘‘ବିଚାରାର ବହୁତ ପିଲା’’ ସେତବେଳେ ମଧ୍ୟ ସମୟ ଥିଲା । ଇଚ୍ଛା କରିଥିଲେ ମୋର ମୁଠା ଦୁଇଟାକୁ ଅବୋଲକରା ଗପର ଠେଙ୍ଗାପରି ଦୋକାନୀଠାରୁ ବୁଲେଇ ଆଣିଥାନ୍ତି ତୁମ ଆଡ଼କୁ-। କିନ୍ତୁ ମୁଁ ତାହା କରିପାରିଲି ନାଇଁ । କାରଣ, ଗୋଟିଏ ଚାହାଳୀରେ ସକାଳ ପରି ଆମେ ସମସ୍ତେ ଗାଉଥିଲୁ ପ୍ରାର୍ଥନା । ଆଉ ତୁମେ ଥିଲ ଆମର ଅଗ୍ରଣୀ । ବିଶ୍ୱାସ କର, ତୁମର ମୁହଁ ଯେତେ ଅଶ୍ଳୀଳ ହେଲେ ମଧ୍ୟ ମୁହଁର ପଦ–‘‘ସତ କହିବକୁ କିଆଁ ଡରିବି’’–ତଥାପି ମର୍ମସ୍ପର୍ଶୀ ହୋଇ ଉଠୁଥିଲା ।

 

ଗଳ୍ପ, ତୃତୀୟ ସଂଖ୍ୟା, ଜାନୁୟାରୀ–୧୯୭୧

Image

 

ପିଠି

 

ଜନତା ବସରେ ଖୁନ୍ଦି ହୋଇଥିବା ଜନତାର ମୁଣ୍ଡ ଆଉ ମୁଣ୍ଡ ହୋଇ ନ ଥାଏ; ରାତି ଏଗାର ଅନେକବେଳୁ ବାଜିଯାଇଥାଏ । ରାତି ଦଶରେ ପହଞ୍ଚିବା ଗାଡ଼ି ଗନ୍ତବ୍ୟ ସ୍ଥଳରୁ ତଥାପି ଅନେକ ଦୂରରେ । ଇଞ୍ଜିନ୍‌ର ତାତିଲା ବନେଟ୍‌ ଉପରେ, ସ୍ଥାନାଭାବରୁ, ଦୁଇ ତିନିଟି କିଏ ବସିଥାନ୍ତି-। ବୋଧହୁଏ କଲେଜ ଛାତ୍ର । ବହୁ ଉତ୍ତେଜନାପୂର୍ଣ୍ଣ ଯୁକ୍ତି-ତର୍କ ପରେ ସେମାନେ ବି ନିଦରେ ନଇଁ ପଡ଼ିଥାନ୍ତି, ଜଳନ୍ତା ମହମବତୀଗୁଡ଼ିଏ ପେଟପଟୁଆ ତାତିଗଲା ପରି । ସେମାନଙ୍କ ହାତରୁ ସନ୍ଧ୍ୟାର ଖବରକାଗଜଗୁଡ଼ିକ ଝୁଲିପଡ଼ିଥାଏ–ଗାଁର ଅଷାଢ଼ୁଆ ଆଉ ଦଳୁଆ ପୋଖରୀର ଦଳ ଉପରେ ମେଳା ମେଳା ହୋଇ ବୋବାଉଥିବା କେତେଟା ଡାହୁକଙ୍କର ବେକ ତଳର ଧଳାଗୁଡ଼ିକପରି ! ମଟର ଧକ୍‌କାରେ ଦଳି ହୋଇ, ରକ୍ତର-ପୋଖରୀତୁଠର ପଥର ପରି ପଡ଼ିଥିବା ମୃତ ଯୁବକର ଚିତ୍ରଟା, ଖବରକାଗଜ ପୃଷ୍ଠାକଣରୁ ସବୁଠାରୁ ବେଶି ପବନ ଧରି ଫଡ଼ ଫଡ଼ ହୋଇ ଉଡ଼ୁଥାଏ । ତା’ ପାଖକୁ ବଡ଼ ବଡ଼ ହରଫର କୌଣସି ବିଜ୍ଞାପନ–ସମ୍ବାଦଟିଏ ହୁଏତ ଖୁବ୍‌ ଜୋର୍‍ ମୁଣ୍ଡ ଟୁଙ୍ଗାରୁ ଥାଏ-। ଆଉ ଏସବୁରି ଉପରେ ଝୁଲୁଥାଏ–ସେଇଠି, ଯେଉଁଠି ସଦ୍ୟ ନାଲି ରଙ୍ଗର ‘ଧୂମପାନ ନିଷେଧ’ ଅକ୍ଷରଗୁଡ଼ା ଲେଖାଯାଇଥାଏ, ଠିକ୍‌ ତା’ରି କଡ଼କୁ–ସେଇ ଡ୍ରାଇଭରର ଆରାଧ୍ୟା ଦେବୀ, ନରମୁଣ୍ଡମାଳିନୀ ମା’ କାଳିକାର ଛବିଟା ! ଗୋଛାଏ ଅଗରବତୀ, ଯାତ୍ରାର ଆରମ୍ଭରୁ ଯାହା ଅଖଣ୍ଡ ଧୂଆଁର କୁଣ୍ଡଳୀ ଭିତରେ ଜଳିବାକୁ ଆରମ୍ଭ କରିଥିଲା ସେଠି, ସେଇ ‘ଧୂମପାନ ନିଷେଧ’ ଅକ୍ଷରଗୁଡ଼ାକୁ ଆଚ୍ଛାଦନ କରି, ତାହା ଆଉ ଜଳୁ ନ ଥାଏ । ମୋଟ ଉପରେ ଜଳନ୍ତା, ତାଜା ଆଉ ସଳଖ ହୋଇ କୌଣସି ଜିନିଷ ସେତେବେଳେ ଆଉ ନ ଥାଏ । ସବୁ ଝୁଲନ୍ତ, ନଡ଼ନଡ଼କା ଆଉ ଘୁମନ୍ତ ବସ୍ତୁକୁ ନେଇ ଜାତୀୟ ବସ୍‌ସର୍ଭିସ୍‌ର ‘ଜନତା ଗୋଟିଏ ପୁରୁଷ ବିକ୍ରୀଡ଼ିତ ରାସ୍ତାକଡ଼ର କଞ୍ଚୁକୀ ପରି ଅଶ୍ରାବ୍ୟ ତଥା ଆହତ ଆତ୍ମାର ଗାଳିମାନ ବର୍ଷି ଚାଲିଥାଏ ।

 

ଟଂ– !

 

ପଇସା–ଅଇଁଠା ହାତରେ କଣ୍ଡକ୍ଟର ପୁଣିଥରେ ଝିଙ୍କି ଦଉଥାଏ ଘଣ୍ଟିର ଦଉଡ଼ିକୁ । ଜନତାଗାଡ଼ି ଘଣ୍ଟିର ଦାସ । ଗୋଟିଏ ଟଂରେ ସେ ଅଟକେ । ଦୁଇଟିରେ ଛାଡ଼େ । ଆଉ ତିନିଟିରେ ଗର୍ଭିଣୀ ଗାଈ ପରି ବାଟ ଛାଡ଼େ–ପଛରୁ ହାଙ୍କୁଥିବା ଯେକୌଣସି–ଇତର ଗାଡ଼ିକୁ । ଖୁବ୍‌ ସହଜ ଆଉ ସରଳ ୟାର ସମ୍ବିଧାନ । ଆଉ ଏଡ଼େ ସହଜ ସରଳ ସମ୍ବିଧାନ ଯେଉଁ ଘଣ୍ଟିଟିଦ୍ୱାରା ପରିଚାଳିତ ହୁଏ, ତା’ର ଦଉଡ଼ିଟି ମଧ୍ୟ ଖୁବ୍‌ ଲମ୍ବ ଆଉ ନୁଆଁଣିଆ । ଏତେ ଲମ୍ବ ଆଉ ନୁଆଁଣିଆ ଯେ, ଜାତୀୟ ରାଜପଥ କଡ଼ର ସେଇ ଯୋଉ ଟିଣ ଟାଇଲର ଘରଗୁଡ଼ିକ ଏବେ ଏବେ ନିଜର ସାବକ ୧୯୪୭ ପୂର୍ବବର୍ତ୍ତୀ ମାଟି ଢିଅଗୁଡ଼ିକ ଉପରେ ପହିଲି ଆଷାଢ଼ର ପାଳଛତୁମାନଙ୍କ ପରି ସଦ୍ୟ ମୁଣ୍ଡ ଟେକି ଉଠିଛନ୍ତି, ସେଇ ଘର-ଦୁଆର ମୁହଁରେ ବନ୍ଧା ହୋଇଥିବା, କଂସେଇଖାନାର ଚାଳରୁ ଲଟକି ଥିବା ମଢ଼ଗୁଡ଼ିକ ପରି, ତଳମୁହାଁ ପହ୍ନାଶୁଖିଲା ଗାଈଗୁଡ଼ିକ ମଧ୍ୟ ଏଇ ଲମ୍ବା ଦଉଡ଼ିର ଅଗକୁ ବେଳେ ବେଳେ ଖାଲି ଦୁଧଘଡ଼ି ଆଉ ବାହୁଙ୍ଗି ପକେଇ ଗାଡ଼ିରୁ ଓହ୍ଲାଉଥିବା ଖାମିଦଙ୍କ କଛାରେ ଆବିଷ୍କାର କରି ମୁହଁ ବଢ଼େଇ ଓଟାରି ଦିଅନ୍ତି । ଫଳରେ ‘‘ଦି ବେଲ ଅପ୍‌ ଜଷ୍ଟିସ୍‌’’ର ଲମ୍ବା ଦଉଡ଼ିକୁ ଜଣେ ଅତି ନ୍ୟାୟୀ ରାଜାଙ୍କର ରାଜ୍ୟର ଗୋଟିଏ ମାଲିକ–ବିତାଡ଼ିତ ଅକର୍ମଣ୍ୟ ବୁଢ଼ା ଘୋଡ଼ା ଯେପରି ଖାଦ୍ୟ ମନେକରି ଓଟାରି ଖାଉ ଖାଉ ହଠାତ୍‌ ବହୁକାଳ ଧରି ଅବ୍ୟବହୃତ ସେହି ନ୍ୟାୟଘଣ୍ଟିକୁ ବଜେଇ ଦେଇ ରାଜ୍ୟସାରା ଲୋକଙ୍କୁ ଚମତ୍କୃତ କରିଦେଲା–ସେହିପରି ମଧ୍ୟେ ମଧ୍ୟେ ଜାତୀୟ ରାଜପଥରେ ନିତି ପ୍ରତି ଶହ ଶହ ସଂଖ୍ୟାରେ ଚାଲୁଥିବା ଏହି ଜନତା ଗାଡ଼ିଗୁଡ଼ିକର ଘଣ୍ଟି ଦଉଡ଼ିର ଅଗ ଥରେ ଥରେ କୌଣସି କୌଣସି ମଢ଼ିଆ ଗୋରୁଙ୍କ ହାବୁଡ଼ରେ ପଡ଼ିଯାଇ ଦୁର୍ଘଟଣାର ସମ୍ମୁଖୀନ ହୁଏ; କିନ୍ତୁ ଅଧରାତିର ଏହି ଅବେଳା ‘‘ଜନତା’’ଟି ପାଇଁ–ସେତକ ଭୟ ବି ନ ଥିଲା । ‘‘ସରପ୍ରାଇଜ୍‌ ଚେକିଂ’’ ପାର୍ଟିର ମଟରଗାଡ଼ି ଅନେକବେଳୁ ଏଇ ‘ଜନତା’ ଗାଡ଼ିକୁ ବାଟରେ ଭେଟି ମଧ୍ୟ ନ ଭେଟିଲା ପରି ଆପଣା ବାଟରେ ଚାଲି ଯାଇଥିବା କଥା କଣ୍ଡକ୍ଟର୍‌କୁ ଅଛପା ନ ଥାଏ । ତେଣୁ ଘଣ୍ଟି ଦଉଡ଼ି ଟାଣିବାର ଏକମାତ୍ର ଅଧିକାରୀ ଥାଏ କଣ୍ଡକ୍ଟର । କେବଳ ଏହି ଅଧିକାରୀଟି ବ୍ୟତୀତ ଓ ତା’ର ସହଚର ତଥା ସହକାରୀ ଜନତା ଗାଡ଼ିର କ୍ଲିନର୍‌ ବ୍ୟତୀତ ଆଉ ସମସ୍ତେ ପ୍ରାୟ ସୁପ୍ତ । ଏପରି କି ଡ୍ରାଇଭର ମଧ୍ୟ ! କାରଣ, ନିୟମାନୁଯାୟୀ ଜନତା ଗାଡ଼ିର ଯେ ଡ୍ରାଇଭର, ସେ ଭାରତୀୟ ସମ୍ବିଧାନର ରାଷ୍ଟ୍ରପତି ପଦ ପରି ଏକ ନିରପେକ୍ଷ ଦର୍ଶକ ମାତ୍ର । ତା’ର ଆଖି ଦୁଇଟା ଖୋଲା ଥାଏ ଓ ତା’ର କାନରେ ସେ ଶୁଣୁଥାଏ ମଧ୍ୟ ଘଣ୍ଟିର ନିର୍ଦ୍ଦେଶ; କିନ୍ତୁ ସେ ବିଚରା ଶୋଇପଡ଼ିଥାଏ ।

 

ଟଂ-ଟଂ......ଟଂ-ଟଂ.... ।

 

ଏଥି ମଧ୍ୟରେ କଣ୍ଡକ୍ଟର–ହାତଘଣ୍ଟି ଲାଗ୍‌ ଲାଗ୍‌ ଦୁଇଥର ବାଜି ସାରିଥାଏ । ଡ୍ରାଇଭର ତଥାପି ଇଞ୍ଜିନର ଚାବି ମୋଡ଼େ ନାହିଁ । ଯେଉଁ କେତେଜଣ ଯାତ୍ରୀ ଏଇ ବାଟପାଖ ରହଣିରେ ଓହ୍ଲାଇବାର କଥା, ସେମାନେ ଓହ୍ଲାଇ ସାରିଥା’ନ୍ତି ଓ କଣ୍ଡକ୍ଟର ସହିତ ସେମାନଙ୍କର ଦେଣ ନେଣ ସରିଯାଇଥାଏ, କିନ୍ତୁ ତଥାପି ଡ୍ରାଇଭର ଗାଡ଼ିରେ ଷ୍ଟାର୍ଟ୍‌ ଦେବା ପରିବର୍ତ୍ତେ ନିଦ ମଳମଳ ଆଖିରେ ବସ୍‌ର ଏକମାତ୍ର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅନାଇଁ ବଡ଼ ଆଁ ଖୋଲି ହାଇଟାଏ ମାରେ । ବାହାରେ ଓହ୍ଲାଇଥିବା ନିତିଦିନିଆ ବାଟପାଖ ଯାତ୍ରୀମାନଙ୍କର ପରିଚିତ ଖାଲି ଦୁଧଘଡ଼ି ଓ ପରିବା-ବୋଝମାନଙ୍କ ଭିତରେ ଗଡ଼ୁଥିବା ଚଣ୍ଡ ଆଳୁ, ପିଆଜ, ବାଇଗଣମାନଙ୍କର କଥୋପକଥନ ପରି ଗୁଡ଼ାଏ ଗୁଡ଼ୁରୁ ଗାଡ଼ୁରୁ ଆଉ ଖାସୁରୁ ଖୁସୁରୁ କଥୋପକଥନ ସବୁ ଶୁଣାଯାଉଥାଏ । ସେସବୁ ଭିତରୁ କଣ୍ଡକ୍ଟରର ସହକାରୀ ସେହି କ୍ଲିନରର ସ୍ୱରଟା ସ୍ପଷ୍ଟ ବାରି ହୋଇପଡ଼େ–

 

‘‘ନା, ନା, ସେ କଥା ହୋଇପାରିବ ନାହିଁ । ତମେ ଖବର କାଗଜ ପଢ଼ିନ କି ? ଆଜିଠୁ ପା’ ତେଲ ଦାମ ବଢ଼ିଲା, ଭଡ଼ା ବି ବଢ଼ିଲା । ପୁରୁଣା ରେଟ୍‌ ଆଉ ନାହିଁ । ସମସ୍ତେ ଆଉ ପାଞ୍ଚ ପାଞ୍ଚ ପଇସା ବାହାର କର ।’’

 

ଉତ୍ତରରେ କିରଣଛଡ଼ା ମୃଦଙ୍ଗ ପରି ଖାସୁଖାସୁଆ ସ୍ୱରରେ ଜଣେ କିଏ କଅଣ କହେ, କିଛି ବୁଝି ହୁଏ ନାହିଁ, କିନ୍ତୁ ପୂର୍ବ ସ୍ୱରକୁ ଟପି କ୍ଲିନରର ସ୍ୱର ଏଥର ପରିଷ୍କାର ଶୁଭେ ।–

 

‘‘ଆରେ ଯାଃ, ସରକାର କଅଣ ତେଲ ଦାମ୍‍ ବଢ଼େଇଲା ? ଦାମ୍‌ ବଢ଼ଉଚ ତୁମେ । ଆଳୁ ତ ସବୁଦିନେ ମାଟିରେ ଫଳୁଚି । ତା’ ଦାମ୍‌ କେମେତି ଦିନକୁ ଦିନ ବଢ଼ୁଚି ! ଦୁଧ ତ ଗାଈ ପହ୍ନାରୁ ବାହାରୁଚି, ସେରେ ଦୁଧ ଠେକି ଭିତରେ ପଶିଲେ କେମିତି ଦି’ସେର ହଉଚି ? ସବୁକଥା ତ ତା’ ଖଞ୍ଜରେ ବଢ଼ୁଚି । ଏଥେରେ ସରକାର କେମିତି ବଢ଼େଇଦେଲା ତେଲ ଦାମ୍‌ ?’’

 

ଲାଗ୍‌ ଲାଗ୍‌ ଦୁଇତିନିଟା ହାଇ ପେଲି ଡ୍ରାଇଭର ଏଥର ଟିକିଏ ଖଜବଜ ହୁଏ, ଆଉ ଦୁଇ ତିନିଥର ହର୍ଣ୍ଣଟାକୁ ଚିପିଦିଏ । ତା’ପରେ ଆପଣାଛାଏଁ ସବୁ କଥା ସରଳ ହୋଇଯାଏ । କ୍ଲିନରର ଗୋଟାଏ ଗୋଡ଼ ଫୁଟବୋଡ଼ ଉପରକୁ ଉଠିବାମାତ୍ରେ ସେ ଗୋଟାଏ ଚିଲ ପରି ଦାନ୍ତସନ୍ଧିରୁ ରବାଦ କରେ–‘‘ର୍‌ର୍‌ରାଇଟ୍‌ ।’’ ତା’ପରେ ଯାଇ ଗାଡ଼ି ଇଞ୍ଜିନର ଶବ୍ଦ ଶୁଣାଯାଏ ଓ ଗାଡ଼ି ଆଗକୁ ଗଡ଼େ । ଏହାପରେ କ୍ଲିନର ଧଡ଼୍‌କରି କବାଟଟାକୁ ବନ୍ଦ କରେ ଓ ପକେଟରେ ହାତ ଭର୍ତ୍ତି କରେ । ଘଣ୍ଟି ଦଉଡ଼ିକୁ ଛାଡ଼ି କଣ୍ଡକ୍ଟର ଏଥର ପଇସା ଗଣିବାରେ ପୂରା ମନୋନିବେଶ କରେ; କିନ୍ତୁ ପ୍ରକ୍ରିୟାଟି ସେତିକିରେ ଶେଷ ହୁଏ ନାହିଁ । ଥରେ ଗାଡ଼ି ଚାଲିବାକୁ ଆରମ୍ଭ କଲା ପରେ ଆଉଥରେ ବନ୍ଦ ହେବା ଭିତରେ କ୍ଲିନର ବିଚାରାକୁ ଅତି ସତର୍କତାର ସହିତ ଖାସ ନିଜପାଇଁ ଅନ୍ତତଃ ଗୋଟିଏ ମୁହୂର୍ତ୍ତ ଆତ୍ମଗୋପନ କରିବାକୁ ପଡ଼େ । ଲମ୍ବା ଜନତା ବସ୍‍ର ଲାଞ୍ଜପଟକୁ, ଯେଉଁଠି କ୍ଲିନରର ପୂର୍ଣ୍ଣ ଦାୟିତ୍ୱରେ ଥିବା ବାଲ୍‌ଟି ଆଉ ଛିଣ୍ଡାକନା ଓଗେର କେତେକ ସରଞ୍ଜାମ ରଖିବାପାଇଁ ଥାନଟିଏ ଥାଏ, ଅତି ନିଭୃତରେ ଚଢ଼େଇ ଅଣ୍ଡା ପାରିଲା ପରି, ଏପରିକି କଣ୍ଡକ୍ଟର ଆଉ ଡ୍ରାଇଭରଙ୍କର ଦୃଷ୍ଟିର ଅନ୍ତରାଳରେ କ୍ଲିନର ବିଚାରା ସେଇ ରାତିର ଯାତ୍ରାର ଶେଷ ବସା ଫେରନ୍ତି ଦଫାରେ ପାରି ଦିଏ ଆଉ ଦୁଇଟା ଯାହାକିଛି ବାଟମାରଣା କଣ୍ଡକ୍ଟର ମୁହଁରୁ ବଞ୍ଚିକରି ପକେଟ୍‌ ଭିତରକୁ ଆସିଯାଇଥାଏ; ସେଇ ଚଣ୍ଡର ଚଣ୍ଡ ପରି ଗୋଟିଏ ଶୁଖିଲା ବାଇଗଣ, ଅଥବା ବଡ଼ ନଇନିତାଲୀ ଆଳୁଟାଏ ବା ସମୟ ବକତରେ ଟୁସି କଲରାରୁ କେଇପୁଞ୍ଜା । ସେତକ ସଂଗୃହୀତ ହୁଏ ଗୋଟିଏ ଜୀର୍ଣ୍ଣ, ଅପରିଷ୍କୃତ, ଖାକି ସରକାରୀ କ୍ଲିନର ପୋଷାକ ପ୍ୟାଣ୍ଟର ଗୋଡ଼ରୁ କଟା ହୋଇ ସିଲେଇ ହୋଇଥିବା ଥଳୀଟିଏ ଭିତରେ । ଏ ଥଳୀର ଟେର ପାଇବା ସବାଖିଆ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ପକ୍ଷରେ ସହଜ ନ ହେଲେ ମଧ୍ୟ ବେଳେ ବେଳେ ପଛ ସିଟରେ ବସିଥିବା ଜନତା ପ୍ୟାସେଞ୍ଜରଟିଏ, ପଥରସନ୍ଧିରେ ଲୁଚା ହୋଇଥିବା ଝିଟିପିଟିର ଅଣ୍ଡାକୁ ଗୋଟିଏ ଗୋଟିଏ ଅବିଗୁଣିଆ ପିଲା ନିରେଖି ନିରେଖି ଅନେଇ କାଠିରେ କେଞ୍ଚାକେଞ୍ଚି କଲାପରି ଆବିଷ୍କାର କରି ତାହାକୁ କୌତୂହଳବଶତଃ ଚିପାଚିପି କରେ, ଏପରି କି ଗୋଡ଼ରେ ଦଳାଦଳି କରି ପରିବାଗୁଡ଼ାକୁ କଇଁଥା କରି ନଷ୍ଟ କରିପକାଏ; କିନ୍ତୁ କେହି କେବେ ଦୁଃସ୍ଥ କ୍ଲିନରଟିର ଗୁମରକୁ ପଦାରେ ପକାଇ ଦିଅନ୍ତି ନାହିଁ । ଥରେ ଥଳୀଟିକି ଚିପାଚିପି କରିସାରିଲା ପରେ ସେମାନେ ସାଧାରଣତଃ ‘ଯାନେ ଦୋ’ ବୋଲି ମୁହଁ ବୁଲାଇ ଦିଅନ୍ତି, ଆଉ ନିଜର ଯାତ୍ରା ସରିବା ପର୍ଯ୍ୟନ୍ତ ଚୁପ୍‌ ହୋଇ ବସି ଢୁଳାନ୍ତି । କ୍ଲିନର ବିଚାରା କିଂକର୍ତ୍ତବ୍ୟବିମୂଢ଼ା ମା’ଟିଏ ପରି ଟିକିଏ ଦୂରରେ ଠିଆହୋଇ ଥରେ କଣ୍ଡକ୍ଟର ମୁହଁକୁ ଓ ଆଉଥରେ ଲୁଚିଲା ଥଳୀଟିର ଜେଗାଆଡ଼କୁ ବାଁରେଇ ବାଁରେଇ ଅନଉଥାଏ । ଜନତା-ଗାଡ଼ି ଢୁଳେଇ ଢୁଳେଇ ଗନ୍ତବ୍ୟ ସ୍ଥାନଆଡ଼କୁ ମୁହେଁଇ ଯାଏ ।

 

କିନ୍ତୁ ସେ ରାତିରେ ସେଇ ଜାତୀୟ ବସ୍‌ ସର୍ଭିସ୍‌ର ‘କଞ୍ଚୁକୀ’ ଜନତା ବସ ଆତ୍ମାଭିମାନରେ ଜଳିଜଳି ହଠାତ୍‌ ଜାତୀୟ ରାଜପଥର ଗୋଟିଏ ଅପରିଚିତ ଏପରି ସ୍ଥାନରେ ଆସି ଅଟକିଗଲା–ଯେଉଁଠି ନିତିଦିନିଆଁ ଯାତ୍ରୀ ତ ଦୂରର କଥା, ପୁରୁଣା ଡ୍ରାଇଭର ଓ କଣ୍ଡକ୍ଟରଙ୍କର ଅନେକ ବର୍ଷର ସ୍ମୃତିକାଳ ଭିତରେ କେହି କେବେ ରାସ୍ତାର ଏହି ଅଂଶରୁ ଗାଡ଼ିରେ ଉଠି ନ ଥିଲା ବା ଓହ୍ଲାଇ ନ ଥିଲା ।

 

ରାତି ବାର ବାଜିବାକୁ ଆଉ କେତେ ସେକେଣ୍ଡ ! କିଟିକିଟିଆ ଅନ୍ଧାରିଆ ସଡ଼କର ଗୋଟାଏ କଡ଼କୁ ‘ଜନତା’ କଡ଼େଇ ଆସିଲା ଓ କଣ୍ଡକ୍ଟର ଅନିଚ୍ଛାକୃତ ଗୋଟିଏ ଘଣ୍ଟିର ପାହାରରେ ଗାଡ଼ିର ଗତି ଧିମେଇ ଧିମେଇ ଶେଷକୁ ଠାଏ ଅଟକି ଠିଆ ହେଲା; କିନ୍ତୁ ସବୁଥର ବାଟପାଖ ରହଣିବେଳେ ଗାଡ଼ି ଇଞ୍ଜିନର ବ୍ରେକକୁ ଡ୍ରାଇଭର ଯେମିତି ଚିପିଦେଇ ଗାଡ଼ିକୁ କଡ଼େଇ ନିଏ ଓ କଣ୍ଡକ୍ଟର ଇସାରାରେ, କ୍ଲିନର ନା ଧରି ଡାକ ମାରେ,‘‘ହୋ ନରିପୁର ପେଣ୍ଡିବାଇଗଣ ମଉସା ! କିହୋ ଓହ୍ଲେଇବ ନାଇଁ କି ? ଜାଗ୍ରତ ! ଜାଗ୍ରତ ! ଆହେ, ନୂଆବୋହୂ କଲ ! ଦିନେ ହେଲେ ଗରମାଗରମ ବୋହୂ ପରଷା ଚାଖିଲ ନାହିଁ ? ଉଠବା ସବୁ ଥଣ୍ଡା ହୋଇଗଲା !’’ ଇତ୍ୟାଦି ପ୍ରକାରେ ଡାକମାନ ଆଉ ଶୁଣାଗଲା ନାହିଁ । ବରଂ ଅଧୀର ହୋଇ ହାତ ପାଖ ହର୍ଣ୍ଣଟାକୁ ଜୋରରେ ପଁ ପଁ କରି ଡ୍ରାଇଭର ଡାକ ମାରିଲା,‘‘ହେ ଫକୀରା ! ଆବେ ଜଲଦି କର ! ରାତି ଅଧ ହେଲା ! ଗାଡ଼ି ବୋଧେ ଆଉ ପହଞ୍ଚିବ ନାହିଁ ! ତତେ କିଏ କହିଲା–ଏ ବାଟ ପାଖ ପେସେଞ୍ଜରରୁ ଏତେ ପୂରେଇବା ପେଇଁ ! ଏଇଟା କୋଉ ଜାଗା ? କାହିଁ ଦଶବର୍ଷ ହୋଇଗଲା ଦିନେ ତ ଏଠି କେହି ଚଢ଼େ ନାହିଁ କି ଓହ୍ଲାଏ ନାହିଁ । କାହାର ମନେପଡ଼ିଗଲା ଆଜି ?’’ ବୁଢ଼ାଟିଏ, ବୁଢ଼ୀଟିଏ । ଆଗେ ଆଗେ ବୁଢ଼ୀ, ପଛେ ପଛେ ବୁଢ଼ା । ବୁଢ଼ୀ ଧରିଥାଏ ବୁଢ଼ାର ବାଡ଼ିଅଗକୁ । ବସ୍‌ଯାକ ଏଣେ ତେଣେ ଜମା ହୋଇଥାଏ ଗଣ୍ଠିଲି, ପୁଟୁଳି । ଗୋଟିଏ ଗଣ୍ଠିଲିରୁ ପାଦ ଉଠାଇଲାବେଳକୁ ଗଣ୍ଠିଲି ମାଲିକର ନିଦ ଚଂ କରି ଭାଙ୍ଗି ଯାଉଥାଏ । ଆଉ ସେ ଚିହିଙ୍କି ଉଠୁଥାଏ, ‘‘ହାଁ ହାଁ ସର୍ବନାଶ ! ଅନ୍ଧଟାଏ ନା କଅଣ ? ଗଲା ! ଏତେ କଷ୍ଟ କରି ପାଚିଲା କଦଳୀ ଫେଣାଟାଏ ଆଣିଥିଲି ଯେ, ଏଇଠି ଶିରିଣି ହେଇଗଲା ?’’

 

ଧୀରେ ଧୀରେ, ବସ୍‌ଟାଯାକର ବାଙ୍କିଲା ବେକ ସକାଳର ପଦ୍ମକଢ଼ି ସଳଖ ଡେମ୍ଫରୁ ପାଖୁଡ଼ା ମେଲିଲା ପରି ଟେକି ହୋଇଗଲା–ଆଉ ଆଖିରେ ହାତ ବୁଲାଇ ପ୍ରତ୍ୟେକ ପ୍ରତ୍ୟେକର ଗଣ୍ଠିଲିଠାରୁ ଆରମ୍ଭ କରି ହାତଘଡ଼ି ପର୍ଯ୍ୟନ୍ତ ତଦାରଖ କରି ଲାଗିଲେ ।

 

‘‘ହଁ । ଜେରା ହୁସିଆର, ହୁସିଆର, ଇସ୍‌ ଟୋକେଇମେ ଆଣ୍ଡା ହାୟ ବୁଢ଼ାବାବୁ ! ଜେରା ପୟର୍‌ ସହ୍ମାଲ୍‌ କେ !’’ ‘‘ଓଃ ! ଗାଡ଼ି ଆଉ କେତେବେଳେ ପହଞ୍ଚିବ ! ବାଟ କୋଡ଼ିଏ ମାଇଲକୁ ତିନିଘଣ୍ଟା ଲାଗି ଗଲାଣି ? ହୋ କଣ୍ଡକ୍ଟର ! ଗାଡ଼ି ଛାଡ଼ ଜଲଦି ! ମୁଁ ଆଉ ଅଫିସ୍‌ ଫାଇଲ୍‌ ଦେଖିବି କେତେବେଳେ ? ଆଉ ସକାଳୁ ଅଫିସ୍‌ କରିବି କେତେବେଳେ ?’’

 

ଇଞ୍ଜିନ୍‌ ବନେଟ୍‌ ଉପରେ ମୁଣ୍ଡକୁ ମୁଣ୍ଡ ଯୋଡ଼ି ପିରାମିଡ୍‍ ପରି ଶୋଇ ରହିଥିବା ଯୁବଶକ୍ତିଟି ମଧ୍ୟ ଏଇ ବୁଢ଼ାବୁଢ଼ୀ ବ୍ୟାପାରରେ ସାମାନ୍ୟ ହଲଚଲ ହୋଇଗଲା । ଜଣେ କଲେଜ ପିଲା ହାଇଟାଏ ମାରି ଅନ୍ୟର ପକେଟଭିତରୁ ହାତ ପୂରେଇ କିଛି ସମୟ କ’ଣ ଦରାଣ୍ଡିଲା । ତା’ପରେ ସେ ମୁହଁ ଉପରକୁ ଟେକି ଠିକ୍‌ ତା’ର ମୁଣ୍ଡ ଉପରେ ଝୁଲୁଥିବା ନରମୁଣ୍ଡମାଳିନୀ କାଳିକା ଫଟଟାର କଡ଼ରେ ବଡ଼ ନାଲି ହରଫରେ ଲେଖା ହୋଇଥିବା ‘‘ଧୂମପାନ ନିଷେଧ’’ ପଟାଟାକୁ ଅନେଇଥିବା ଅବସ୍ଥାରେ ଓଠ ଭିତରକୁ ଖଣ୍ଡେ ସିଗାରେଟ୍ ଠେସି ଦେଇ ଫର୍‌ର କରି ଦିଆସିଲି କାଠିଟାଏ ଘଷିଲା–ନୂଆ ଦିଆସିଲି ମୁଠାଟାର ତାଜା ରଞ୍ଜକରେ । ଗାଡ଼ିଟା ଭିତରେ ହଠାତ୍ ଉତ୍କଟ ଧୂଆଁରେ ପୂରି ଉଠିଲା । ସେ ଧୂଆଁରେ ବାକି ଯେତେ ଶୋଇରହିଥିଲେ ଆଖି ଫିଟାଇଲେ । ଏପରି କି କୋଳର ଛୁଆ ବି କାନ୍ଦିଉଠିଲା ।

 

ଠିକ୍‌ ଏତିକିବେଳେ ଗାଡ଼ିର କବାଟପାଖରେ ଗୋଟାଏ ଛୋଟକାଟର ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ବୁଢ଼ୀଟି ସେତେବେଳେକୁ ତଳକୁ ଓହ୍ଲାଇ ପଡ଼ିଥାଏ । ବୁଢ଼ା ଓହ୍ଲେଇବାପେଇଁ ଗୋଡ଼ ବଢ଼େଇ ପାହାଚକୁ ଠାବ କରୁଥାଏ । ଏହି ସମୟରେ ହଠାତ୍‌ ଗାଡ଼ିର କ୍ଲିନର ବୁଢ଼ା ଉପରକୁ ଝାମ୍ପଟାଏ ମାରିଲା । ଏ ଅସମୟ ଆକ୍ରମଣପାଇଁ ଅନ୍ଧ ବୁଢ଼ାଲୋକଟି ପ୍ରସ୍ତୁତ ନ ଥିଲା । ସେ ଟଳିପଡ଼ିଲା । ଅବଶ୍ୟ ପୂରାପୂରି ତଳେ ପଡ଼ିଗଲା ନାହିଁ । ଅଣ୍ଡାବାଲା, କଦଳୀବାଲା ଏପରି କି ପିନ୍‌ପିନ୍ ସୁଟ୍‌ ପିନ୍ଧା ଜଣେ ଦି’ଜଣ ଯୁବକ, ଯେଉଁମାନେ କି ଭିଡ଼ ଭିତରେ ଥାଇ ମଧ୍ୟ ନିଜ ଦେହକୁ ଏପରି ସଂକୋଚି ନେଇଥିଲେ ଯେ, ଅନ୍ୟ ଲୋକର ଉଡ଼ନ୍ତା ଫେର ବି ତାଙ୍କ ପୋଷାକର ସତୀତ୍ୱକୁ ସ୍ପର୍ଶ କରିପାରୁନଥିଲା, ସେମାନେ ବି ଆତ୍ମରକ୍ଷାର ଅଭ୍ୟାସବଶତଃ ବୁଢ଼ାକୁ ଟେକି ଧଇଲେ ।

 

କିନ୍ତୁ ତା’ର ପରେ ପରେ ଆରମ୍ଭ ହୋଇଗଲା ସମ୍ମିଳିତ ଆକ୍ରମଣ । ପ୍ରଥମେ କ୍ଲିନର ଆରମ୍ଭ କଲା–‘‘ଦେଖ ହେ ! ଏ ଲୋକଟା କୁଆଡ଼େ ଅନ୍ଧ ! ହେଇଟି ଦେଖନ୍ତୁ ଆଜ୍ଞା, ମୋ ଥଳୀଟାକୁ କୋଉ ଖଞ୍ଜରେ ନେଇ ଛୁ କରୁଥିଲା । ଆଉ ଟିକେକେ ତ ଯାଇଥାନ୍ତା ! ବାଇଗଣ କିଲୋ ଦେଢ଼ଟଙ୍କା ହେଲାଣି ଆଜ୍ଞା ! ଦୋଟି ବାଇଗଣ କିଣି ପକେଇଥେଲି ଏ ଥଳୀରେ । ଚୋରଙ୍କର ନିଘା ପୁଣି ଏ ବାଇଗଣ ଦି’ଟାକୁ ହୋ ! ଓହୋ କି ଯୁଗ ହେଲା ଏ ! ହା ଧରମ !’’

 

ଗାଡ଼ିର ଗାଡ଼ିଏ ପାସେଞ୍ଜର ଆଉ ଡ୍ରାଇଭର, କଣ୍ଡକ୍ଟର ହେଇ ଷାଠିଏ ସତୁରି ଲୋକ ହଠାତ୍‌ ମହୁମାଛି ପରି ଭଁଭଁ କରିଉଠିଲେ । କରିନଥାନ୍ତେ; କିନ୍ତୁ କ୍ଲିନରର ସେଇ ଶେଷ ‘ଧରମ’ ଡାକଟା ସେମାନଙ୍କୁ ଉତ୍ତିଷ୍ଠତ, ଜାଗ୍ରତ ! ...ଡାକ ଭଳି ଚମକେଇ ଦେଲା । ପୁଣି ଚୋର, ଅନ୍ଧ, ବାଇଗଣ, କ୍ଲିନର ପ୍ରଭୃତି ଶବ୍ଦମାନଙ୍କର ପୃଷ୍ଠଭୂମିରେ ସେଇ ଅବେଳାର ଡାକଟା–ଅଡ଼ୁଆ ବାଳରେ ପେଷା ହୋଇଥିବା ବୀର ପରି ଶୋଇଥିବା ନିର୍ଦ୍ଦୋଷ ଲୋକର ଗାଲ ପିଠିରେ ଅଚାନକଗୁଡ଼ାଏ ବିଧାଚାପୁଡ଼ା ବର୍ଷିଗଲା । ଜଣେ କିଏ ଡରିଲା ସ୍ୱରରେ କହିଲା–‘‘ମୋର ମନେ ହଉଚି ଏଇଟା ନିଶ୍ଚୟ ପାକିସ୍ଥାନୀ ଗୁପ୍ତଚର ! ନଚେତ୍ ଏ ଅପନ୍ତରାରେ, ଅନ୍ଧାରଟାରେ ଓହ୍ଲାଇ ଯିବ କୁଆଡ଼େ ଏ ଅନ୍ଧ ?’’

 

ଇଞ୍ଜିନ୍‌ର ବନେଟ୍‌ ଉପରେ ବସିଥିବା ପିରାମିଡ୍‍ ଚହଲି ଗଲା । ଦୀର୍ଘଦିନ ଧରି ଏକ ପିରାମିଡ୍‍ ଭିତରେ ଅଞ୍ଜନ ମଖା ହୋଇପଡ଼ିଥିବା ‘ମମି’ ଲାଗ୍ ଲାଗ୍ ତିନିଟା ହାଇ ମାରିଲା ।

 

ସେଗୁଡ଼ିକ ଥାଏ ଭାରତ-ପାକସ୍ଥାନର ଚାରିଦିନିଆ ଘମାଘୋଟ ଯୁଦ୍ଧ ପରବର୍ତ୍ତୀ ଦିନଗୁଡ଼ିକ । ଯୁଦ୍ଧ ସରି ଯାଇଥାଏ । ପୋଲ ଆଉ ଘାଟି ଜେଗାମାନଙ୍କରୁ ପୁଲିସ ପହରା ଧୀରେ ଧୀରେ ଅପସରୁ ଥାଏ; କିନ୍ତୁ ଖବରକାଗଜ ଓ ରେଡ଼ିଓରୁ ତେଲ ସରସର ମସାଲ ନିଆଁରୁ ଥପ ଥପ ହୋଇ ଗଳି ପଡ଼ୁଥିବା ନିଆଁ ଝୁଲପରି, ଜାତୀୟତାର ଝୁଲ ସବୁ ଖସୁଥାନ୍ତି ପ୍ରବଳ ପରିମାଣରେ ।

 

‘‘ହିନ୍ଦୁ ଜାତିର ମା’ ବାପ ନାଇଁ । ଅନ୍ୟ କେହି ଜାତି ହେଇଥିଲେ ଏଇଲେ ଦେଖିଥାନ୍ତ । ଏଇଲେ ପାକିସ୍ଥାନ ଭିତରକୁ ନିରୀହ ଅନ୍ଧ ଭାରତୀୟଟିଏ ପଶିଯାଉନା ଦେଖି, ତା’ ପିଠିରୁ ଚୋପା ଛଡ଼େଇ ଦେଇନଥାନ୍ତେ !’’

 

ପାସେଞ୍ଜରମାନଙ୍କ ଭିତରେ ଏଣେ ଏହିପରି ଖୁରି ଖୁଆଖୋଇ ଚାଲୁଥିବାବେଳେ ତେଣେ ବାହାରେ ଏକ ଅଭୂତପୂର୍ବ କାଣ୍ଡ ଘଟିଗଲା । ପଇସା–ଅଇଁଠା ହାତରେ ଠୋ କରି ଗୋଟାଏ ଚାପୁଡ଼ା କସି ଦେଇ କଣ୍ଡକ୍ଟର ପାଟିକରି ଉଠିଲା, ‘‘ଆଜ୍ଞା ! କଦାପି ଅନ୍ଧ ନୁହେଁ । ଏ ଲୋକ ଅନ୍ଧାରରେ ବି ପଢ଼ିପାରୁଛି ଆଜ୍ଞା ।’’

 

ତତ୍‌କ୍ଷାଣାତ୍‌ ଜାତୀୟ ଜନତା ବସରେ ଖୁନ୍ଦା ହୋଇଥିବା ଜନତାର ମୁଣ୍ଡ ଚତରେଇ ଯାଇ ଏକ ସହସ୍ର ଫଣାରେ ଉଭାରି ଉଠିଲା ଓ ବସ୍‌ର ଏକମାତ୍ର କବାଟ ବାଟେ ପିଚିକି ପଡ଼ୁପଡ଼ୁ ଅଜାଣତରେ ଆପଣା ଦେହକୁ ହିଁ ଆପେ ଗୁଡ଼ାଏ ଦଂଶି ପକେଇଲା । ସବୁରି ଆଗରେ ଥିଲେ କଲେଜ ପିଲାଏ । କଣ୍ଡକ୍ଟରର ଚାପୁଡ଼ାର ‘ଠୋ’ ଶବ୍ଦଠାରେ ସେମାନେ ପ୍ରଥମେ ଛିଟିକି ପଡ଼ିଲେ–ତୁଳାଭିଣାର ଦଉଡ଼ି ଉପରେ ଲାଗିଯାଇଥିବା ତୁଳାମେଞ୍ଚାଟା ଭିଣାର ପ୍ରଥମ ଟଂ କାରରେ ଛିଡ଼ିକି ପଡ଼ିଲାପରି ।

 

ବୁଢ଼ା ଲୋକଟା ତଳେ ଗଳି ପଡ଼ିଲା ପର୍ଯ୍ୟନ୍ତ ସ୍ପଷ୍ଟଭାବେ ଉଚ୍ଚାରଣ କରି କହୁଥାଏ, ‘‘ମୁଁ ଗୁପ୍ତଚର ନୁହେଁ ଆଜ୍ଞାମାନେ, ମୁଁ ଅନ୍ଧ ! ମୁଁ ସୁର ଦାସ ! ମୋ ଘର ଏଇଠି ବାବାମାନେ ! ମୁଁ ଭାରତୀୟ ! ଓଡ଼ିଆ ମୁଁ ବାବା ! ଜଗନ୍ନାଥ ଜଣାଣ ମତେ ଜଣା ବାବୁ !’’

 

ଜଣେ କିଏ ତା’ର ଆଣ୍ଠୁ ନ ଲୁଚା ଧୋତିର ଖୋସଣି ଦରାଣ୍ଡି ଆଣୁ ଆଣୁ କହିଲା, ‘‘ହୁଃ-! ସୁରଦାସ ନା ? ଖୋସଣିରେ ସେଇ କାଗଜଟା କଅଣ ? ତୁ ତ ଅନ୍ଧ, କାଗଜ କଅଣ କରୁ ! ଗୁପ୍ତ ତଥ୍ୟ–ନାହିଁ ?’’

 

‘‘ଗୁପ୍ତ ତଥ୍ୟ ନୁହେଁ ଆଜ୍ଞା–ପ୍ରଶଂସାପାତ୍ର–ଏଇ ସନ୍ଧ୍ୟାରେ ପାଇଚି ଆଜ୍ଞା ମନ୍ତ୍ରୀଙ୍କ ଠୁଁ ! ଚିରନ୍ତୁ ନାଇଁ ହଜୁର ।’’

 

‘‘ମନ୍ତ୍ରୀଙ୍କଠୁଁ ! ?’’ ବୁଢ଼ାର ଖୋସଣି ଫିଟୋଉଥିବା ଲୋକଟି ହଠାତ୍‌ ଠୋ, ଠୋ ହସି ଉଠିଲା ଓ ସେଇ ହସରେ ହସରେ କହିଲା–

 

‘‘ଶୁଣନ୍ତୁ ! ଏ କୁଆଡ଼େ ପୁଣି ମନ୍ତ୍ରୀଙ୍କଠୁ ପ୍ରଶଂସାପତ୍ର ପାଇଚି ! ହଇଓ ! ତୁମେପରା ଏଇଲେ ଏ ଗରିବ କ୍ଲିନରଟାର ପରିବାଥଳୀଟାକୁ ଚୋରାଉ ଥିଲ?’’

 

ମାଡ଼ ଖାଇ ତଳେ ପଡ଼ିଯାଇଥିବା ବୁଢ଼ାଟିକୁ ଆଉଁଷି ଦଉ ଦଉ ବୁଢ଼ୀଟି ହଠାତ୍ ବାହୁନି ଉଠିଲା–

 

‘‘ପର ଆପଣା ଜାଣେ ନାଇଁ ଗୋ ! ତାକୁ ଏତେସରି କରିଦେଲ...’’

 

‘‘ପର ଆପଣା ଜାଣେ ନାହିଁ ? ହୁଁ ! ଅନ୍ୟର ବାଇଗଣ ଆଳୁକୁ ତ ବେଶ୍‌ ଚିହ୍ନେ ! ମୁଁ ଟିକିଟି ଦେଲାବେଳେ କେମିତି କହିଲା–ଏଇଟା ମୋ ଟିକଟ ନୁହେଁ ବାବୁ ! ଏଥେରେ ଅମୁକ ନାଇଁ-ସମୁକ ନେଖା ହେଇଚି ! ମୋଠୁ ଯୋଉ ପଇସା ନେଲ ସେଇ ପଇସାର ଟିକଟ ଦିଅ । ସେତେବେଳେ ତ ଆଖିକୁ ବେଶ୍‌ ଦିଶିଲା । ପର ଆପଣା ଜ୍ଞାନ ସେତେବେଳକୁ ଥିଲା କେଉଁଠି ?’’ କଣ୍ଡକ୍ଟର ବୀରଦର୍ପରେ ଆପଣା ଜାଗାରେ ବସିପଡ଼ି ପୁଣି ଲାଗ୍‌ ଲାଗ୍‌ ଦୁଇଟା ଘଣ୍ଟି କସିଦେଲା । ଡ୍ରାଇଭର ବାରମ୍ବାର ହର୍ଣ୍ଣ ଚିପିଲା ଓ ଲୋକେ ଗାଡ଼ିରେ ପଶୁ ନ ପଶୁଣୁ ଗାଡ଼ି ଗଡ଼େଇ ଦେଲା–କ୍ଲିନରର ‘ରାଇଟ୍‌’ ଶବ୍ଦକୁ ଆଉ ଅପେକ୍ଷା ନ କରି ।

 

ଜାତୀୟ ବସ୍‌ ସର୍ଭିସ୍‌ର ଜନତାଗାଡ଼ିର ଘୁମନ୍ତ ଯାତ୍ରୀ–ଜନତାର ଆଖିରୁ ନିଦ ତଥାପି ମରି ନ ଥାଏ । ରାତିଅଧରେ ଅଝଟ ଧରୁଥିବା ଛୁଆକୁ ଖୁନ୍ଦାଏ ପକେଇ ଥନଟାକୁ ତା’ ମୁହଁରେ ଗୁଞ୍ଜିଦେଇ ମା’ ଶୋଇ ଗଲାପରି ଯାତ୍ରୀ ପୁଣି ଶୋଇଗଲେ । ବାହାରୁ ଶିରିଶିରି ହୋଇ ଭାରି କୋହଲା ଅଦିନିଆଁ ଜାଡ଼ ପବନ ପଶିଆସିଲା । କ୍ଲିନର ଗୋଟି ଗୋଟି କରି ସବୁ ଝରକାର ପରଦା ଖସେଇ ଦେଲା । ଅଠର ମାଇଲକୁ ଚାରିଘଣ୍ଟାରେ ମଧ୍ୟ ଅତିକ୍ରମ ନ କରି ପାରିଥିବା ଜନତା ଗାଡ଼ି ପକ୍ଷୀରାଜ ପରି ଗତି ପକଡ଼ି ନେଲା ।

 

ହଠାତ୍ ଇଞ୍ଜିନ୍‌ର ଗର୍ଜନ ଟପି ଗୋଟାଏ ସରୁଆ ଅଥଚ ବର୍ଚ୍ଛାପରି ସ୍ୱର ଜନତାକୁ ପୁଣି ଅତର୍ଚ୍ଛ କଲା । ଏଥର ଅନ୍ଧ ଫନ୍ଧ ବା ବୁଢ଼ାବୁଢ଼ୀ ବ୍ୟାପାର ନୁହେଁ । ବନେଟ୍ ଉପରେ ନରମୁଣ୍ଡମାଳିନୀ ମା’ କାଳିକାର ମୂର୍ତ୍ତି ତଳେ ‘‘ଧୂମପାନ ନିଷେଧ’’ ପଟାଟାକୁ ଖତେଇ ହେଇ ସିଗ୍ରେଟ୍‌ ଖାଉଥିବା ସେଇ ସରୁଆ ଡାହୁକିଆ କଲେଜ ପିଲାଟା ! ତା’ର ଅନ୍ୟ ଦୁଇଟି ସାଙ୍ଗ ସେତେବେଳକୁ ନୀରବରେ ଖବରକାଗଜ ପୃଷ୍ଠା ଭିତରେ ମୁହଁ ପୂରେଇ ଦେଲେଣି–‘‘ଓଟପକ୍ଷୀ ଓ ଝଡ଼’’ର ନ୍ୟାୟରେ ହୁଏତ ।

 

‘‘ବନ୍ଦ କର ! ଗାଡ଼ି ବନ୍ଦ କର ! ମୁଁ କହୁଛି ବନ୍ଦ କର୍‌ ! ଏ ଯଦି ଠିକ୍‌ ଧର୍ମ ଡଙ୍ଗା ହୋଇଥାଏ, ତେବେ ବନ୍ଦ କର୍ ! ନଚେତ୍‌ ଓଲଟିଯିବ ଏହିକ୍ଷଣି ଏ ଗାଡ଼ି, ମୁଁ କହୁଛି !’’

 

ଡ୍ରାଇଭର ତଥାପି ଗାଡ଼ିର ଗତି ବଢ଼ାଉଥାଏ । ସେ କେବଳ ବୁଲି କରି ଥରେ ଗର୍ଜୁଥିବା ସ୍ୱରର ଅନେଇଦେଲା । ତା’ପରେ କ’ଣ ଭାବିଲା କେଜାଣି, ସେ ଆକ୍‌ସିଲେଟ୍‌ର ଚିପି ଗାଡ଼ିର ଗତି ଦ୍ୱିଗୁଣ କରିଦେଲା ।

 

‘‘ଶୁଣ ! ତୁମେ ମୋତେ ଚିହ୍ନିନାହଁ ! ଦେଖ ଦେଖ, ମୁଁ କିଏ !’’ ତା’ପରେ ସତେ ଯେପରି ଟିକିଏ ପୂର୍ବରୁ ଜନତାର ଘୃଣା ଓ କ୍ରୋଧର ଶିକାର ହୋଇଥିବା ଅନ୍ଧ ସୁରଦାସର ପ୍ରତିକ୍ରିୟା, ଭୂତ ହୋଇ ଝରକାର ପରଦାମାନଙ୍କୁ ରାମ୍ପୁଡ଼ି ଭିଣିଭିଣା କରି ବସ୍‌ ଭିତରକୁ ପଶି ଆସିଲା, ସେହିପରି କଲେଜ ପିଲାଟା ହଠାତ୍‌ ତା’ ବାଁ ହାତର ଖବର କାଗଜଟାକୁ ଭଡ଼୍‍ ଭାଡ଼୍‍ କରି ମକଚି ଫୋପାଡ଼ି ଦେଇ ଡାହଣ ହାତଟାକୁ ଉଞ୍ଚାକରି, ଛୁଟନ୍ତ ବସ୍‌ର ଇଞ୍ଜିନ ବନେଟ୍‍ ଉପରକୁ କୁଦି ପଡ଼ିଲା–

‘‘ଅନାଅଁ, ଅନାଅଁ, ହେଇ ଦେଖ ! ଏଇ ମୋ ହାତକୁ ଦେଖ ! ଏଇ ଟିକଟ ! ଆଉ ସମସ୍ତଙ୍କୁ ଅନୁରୋଧ, ଭାଇମାନେ ଆପଣମାନେ ନିଜ ନିଜର ଟିକଟ ଯଦି କାଟିଛନ୍ତି, ତେବେ ପକେଟରୁ ବାହାର କରି ଏହିପରି ହାତରେ ଧରନ୍ତୁ, ଆଉ ଉପରକୁ ଟେକି ହଲାନ୍ତୁ–ଯେପରି ଆସେମ୍ୱ୍ଳିରେ ସରକାରୀ ବିଲ୍‌ ଉପରେ ଭୋଟ ନିଆଗଲାବେଳେ ଟ୍ରେଜେରୀ ବେଞ୍ଚର ଲୋକେ ହାତ ଟେକନ୍ତି–କେବଳ ସେତିକି ନୁହେଁ, ଭାଇମାନେ, ତଥାପି ଯଦି ଆପଣମାନଙ୍କର ସଂଖ୍ୟାଗରିଷ୍ଠତା ନ ହୁଏ, ତଥାପି ଦୁଃଖିତ ହୁଅନ୍ତୁ ନାହିଁ । ବର୍ତ୍ତମାନ ଏପରି କରନ୍ତୁ !’’

ବାଇଗଣ ଚୋର ଅନ୍ଧ ବୁଢ଼ାଟିର ମୁହଁରେ ନିର୍ଘାତ ପାହାର ବଜେଇବାରେ ଅଗ୍ରଣୀ ହୋଇଥିବା ଏହି ତରୁଣଟି କଠୋର ପଶ୍ଚାତ୍ତାପ ଓ ଆତ୍ମବିଦ୍ରୋହରେ ସେତେବେଳେକୁ ତତଲା କଡ଼େଇ ଭିତରର ବାଇଗଣ କସିପରି ନିଶ୍ଚୟ ସନ୍ତୁଳି ହୋଇସାରିଥିଲା । ଆଖି ପିଛୁଳାକ ଭିତରେ ସେ ତଳକୁ ନଇଁପଡ଼ିଲା ଓ ଗୋଟାଏ ଗୁଣ-ଭଗ୍ନ ଧନୁପରି ପଚ୍‌କରି ସିଧା ହୋଇଯାଇ ପଛକୁ ବାଙ୍କିଗଲା । ଧନୁଷ୍ଟଙ୍କାରଗ୍ରସ୍ତ ମେରୁଦଣ୍ଡ ଉପରୁ ତା’ର ମୁହଁଟା ଗୋଟାଏ ମଧ୍ୟାହ୍ନର ସୂର୍ଯ୍ୟମୁଖୀ ଫୁଲପରି ଚକା ହୋଇ ଉପରକୁ ଫୁଟି ଉଠିଲା । ମୁହଁ ଉପରେ ତା’ର ନରମୁଣ୍ଡମାଳିନୀ ମା’ କାଳିକାର ମୂର୍ତ୍ତିଟି ଧୂମହୀନ ପରିଚ୍ଛନ୍ନତା ଭିତରୁ ନାଲି ଜିଭଟାକୁ କାଢ଼ି ମୁହୂର୍ତ୍ତେ ଯେପରି ନାଚିଉଠିଲେ । ଆଉ, ସେହି ମୁହୂର୍ତ୍ତର ସଙ୍ଗମ ଭିତରେ ତରୁଣ ସୂର୍ଯ୍ୟମୁଖୀଟିର ପାଖୁଡ଼ାଗୁଡ଼ିକର ହଳଦିଆ ସତେଯେପରି ସୂର୍ଯ୍ୟର ହଳଦିଆ ସହିତ ମିଶି ଏକାକାର ହୋଇଗଲା ।

ପାଖରେ ବସିଥିବା ସାଙ୍ଗପିଲା ମୁହଁର ଜଳନ୍ତା ସିଗାରେଟ୍‌ର ନିଆଁରୁ ନାଲି ନାଲି ଝୁଲଗୁଡ଼ାକ ଟୋକାଟାର ଦୁଇ ଆଖିରୁ ସତେକି ଝର ଝର ହୋଇ ଝରିଗଲା । ଗୋଟାଏ ଦିହବୁଲା ଫୁରୁକୁଟିଆ ଗନ୍ଧ ନିବୁଜ ବସ୍‌ ଭିତରେ ଅଇଣ୍ଡେଇ ଗଲା । ବସ୍‌ର ପୂର୍ଣ୍ଣ ଦୁଇ ବେଞ୍ଚ ମହିଳାମାନେ ଚିତ୍କାର କରିଉଠିଲେ । ସେ କିନ୍ତୁ ସେମିତି ବେକଭାଙ୍ଗି, ଉପରକୁ ମୁହଁ କରି ଠିଆ ହୋଇଥାଏ । ତା’ର ବକ୍ତବ୍ୟ ତଥାପି ଶେଷ ହୋଇନଥାଏ ।

‘‘ବର୍ତ୍ତମାନ, ଏହିପରି ଦେଖନ୍ତୁ !’’ ମୁହଁକୁ ଆଉ ତଳକୁ ନ କରି ଆଖିର ଖୋପ ଦୁଇଟାକୁ ସାବଧାନତାର ସହିତ ଉପରକୁ ଟେକି ଧରି ବନେଟ୍‍ ଉପରେ ପୂର୍ବପରି ନାଚୁଥାଏ ସେ–ସତେ ଯେମିତି କୁନି ପାଟିରେ ପାଟିଏ ଅମୃତନେଇ ଶିଶୁଟିଏ ତାକୁ ଏ କଳରୁ ସେ କଳ ଦେଇ ଆସ୍ୱାଦୁ ଥାଏ ।

‘‘ଆପଣଙ୍କର ଟିକେଟ୍‌ଗୁଡ଼ିକରେ ଲେଖାଥିବା ଅକ୍ଷରଗୁଡ଼ିକୁ ଏହିପରି ପାଠ କରନ୍ତୁ, ଭାଇମାନେ ! ଆପଣଙ୍କୁ ଭଗବାନଙ୍କ ଦ୍ୱାହି, ଯେଉଁ ସତ୍ୟ ଆଖି ଥିଲା ମଣିଷ ମୁହଁକୁ ବାଇଗଣ ଆଉ ଆଳୁ ହୋଇ ଜଳ ଜଳ କରି ଅନାଏ, ସେହି ସତ୍ୟର ଦ୍ୱାହି–ସେହି ସତ୍ୟର ଦ୍ୱାହି; ଆପଣ ଦେଖନ୍ତୁ–ଅନ୍ତତଃ ଆଖିବୁଜି ଆପଣଙ୍କର ଟିକଟଗୁଡ଼ିକର ପଛପଟେ ମୁନିଆ ପେନ୍‌ସିଲର ଚିହ୍ନକୁ ଆଙ୍ଗୁଠିରେ-ଅନ୍ଧ-ବିଦ୍ୟାଳୟର ଅକ୍ଷରପରି ପଢ଼ନ୍ତୁ । ଆଉ ସତ କହନ୍ତୁ–କଅଣ ଲେଖା ହେଇଛି ? ଆପଣମାନେ ଯେଉଁ ଲକ୍ଷ୍ୟସ୍ଥଳକୁ ମୁହଁକରି ଏ ଧର୍ମ ଡଙ୍ଗାରେ ବସିଛନ୍ତି–ଏ ଟିକେଟ୍‍ ତା’ର ବିପରୀତ ଦିଗର ଟିକେଟ୍‍ କି ନା ସତ କରି କହନ୍ତୁ । ଆଉ ଯଦି ସେଇଆ ହୋଇଥାଏ–ଭାଇମାନେ-! ଆପଣମାନଙ୍କୁ ଧର୍ମର ଦ୍ୱାହି, ପିତୃପୁରୁଷଙ୍କର ଦ୍ୱାହି, କ୍ଷମା କରିବେ ପିତୃପୁରୁଷଙ୍କର ନାମ ମୁଁ ନେଉଛି–କାରଣ ଆପଣମାନେ ଦେଖିପାରିଲେ ନାହିଁ, ଭାଇମାନେ, ବର୍ତ୍ତମାନ ମୁଁ ଦେଖୁଛି ଆଖିରେ ନିଆଁ ଗୁଞ୍ଜିସାରିଲାପରେ ଯାଇ ମୁଁ ଦେଖିପାରୁଛି ସେ ମୁହଁକୁ–କ୍ଷମା କରିବେ–ମୁହଁ ନୁହେଁ ବନ୍ଧୁଗଣ; ତାହା ହେଉଛି ସେଇ ପିଠି ପଟଟାର ଦୃଶ୍ୟ–ମହାଭୟଙ୍କର ପିଠିର ଦୃଶ୍ୟ–ଯେଉଁ ପିଠି ଦେଖାଇ ସେ ଏ ବସ୍‌ରୁ ଓହ୍ଲାଇଗଲେ । ଓଃ, ଆପଣମାନେ ଦେଖିପାରୁ ନାହାନ୍ତି । ମୁଁ କିନ୍ତୁ ଠିକ୍‌ ଦେଖିପାରୁଛି, ସେଇ ଇତିହାସର ପିଠିକୁ ! ଭାଇମାନେ ! ମତେ ବିଶ୍ୱାସ କରନ୍ତୁ, ସେ ଅନ୍ଧ ଆଉ ଅନ୍ଧୁଣୀ–ମଣିଷ ନୁହନ୍ତି, ସେ ଦୁହେଁ ଇତିହାସ । ଏ ଦେଶର ଇତିହାସ । ମଣିଷଜାତିର ଇତିହାସ । ଯାହାକୁ ଗୋରାମାନେ ଠେଲି ଦେଇଥିଲେ ସେଦିନ ଶୀତରାତିରେ, ଆଉ ଯେ ପରେ ତା’ର ଭୟଙ୍କର ପିଠିଟାକୁ ଆମଆଡ଼କୁ କରି ଏକଲା ଚାଲିଗଲା–ସତ୍ୟ ପ୍ରତି ଆଗ୍ରହ ଦେଖାଇ । ଓଃ, ସେ ଫଟଟା ମୋ ପଢ଼ା ଘର କାନ୍ଥରେ କିଏ କାହିଁକି ଟାଙ୍ଗିଥିଲାରେ ।’’

ଭାରତ ପାକିସ୍ଥାନ ଯୁଦ୍ଧର ପରବର୍ତ୍ତୀ ସେହି ଉଗ୍ର ଜାତୀୟତା ଓ ଜନ୍ମଭୂମିର ଡାକରା ଜାତୀୟ ଜନତା ବସ୍‌ର ପ୍ରତ୍ୟେକ ଟିକେଟ୍‍ବାଲା ବା ବେଗର୍ ଟିକେଟ୍‍ବାଲା ଯାତ୍ରୀର କାନକୁ, ଗୋଟିଏ ଫାଶୀଖୁଣ୍ଟଆଡ଼କୁ ନିଆ ଯାଉଥିବା ଗେହ୍ଲା ପୁଅ, ବାଟକଡ଼ରେ ଠିଆ ହୋଇ ବାହୁନୁଥିବା ଜନ୍ମକଲା ମା’ କାନରେ କଥାଟିଏ କହିବାକୁ ଅନୁମତି ମାଗି ରଟ୍ କରି କାମୁଡ଼ି ଖାଇ ଦେଲା ପରି, ଖାଇଦେଲା । ଚକ୍ଷୁହୀନ ଜନତା ବର୍ତ୍ତମାନ କର୍ଣ୍ଣହୀନ ଆଉ ମୂକ ପିଲାଟି ଗଲା ।

ନିଜର ବକ୍ତବ୍ୟ ଶେଷ କରି ଇଞ୍ଜିନ୍‌ର ବନେଟ୍‌ ଉପରେ ନାଚୁଥିବା ରାତିର କାଳିସୀଟି ଥପ୍ କରି ତଳେ, ଡ୍ରାଇଭର ପାଖରେ ଖସିପଡ଼ିଲା ।

ଯୁଦ୍ଧକ୍ଷେତ୍ରରେ ଘୋଡ଼ାପିଠିରୁ କ୍ଷେତ୍ରୀ ହଠାତ୍ ଢଳିପଡ଼ିଲେ, ଘୋଡ଼ାଟା ଯେପରି ଇତସ୍ତତଃ ହୋଇଯାଏ ଓ ଅଜ୍ଞାତ ଆଶଙ୍କାରେ ହ୍ରେସାରବ କରି ଉପରକୁ ଗୋଡ଼ ଟେକି ଠିଆ ହୋଇପଡ଼େ, ଡ୍ରାଇଭରର ସମସ୍ତ କର୍ତ୍ତୃତ୍ୱସତ୍ତ୍ୱେ ଜାତୀୟ ଜନତା ବସ୍‌ଟା ତା’ର ପଛ ଚକ ଉପରେ ଠିଆ ହୋଇପଡ଼ିଲା ଓ କିଛିକ୍ଷଣ ପାଇଁ ଗୋଟାଏ ଅନ୍ଧ ମଣିଷ ଅଣ୍ଡାଳି ହେଲା ପରି ଜାତୀୟ ରାଜପଥକୁ ଅଣ୍ଡାଳି ପକାଇଲା ।

 

ପରଦିନ ସକାଳେ ଯାହା ଦେଖାଗଲା, ତାହା ଆହୁରି ଇଙ୍ଗିତମୟ । ଯେଉଁ ଦୁର୍ଘଟଣାରେ ଜାତୀୟ ପରିବହନସଂସ୍ଥାର ଅତିକାୟ ଲେଲାଣ୍ଡ ‘ଜନତା’ ବସ୍‌ଟି ଆକ୍ରାନ୍ତ ହୋଇପଡ଼ିଥିଲା, ତାହା ପ୍ରକୃତରେ ଏକାଧିକ ଦୁର୍ଘଟଣାର ଏକ ପ୍ରଳୟଙ୍କରୀ ଦୃଶ୍ୟ ଥିଲା । କାରଣ ସେ ରାତିରେ, ଘଟଣାକ୍ରମେ ଅନ୍ଧ ଆଉ ବଧିର ଯାତ୍ରୀମାନଙ୍କୁ ପିଠିରେ ଧରି ଜନତା ଗାଡ଼ିଟି ଯେଇଁ ଦିଗରେ ଗତି କରୁଥିଲା, ତା’ର ବିପରୀତ ଦିଗରୁ କିଛି ତୀର୍ଥଯାତ୍ରୀଙ୍କୁ ପିଠିରେ ଧରି ଗୋଟିଏ ଅତିପୁରୁଣା ଓ ରାସ୍ତା ପରମିଟ୍ ନ ଥିବା ପ୍ରାଇଭେଟ୍ ଭଡ଼ାଗାଡ଼ି ରାତିଆ ଟ୍ରିପ୍ କରୁଥିଲା । ବିଶେଷଜ୍ଞମାନଙ୍କ ମତରେ ଡ୍ରାଇଭରମାନଙ୍କର ସମସ୍ତ ସତର୍କତାସତ୍ତ୍ୱେ ହଳେ ଅଣ୍ଡିରା ମାଈ ପଶୁ ପରି ଗାଡ଼ିଦୁଇଟା ପରସ୍ପର ଆଡ଼କୁ ଆକୃଷ୍ଟ ହେଲେ । ଡ୍ରାଇଭରମାନେ ଯଥାସମୟରେ ବ୍ରେକ୍‌ ଦେଇଥିଲେ; କିନ୍ତୁ ଗାଡ଼ି ଦୁଇଟି ମୁହୂର୍ତ୍ତକ ମଧ୍ୟରେ ପରସ୍ପର ଆଲିଙ୍ଗନ ଭିତରେ ଛନ୍ଦି ହୋଇଗଲେ ।

 

ଝଙ୍କାର ୧୯୬୭, ଅଗଷ୍ଟ

Image

 

Unknown

ନକ୍‌ସଲାଇଟ

 

‘‘ଆନନ୍ଦଂ.....ଆନନ୍ଦଂ.....’’

 

ନାକରେ ତା’ର ଗାମୁଛା ବନ୍ଧା ଚାଲିଥାଏ । ସରଳ ଶବ୍ଦରେ ଅନୁସ୍ୱାର ଲାଗି ଆପଣା ଛାଏଁ ତୁଣ୍ଡର ଭାଷା ସଂସ୍କୃତ ପାଲଟୁ ଥାଏ ।

 

‘‘ଖବରଦାର୍ ! ଶୁଙ୍ଘିବୁ ନାଇ ଆଦୌ ଯେତେ ବାସ୍ନା ହେଲେ ବି ! ଗଧ ପିଠିରେ ଚନ୍ଦନ ବୋହିଲାଭଳି ତୁ ୟାକୁ ଖାଲି ବୋହିବୁ–ଶୁଙ୍ଘିପାରିବୁ ନାଇଁ ।

 

‘‘ପିଠିରେ ବୋହିବି–ଶୁଙ୍ଘି ପାରିବି ନାଇଁ ?’’

 

‘‘ଶୁଉଂଘୁ–ଶୁଙ୍ଘୁନୁ–ମରିବୁ ଯେ !’’

 

ମୃତ୍ୟୁର ଭୟକୁ ଗୋଟିଏ ଡାକଟିକଟ ପରି ଲୋକଟିର ମନ ଉପରେ ଲଖେଇ ଦେଲା ପରେ ଦ୍ୱିତୀୟ ଲୋକଟି ଆଉଥରେ ହାତ ଉଠେଇଲା–ଟିକଟ ଉପରେ ମୋହରଟି ପିଟିବା ପାଇଁ ସତେକି, ଆଉ ପୂର୍ବର ସ୍ୱର ସଂଯମ ରକ୍ଷା କରି କହିଲା–

 

‘‘କେବଳ ତୁ ମରିବୁ ନାଇଁ–ସମସ୍ତେ ମରିବେ–ଏ ପୃଥିବୀରୁ ସମସ୍ତେ ଦିନେ ମରିଯିବେ-। କେହି ତ୍ରାହି ପାଇବେ ନାଇଁ–ଯୋଉ ବେଳ ଆଗକୁ ଆସୁଚି ।’’

 

କୃଷି ସମ୍ପ୍ରସାରଣ ଅଫିସ୍ ବାଡ଼ିପଟେ ନୂଆକରି ଖୋଲିଥିବା ତାଲିମ କେନ୍ଦ୍ରରେ ଚାଷୀମାନଙ୍କୁ ଉନ୍ନତ ବିହନ, ରାସାୟନିକ ସାର ଓ ପୋକମରା ଔଷଧ ବ୍ୟବହାର ସମ୍ପର୍କରେ ତାଲିମ କାର୍ଯ୍ୟ ସେତେବେଳକୁ ପ୍ରାୟ ଶେଷ ହୋଇସାରିଥିଲା । ପଅଁଷଠୀ ବର୍ଷର ଚାଷୀ ପାଇକରା ବୁଢ଼ାକୁ ଗଧ ପରି ଠିଆ କରି ତା’ ପିଠିରେ ସବୁଜ ବିପ୍ଳବର ନୂଆ ଅସ୍ତ୍ର ସେଇ ଚନ୍ଦନ ପରି ବାସ୍ନା କରୁଥିବା ପୋକମରା ଔଷଧର ହାବିସ୍‌ମରା ଯନ୍ତ୍ରର ବେଲଟ୍‌ ସବୁ ବନ୍ଧାବନ୍ଧି ସରିଥିଲା । ସବାଶେଷରେ ବାକି ରହିଥିଲା କାମଟିଏ । ସେଇ କାମ ଉପରେ ମୁଣ୍ଡି ମାରିବା ପାଇଁ ଦ୍ୱିତୀୟ ଲୋକଟି ଟିକିଏ ନଇଁପଡ଼ିଲା । କୃଷି ସମ୍ପ୍ରସାରଣ ଅଫିସ୍‌ କଣରେ ଗଦା ହୋଇଥାଏ ସବ୍‌ଜାରଙ୍ଗର କାଗଜର ବଣ୍ଡିଲ୍‌ଗୁଡ଼ିଏ । ସେଥିରୁ ଏକାବେଳେ କେଇ ଫର୍ଦ୍ଦ ଭିଡ଼ିଆଣି ସେ ଧରେଇ ଦେଲା ତା’ ଆଗରେ ଚନ୍ଦ୍ରଯାତ୍ରୀ ପରି ଠିଆ ହୋଇଥିବା ସେଇ ଆର ଲୋକଟି ହାତରେ–

 

‘‘ନେ, ନେ–ଯା, ମତେ ପୁଣି ଯିବାକୁ ହବ ଆଉ ଜଣଙ୍କ ପାଖକୁ–ଝଅଟ ନେ !’’ କାଗଜ ମେଞ୍ଚାକ କୋଉଠି ଗୁଞ୍ଜିଲା, ଦେଲାବାଲା ହୁଏତ ଦେଖିଲା କି ନାହିଁ । କିନ୍ତୁ ଖୁସିଟାଏ ହେଇଗଲା ପାଇଲାବାଲା ।

 

‘‘ଆନନ୍ଦଂ.....ଆନନ୍ଦଂ......’’ ଗାମୁଛା ତଳୁ ପାକୁ ପାକୁ ହେଇଗଲା ଦି’ଥର ତା’ ପାଟିର ତଳ ଥୋଡ଼ିଟା । ସବ୍‌ଜା କାଗଜମେଞ୍ଚାକ ଉପରେ ତା’ ହାତ ଜାବ ପଡ଼ିଗଲା ନାହିଁ; କିନ୍ତୁ ସେତେବେଳେ କେହି ତା’ ହାତରୁ ସେଇ ଶାଗୁଆ ରଙ୍ଗର ସମ୍ପତ୍ତିକୁ ଛଡ଼ାଇବାକୁ ଯାଇଥିଲେ ହୁଏତ ବୁଢ଼ା ପାଇକରା ତାକୁ ମୁଥେ ନ ଦେଇ ଛାଡ଼ି ନ ଥାନ୍ତା ।

 

କୌଣସି ଜିନିଷ କେହି ତା’ ହାତରୁ ବଢ଼େଇ ଦେଲେ ସେ ତାକୁ କେବଳ ଲାଭ ବୋଲି ମନେ କରେନାହିଁ; ସେ ଲାଭ ତାକୁ ସମ୍ମାନଜନକ ମନେପଡ଼େ, ଆଉ ଏଇଥିରୁ ସେ ଆନନ୍ଦ ପାଏ–ଏତିକି କେବଳ ସେ ଜଣେଇ ଦଉଥିଲା, ତା’ ଗାମୁଛା ବନ୍ଧା ପାଟିଦ୍ୱାରା ।

 

କିନ୍ତୁ ଦାନ ଦେଲାବାଲା ଲୋକ ପାଇକରା ବୁଢ଼ାର ସେଇ ଆନନ୍ଦଂ....ଆନନ୍ଦଂ ଉଚ୍ଚାରଣ ଶୁଣି ହଠାତ୍‌ ରାଗରେ ପାଚିଗଲା । ସତେକି ତା’ର ଚିଠି ଉପରେ ମରା ହୋଇଥିବା ଛେପ ସଡ଼ସଡ଼ ଟିକଟଗୁଡ଼ାକ ଖସଡ଼ିଗଲା । ବୁଲି ପଡ଼ିଲା ସେ ପଛକୁ ।

 

‘‘ଏୟ୍ ! ତତେ ପଢ଼ି ଆସେଟିରେ ବୁଢ଼ା !’’

 

ପାଇକରା ବୁଢ଼ା ପଢ଼ି ପାରେନାଇ ସତ; କିନ୍ତୁ ସେ ଶୁଙ୍ଘିପାରେ । ସବୁଜ ବିପ୍ଳବର ସାବଜା‍ କାଗଜ ମେଞ୍ଚାକୁ ସାଉଁଳା କରି, ଚାରି ଚଉତ କରି ସେତକକୁ ତା’ ଫତେଇ ପକେଟରେ କେତେବେଳୁ ରଖିସାରିଥିଲା ସେ । ତାକୁ ଏଠେଇଁ ଶୁଙ୍ଘିବା ମନା । କାଗଜ ମେଞ୍ଚାକୁ ପରସ୍ତେ ଶୁଙ୍ଘିବା ପାଇଁ ମନସ୍ଥ କରିସାରିଥିଲା ସେ । କିନ୍ତୁ ତାଲିମ ଦେଲାବାଲାର ଧୈର୍ଯ୍ୟ ଉବୁଟୁବୁ ହେଉଥିଲା ।

 

‘‘ତେବେ ଶୁଣ !’’ କୃଷି ସମ୍ପ୍ରସାରଣ ଅଫିସ୍ ଘର କଣ କାଗଜଗଦାରୁ ଆଉ ଫର୍ଦ୍ଦେ ସବ୍‌ଜା କାଗଜ ଭିଡ଼ି ଆଣି ତାଲିମବାଲା ପିଲାଟି ଦଣ୍ଡେ ଚାହିଁଲା ସେ କାଗଜ ଭିତରକୁ । କିନ୍ତୁ କ’ଣ ଦେଖିଲା–ହଠାତ୍ ଗୋଟାଏ କଅଁଳା ପିଲାର ପାପୁଲି ପରି ମୁଦି ହେଇଗଲା ତା’ର ପାପୁଲିଟା କାଗଜ ପିଣ୍ଡୁଳାଟା ଚାରିପାଖେ, ଆଉ ସେଇ କାଗଜ ପିଣ୍ଡୁଳାକୁ ଅନାଇ ସେ ପିଲାଟି ସତେକି ପଢ଼ି ଲାଗିଲା–

 

‘‘ଶୁଣ ! ଉପରବାଲା ଆକୁ କହୁଚନ୍ତି ସବୁଜ ବିପ୍ଳବ....ଚାରିଆଡ଼େ ନେଳୀ ହୋଇଯିବ ! ବୁଝିଲ ତ ? ଛତୁ ହେଇଯିବ !’’

 

କାଗଜ ପିଣ୍ଡୁଳାଟାକୁ ଠପ୍ କରି କୃଷିସମ୍ପ୍ରସାରଣ ଅଫିସ୍ ଘରର କଣକୁ ଫୋପାଡ଼ି ଦେଇ ସେ ଚାଲିଗଲା ।

 

‘‘ଛତୁ !–ଆନନ୍ଦଂ.....ଆନନ୍ଦଂ....’’ ଲୋକଟି ଏଥର ପ୍ରକୃତରେ ଆନନ୍ଦ ପାଇଲା ପରି ହସିଲା । ତା’ ପଅଁଷଠୀ ବର୍ଷରେ ସୁଦ୍ଧା ଛାମୁଦାନ୍ତ ଦିଇଟା କୋଡ଼ିପରି ବଡ଼ ବଡ଼ । ମୁହଁରୁ ଗାମୁଛା ଫିଟେଇ ଦେଇ ସେଇ ବଡ଼ ବଡ଼ ଛାମୁଦାନ୍ତ ଦିଇଟାକୁ ଦେଖେଇ ହସିଲାବେଳେ ସେ ଦିଶିଗଲା ଗୋଟାଏ ବଡ଼ ଶୁଆ–ଶୁକପକ୍ଷୀ ପରି । ଯେକୌଣସି ଗଣ୍ଠିଆ, ମୋଟାଚୋପାର ଫଳ ସେତେବେଳେ ତା’ର ସେଇ ଥଣ୍ଟଆଡ଼କୁ ଯଦି ବଢ଼େଇ ଦିଆଯାଇଥାନ୍ତା, ତେବେ ହୁଏତ ଠକ୍ କରି ଦି’ଗଡ଼ କରି ସେଥିରୁ ସେ ଶସ ନିକାଲି ଦେଇଥାନ୍ତା ।

 

ସୁଖ ବା ଦୁଃଖ, କ୍ରୋଧ ବା ବୈରାଗ୍ୟ–ମନର ଯେକୌଣସି ଅବସ୍ଥାକୁ ‘‘ଆନନ୍ଦ’’ ପରିବର୍ତ୍ତେ ‘‘ଛତୁ’’ କୁହାଯାଇପାରେ ? ସେ ଯେ ଏ ଶବ୍ଦକୁ ନ ଜାଣିଥିଲା, ତା’ ନୁହେଁ । କିନ୍ତୁ ଏ ପର୍ଯ୍ୟନ୍ତ ଏ ଶବ୍ଦଟିକୁ ସେ ଆଉ ଗୋଟିଏ ପଦ–‘‘ମାୟା’’ ବୋଲି ଉଚ୍ଚାରଣ କରୁଥିଲା । ସେଇ ପଦଟିକୁ ବାରମ୍ବାର ଉଚ୍ଚାରି ଉଚ୍ଚାରି କୃଷି ସମ୍ପ୍ରସାରଣ ଅଫିସ୍‍ ହତା ବାହାରକୁ ସେ ବାହାରିପଡ଼ିଲା । ତା’ ପିଠିରେ ବିଷାକ୍ତ ପୋକମରା ଔଷଧର ପିମ୍ପା ସେମିତି ବନ୍ଧା ହୋଇଥାଏ । ଫତେଇ ପକେଟରେ ସବ୍‌ଜା କାଗଜର ସାଉଁଳା ଚାରିଚଉଠିଆ କାଗଜ ସେମିତି ସାଇତା ହୋଇଥାଏ । ପାଇକରା ବୁଢ଼ା ଚାଲିଥାଏ ।

 

‘‘ଶୁଣ !’’ ସେତେବେଳକୁ କେହି ଜଣେ ସତକୁ ସତ ତା’ ପିଛା ଧରିଥାଏ । ଚତୁର୍ଦ୍ଦିଗରେ ସବୁଜ ସମୁଦ୍ର ପରି ଗୋଟାଏ ତାଇଚୁଂ ଧାନର ଗହୀର । ତାଲିମ ପାଇଥିବା ଗୋଟାଏ ଅସଲ ଚାଷୀପରି, ପିଲ ଉପରେ ପିଲ କାଢ଼ି ସମୁଦ୍ରର ଢେଉଗୁଡ଼ିକ ଭଳି ବଢ଼ି ଯାଇଥିବା ଧାନ କିଆରୀଗୁଡ଼ାକ ଉପରେ ପୋକମରା ଔଷଧ ସେ ବୃଷ୍ଟି କରି ଚାଲିଥିଲା । କେବଳ ଗୋଟାଏ କଥା ଭୁଲି ଯାଇଥିଲା ସେ ପାଳିବାକୁ । ତା’ ନାକରେ ଗାମୁଛା ବନ୍ଧା ହୋଇନଥିଲା । ଗଧପରି ପିଠିରେ ଯୋଉ ଚନ୍ଦନର ବୋଝ ସେ ବୋହିଥିଲା, ତାକୁ ନ ଶୁଙ୍ଘିବା କଥା ଭୁଲି ଯାଇଥିଲା ।

 

ପିଛା ଧରିଥିବା ଲୋକଟିକୁ ଆଖି କଣରୁ ସେ ବହୁତବେଳୁ ନିଘା କରିଥିଲା । ଅଜଣା ମଣିଷ ଲାଗି ଆସିଲାଣି ବହୁତ ପାଖକୁ । ଅର୍ଘାତିଆ ଡେଙ୍ଗା ନୁହେଁ କି ମୋଟା ନୁହେଁ । ତଥାପି ଆଖିକୁ ଅନେଇ ହଉନଥାଏ ତା’ର, ଅଢ଼େଇ କିଆରିଆ ତମ୍ପ ପରି ଲାଗି ଆସୁଥାଏ କ୍ରମେ କ୍ରମେ ପାଖକୁ ।

 

‘‘କୃଷ୍ଣ ! କୃଷ୍ଣ !’’ ଡରିଗଲେ, ଚମକି ପଡ଼ିଲେ ସେ ଆପଣାକୁ ଆପେ ସେଇଆ କହେ ।

 

ଅଜଣା ମଣିଷ ବେଳୁବେଳ ଲାଗି ଆସୁଥାଏ ପାଖକୁ ପାଖକୁ । ଅଢ଼େଇ କିଆରିଆ ତମ୍ପପରି ତା’ର ଗତି ଆଉ ନିଃଶ୍ୱାସ । ପାଇକରା ବୁଢ଼ାର ଅଜାଣତରେ, ତା’ ହାତର ବିଷବର୍ଷଣକାରୀ ନଳୀଟାର ମୁହଁ ଆପେ ଆପେ ଗୋଟାଏ ଆତ୍ମରକ୍ଷାର ଦିଶା ଧରିନେଲା । ପୋକ ପରିବର୍ତ୍ତେ ମଣିଷଆଡ଼କୁ ବିଷ-ନଳୀଟାକୁ ମୁହେଁଇ ଧରି ସେ ପୁଣିଥରେ ନିଜକୁ ନିଜେ ଡାକ ଛାଡ଼ିଲା–

 

‘‘କୃଷ୍ଣ ! କୃଷ୍ଣ ! ହରେକୃଷ୍ଣ ! କିଏ ହୋ ତମେ ?’’

 

‘‘ଡରନା ! ଆମେ ସାପ ନହୁଁ–କି ଭୂତ ନହୁଁ !’’

 

‘‘ତେବେ କିଏ ତମେ ହୋ !’’ ପାଇକରା ବୁଢ଼ାର ପ୍ରଶ୍ନ ଏକ ଆଶ୍ଚର୍ଯ୍ୟରେ ପରିଣତ ହେଲା ଭଳି ରହିଗଲା । ତା’ ଛାତି ଉପରେ ତାଇଚୁଂ ବୁଦାଠୁଁ ଆହୁରି ରନ୍ଥାଳିଆ ପାଚିଲା ରୁମର ମୂଳଗୁଡ଼ାକ ସଲସଲ ହେଇ ଠିଆ ହେଇପଡ଼ିଲା ।

 

‘‘ଯଦି ସାପ ନୁହଁ, ଭୂତ ନୁହଁ....ସେଇଟା କଅଣ ଓହଳିଚି ହୋ ତୁମ ହାତରୁ !’’ ପାଇକରା ବୁଢ଼ାର ବିଷନଳୀର ମୁହଁରୁ ସବୁଜ ବିପ୍ଳବର ବିଷ ଉଦ୍‌ଗୀରଣ ତଥାପି ବନ୍ଦ ହୋଇଯାଇନଥାଏ; କିନ୍ତୁ ନଳୀମୁହଁଟା ଶତ୍ରୁଆଡ଼କୁ ନ ହୋଇ ଅଧେ ବୁଲି ପଡ଼ିଥାଏ ଆତ୍ମରକ୍ଷାକାରୀର ଛାତିଆଡ଼କୁ ।

 

‘‘କୋଉ ଜିନିଷଟାକୁ ଡରୁଛ ତମେ–ମଉସା ! ଏଇ ଗୋଟାକୁ ! ଏଇଟା ଗୋଟାଏ ! ଛତୁ !’’

 

ସେତେବେଳକୁ ଗୋଟାଏ କତାଛଡ଼ା ନଡ଼ିଆର ଚୁଟିଭଳି ବାଳକେରାକୁ ହାତରୁ ଛାଡ଼ିଦେଇ ଆଗନ୍ତୁକ ମଣିଷ ପିଲାଟି ତା’ ଦି’ହାତକୁ ଝାଡ଼ିଝୁଡ଼ି ସଫା କରିଦେବା ପୂର୍ବରୁ ସଦ୍ୟକଟା ମଣିଷ ମୁଣ୍ଡଟି ତା’ ହାତରୁ ଖସିପଡ଼ି ତାଇଚୁଂ ଧାନର ଗହଳ କିଆରିରେ ହଜି ଯାଇଥିଲା ।

 

‘‘ତମେ ୟେ କଅଣ କଲ ? ମଣିଷଟାକୁ ମାରିଦେଲ ?’’ ପାଇକରା ବୁଢ଼ା ହାତରୁ ପୋକମରା ଓଷଦନଳୀ ବି ଖସିପଡ଼ିଲା ।

 

‘‘ମଣିଷ ନୁହେଁ–କହିଲି ପରା, ଛତୁ ! ହଉ ଛାଡ଼ ! ଏତକ ନବ ଟିକିଏ–ବାଣ୍ଟିଦବ ତମ ଗାଁରେ ?’’ ଟୋକାଟା ପୁଣି କନ କନ ହେଲା–ସାପ ପରି । ତା’ ଆଖି ଚକ୍ ଚକ୍ କରିଗଲା ।

 

ବୁଢ଼ା ପାଇକରା ଏତେବେଳଯାକେ; ପୋକମରା ଓଷଦ ବିଷରୁ ତ୍ରାହି ପାଇବା ପାଇଁ ପୂର୍ବେ ଯୋଉ ତାଲିମ ପାଇଥିଲା କୃଷି ଅଫିସ୍‍ରୁ, ଭୁଲିଯାଇଥିଲା ସେତକ । ହଠାତ୍‌ ଅଣ୍ଟାରୁ ଗାମୁଛାଟାକୁ ଫିଟେଇ ପକେଇ ନାକମୁହଁ ସମେତ ବାନ୍ଧି ପକାଇଲା ନିଜର । କିନ୍ତୁ ସେତେବେଳକୁ ବିଷ ତା’ ଦିହେ ଦିହେ ଶିରାପ୍ରଶିରାରେ ଜରିବାକୁ ଆରମ୍ଭ କରିସାରିଥିଲା ।

 

‘‘ତମେ ଏ ଯାହା କହ ମାହାପ୍ରୁ–ଠିକ୍ କଲ ମାହାପ୍ରୁ ?’’ ଗାମୁଛା ତଳ ଫାଙ୍କରୁ ପାଇକରା ବୁଢ଼ା ମୁହଁରୁ ତଥାପି ଆବାଜ ବାହାରୁ ଥିଲା ।

 

‘‘ଆମେ ମାହାପ୍ରୁ ନୁହଁ–’’ କନକନିଆ ଟୋକାଟା ଲାଗି ଆସିଲା ଆହୁରି ନିକଟକୁ ବୁଢ଼ାର-। ତା’ ହାତ ରକ୍ତ ସାଲୁବାଲୁ !

 

‘‘–ଆମେ ନକ୍‌ସଲାଇଟ !’’ ଟୋକାଟା କିରି କିରି ହେଇ ହସିଲା ।

 

ଫଲିଡ଼ଲ୍, ଏଣ୍ଡ୍ରସ...ତା’ ସାଙ୍ଗକୁ ନକ୍‌ସଲାଇଟ !–ପଅଁଷଠୀ ବର୍ଷର ପାଇକରା ବୁଢ଼ାର ସ୍ମରଣଶକ୍ତି ତଥାପି ପ୍ରଖର ଥିଲା ।

 

‘‘ତମେ ତା’ହେଲେ–ନକ୍‌ସଲାଇଟ ?’’ ପାଇକରା ବୁଢ଼ା ଆଖି ଦୋ ଦୋ ଚିହ୍ନା ହେଲାଭଳି ଚାହିଁଲା ।

 

‘‘ଶୁଣିଚ ? ଆଗରୁ ଶୁଣିଥିଲ ଆମ ନାଁ ?’’ ଟୋକାର ହସ ବନ୍ଦ ହେଇ, ତା’ ଆଖିର ଗୋଟାଏ ଭ୍ରୂଲତା ବହୁ କଷ୍ଟ ପାଇଲା ଭଳି ମୋଡ଼ି ମୋଡ଼ି ହେଇ ଯାଉଥାଏ ସେତେବେଳକୁ ।

 

‘‘ତୁମେ ଖୁବ୍ କଷ୍ଟ ପାଉଚ ବୋଧହୁଏ !’’ ଟୋକାର ସେଇ ଭ୍ରୂଲତାଟା ବୁଢ଼ାକୁ ଆଶ୍ୱାସିଲା ।

 

‘‘କାହିଁ ? ନାଇଁ ତ !’’ କହୁ କହୁ ଟୋକାଟାର ଅନ୍ୟ ଆଖି ଉପରର ଭ୍ରୂଲତାଟା ଛଟଛଟ ହେଇ ଭିଡ଼ିମୋଡ଼ି ହେଇଉଠିଲା ।

 

‘‘ମୁଁ ଠିକ୍ ଜାଣେ ମାହାପ୍ରୁ ! ତେମେ ନିଜେ ବିଷ ନୁହଁ–ବିଷ ତମ ଦିହକୁ ଜରିଯାଇଚି–ତେମେ ନିଜେ ନକ୍‌ସଲାଇଟ ନୁହଁ ମାହାପ୍ରୁ–ନକ୍‌ଲାଇଟ୍‌ ବିଷ ତମ ଆଖି ଭୂରୁକୁ କୁଞ୍ଚେଇ ଦେଇଚି-!’’

 

‘‘ହଉ ଥାଉ ! ସେଥିରୁ ମିଳିବ କଅଣ ? ଏଇ ନିଅ ! ନିଅ ତ ଏତକ !’’ ବହୁକଷ୍ଟ ପାଇଲା ଭଳି ଟୋକାଟାର ସାରାଶରୀର ସେତେବେଳକୁ ଗୋଟାଏ ଧନୁଷ୍ଟଙ୍କାର ରୋଗୀର ଦିହ ପରି ମୋଡ଼ି ହେଇଯାଉଥିଲା । ତଥାପି ନିଜ ହାତରେ, ନିଜ ଛାତି ଭିତରୁ ହୃତ୍‍ପିଣ୍ଡକୁ ଓଟାରି ପକାଇଲା ଭଳି କଅଣ ମେଞ୍ଚାଏ ଲାଲ ଟକ ଟକ କାଗଜର ପିଣ୍ଡୁଳା ଓଟାରି ଆଣିଲା ସେ ସେଇ ନକ୍‌ସଲାଇଟ ଟୋକାଟା ।

 

ବୁଢ଼ା ପାଇକରାର ସ୍ମୃତି ଭିତରୁ ଓଟାରି ହେଇ ଆସିଲା, ସେଇ ଦୃଶ୍ୟଟା–କୃଷିସମ୍ପ୍ରସାରଣ ଅଫିସ୍‍ ଘର କଣରେ ଜମା ହୋଇଥିବା ସେଇ ଆଳୁକୁଟି ମାଳୁକୁଟି ସାବଜା ରଙ୍ଗର କାଗଜ ଗଦାଟା !

 

‘‘ତମକୁ ପଢ଼ି ଆସେ ?’’ ସେମିତି ଧାଇଁ ପଳେଇବା ଭଙ୍ଗୀରେ ଭିଡ଼ିମୋଡ଼ି ହଉ ହଉ ପଚାରିଦେଲା ସେ, ଯେମିତି ପଚାରିଥିଲା ସେଇ ଟୋକା ଅଫିସର୍‌ଟା ।

 

ଦୃଶ୍ୟଟା ମନେପଡ଼ିଯିବାରୁ ହସି ଦେଲା ବୁଢ଼ା । କିନ୍ତୁ ତା’ ହସ କେହି ଦେଖିଲେ ନାହିଁ । କାରଣ ମୁହଁରେ ତା’ର ବନ୍ଧା ହୋଇଥିଲା ଗାମୁଛା ।

 

‘‘ତେବେ ଶୁଣ ! ଉପରବାଲା ଆକୁ କହୁଛନ୍ତି ରକ୍ତାକ୍ତ ବିପ୍ଳବ, ଚାରିଆଡ଼େ ରକ୍ତ ବୋହିଯିବ । ବୁଝିଲ ତ !’’ ଟୋକାଟାର ବାକ୍ୟ ଶେଷ ହେଇନଥିଲା ।

 

‘‘ତା’ପରେ ?’’ ବୁଢ଼ା ପାଇକରା ଚମକି ପଡ଼ିଲା । ମନେପଡ଼ିଯାଉଥିଲା ତା’ର ସେତେବେଳେ ସେଇ ଆର ପଦଟା–ଯୋଉଟା ସବ୍‌ଜା ରଙ୍ଗର କାଗଜ ସାଥିରେ କହିଥିଲା ସେଇ ଅଫିସର୍‍ଟା–ଛତୁ ! ଆଉ, ସେଇ ପଦକରେ–ବୁଢ଼ା-ପାଇକରାର ଆପଣା ଦିହ ଧନୁଷ୍ଟଙ୍କାର ବାତ ରୋଗୀପରି ଭିଡ଼ିମୋଡ଼ି ହେଇଉଠିଲା । ସତକୁ ସତ ଧନୁପରି ବଙ୍କେଇ ଯାଇ ସେ ଲଥ୍‌କରି ଟାଇଚୁଁ ଗହୀର ଭିତରେ ବସିପଡ଼ିଲା । ବିଷର ପ୍ରକୋପ ବଢ଼ୁଥାଏ ତା’ ଶିରାପ୍ରଶିରାରେ ଆହୁରି ଜୋର । ତା’ ଆଖି ଦୁଇଟା ଟୁମୁକେଇ ଉଠୁଥାଏ ନିଜ କପାଳର । ସେଇ ଆଖି ଦେଇ ଟାଇଚୁଁ ଗହଳୀ ଭିତରକୁ ଠାବ କରୁ କରୁ ସେ ଦେଖୁଥାଏ–ଯୋଉ ମୁଣ୍ଡଟା ଟିକିଏ ପୂର୍ବରୁ ଗଳି ପଡ଼ିଥିଲା ରକ୍ତ ସାଲୁବାଲୁ ହେଇ, ସେଇଟା ଆଉ କାହାର ମୁଣ୍ଡ ନୁହେଁ–ସେଇ ଅଫିସର୍‍ର ମୁଣ୍ଡ । ମୁହଁକୁ ଉପରକୁ କରି ସେ ମୁଣ୍ଡ ମାଟି ଉପରେ ଆକାଶକୁ ଚାହିଁ ଶୋଇଥିଲା । ତା’ର ଆଖି, ଆଉ ଯୋଉ ମୁହଁରୁ ‘‘ଛତୁ’’ ବୋଲି ପଦଟିଏ ପୋକମରା ଓଷଦ ସାଙ୍ଗରେ ତାଲିମ ସୂତ୍ରରେ ଦେଇଥିଲା ସେ–ସେଇ ଆଖି, ସେଇ ବିମର୍ଷ ମୁହଁ–ରକ୍ତ ସାଲୁବାଲୁ ହେଇ ତଳେ ଘୁଷୁରୁଥିଲେ ସୁଦ୍ଧା, ତିଳାର୍ଦ୍ଧେ ପରିବର୍ତ୍ତନ ହୋଇନଥିଲା ସେଥିରେ । ଛତୁ, ଛତୁ, ଛତୁ–ଗର୍ଜୁଥାଏ ସତେକି ସେ ମୁଣ୍ଡଟା ମଲାପରେ ବି !

ବୁଢ଼ା ପାଇକରାର ‘‘ତା’ପରେ ?’’ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ନକ୍‌ସଲାଇଟ ବିଷରେ ଆଉଟି ହଉଥିବା ଟୋକାଟି ସେଠା ଛାଡ଼ି ଚାଲି ଯାଇଥିଲା । ପାଇକରା ବୁଢ଼ା ଉଠିପଡ଼ିଲା । ସେତେବେଳକୁ କେତେବେଳ ଗଡ଼ିଯାଇଥିଲା କେଜାଣି !

X X X

 

ସମୁଦ୍ରପରି ସବୁଜ, ନେଳୀ ଟାଇଚୁଂ ବିଲ ଭତରେ ଗୋଟାଏ ରକ୍ତାକ୍ତ କାଦୁଅ-ସାଲୁବାଲୁ ମୁଣ୍ଡ ହାତରେ ଧରି ବୁଢ଼ା ଚାଷୀଟିଏ ଚାଲିଥାଏ ଗାଁ ଆଡ଼କୁ । ତା’ ପିଠିରେ ପୋକମରା ଓଷଦ ପିମ୍ପାଟା ବନ୍ଧା ହେଇଥିବାରୁ ସେ ଦୂରକୁ ଦିଶୁଥାଏ ଗୋଟାଏ ଚନ୍ଦ୍ର-ଯାତ୍ରୀପରି ଏକେଲା ।

କିନ୍ତୁ ତା’ ମୁହଁରେ ଯୋଉ ଗାମୁଛାଟା ଗଣ୍ଠି ପଡ଼ି ବନ୍ଧା ହେଇଥାଏ, ଯୋଉ ଗାମୁଛା ଫାଙ୍କରେ ଟାଇଚୁଂ ବିଲର ପବନରେ ପରୀମାନଙ୍କ ପରି ଉଡ଼ି ବୁଲୁଥିବା ପୋକମାନଙ୍କ ଭିତରୁ ଗୋଟିଏ ହେଲେ ପଶିପାରୁନଥାନ୍ତି–ତା’ ନାକର ସୁଡ଼ଙ୍ଗ ପଥ ଦେଇ ସେମାନଙ୍କର ମୃତ୍ୟୁ ମୁଖକୁ, ସେଇ ଗାମୁଛାଟା ଯୋଗୁ, ଦୂରରୁ ବୁଢ଼ା ପାଇକରା ଆଉ ଗୋଟିଏ ଦୃଶ୍ୟର ଭ୍ରମ ସୃଷ୍ଟି କରୁଥିଲା ।

ସେ ଦିଶୁଥିଲା, ପ୍ରାଚୀନ ଭାରତରୁ ବହୁକାଳ ଧରି ଲୋପ ପାଇ ପାଇ ଆସୁଥିବା ଗୋଟିଏ ଧର୍ମରୁ ସହସା ଉଜ୍ଜୀବିତ ଜଣେ ଜୈନମୁନି ପରି !

ସମାବେଶ : ଜୁନ୍‌–୧୯୭୧

Image

 

ଧର୍ମହାଟ

 

ଚଢ଼େଇମାନଙ୍କର ଭାଷା ସଙ୍ଗୀତମୟ ହେଲେ ସୁଦ୍ଧା ଦୁର୍ବୋଧ୍ୟ । ଧର୍ମହାଟ ବୋଲାଉଥିବା ସେଇ ପରିବା ମାର୍କେଟର ମଝିରେ ଯୋଉ ତା’ର ଛନ୍ଦା ଟେଲିଫୋନ୍‌ ଖୁଣ୍ଟଟା ନାନା ଦିଗ ଦେଶକୁ ଆସିଥିବା ଛୋଟବଡ଼ ଚଢ଼େଇମାନଙ୍କୁ ଆଶ୍ରା ଦେଇଚି, ସେ ଖୁଣ୍ଟର ମସ୍ତିଷ୍କରେ ପ୍ରବାହିତ ନାନା ଜଟିଳ ଭାବରେ ଆଦାନ ପ୍ରଦାନକୁ ଚଢ଼େଇମାନେ କଅଣ ବୁଝନ୍ତି ?

 

କ୍ରିଂ କ୍ରିଂ.....ହାଲୋ ଓ ଓ.... !

 

ପରିବା ବ୍ୟବସାୟୀ ସଂଘ ସେକ୍ରେଟେରୀ ମାୟାଧର ଫୋନ୍ ରିସିଭର୍ ଉଠେଇଲା ।

 

‘‘ମାୟାଧର କହୁଚ ? ମୁଁ କହୁଚି ପ୍ରେସିଡେଣ୍ଟ୍....ଶୁଣୁଚ ତ ?’’

 

‘‘ଆଜ୍ଞା, କୁହନ୍ତୁ ଆଜ୍ଞା, କହିଯାନ୍ତୁ ଆଜ୍ଞା, ମୁଁ କାଗଜ କଲମ ରେଡ଼ିକରି ରଖିଚି ଆଜ୍ଞା...’’

 

‘‘ତେବେ ଲେଖ–ଆଳୁ ଏକ ପଚିଶ, ବାଇଗଣ ଦେଢ଼, ପୋଟଳ ଅଢ଼େଇ, କଖାରୁ ଅଶୀ...ଲେଖୁଚ ?’’

 

ମାୟାଧର ପ୍ରକୃତରେ ଲେଖୁ ନ ଥିଲା ।

 

ସେ ଲେଖାପଢ଼ାରେ ବିଶ୍ୱାସ କରେ ନାହିଁ ।

 

ଫୋନ୍‌ ରିସିଭର୍‌ଟାକୁ ତଥାପି କାନପାଖରେ ଧରି ପରିବା ବ୍ୟବସାୟୀ ସଂଘର ସେକ୍ରେଟେରୀ ଗୋଟିଏ କଲିଂ ବେଲ୍‌ ଚିପିଲା ।

 

ଅଫିସ୍‌ କବାଟ ପଛପଟୁ ବିଲେଇର ମୁହଁଟିଏ ଦିଶିଲା ।

 

‘‘ଶୁଣ୍ ! ଶଳା ପହିଲିମାନ ହେଇଚୁ ପରା ! ଗୋଟାଏ ଖେପାର କେଇଟା ଚିଡ଼ିଆ ମାରିପାରିବୁ ? ଗୋଟାଏ ଘରଚଟିଆ ମାଇଲେ ଗିଲାସେ ଦୁଧ, ବଣୀକୁ ଦେଢ଼ ଗିଲାସ ଆଉ ଘୁକାଳିକା, ଗୋବରା....ଶଳା ଏଗୁଡ଼ାକ କି ଶବ୍ଦ କରୁଛନ୍ତି...କିଛି ହେଲେ ଶୁଭୁଚି !’’

 

ବିଲେଇର ମୁହଁ ଅଫିସ୍‍ କବାଟ ପଛପଟେ ଲୁଚିଗଲା ।

 

ଚଢ଼େଇମାନଙ୍କର କାକଳି ହଠାତ୍‌ ସଙ୍ଗୀତହୀନଭାବେ ଆହୁରି ବଢ଼ିଗଲା ଓ ତାହା ଆହୁରି ଦୁର୍ବୋଧ୍ୟ ହୋଇଉଠିଲା ।

 

କିନ୍ତୁ ଧର୍ମହାଟ ବୋଲାଉଥିବା ସେଇ ପରିବା ମାର୍କେଟଆଡ଼ୁ ଏକ ନୂଆ ସଙ୍ଗୀତ ଶୁଣାଗଲା ।

 

‘‘ଏଇ ଲାଗିଲା ଲାଗିଲା ଲାବଣ୍ୟବତୀ ଆଳୁ–ଏକ ପଚିଶ ଏକ ପଚିଶ ।’’

 

‘‘ବ୍ରା–ବ୍ରିଂଜାଲ୍, ବ୍ରା–ବ୍ରିଂଜାଲ୍‌....କିଲୋ ଦେଢ଼....’’

 

‘‘କଖାରୁ–କଖାରୁ–ବେଲ ବଟମ କଖାରୁ.......’’

 

‘‘ହୋ ଲାବଣ୍ୟବତୀ ଆଳୁ ! ଗତକାଲି ଏଇଆକୁ ତୁମେ ଇଚ୍ଛାବତୀ ଆଳୁ ନାଁ ଦେଇଥିଲ ନା ? ଚବିଶ ଘଣ୍ଟା ଭିତରେ ପଞ୍ଚାଅଶୀରୁ ଏକ ପଚିଶ ?’’

 

‘‘କିହୋ ବ୍ରା–ବ୍ରିଂଜାଲ୍ ! ଗତକାଲି ଏଇଆକୁ ତୁମେ ମୁକ୍ତକେଶୀ ବାଡ଼ି ବାଇଗଣ ନାଁ ଦେଇଥିଲା ନା ? ଚବିଶ ଘଣ୍ଟା ଭିତରେ ବାରଣାରୁ ଦେଢ଼ଟଙ୍କା ?’’

 

‘‘ଆରେ ଯାଃ, ଭାରି ଖାନେବାଲେ–କଅନ୍‌ ଆଁଖି ଖୋଲି କଉଚ ନା ଆଁଖି ମୁଦିକରି ? ଏ ବାଇଗନ୍ କାଲିର ବାଇଗନ୍‍ ?’’

 

‘‘ତେବେ କାଲିକା ବାଇଗଣ କଲ କଅଣ ?’’

 

‘‘କଲି କଅନ୍‌ ? ପୋତାହେଲା ! ଛାଡ଼, ଆଜି କେତେ ନବ କହମ୍‌ ।’’

 

‘‘ପୋତାହେଲା ?’’

 

‘‘ମ ଅ ଲା ! କେତେ ନବ କହୁନ କିଆଁମ ! ଛୋପରା ହଉଚ ? ବାଇଗନ୍‌ କଖାରୁ କଅନ୍‌ ଆଳୁ ହେଇଚି ? ଦର୍ ନ ପଟିଲା ତ ସଢ଼ିଲା–ସଢ଼ିଲା ତ ପୋତାହେଲା–କୋଉ ନୂଆ କଥା-?’’

 

‘‘ଦର ପଟିଲାନି ? ଚାରଣାରେ କିଣି ବାରଣରେ ବିକିଲେ ବି–ୟେ ଧର୍ମହାଟଟି, ନା କଅଣ ହୋ !’’

 

ସେତେବେଳକୁ ସୂର୍ଯ୍ୟ ବୁଡ଼ିଯାଇଥିଲା ।

 

ଚଢ଼େଇମାନଙ୍କର କାକଳି ବନ୍ଦ ହୋଇ ଯାଇଥିଲା ।

 

ଲାବଣ୍ୟବତୀ, ବ୍ରା, ବେଲ୍‌ବଟମ ଶବ୍ଦ ସବୁ ଆସ୍ତେ ଆସ୍ତେ ଘଷରା ହୋଇଆସୁଥିଲା ।

 

ଧର୍ମହାଟର ଛକେ ଛକେ, ସ୍ଥାନେ ସ୍ଥାନେ ଇଲେକ୍‌ଟ୍ରିକ୍‌ ଆଲୁଅମାନ ଉଜ୍ଜ୍ୱଳି ଉଠିଲା ।

 

ରାତିର ଇଲେକ୍‌ଟ୍ରିକ୍‌ ଆଲୁଅ, ଦିନର ସୂର୍ଯ୍ୟାଲୋକଠାରୁ କେତେ ପୃଥକ୍‌ !

 

ଏ ଆଲୁଅରେ–

 

–ଲାବଣ୍ୟବତୀ ଆଳୁଗୁଡ଼ାକ ଉପରକୁ ନଇଁପଡ଼ିଥିବା ସେଇ କିରାଣୀଟିକୁ ଗୋଟିଏ ଘୋଡ଼ା ବୋଲି ଭାବିଦେଲେ କ୍ଷତି କଅଣ ?

 

–ଟିକିଏ ପୂର୍ବରୁ ବାଇଗଣ ଦୋକାନୀ ସାଙ୍ଗେ ଖିଚିମିଚି ହଉଥିବା ସେଇ ଶ୍ରମିକଟିକୁ ଗୋଟିଏ ଗବଗଛ ବୋଲି ଭାବିନେଲେ କ୍ଷତି କଅଣ ?

 

–କିମ୍ୱା, ବେଲ୍‌ବଟମ କଖାରୁ ଦୋକାନୀକୁ ଖତେଇ ହେଲାପରି ଅଙ୍ଗଭଙ୍ଗୀ କରି କଖାରୁ ଚିରୁଡ଼ାଏ ମୂଲେଇ ହଉଥିବା ସେଇ ମୋଟି ମହିଳାଙ୍କୁ ଗୋଟିଏ ଗାଈ ବୋଲି ଭାବି ତାଙ୍କୁ ଆଉଁଷି ଲାଗିବାରେ କ୍ଷତି କଅଣ ?

 

ଇଲେକ୍‌ଟ୍ରିକ୍‌ ଆଲୁଅର ରୂପାନ୍ତରକାରୀ ଶକ୍ତି ସାରା ଧର୍ମହାଟ ଉପରେ ସେହିପରି ପଡ଼ୁଥିଲା । ସେଇ ରୂପାନ୍ତରର ମୁହୂର୍ତ୍ତକୁ ହିଁ ଅପେକ୍ଷା କରିରହିଥିଲେ ଚଢ଼େଇମାନେ–ନାନା ଦିଗଦେଶାଗତ ଚଢ଼େଇମାନେ । ଦିନ ଯାଇ ରାତି ଆସିବାମାତ୍ରେ ଟିକି ଟିକି ନଙ୍ଗଳା ପିଲାଟିମାନ ହେଇ ଛୋଟ ଛୋଟ ଅଖାଟିଏମାନ କାଖେଇ ପରିତ୍ୟକ୍ତ ପଚାପରିବା ଗୋଟାଇବାରେ ଲାଗିପଡ଼ିଥାନ୍ତି ସେମାନେ ।

 

‘‘ବେଇକ୍‌ ! ଏଣିକି ହାତ ବଢ଼ଉଚୁ ! ଦେଖିବୁ !’’ ଲାବଣ୍ୟବତୀ ଆଳୁ ଦୋକାନୀ ତା’ ପଇସା ମୁଣିକୁ ଜଙ୍ଘତଳକୁ ଠେସିଦବା ପୂର୍ବରୁ ପିଚାକ୍‌ କିନା ପାହାରେ ପକେଇଲା ।

 

ନଙ୍ଗଳା ପିଲାଟି ଧାଇଁ ପଳେଇଲା ।

 

ସେ କିନ୍ତୁ ବେଶି ବାଟ ପଳାଇ ଗଲାନାହିଁ । ଯାଇପାରିଲା ନାହିଁ । କାରଣ ବ୍ରା-ବ୍ରିଂଜାଲ ଦୋକାନୀର ବାଇଗଣଗୁଡ଼ିକ ଗତ କାଲିପରି ଆଜି ବି ସେମିତି ବହେ ଉଚ୍ଚ ଗଦା ହୋଇଥିଲା । ଗତ କାଲିପରି ଆଜି ବି ପୋତାହବ କି କଅଣ ?

 

ଗୋଟିଏ ଦୁର୍ବଳିଆ ବଣି ଚଢ଼େଇର ରୂପାନ୍ତର ପରି ଅବିକଳ ଦିଶୁଥିବା ସେଇ ଛୋଟ ପିଲାଟ ବ୍ରା-ବାଇଗଣ ଦୋକାନ ପାଖରେ ଅଟକି ଗଲା ।

 

ବେଲ୍‌ବଟମ କଖାରୁ ଦୋକାନରୁ କଖାରୁ କିଣିସାରିଥିବା ସେଇ ଗାଈଭଳି ମୋଟି ସ୍ତ୍ରୀ ଲୋକ ବ୍ରା ବାଇଗଣଆଡ଼କୁ ମୁହାଁଇବା ଦେଖି ଛୋଟ ପିଲାଟିର ଆଶା ଜାଗ୍ରତ ହେଲା ।

 

ମୋଟି ସ୍ତ୍ରୀ ଲୋକଟିକୁ ଉତ୍ସାହିତ କରିବାପାଇଁ ବାଇଗଣ ଦୋକାନୀ ଦୋକାନ ଉପରେ ଥୋଡ଼ାଏ ପାଣି ଛିଞ୍ଚୁ ଛିଞ୍ଚୁ ଡାକିଲା–

 

ବ୍ରା-ବ୍ରିଂଜାଲ ! ସୁପର୍‍ ସାଇଜ !

 

ସ୍ତ୍ରୀ ଲୋକଟି କଅଣ ଭାବୁଥିଲା କେଜାଣି, କିନ୍ତୁ ତା’ର ଆଖି ଦିଓଟି ଥିଲା ପ୍ରକୃତରେ ଗୋଟିଏ ଗାଈ ଆଖିପରି ନିରୀହ ଆଉ ସରଳ ।

 

ଛୋଟ ପିଲାଟି ସେଇ ଆଖି ଦିଓଟିର ଆଢ଼ୁଆଳକୁ ହିଁ ଅପେକ୍ଷା କରିରହିଥିଲା ସେଇଠି-

 

ସ୍ତ୍ରୀ ଲୋକଟି ବାଇଗଣ ଦୋକାନ ଆଗରେ ନଇଁପଡ଼ିବାମାତ୍ରେ ଛୋଟ ପିଲାଟି ବି ନଇଁପଡ଼ିଲା ।

 

ତା’ପରେ, ହଠାତ୍‌ ଗୋଟିଏ ହମ୍ୱାରଡ଼ି ପରି ରଡ଼ି ସମଗ୍ର ଧର୍ମହାଟକୁ ଚହଲେଇ ଦେଲା–

 

‘‘ଚୋର୍‌ ଚୋର୍‌....’’ ସ୍ତ୍ରୀ ଲୋକଟି ଛୋଟ ପିଲାଟିର ସରୁବେକକୁ ସେତେବେଳକୁ ଜାବୁଡ଼ି ଧରି ନେଇଥିଲା ।

 

‘‘ଛାଡ଼ ! ଛାଡ଼ ! ସେମିତି ହବନି !’’ ତା’ କୁନି ତଳିପେଟରେ ଗାଉଁକିନା ଗୋଟିଏ ବିଧା ଥୋଇଲାବେଳେ ବ୍ରା-ବ୍ରିଂଜାଲ ଦୋକାନୀ ବଡ଼ ପାଟିରେ କହିଲା–‘‘ଶାଲା ଡାକୁ । ମାଈଜୀର ସୁନାହାରକୁ ହାତ ବଢ଼ୋଉ ଥିଲୁ ।’’

 

ଡାକୁ ? ଏଥର ବେଲ୍‌ବଟମ ବାଲା ଧଡ଼ାସ୍‌ ଉଠିପଡ଼ିଲା । ତା’ ପଛକୁ ଲାଗି ଆସିଲା ଲାବଣ୍ୟବତୀ ଆଳୁବାଲା, ତା’ ପଛକୁ ସାରା ହାଟ । ଧର୍ମହାଟ !

 

ଅବିକଳ ବଣି ଚଢ଼େଇ ଭଳି ଦିଶୁଥିବା ଛୋଟ ପିଲାଟି ଅନେକବେଳୁ ତଳେ ପଡ଼ିଯାଇଥିଲା । ତା’ ଛୋଟ ମୁଣିରେ ଗୋଟିଏ ପଚା ଆଳୁ ଆଉ ଗୋଟିଏ ପଚା ବାଇଗଣ ଛଡ଼ା ଆଉ କିଛି ନ ଥିଲା ।

 

ସମାବେଶ–୧୯୭୧

Image

 

ଦେଖିବୁ ଏଇକ୍ଷିଣା ?

 

ଏକୁଟିଆ ହେଇ କୋଉ ଗଛମୂଳେ ମୁହୂର୍ତ୍ତେ ବସିପଡ଼ିବା କେମିତି ଲାଗେ–ସେ ଜାଣେନା । ବରଂ ସେମିତି ଢଙ୍ଗରେ ବସିଥିବା ଅବା ଶୋଇପଡ଼ିଥିବା ମଣିଷ, ଏମିତି କି ପଶୁପକ୍ଷୀଙ୍କୁ ଦେଖିଲେ ତା’ ଜିଭ ଖଲଖଲ ହୁଏ, କୁହାଟଟାଏ ମାରିବାକୁ–‘‘ବେ ଶଳା, ଦେଖିବୁ ଏଇକ୍ଷିଣା ?’’

 

ରାସ୍ତାର ପୁଲିସ୍‌ ଚୌକରେ, ହୋଟେଲ୍‌ କାଉଣ୍ଟରରେ, ପ୍ରବେଶ ନିଷେଧ ଚିହ୍ନିତ ଅଫିସ୍‍ ଘର ପରଦା ଅନ୍ତରାଳରେ, ଉଦୁଉଦିଆ ଦିପହରେ ପୁରୁଷବିହୀନ କଲୋନି ଘରମାନଙ୍କର ମୁଦା କବାଟ ପଛ ପଟରେ, ସ୍କୁଲ, କଲେଜ, ସଭାସମିତି ସ୍ଥଳୀରେ ଗଦାଏ ଶ୍ରୋତାଙ୍କୁ ମୁହଁ କରି ବଳିବିଳୋଉଥିବା ଅବସ୍ଥାରେ, ମନ୍ଦିରରେ କଣିକିଆ ହୋଇ ଠିଆ ହେଇ ଆଖରୁ ଲୁହ ଗଡ଼ାଉଥିବା ଅବସ୍ଥାରେ, ଏମିତିକି ଡାକ୍ତରଖାନା ଖଟିଆ ଉପରେ ଚିତ୍‌ପଟାଙ୍ଗ ହେଇ ପଡ଼ିରହି ଧକଉଥିବା ଅବସ୍ଥାରେ ଏକୁଟିଆ ମଣିଷର ଅବସ୍ଥିତିକୁ ବି ସେ ସେମିତି ଚାଲେଞ୍ଜ୍‌ କରେ–

 

‘‘......ଦେଖିବୁ ଏଇକ୍ଷିଣା ?’’

 

ଏକୁଟିଆ ଚାଲେଞ୍ଜ୍‌ ଦବା ପାଇଁ ସେ ଅବଶ୍ୟ ନିଜେ ଏକୁଟିଆ ହେଇ କୋଉଠିକି ବାହାରେ ନା । ଭୋରରୁ ଘରୁ ବାହାରି ରାତି ଗୋଟାକରେ ସେକେଣ୍ଡ୍ ସୋ’ରୁ ଫେରିବା ପର୍ଯ୍ୟନ୍ତ ଦଳେ କ୍ଷୁଧାର୍ତ୍ତ ହେଟାବାଘ ପରି ତା’ ସହିତ, ତା’ ଚାରିପାଖେ କିଏ ସବୁ ବେଢ଼ି ରହିଥାନ୍ତି, ସେମାନଙ୍କୁ ସେ ଭଲ କରି ଚିହ୍ନେନା । କିନ୍ତୁ ସେମାନଙ୍କ ସାଙ୍ଗରେ ତା’ର ଭାବଦୋସ୍ତି ଏତେ ଘନିଷ୍ଠ ଯେ, ଦୂରରୁ ସେଇ ଦଙ୍ଗଲକୁ ଅନେଇଲେ ସେମାନେ ସମସ୍ତେ ଦିଶନ୍ତି ଏକା ମା’ ପେଟର ଭାଇ ପରି !

 

ରାତି ଗୋଟାକରେ ଚୋରପରି ନିଜ ବାପା ମା’ଙ୍କ ଘରକୁ ପଶିଲାବେଳେ ମୁହୂର୍ତ୍ତକ ପାଇଁ ଅବଶ୍ୟ ସେ ଏକା ହୋଇଯାଏ । ତା’ଛଡ଼ା ବହୁ ଡେରି ପର୍ଯ୍ୟନ୍ତ ତା’ପାଇଁ ବାଡ଼ି କବାଟ ମେଲା ରଖି, ରୋଷେଇଘର, କାନ୍ଥକୁ ଢେରା ଦେଇ ଢୁଳୋଉଥିବା ସ୍ତ୍ରୀଲୋକଟିକୁ ଦେଖିଦେଲେ, ତା’ କାନ ଆହୁରି ତାବଦା ହେଇଗଲା ପରି ଜଣାଯାଏ; ଫଳରେ ସେ ଏକ ନିସ୍ତବ୍‌ଧ ଅଞ୍ଚଳକୁ ପ୍ରବେଶ କଲା ପରି ଅନୁଭବ କରି କାତର ହୋଇପଡ଼େ । ସେତେବେଳେ ଏହି ଏକାକୀତ୍ୱକୁ ଗୋଟିଏ ଜୋର ଚାଲେଞ୍ଜ ଦବାପେଇଁ ହଠାତ୍‌ ତା’ ତଣ୍ଟି ଭିତରଟା ଗତ ଗତ ହୋଇଉଠେ । ତା’ ପାଟିରୁ ପ୍ରାୟ ବାହାରି ଆସୁଥାଏ....‘‘ଆଃ, ଦେଖିବୁ ଏଇକ୍ଷଣି !’’ କିନ୍ତୁ ଜନ୍ମଜନ୍ମାନ୍ତରରୁ ତା’ ପଛେ ପଛେ ଗୋଡ଼େଇ ଆସିଥିବା ଗୋଟିଏ ସଂସ୍କାର ହୁଏତ ତା’ ତୋଟିକୁ ଚିପି ଧରେ । ଗଁ ଗଁ ହୋଇ ସେ କେବଳ କହେ, ‘‘ମାଆଆ, ନା କିଏ ବସିଚି ସେଠି ସେମିତି ?’’

 

ପ୍ରକୃତରେ ସେ ତା’ର ମା’–ଯେ ସେଠି ଅଧାରାତି ଯାକେ ତା’ପେଇଁ କବାଟ ଖୋଲା ରଖି ଏକୁଟିଆଟିରେ ବସି ବସିକା ଢୁଳୋଉଥାଏ । ସେଇ ମା’ଟି ଛଡ଼ା ସେ ଘରେ ବି ଆଉ ଜଣେ ଥାଏ, ଯେ ତା’ର ବାପା । କିନ୍ତୁ କେବେ କେବେ ସେ ଥାଏ, କେବେ ନ ଥାଏ ବି !

 

ଘରେ ବାପ ନ ଥିବା ଦିନଗୁଡ଼ିକଠୁଁ ବଳି ସୁଖର ଦିନ ତା’ ପକ୍ଷରେ କ୍ୱଚିତ୍‍ । କାରଣ ଏଇଦିନ, ଅର୍ଥାତ୍‌ ରାତିଗୁଡ଼ିକରେ ହିଁ କେବଳ ତା’ ମା’ର ପୂର୍ଣ୍ଣ ସାନ୍ନିଧ୍ୟ ସେ ପାଏ । ଏଇ ପୂର୍ଣ୍ଣ ସାନ୍ନିଧ୍ୟକୁ ସେ ତା’ର ସ୍ୱାଧୀନତାର ଦାବି ପୂରଣ ବୋଲି ସ୍ୱପ୍ନରେ ଅନୁଭବ କରେ ।

 

‘‘ତେଣେ କେହି ନାଇଁ....ଏଠିକି ଆ ! ଭାତ ବଢ଼ା ହୋଇଚି...।’’ ନିଶୂନ ଅଧରାତିରେ ତା’ କାନରେ ପଡ଼ୁଥିବା ଏତିକି କଥାରେ ଭାଗମାପରୁ ସେ ବେଶ୍‌ ଠଉର କରିପାରେ ଯେ, ମା’ ଏକା ।

 

‘‘ମୁଁ ଖାଇବିନି...ଚାଇନିଜ୍‌ ରେସ୍ତୁରାଁରେ...ଶେଯ ପଡ଼ିଚି କି ନାଇଁ.... ?’’ ମା’କୁ ଏକା ପାଇଲେ ତା’ର ବାରଚାଉଳିଆ ଆହୁରି ବଢ଼ିଯାଏ ।

 

‘‘ଭାତ ବଢ଼ାହୋଇଚି ପରା ! ସେମିତି ବାୟାଙ୍କ ଭଳି କାହିଁକି ହଉଚୁ ? କାହିଁକି ସେ ବଟିକାଗୁଡ଼ାକ ଖାଉଚୁ ?’’ ତା’ ମା’ ତା’ର ଗୋଟାଏ ଡେଣାକୁ ଧରି ଝିଙ୍କି ଝିଙ୍କି ନେଇଯାଏ ଥାଳୀ ପାଖକୁ ।

 

ମା’ର ଏଇ ଶାସନ ତାକୁ ବିରକ୍ତ କରେନା; ବରଂ ତା’ର ଦିନ ତମାମ ତାଲା ପକା ହେଇଥିବା ଭିତର କବାଟକୁ ଖୋଲିଦିଏ–ଏଇ ଶାସନ !

 

‘‘ଆଜି ଗୋଟିଏ କଲେଜ୍‌ ମାଷ୍ଟର୍‌କୁ କ୍ଲାସ୍‌ ରୁମରେ ମୂତେଇ ଦେଲି....ଜାଣିଚୁ ?’’ ଭାତଥାଳୀକୁ ଅନେଇଲାମାତ୍ରେ କାହିଁକି କେଜାଣି ସେଇ ଦୃଶ୍ୟଟା ତା’ର ମନେପଡ଼ିଯାଏ, ଆଉ ସେ ହସେ । ହସି ହସିକା ଗଡ଼ିଯାଏ ସେ ।

 

‘‘ଚୁପ୍‌ ହ ! ଚୁପ୍‌ ହ !....’’ ତା’ପରେ ତା’ ମା’ ଆଖିକୁ ନ ଅନେଇ ଠାକୁର ଘରଆଡ଼କୁ ଅନାଇ କଅଣ ଗୁଡ଼ାଏ ବିଡ଼ି ବିଡ଼ି ହୁଏ ସତେକି !

 

‘‘କଲେଜ ଛକ ଆଗରେ ଗୋଟିଏ ଗଡ଼ଜାତିଆ ବାବାଜୀ ଚିନାବାଦାମ ବିକେ–ଜାଣୁ ?’’ ତା’ର ସ୍ମୃତି ଗୋଟାଏ ବତିଘର ଆଲୁଅ ପରି ପୁଣି ଘୂରିଯାଏ ଅନ୍ୟଦିଗକୁ ।

 

‘‘ମୁଁ ତାକୁ ପଚାରିଲି–ବେଇକ୍‌ ! ଗେରୁଆ ଲୁଗା କାହିଁ ପିନ୍ଧିଚୁ ? ରମେନ୍‌ ତା’ ମୁହଁ ଉପରକୁ କିଚାକ୍‌ କିନା ବହେ ପାନପିକ ଛାଡ଼ିଦେଲା–ଶଳା ବାବାଜୀର ମୁହଁଟା ବିଲ୍‌ବିଲେଇ ଗଲା–’’

 

‘‘ଆରେ, ବାବାଜୀଙ୍କ ଉପରକୁ ପାନପିକ ପକେଇଦେଲ !’’ ତା’ ମା’ର ମୁହଁ ବି ବିଲି୍‍ବିଲେଇ ଯାଏ ଓ ଓଠ ଆହୁରି ଜୋର୍‌ ବିଡ଼ିବିଡ଼େଇ ଉଠେ....‘‘ଠାକୁରେ .....ଠାକୁରେ !’’

 

ତା’ ମା’ ଭୟଭୀତ ହୋଇ ବେଶି ଜୋର୍‍ ବିଡ଼ିବଡ଼େଇଲେ ତାକୁ ଅବଶ୍ୟ ଟିକିଏ ଡର ମାଡ଼େ । ସାଙ୍ଗେ ସାଙ୍ଗେ ସେ ତେଣୁ ବାବାଜୀଙ୍କ କଥା ଛାଡ଼ି ଅନ୍ୟକଥାକୁ ପଳାଏ ।

 

‘‘ମା’ ! ରୀନା ବିଶ୍ୱାଳ... ?’’ ହଠାତ୍‌ ସେଇ ନାଁଟାକୁ ସ୍ମରଣ କଲାମାତ୍ରେ ତା’ର ମନେପଡ଼ିଯାଏ ସେଇ କ୍ଲାସ୍‌ରୁମ୍‌ କଥା...ରୀନା ବିଶ୍ୱାଳ, ସ୍ୱପ୍ନା ସିଂ, ଛବି ସେନ୍‌...! ସମସ୍ତେ ଏକା ଥରକେ ! ଏହାପରେ ସେ ଚୁପ୍‌ ପଡ଼ିଯାଏ । ମା’କୁ ଏସବୁ ବିଷୟରେ କିଛି କହିବା ବୟସକୁ ସେ ଉଠିଚି କି ନା, ଏଇ ପ୍ରକାର ସନ୍ଦେହ ହୁଏତ ତା’ ମନରେ ଉଙ୍କିମାରେ । ପୁଅ ମୁହଁରୁ ଝିଅମାନଙ୍କ ନାଁ ଶୁଣିଲେ ତା’ ମା’ ଅବଶ୍ୟ ଚମକିପଡ଼େ; କିନ୍ତୁ ତା’ର ଥରିଲା ଛାତି ପୁଣି ଟିକିଏ ସାହସ ପାଏ । ମାଷ୍ଟର, ଚିନାବାଦାମ ବାଲା, ବାବାଜୀମାନଙ୍କୁ ଛାଡ଼ିଦେଇ କୋଉ ଗୋଟାଏ ଝିଅ ପଛରେ ହେଲେ ଦଉଡ଼ନ୍ତା ଏ ପିଲାଟା ! –କିନ୍ତୁ ତା’ ମା’ ଭଲ କରି ଜାଣେ ଯେ, ଗୋଟିକିଆ କୌଣସି ଝିଅକୁ ସେ ଭଲପାଏ ନା ! କୌଣସି ସ୍ତ୍ରୀଲୋକର ପଛରେ ଏକୁଟିଆ ଅନୁସରଣ କରିବାର ସାହସ ତା’ର ନାହିଁ-! ଦଳେ କୁକୁର ପରି ପଞ୍ଝାଏ ପୁରୁଷ ପିଲା ଜଣେ ଝିଅ ପଛରେ ଗୋଡ଼େଇବାର ସେ ଭୟଙ୍କର ଦୃଶ୍ୟ ତା’ ମା’ର ଛାତିକୁ ପୁଣି ଥରହର କରେ ।

 

‘‘ତୋ ବାପା କହୁଥିଲେ...ଆଉ ବର୍ଷ ଚାରି ଛଟା କଥା...ରୀନା ବିଶ୍ୱାଳକୁ ବୋହୂ କରି ଆଣିଲେ କେମିତି ହବ–ମତେ ପଚାରୁଥିଲେ ତୋ ବାପା !’’ ତା’ ମା’ ତା’ ସାମ୍ନାରୁ ଅଇଁଠା ଥାଳୀ ଉଠେଇ ନଉ ନଉ କହନ୍ତି, ଆଉ ମନେ ମନେ ପୁଣି ଠାକୁରଙ୍କ ନାଁ ଧରି ତା’ର ଉତ୍ତରକୁ କାନାନ୍ତି ।

 

‘‘କିଏ ? ରୀନା ବିଶ୍ୱାଳ !’’ ହଠାତ୍‌ ତା’ର ନିଶାଖୋର ସ୍ୱର ତେଜିଯାଏ, ଆଉ ସେ ତା’ ମା’ର ଛାଇ ଭିତରେ ରୀନା ବିଶ୍ୱାଳର ଚେହେରାକୁ ସତେକି ଦେଖିପକାଏ, ସେମିତି ଚମକି ପଡ଼ିଲା ଭଳି ହୋଇ ରହିଯାଏ ।

 

ରୀନା ବିଶ୍ୱାଳ କିଏ ? ସେତିକିବେଳେ ସେ ନିଜକୁ ନିଜେ ଆଉ ଥରେ ପଚାରେ ।

 

‘‘ମା’ ! ମୋ ଶେଯ ପଡ଼ିଚି ?’’ ଉତ୍ତରକୁ ଅପେକ୍ଷା ନ କରି ସେ ଗୋଟିଏ ଗୋଟିଏ ପାହୁଣ୍ଡ ପକେଇ ଖାଇବାଠୁଁ ଶେଯଆଡ଼କୁ ଗତିକରେ । କିନ୍ତୁ ବେଶି ବାଟ ନ ଯାଉଣୁ ସେ ଅଟକେ । ତା’ର ମନେହୁଏ ଯେ, ସେ ଶେଯ ପାଖରେ ପହଞ୍ଚିଗଲାଣି ।

 

ବାସନ କୁସନ ଧୁଆଧୋଇ କରି ସେ ଶୋଇଲାଣି କି ନା ଦେଖିବା ପାଇଁ ତା’ର ମା’ ତା’ ପାଖକୁ ଆସିଲାବେଳକୁ ଦିନେ ଦିନେ ସେ ସିଡ଼ି ପାହାଚ ଉପରେ ହାମୁଡ଼େଇ ପଡ଼ି ଶୋଇପଡ଼ିଥିବା ଦେଖାଯାଏ ।

 

ଅଳ୍ପ ବୟସରେ ବଟିକାର ଶିକାର ହେଲେ ସୁଦ୍ଧା ତା’ର ସ୍ୱାସ୍ଥ୍ୟ ମନ୍ଦ ନୁହେଁ । ବେଶ୍‌ ଡେଙ୍ଗା ଆଉ ଚଉଡ଼ା । ତା’ର ଲମ୍ୱା ଲମ୍ୱା ଗୋଡ଼କୁ ଚାହିଁଦେଲେ, ସେ ଏବେ ବି ତା’ ମା’ ଆଖିକୁ ଗୋଟିଏ ସିନ୍ଧି ଗାଈର ଅଣ୍ଡିରା ବାଛୁରୀ ପରି ଦିଶିଯାଏ ।

 

ସିଡ଼ି ପାହାଚରେ ସେ ପିଲାକୁ ଏକା ଟେକିନେବା ପେଇଁ ତା’ ମା’ ଦେହରେ ଜୋର୍‌ ନ ଥାଏ । ତା’ଛଡ଼ା ଚାକର ପୂଝାରିଙ୍କ ସାହାଯ୍ୟରେ ସେଇ ପିଲାକୁ ସେଭଳି ଅବସ୍ଥାରେ ଟେକିନେବା ପାଇଁ ମା’ର ମୁହଁ ରହେ ନାହିଁ ।

 

ସକାଳ ପର୍ଯ୍ୟନ୍ତ ସେଇ ସିଡ଼ି ପାହଚକୁ ଢିରା ଦେଇ ପୁଅକୁ ଜଗି ମା’ ରାତି ବିତାଇ ଦିଏ-। ଆଉ, ସେହିପରି ରାତିଗୁଡ଼ିକ କି ମାରାତ୍ମକ !

 

ବେଳେ ବେଳେ ତା’ର ନିଦ ଭାଙ୍ଗିଗଲେ, ସେ ତା’ ମା’କୁ ତା’ ପାଖରେ ଜଗି ବସିଥିବା ଦେଖି ଚମକିଉଠେ...ରୀନା ବିଶ୍ୱାଳ କି ଆଉ ! ହାତ ଉଠିଯାଏ ଟାଣିଦବା ପେଇଁ ବେଣୀକି ତା’ର–-। କିନ୍ତୁ ସେତିକିବେଳେ ତା’ କାନରେ ବାଜେ ତା’ ମା’ର ସେଇ ଏକପଦିଆ ଗୀତ...‘‘ଠାକୁରେ ଠାକୁରେ !’’

 

ଧଡ଼୍‍କିନା ଉଠିପଡ଼ି ସେ ବାଥ୍‌ରୁମ୍‌ଆଡ଼କୁ ଦରାଣ୍ଡି ହୋଇ ଯାଏ ।

 

ତା ମା’ ତା’ ପଛେ ପଛେ ତଥାପି ଅନୁସରଣ କରି ତାକୁ ବାଟ କଢ଼େଇବା ପେଇଁ ଆଗେଇଯାଏ ।

 

‘‘ଡାଆଣୀ ଭଳିଆ କାହିଁକି ଗୋଡ଼େଇଚୁ ମୋ ପଛରେ, ଦେଖିବୁ ଏଇକ୍ଷିଣା.... ?’’ ସେ ତା’ ମା’କୁ କଟମଟ କରି ଅନାଏ ।

 

ରୀନା ବିଶ୍ୱାଳ, ସ୍ୱପ୍ନା ସିଂ, ଛବି ସେନ୍‌....ଏମାନଙ୍କୁ ଏଇ ନାଁରେ ହିଁ ସେମାନେ ଡାକନ୍ତି–ଡାଆଣୀ, ଉଇଚ୍‌, ବିଚ୍‌...!

 

‘‘ବାଥ୍‌ରୁମ୍‌ ଭିତରୁ କବାଟ ବନ୍ଦ କରନାରେ...ଆଉ ବାହାରିପାରିବୁ ନାଇଁ !’’ ତା’ର ମା’ ତାକୁ ତଥାପି ସାବଧାନ କରୁଥାଏ ।

 

କିନ୍ତୁ ସେ କାନାଏ ନା । ବାଥ୍‌ରୁମ୍‌ର କବାଟ ଭିତର ପଟୁ ଧଡ଼୍ କରି ବନ୍ଦ କରିଦେଇ ସେ ତା’ରି ଭିତରେ ରହିଯାଏ, ରାତିର ବାକିତକ ସମୟ । ତା’ର ମନେହୁଏ, ସେ ଏକା ନାହିଁ–ଏକୁଟିଆ ସେ’ତ ରହିପାରେନା–ତେବେ ଅଛି କିଏ ସେ ବାଥ୍‌ରୁମରେ ? ଗୋଟାଏ ସାମ୍ପୁବୋତଲ ଉପରର ଛବିକୁ ଚାହିଁ ସେ ତାକୁ ଗେଲ କଲାଭଳି କହେ–

 

‘‘ଦେଖିବୁ ଏଇକ୍ଷିଣା ?’’

 

ବାହାରେ ତା’ ମା’ କିଛି ସମୟ ଅପେକ୍ଷା କରେ, କିନ୍ତୁ ବେଶି ସମୟ ନୁହେଁ । ଗୋଟାଏ ଭୟଙ୍କର ଅଭିମାନରେ ମା’ର ଛାତି ଭରିଯାଏ, ‘‘ଠାକୁରେ, ଏଇଆ ଦେଖିବାକୁ ଆଖି ଦେଇଥିଲ !’’

 

କାଗଜର ରୀନା ବିଶ୍ୱାଳ ଉପରେ ତା’ ମା’ର ଅଭିମାନ କାହିଁକି ଏତେ ବେଶି, ହୁଏତ ସେ ଏତେ ସ୍ପଷ୍ଟ ବୁଝିପାରେନା; କିନ୍ତୁ ବାଥ୍‌ରୁମ୍‌ ଭିତର କବାଟ ବନ୍ଦ କରି ପଶି ରୀନା ବିଶ୍ୱାଳ, ସ୍ୱପ୍ନା ସିଂ ବିଷୟରେ ଟିକେ ନିରୋଳାରେ ସେ ଭଲ କରି ବୁଝିଥାଏ ଯେ, ତା’ର ମା’ ତାକୁ ପରିତ୍ୟାଗ କରି ଅଭିମାନରେ କୁଆଡ଼େ ଚାଲିଯାଇ ସାରିଲାଣି ।

 

‘‘ସି ଇଜ୍‌ ଜେଲସ୍‌ !’’ ସାମ୍ପୁବୋତଲକୁ ଆହୁରି ନିବିଡ଼ଭାବେ ସେ କୁଣ୍ଢେଇ ପକାଏ ଓ ତା’ପରେ କେଇଟା ମୁହୂର୍ତ୍ତପାଇଁ ସେ ନିଜକୁ ହଜାଇଦିଏ । ଏଇ ମୁହୂର୍ତ୍ତଗୁଡ଼ିକୁ କିନ୍ତୁ ସେ ନିଜର ଚରମ ପରାଜୟ ମୁହୂର୍ତ୍ତ ବୋଲି ବୁଝିପାରେ । ‘‘ଦେଖିବୁ ଏଇକ୍ଷିଣା–’’ ପରମୁହୂର୍ତ୍ତରେ ସେ ଚୂନା କରିଦିଏ ସେଇ ଏକୁଟିଆ ବୋତଲଟାକୁ । ସେତେବେଳକୁ ଭୋର ପାଖପାଖି । ଚୂନା କାଚକୁ ନ ଚାହିଁ ବାଥ୍‌ରୁମ୍‌ରୁ ବାହାରିପଡ଼େ ସେ । ତା’ପରେ ଘରୁ ବାହାରିଯାଏ–ବାହାରକୁ ।

 

ବାଟ ରୋଧିବାକୁ ମା’ ଅବଶ୍ୟ ସେଇ ଘର ଭିତରେ ଥାଏ । କିନ୍ତୁ ଦିନ ଆଲୁଅରେ ମା’ର ମୁହଁକୁ ସେ ପ୍ରାୟ ଦେଖିପାରେନା । ‘‘ମୋ ସୁନାଟା ପରା, ସେ ବଟିକାଗୁଡ଼ାକ ଜମାରୁ ଛୁଇଁବୁ ନାଇଁ, ବାବାଜୀମାନଙ୍କ ଅସମ୍ମାନ କରିବୁନି...ଶିକ୍ଷକମାନଙ୍କୁ...କାମିକା, ନିୟତ ମଣିଷଙ୍କୁ...’’ ସେ ସବୁ ଶୁଣେ । ଆଉ କହେ, ‘‘ବାଥ୍‌ରୁମରେ କାଚ ପଡ଼ିଚି, ହୁସିଆର୍‌ !’’

 

ସବୁଦିନ ପରି ସେ ଦିନ ସକାଳେ ମଧ୍ୟ ଗଛମୂଳିଆ ସାଉଥ୍ ଇଣ୍ଡିଆନ୍‌ କଫି ଦୋକାନରେ ସେ ଏକାଠି ହୁଏ ଅନ୍ୟମାନଙ୍କ ସାଙ୍ଗରେ-ଯୋଉଠୁ ହେଟାବାଘ ଦଳର ଦଳପତି ହୋଇ ସେ ବାହାରେ । ଆଉ କିଏ ରହିଲା ? ଗତକାଲି ପରେ ଏକାଟିଆ ଆଉ କିଏ ରହିଲା ଏ ସହରରେ–ସେ ବୁଲି ବୁଲି ସବୁଆଡ଼କୁ ନିଘା କରେ ।

 

ଟିକିଏ ଦୂରରେ ସହର ମଝିଛକରେ ଏକୁଟିଆ ହେଇ ବ୍ରଞ୍ଜର୍‌ ବିଶାଳ ମୂର୍ତ୍ତିଟିଏ ବସିଥାଏ । ସେଇ ମୂର୍ତ୍ତିକୁ ଦେଖୁ ନ ଦେଖୁଣୁ ସେମାନଙ୍କର ପାଟିରୁ ଏକାବେଳକେ ବାହାରେ–

 

‘‘ହେଇ ! ହେଇ ! ବସିଚି ସେଠି ! ବେ ଶଳା ! ....ଦେଖିବୁ ଏଇକ୍ଷିଣା ?’’

 

–୧୯୭୧

Image

 

ରାଞ୍ଚି ଏକ୍‌ସପ୍ରେସ

 

ସ୍କ୍ୱାସ୍‌, ସ୍କ୍ୱାସ୍‌ ସ୍କ୍ୱାସ୍‌–ସ୍କ୍ୱାସ୍‌, ସ୍କ୍ୱାସ୍‌........

 

ଟାଇପିଷ୍ଟ ଅନିତା ସରକାରର ଛୋଟ, ୟରିଂଟଣା କାନ ଦୁଇଟା ଡେରି ହୋଇଗଲା । ତା’ର ହାଲକା, ଚଞ୍ଚଳ ଟିପଗୁଡ଼ିକ ମନ୍ଥର ହୋଇ ଆସିଲା କି ବୋର୍ଡ଼ ଉପରେ ।

 

ସ୍କ୍ୱାସ୍‌, ସ୍କ୍ୱାସ୍‌–ସ୍କ୍ୱାସ୍‌, ସ୍କ୍ୱାସ୍‌.....

 

ପାଖେଇ ଆସୁଥିଲା.....ଘନ ଘନ, କ୍ଷୁଦ୍ର କ୍ଷୁଦ୍ର, ଖର ବୈଶାଖୀ ଗୁଡ଼ାଏ ନିଃଶ୍ୱାସ କାହାର-। ଟାଇପିଷ୍ଟ ଅନିତା ସରକାର ହାତଘଡ଼ି ଦେଖିଲା । ରାତି ଏକ୍‌ସପ୍ରେସ୍‌ ଧସେଇ ଆସୁଛି ।

 

ସ୍କ୍ୱାସ୍‌, ସ୍କ୍ୱାସ୍‌–ସ୍କ୍ୱାସ, ସ୍କ୍ୱାସ୍‌....ଛୁଟି ଚାଲିଛି ସେ ରାଞ୍ଚି ଅଭିମୁଖେ । ରାତି ସାଢ଼େ ଏଗାର-

 

ଟଣାକ ଟଣାକ–ସରୁ ବେକ ମୂଳର ମୋଟା ମୋଟା ଶିରା ଦୁଇଟା ତା’ର ଚମକି ଉଠିଲା-। ତା’ପରେ ତଣ୍ଟି ଭିତରେ ମୁଣ୍ଡାଏ କଫ ମଧ୍ୟ ଜମାଟ ବାନ୍ଧଆସିଲା ତା’ର । ସେ ଆକତା ହୋଇ ଯାଉଥିଲା ।

 

ସ୍କ୍ୱାସ୍‌ ସ୍କ୍ୱାସ୍‌–ସ୍କ୍ୱାସ୍‌, ସ୍କ୍ୱାସ୍‌.......

 

ପ୍ରଚଣ୍ଡ ବେଗ, ଉତ୍ତପ୍ତ ବାଷ୍ପୀୟ ଧ୍ୱନି ଆଉ ତାଳ ।

 

ରାତି ଏକ୍‍ସପ୍ରେସ ଧସେଇ ଆସୁଛି ।

 

ଟାଇପିଷ୍ଟ ଅନିତା ସରକାରର ପାଦ ଝିମିଝିମି ହୋଇ ଆସୁଥିଲା । ତା’ର ହାଲୁକା ଆଖିପତା ଦିଇଟା ଉପରେ ପାଦର ଚାପୁଆଣୀ ଦେଇ କିଏ ଯେମିତି ତା’ର ମୁଣ୍ଡ ଉପର ଆଡ଼କୁ ଚଢ଼ି ଚଢ଼ି ଯାଉଥିଲା । ଅନିତାର ଓଜନିଆ ମୁଣ୍ଡଟା ଝୁଙ୍କି ଯାଉଥିଲା ତଳକୁ । ଆଉ ସେତିକିବେଳେ ସେ ଅନୁଭବ କରୁଥିଲା–କବାଟ, ଝରକା, ଚଉକି ଟେବୁଲ–ଘରର ସବୁ କିଛି ସ୍ଥାବର ଅସ୍ଥାବର, ସବୁ କିଛି ଝନ୍‌ ଝନ୍‌ ହୋଇ ଉଠିଲେ ତା’ର ଚାରିପାଖେ ଘରର ମୂଳଦୁଆ ସମେତ । ମୁଣ୍ଡ ଉପରର ବାର୍‌ ଲାଇଟ୍‌ଟାର ଉଗ୍ର ଶୀତଳ ଆଉ ଏକରଙ୍ଗ ଆଲୁଅଗୁଡ଼ାକ ମଧ୍ୟ ଥରିବାକୁ ଲାଗିଲା । ଅନିତା ଢୁଲେଇ ପଡ଼ିଲା । କେବଳ କେତୋଟି ଟିପ ତା’ର ଯାହା ଅଭ୍ୟାସ ବଶତଃ ଥରି ଉଠିଲା ମଝିରେ ମଝିରେ, ଟାଇପ୍‌ରାଇଟରଟାର ପ୍ରଶସ୍ତ କି ବୋର୍ଡ଼ ଉପରେ । ନଚେତ୍‌ ବାହାରକୁ ଅନିତା ଶୋଇପଡ଼ିଥିଲା ।

 

ସ୍କ୍ୱାସ୍‌, ସ୍କ୍ୱାସ୍‌–ସ୍କ୍ୱାସ୍‌, ସ୍କ୍ୱାସ......

 

ରାତ୍ରିର ନିରବତା ମନ୍ଥି, ମାଡ଼ି ଆସୁଛି ଦୁର୍ଦ୍ଧର୍ଷ କ୍ୟାନେଡ଼ିଆନ ଇଞ୍ଜିନଟା–ଅତି ନିକଟକୁ-। ମାଡ଼ି ଆସୁଛି ସେ ଗୋଟାଏ ଭୂମିକମ୍ପ ସୃଷ୍ଟି କରି । ଧସେଇ ଆସୁଛି ସେ । ସେ ହୁଏତ ଆଉ ଲାଇନ ଉପରେ ନାହଁ । ଲାଇନଚ୍ୟୁତ ହୋଇ ମାଡ଼ି ଆସୁଛି ସେ । ଗଡ଼ି ଗଡ଼ି, ଡେଇଁ ଡେଇଁ, ତା’ପରେ ଉଡ଼ି ଉଡ଼ି ହୁଏତ କାନ୍ଥ ଫଟାଇ ମାଡ଼ି ଆସିଲାଣି ସେ । ଅଫିସ୍‍ ଘରର ଦୁଇମହଲା ଉପରର ଏଇ କ୍ଷୁଦ୍ର କୋଠରୀଟାକୁ ଲକ୍ଷ୍ୟ କରି ମାଡ଼ି ଆସୁଛି ସେ । ଆଉ ହୁଏତ ଗୋଟାଏ ମୂହୁର୍ତ୍ତ-। ତା’ପରେ–

 

ଆଃ, କି ଚମତ୍କାର ଏଇ ଘର୍ଷଣମୁଖର ମୁହୂର୍ତ୍ତଗୁଡ଼ାକ ।

 

ସ୍କ୍ୱାସ୍‌, ସ୍କ୍ୱାସ୍‌–ସ୍କ୍ୱାସ୍‌, ସ୍କ୍ୱାସ୍‌......

 

ଟାଇପିଷ୍ଟ ଅନିତା ସରକାର ଢୁଳେଇ ପଡ଼ିଛି ତା’ର ମସ୍ତବଡ଼ ରେମିଙ୍ଗଟନ ଟାଇପରାଇଟରଟାର ଉପରେ । ତା’ର ସରୁଆ ବାହୁର ଡଙ୍କ ଦୁଇଟା ବଡ଼ କରୁଣଭାବେ ବେଢ଼େଇ ହୋଇ ପଡ଼ିଛନ୍ତି ସେଇ ଯନ୍ତ୍ରଟାର ଚାରିପାଖେ । ତା’ର ଶିରାଳ ହାତର ଚେରୁଆ ଆଙ୍ଗୁଠିଗୁଡ଼ାକ ଅଣ୍ଡାଳି ହେଉଛନ୍ତି ପବନରେ କିଛି ଗୋଟାକୁ ଜାବୁଡ଼ି ଧରିନେବା ପାଇଁ ।

 

ଅଫିସ୍‌ କଡ଼େ କଡ଼େ, ରେଳ ଧାରଣା ଚମକାଇ, ଦୁଲୁକାଇ ଛୁଟି ଚାଲିଛି ରାଞ୍ଚି ଏକ୍‌ସପ୍ରେସ ।

 

X X X

 

ଅନିତା ସରକାରର ନିର୍ଜୀବ ଓଠ ଦିଇଟା ଥରି ଉଠୁଛି । ପାଟି କଡ଼ରୁ ତା’ର ବୋହିଯାଉଛି ଗୋଟିଏ ଧାର ଗରଳ-ଲିପ୍‍ଷ୍ଟିକ ମିଶା । ଗରଳ ନୁହେଁ; ହୁଏତ କେବଳ ପୁଳାଏ ଲାଳ-। ନିଃଶ୍ୱାସର ହାତୁଡ଼ି ଠୋକରରେ କମ୍ପି ଉଠୁଛି ତା’ର ବୁକୁ । ବୁକୁ-ନୁହେଁ, ଫାଳେ କାଠ । ଟାଇପିଷ୍ଟ ଅନିତା ସରକାର ଢୁଳେଇ ପଡ଼ିଛି ।

 

କିନ୍ତୁ–

 

ଖବର୍‌ଦାର । କେହି ଯେପରି ଭୁଲ ନ ବୁଝେ, ଏଇ ଟାଇପିଷ୍ଟ ଝିଅଟାକୁ । ତୁମେ ହୁଏତ କହିବ ସେ ମୂର୍ଚ୍ଛା ହୋଇପଡ଼ିଛି । କିନ୍ତୁ, ନା, ନା, ସେ ମୂର୍ଚ୍ଛା ହୋଇପଡ଼ିନାହିଁ । ସେ କେବଳ ଢୁଳେଇ ପଡ଼ିଛି । ତୁମେ ତା’ର ଡାକ୍ତର ସାର୍ଟିପିକେଟ ଦେଖିପାର, ତୁମେ ତା’ର କନଫିଡେନ୍‌ସିଆଲ ବହି ଖୋଲି ଦେଖିପାର । ଟାଇପିଷ୍ଟ ଅନିତା ସରକାରର କୌଣସି ଦୋଷ ଦୁର୍ବଳତା ନାହିଁ । ଖୁବ୍‌ ନିଷ୍ଠାପର ଆଉ କାର୍ଯ୍ୟଦକ୍ଷ ଝିଅଟିଏ ।

 

ତେବେ ତୁମେ ପଚାରିପାର–ସେ ଏମିତି ଫାଁଗାଳି ପଡ଼ିଚି ତା’ହେଲେ କିଆଁ ? ତା’ର ପାଟିରୁ ଏମିତି ଗରଳ ବୋହୁଛି କିଆଁ ? ତା’ର ହାତ ଏମିତି ମୁଠା ମୁଠା ହୋଇଯାଉଚି କିଆଁ ? କିନ୍ତୁ ସେ ସବୁ ତୁମର ବୁଝିବାର ଭୁଲ ତୁମର ଦେଖିବାର ଭୁଲ । ସେ ଫାଁ ଗାଳି ପଡ଼ିନାହିଁ । ତା’ର ପାଟିରୁ ଗରଳ ବୋହୁ ନାହିଁ । ବୋହୁଚି ଟିକିଏ ଲାଳ । ତା’ର ହାତ ମୁଠା ମୁଠା ହୋଇଯାଉନାହିଁ । ସେ ଧରିବାକୁ ଚେଷ୍ଟାକରୁଛି କାହାକୁ । ହୁଏତ ପାରୁଛି ବା ପାରୁନାହିଁ । ତେବେ ସେ କେବଳ ଗୋଟାଏ ସାମୟିକ ସ୍ୱପ୍ନର ଜୁଆର ମଧ୍ୟରେ ପଡ଼ିଯାଇଚି ମାତ୍ର । ତୁମେ ଭଲ କରି ମନେରଖ–ଏହା ଏକ ସ୍ୱପ୍ନ ମାତ୍ର । ଦୁଃସ୍ୱପ୍ନ ମଧ୍ୟ ନୁହେଁ । ଇଚ୍ଛାକୃତ ଆଉ ସୁଖସ୍ୱପ୍ନ ମଧ୍ୟ । ଯଦି, ତଥାପି ତୁମେ ଏଇଭଳି ସୁଖସ୍ୱପ୍ନକୁ କାହାର ରୋଗ ବୋଲି ଆଖ୍ୟା ଦିଅ, ତା’ହେଲେ ତୁମକୁ ପୁରୁଣାକାଳିଆ ଆଉ ମରହଟ୍ଟୀ ଛଡ଼ା ଆଉ କିଛି କୁହାଯାଇ ପାରିବ ନାହିଁ । କାରଣ ତୁମେ ଏ ପ୍ରଶ୍ନର ଉତ୍ତର ଦେଇପାରିବ କି ? ପ୍ରଶ୍ନଟି ହେଉଛି–ଏ ଯୁଗରେ ରୋଗୀ କିଏ ଆଉ ସୁସ୍ଥ କିଏ ? ଏବଂ ରୋଗ ନାହିଁ କାହାର ? ରୋଗ ଯଦି ଦେହସୁହା ହୋଇଯାଏ ?–ବଞ୍ଚିବା ପାଇଁ ଆବଶ୍ୟକ ହୋଇପଡ଼େ ?

 

ଓ ! ତୁମେ ବୋଧହୁଏ ଭାବୁଥିବ–ବଡ଼ ଭୟଙ୍କର ଏସବୁ କଥା । କିନ୍ତୁ ନା । ଏପରି ଅସ୍ଥିର ହୁଅ ନାହିଁ । ଟିକିଏ ଚିନ୍ତାକରି ଦେଖ–କେଡ଼େ ରୋମାଣ୍ଟିକ ମଧ୍ୟ ଏସବୁ ଜିନିଷ ! ଭାବି ଦେଖ, ଏ ଯୁଗରେ ରାମ ଯେଡ଼େ, ରାବଣ ସେଡ଼େ । ସୀତା ଯେଡ଼େ, ସୁର୍ପଣଖା ତାଠୁଁ ବଡ଼ । ଆଚ୍ଛା ରାମାୟଣ କଥା ଛାଡ଼ । ଗୁଳିମାର ତାକୁ । ମନେକର ଗୋଟାଏ ପକ୍‌କା ଡିଟେକ୍ଟିଭ ଉପନ୍ୟାସ ପଢ଼ାଳି ତୁମେ । ଏଁ ? କଅଣ କହିଲ ? ତୁମେ ଡିଟେକ୍ଟିଭ ଉପନ୍ୟାସ ପଢ଼ନା ? କିନ୍ତୁ ସେଥିରେ ଯାଏ କେତେ, ଆସେ କେତେ ଟାଇପିଷ୍ଟ ଅନିତ ସରକାରର ? ସେ ତ ଡିଟେକ୍ଟିଭ ଉପନ୍ୟାସ ପଢ଼ିବା ପାଇଁ ବାଧ୍ୟ । ନଚେତ୍‌ ତା’ର ସମୟ କଟିବ କେମିତି ? ଘରୁ ଷୋଳ ମାଇଲ ଦୂର ବାଟ ବସରେ ବସି ସେ ଅଫିସ ଯିବ କିପରି ବସରେ, ପୁଣି ତା’ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ଲେଡ଼ିଜ ସିଟରେ ? –ଏକା ଆଉ ଅଚିହ୍ନା ଗୁଡ଼ାଏ ପୁରୁଷ ଲୋକଙ୍କ ଭିତରେ ? ଏଁ ଅଚିହ୍ନା ନୁହନ୍ତି ? ଆଉ କ’ଣ ଚିହ୍ନା ? ତା’ହେଲେ ତୁମେ କଅଣ କହିବାକୁ ଚାହଁ ? ବୋଧହୁଏ ଟାଇପିଷ୍ଟ ଅନିତା ସରକାରର କଥା ତୁମେ କହୁନା । ତୁମେ ବୋଧହୁଏ ଆଉ କୋଉ ଆଜେ ବାଜେ ଝିଅକୁ ଆଖିରେ ରଖି କଥା କହୁଚ । ନା, ନା–ଟାଇପିଷ୍ଟ ଅନିତା ସରକାର ଏ ସଂସାରରେ କାହାକୁ ଚିହ୍ନେନାହିଁ । କାହାକୁ ଚିହ୍ନିବା ତା’ର ଦରକାର ନାହିଁ । ସେ କୁମାରୀ ଆଉ ଆଜୀବନ କୁମାରୀ ରହିଯାଇପାରେ ମଧ୍ୟ । ତା’ଛଡ଼ା ସେ ସତୀ ! ନାରୀର ସତୀତ୍ୱକୁ ମଧ୍ୟ ସେ ତା’ର ଟାଇପିଷ୍ଟ ଚାକିରି ସହିତ ବଜାୟ ରଖିବାକୁ ଚାହେଁ । ତୁମେ ବି ତ ସେଇଆ ଆଶାକର ତା’ଠୁଁ ! ନୁହେଁ ? ତେଣୁ ସେ ତୁମକୁ, ତା’ ନିକଟକୁ ବସ୍‌ର ଲେଡ଼ିଜ ସିଟରେ ବସାଇ ଦେବ କାହିଁକି ? ତୁମେ ତୁମର ପୁରୁଷ ସିଟରେ ଯାଇ ବସ । ଠିଆ ହେଇ ଯାଅ । ନାହିଁ ତ, ଠିଆ ଯଦି ହେଇ ନ ପାରିବ, ତେବେ ରହିଯାଅ । ପର-ବସରେ ଯିବ; କିନ୍ତୁ ତୁମେ ତାକୁ ଡିଷ୍ଟର୍ବ କରନାହଁ । ସେ ତା’ର ଡିଟେକ୍ଟିଭ ଉପନ୍ୟାସ ପଢ଼ୁ । ଯଦି ପାର ତୁମେ ମଧ୍ୟ ପଢ଼ ଖଣ୍ଡିଏ ଖଣ୍ତିଏ ।

 

ତୁମେ କଅଣ ପଢ଼ିବ ? ‘ଦସ୍ୟୁନାୟିକା ଇରାନୀ’ ପଢ଼ । ପଢ଼ ତୁମେ ‘ଲେଡ଼ି ଅଫ୍‌ ଦି ଲାଇଅନ୍‌ସ ଡେନ୍’ ! ଦି ବ୍ଲାକଟାଇଗ୍ରେସ୍‍ ଅଫ୍‍ ସୁନ୍ଦରବନ ପଢ଼ ! କିମ୍ୱା ହଣ୍ଟରଓ୍ୱାଲୀ ଅଥବା ହଣ୍ଟରଓ୍ୱାଲୀ କି ବେଟୀ ପଢ଼ । ବେଶ୍‌ ବେଶ୍‌, ଟିକିଏ ରହିଯାଅ । ବର୍ତ୍ତମାନ ଟିକିଏ ଚିନ୍ତାକର । ରୋମାଣ୍ଟିକ ଅନୁଭବ କରୁଛ ନା ନାହିଁ ? କରୁନ ଯଦି, ନୁହେଁ କାହିଁକି ? କଅଣ ଖୁବ୍‌ ନୀରସ ? –ଗତାନୁଗତିକ ? ହଁ, ହୋଇପାରେ । କାରଣ ତୁମେ ଜଣେ ସାଧାରଣ ଲୋକ । ବସ୍‌ର ଯେକୌଣସି ସିଟରେ ତୁମେ ବସିପାର । ତୁମ ପାଇଁ ସ୍ୱତନ୍ତ୍ର ସିଟ ନିର୍ଦ୍ଧାରିତ ହୋଇନାହିଁ । ତା’ଛଡ଼ା ସ୍ୱଭାବତଃ ତୁମେଇ ଜଣେ ଡିଟେକ୍ଟିଭ । ସଦାବେଳେ ଚୋରର ପିଛା ପଡ଼ିବା ତୁମର କାମ । ଚୋର ପିଛା ଧାଇଁ ଧାଇଁ ତୁମେ ବିରକ୍ତ ହେଇଗଲଣି । ତୁମକୁ ଜୀବନ ଦୁର୍ବିସହ ଲାଗିଲାଣି କି ନା କହି ହେବନାହିଁ । ତେବେ ବର୍ତ୍ତମାନ ତୁମ ଆଗ ସିଟରେ ଏକକଣିକିଆ ହେଇ ମୁଣ୍ଡରେ ଲୁଗାଦେଇ ବସିଥିବା ସେଇ ଟାଇପିଷ୍ଟ ଝିଅଟିକୁ ଟିକିଏ ଚାହଁ । ସେ ବି ପଢ଼ୁଚି ସେଇ ଡିଟେକ୍ଟିଭ ଉପନ୍ୟାସ ।

 

ଦସ୍ୟୁ ନାୟିକା ଇରାନୀ ।

 

ଲେଡ଼ି ଅଫ୍‍ ଦି ଲାଇଅନ୍‍ସ ଡେନ୍‍ ।

 

ଦି ବ୍ଲାକଟାଇଗ୍ରେସ୍‍ ଅଫ୍‍ ସୁନ୍ଦରବନ ।

 

ହଣ୍ଟରଓ୍ୱାଲୀ ।

 

ହଣ୍ଟରଓ୍ୱାଲୀ କି ବେଟୀ ।

 

ଏଥର ଦେଖ । କେମିତି ବିଭୋର ହୋଇପଡ଼ିଚି ଝିଅଟି । କୁଆଡ଼କୁ ଚାହୁଁନାହିଁ ସେ; କିନ୍ତୁ ତୁମେ ତାକୁ କଣେଇ କଣେଇ ଚାହୁଁଚ । ସେ କିନ୍ତୁ ତୁମକୁ କେଆର କରେନା । କାହିଁକି କରିବ-? ତୁମେ ପରା ଡିଟେକ୍ଟିଭ ? ପରର ଗତିବିଧି ନିରୀକ୍ଷଣ କରିବା ତୁମର ଧର୍ମ । ପରର ଚରିତ୍ର ନିର୍ଣ୍ଣୟ କରିବା ତୁମର ଧର୍ମ । ପରର ସ୍ୱପ୍ନକୁ ରୋଗ ଆଖ୍ୟା ଦେବା ତୁମର ନ୍ୟାୟ । ନା, ସେ ତୁମକୁ କେଆର କରେ ନାହିଁ । ଆଉ ଠିକ୍‍ ସେଇଥିପାଇଁ ସେ ବିଭୋର ହୋଇ ପଢ଼ି ଚାଲିଛି ତା’ର ଉପନ୍ୟାସକୁ–ହଣ୍ଟରଓ୍ୱାଲୀ ଆଉ ହଣ୍ଟରଓ୍ୱାଲୀ କି ବେଟୀର ଇତିହାସକୁ ।

 

ବସ୍‌ ଚାଲିଛି–

 

ବାରମ୍ୱାର ଗିଅର ବଦଳାଇ ଥରି ଥରାଇ ଛୁଟି ଚାଲିଛି ଡିଜେଲ ଇଞ୍ଜିନ ଚାଳିତ ବସ୍‌ଟା-

 

ଛୁଟି ଚାଲିଛି ତେଣେ ଘୋଡ଼ା ପଠିରେ, ଅଗନା ଅଗନି ବନସ୍ତ ଭିତରେ ଦସ୍ୟୁ ନାୟିକା–। ଛୁଟିଚାଲିଛି ତେଣେ ଦ୍ରୁତଗାମୀ ଆଫ୍ରିକାନ ଜେବ୍ରାର ପିଠିରେ ଲେଡ଼ି ଅଫ୍‌ ଦି ଲାଇୟନ୍‌ସ ଡେନ୍‌ ! ଢାଇ, ଢାଇ, ଢାଇ–ପିସ୍ତଲ ଗର୍ଜୁଛି ପଛଆଡ଼େ । ସୁନ୍ଦରବନର ବ୍ଲାକଟାଇଗ୍ରେସ୍‌ ବର୍ତ୍ତମାନ ଜିପ୍‌ ଧରି ଛୁଟିଚାଲିଛି । ପଛେ ପଛେ ଧାଇଁଚି ଡିଟେକ୍ଟିଭ–ମଟର ସାଇକେଲରେ । ଆଖର ତାକୁ ଧରିପାରୁଛି କି ? ଧରିଲେ ବି ହେଲା କଅଣ ? ଶେଷରେ ଡିଟେକ୍ଟିଭ ବିଚରା ପ୍ରେମରେ ପଡ଼ିଗଲା ନାହିଁକି ? ତା’ହେଲେ ଜିତିଲା କିଏ ? –ବ୍ଲାକଟାଇଗ୍ରେସ୍‍ ନା ଡିଟେକ୍ଟିଭ ?

 

ବାଃ, ବାଃ । ସେତିକିଇ ଯଥେଷ୍ଟ । ସେତିକିଇ ଯଥେଷ୍ଟ ଟାଇପିଷ୍ଟ ଝିଅ ଅନିତା ସରକାର ପକ୍ଷରେ । ତୁମେ ଡିଟେକ୍ଟିଭ୍‍ ହୁଅ, ଆଉ ସେ ହେଉ ଦସ୍ୟୁ ନାୟିକା, ସେ ହେଉ ଲେଡ଼ି ଅଫ୍‌ ଦି ଲାୟନ୍‍ସ ଡେନ୍‍, ଆଉ ତୁମେ ହୁଅ ଡିଟେକ୍ଟିଭ ଇନସ୍ପେକ୍ଟର ମିଃ ପ୍ରିକ୍‍ସ । ସେ ତା’ର ସ୍ୱପ୍ନ ଦେଖୁ । ସ୍ୱପ୍ନର ଜୁଆରରେ ଭାସୁ । କେବଳ ସେତିକି କାହିଁକି ? ସେ ଏବେ ଆହୁରି ରୋମାଞ୍ଚକର, ଆଉ ଆଉ ଟିକେ ପୁଲକପ୍ରଦ, ଆଉ ଟିକିଏ ସେଣ୍ଟିମେଣ୍ଟାଲ ଚିନ୍ତାକରୁ । ସେ ଏବେ ତା’ ଦରମାରୁ ବଞ୍ଚାଇ ଚାମୁଣ୍ଡା ବୁକ୍‌ ହୋମ୍‌ ଅଥବା ଜୟକାଳିକା ପୁସ୍ତକଭଣ୍ଡାର ଇତ୍ୟାଦି ଇତ୍ୟାଦିର ପ୍ରକାଶିତ କେତୋଟି ଚିତ୍ତାକର୍ଷକ, ମନୋରମ, କନ୍ଦର୍ପମୁଖର ନୂଆ ଚକଚକିଆ ଉପନ୍ୟାସ ବହି କିଣି ପଢ଼ୁ । ବସରେ ଯାଉ ଯାଉ ସେ ପଢ଼ୁ, ଆଉ ପଢ଼ିବା ସାଙ୍ଗେ ସାଙ୍ଗେ ତାକୁ ଚିନ୍ତା କରିବାକୁ ମଧ୍ୟ ଯଥେଷ୍ଟ ସମୟ ଦିଅ ।

 

ସେ ପଢ଼ୁ–

 

‘‘ବଜ୍ର ଚୁମ୍ୱନ’’

 

‘‘ସିଂହାଲିଙ୍ଗନ’’

 

‘‘ବୃଷଭ ରୋମାନ୍‍ସ’’

 

‘‘ବାହୁ ବନ୍ଧନ’’

 

‘‘ଭୋକିଲା ଯୌବନ’’

 

‘‘ମୋ ଆକାଶ ଠିଆମେଲା’’

 

ଆଉ ‘‘ମୋ ସ୍ୱାମୀ ଘରେ ନାହାନ୍ତି’’

 

–ଇତ୍ୟାଦି ଇତ୍ୟାଦି ରୋମାଞ୍ଚକର ସିରିଜ ! କେବଳ ସେତିକି ନୁହେଁ । ତୁମେ ଏବେ ତାକୁ ତୁମର ଗପର ହିରୋଇନ କରିନିଅ । ତା’ର ଏଇ ସ୍ୱପ୍ନକୁ କେନ୍ଦ୍ର କରି ତୁମେ ଏବେ ରୋମାଞ୍ଚକର ରାଞ୍ଚି ଏକ୍‌ସପ୍ରେସ ସିରିଜ ପ୍ରକାଶ କର । ସେଥରେ ତା’ର ଯାଏ କେତେ, ଆସ କେତେ ? ତୁମ ସବୁ ଡିଟେକ୍ଟିଭ୍‍ ପଞ୍ଝାଙ୍କୁ ଅନିତା ସରକାର ଖୁବ୍‌ ପ୍ରେମକରେ । ଆଉ ଖାସ ତୁମର ଗଳ୍ପ ଆଉ ଉଦ୍ଭଟ୍ଟ କଳ୍ପନାକୁ ଖୋରାକ ଦେବାପାଇଁ ସେ ଏମିତି ମୂର୍ଚ୍ଛା ହୁଏ । ଏମିତି ହାତ ମୁଠା ମୁଠା କରେ । ଏମିତି ଗରଳ ବୁହାଏ, ଆଉ ତା’ ଅଫିସ୍‍ ବାଟ ଦେଇ ସବୁ ରାତିରେ ରାଞ୍ଚି ଏକ୍‌ସପ୍ରେସ ଧସେଇ ଚାଲିଯାଏ ।

 

X X X

 

ଟାଇପିଷ୍ଟ ଅନିତ ସରକାର ତଥାପି ଭାସୁଛି ତା’ର କଳ୍ପନାର ଜୁଆର ଭିତରେ । ତେବେ ତା’ପାଇଁ ବ୍ୟସ୍ତ ହେବାର ଦରକାର ନାହିଁ । ସେ ଉଠିବ । ଇଞ୍ଜିନ ଭୂତର ଲୌହଧର୍ଷଣ ତା’ପାଇଁ ଆଉ ଉତ୍ତେଜନା ସୃଷ୍ଟି କରୁନାହିଁ । ତେଣୁ ସେ ଉଠିବ ।

 

ସେ ଉଠିବ ଆଉ ଟିକକେ । ସେ ଉଠି ଦେଖିବ, ନିଶା ପୁଣି ଗର୍ଜିବାକୁ ଆରମ୍ଭ କରିଦେଇଛି ସବୁଦିନ ଭଳି । ଚତୁର୍ବ୍ଦିଗ ନୀରବ, ନିସ୍ତବ୍‍ଧ ଆଉ ନିଃସଙ୍ଗ ମଧ୍ୟ । କ୍ଷଣକ ପାଇଁ ସାରାସଂସାରଟା ଖୁବ୍‌ ଫାଙ୍କା ଫାଙ୍କା ଲାଗିବ ତାକୁ । ସେ ସାମାନ୍ୟ ନିରାଶ ହୋଇ ଅନେଇ ରହିବ ସାମନାର କାନ୍ଥ ଘଡ଼ିକୁ । ଆଉ, ଏଇ ଘଡ଼ିଟାଇ ତାକୁ ଅଧିକ ନିରାଶ କରିଦେବ । ଚାହଁ ଏଇ ହୋପଲେସ ଘଡ଼ିଟାକୁ । କିପରି ଢୁଳେଇ ଢୁଳେଇ ସେ ତମକୁ ଏହିକ୍ଷଣି ଆଖିମିଟିକାଟିଏ ମାରିଦେଇ ପୁଣି ଶୋଇପଡ଼ିଲା । ତା’ର ଗତାନୁଗତିକ ନିଦ୍ରାରେ ।

 

ବ୍ୟସ୍ତ ହୁଅନା । ଟାଇପିଷ୍ଟ ଅନିତା ସରକାର ଉଠିବ । ତାକୁ ଡାକ୍ତରଖାନା ନେବା ଦରକାର ନାହିଁ । ତାକୁ ସାଇକୋଥେରାପିଷ୍ଟ ପାଖକୁ ନେବା ଦରକାର ନାହିଁ କିମ୍ୱା ସିଡେଟିଭ ଖୁଆଇବା ଦରକାର ନାହିଁ । ସେ ଉଠିବ । ହେଇ ଦେଖ, ତା’ର ବାହୁର ରୁମ ରୁମିଆ ଡଙ୍କ ଦିଇଟା କେମିତି ଢିଲା ଢିଲା ହୋଇ ଆସିଲାଣି । ଆଙ୍ଗୁଠିର ଶିଅଗୁଡ଼ିକ ପୁଣି କେମିତି ଲହ ଲହ ହୋଇ ଉଠିଲେଣି, ସେମାନଙ୍କର ଆଶ୍ରୟ ବିନ୍ଦୁଗୁଡ଼ିକର ଚାରିପାଖେ । ଆଉ ଟିକକେ ପୁଣି ଜାଗି ଉଠିବେ ନିର୍ଜୀବ ଟାଇପ୍‌ରାଇଟରଟାର ନାଡ଼ିଗୁଡ଼ାକ । କାଗଜର ଖସ ଖସ ଆଉ ଟାଇପରାଇଟରର ଦାନ୍ତରଗଡ଼ାରେ ପୁଣି କମ୍ପି ଉଠିବ ସାରା ଘର....

 

Order–

Memo no–

Dated-

Ref.–

 

ଆଉ Dear sir ଚଣା ଚୋବେଇ ଚୋବେଇ ଟାଇପିଷ୍ଟ ଅନିତା ସରକାର ପୁଣି ତା’ ପେଟ ପୂରେଇବ । ତା’ପରେ ସେ ବିଶ୍ରାମ ନେବ ରାତିଟା ପାଇଁ । ଆଜି ଆଉ ସେ ବସରେ ଘରକୁ ଫେରିବ ନାହିଁ । ଏଇଠି ରହିଯିବ ତା’ର ନିକଟ ସମ୍ପର୍କୀୟା ମାଉସୀଙ୍କ ଘରେ । ଇଚ୍ଛାକଲେ ତୁମେ ତା’ର ଅନୁସରଣ କରିପାର ତ ଏଇ ସୁଯୋଗରେ ।

ଅନିତା ସରକାର ମୁଣ୍ଡ ଉଠେଇଲା । ତରବର ହୋଇ କାନି କଣରେ ମୁହଁର ଲାଳଗୁଡ଼ାକ ପୋଛିପକେଇ ସେ ଦିହର ଲୁଗାପଟାକୁ ସଜାଡ଼ିନେଲା ।

ଠିକ୍‌ ସେତିକିବେଳେ ପଛପଟେ କାହାର ପାଦ ଶବ୍ଦ ଶୁଣି ସେ ଚମକି ପଡ଼ିଲା । ପଛକୁ ଫେରି ଚାହିଁଲା ଅନିତା ।

ଦରୁଓ୍ୱାନ ବଘୁଆ ସିଂ ମୁଛ ସାଉଁଳେଇ ସାଉଁଳେଇ ହସୁଥିଲା–

 

‘‘ରାଞ୍ଚି ଏକ୍‌ସପ୍ରେସ ଚାଲିଗଲାଣି ଦିଦି...

କ୍ୟା ନିଦ୍‍ ଆଗୟିଥୀ ?’’

ଟାଇପିଷ୍ଟ ଅନିତା ସରକାର ତା’ର ଟାଇପକରା କାଗଜଗୁଡ଼ିକୁ ସଜାଡ଼ି ରଖୁଥିଲା । ବଘୁଆ ସିଂର ବିରାଟ ଆଁ ଭିତରୁ ତା’ର ଦାନ୍ତ ଦି’ ଭାଡ଼ି ଚମକି ଉଠିଲା ।

ଡେଭିଲ ! ଅନିତା ସରକାର ବଘୁଆ ସିଂ ଭଳି ପୁରୁଷମାନଙ୍କୁ ଏଇ ନାମରେ ହିଁ ଚିନ୍ତାକରେ–ଡେଭିଲ !

ଅନିତା ସରକାର ତା’ର ରେମିଙ୍ଗଟନ ମେସିନ ଉପରେ ଘୋଡ଼ଣିଟାକୁ ଆଡ଼ଜଷ୍ଟ କରୁଥିଲା । ତା’ର ଆଖି କଣରେ ବଘୁଆ ସିଂର ବୃଷାଳ ଦିହଟା ତଥାପି ଠିଆ ହୋଇଥିଲା ।

ଅନିତାର ଦିହ ବୁଲେଇ ଉଠିଲା ।

ବ୍ରୁଟ୍‍–ବିଷ୍ଟଲି–ବଘୁଆ ସିଂ ପରି ଭଦ୍ର, ସ୍ନେହୀ, ସୁପୁରୁଷମାନଙ୍କୁ ମଧ୍ୟ ଅନିତା ସରକାର ଏହିପରି ଆଖ୍ୟା ଦିଏ–ବ୍ରୁଟ୍‍, ବିଷ୍ଟଲି !

 

ଅନିତା ସରକାର ପାହାଚ ପରେ ପାହାଚ ଓହ୍ଲେଇ ଚାଲିଲା ।

 

ନିରାଶ ହୋଇ ନିଶ ମୋଡ଼ି ଚାଲିଥିଲା ବଘୁଆ ସିଂ । ଦରଓ୍ୱାଜାରେ ତାଲା ଠୁଙ୍କିବା ହେଲା ତା’ର କାମ । ସେ ସଭା ପଛରେ ପଡ଼ିଗଲା । ରାଞ୍ଚି ଏକ୍‌ସପ୍ରେସର ହୁଇ୍‍ସିଲ ଦୂରରୁ ଶୁଭୁଥିଲା ତା’ କାନରେ–ଲୁହାର ସରୁ ପାତଟିଏ ଉପରେ ପବନ ବୋହିଗଲା ପରି !

 

ଓଭରଟାଇମ ଶେଷକରି ଅନିତା ତା’ର ଅବଶ ପାଦ ଦୁଇଟାକୁ କୌଣସିମତେ ଚଳେଇ ନେଉଥିଲା ରାସ୍ତାରେ । ରାସ୍ତାର ଗାଡ଼ି, ଘୋଡ଼ା, ମଣିଷ, ଜାନୁୟାର କାହାରି ପ୍ରତି ଲକ୍ଷ୍ୟ ନ ଥିଲା ତା’ର । ଢୁଳେଇ ଢୁଳେଇ ଚାଲିଥିଲା ସେ ନିଜର କୁମାରୀତ୍ୱକୁ ଅକ୍ଷୁର୍ଣ୍ଣ ରଖି, ଗୋଟିଏ ଅପହଞ୍ଚ ଦସ୍ୟୁନାୟିକା ପରି !

 

–ମୂର୍ଚ୍ଚନା–୧୯୬୨

Image

 

ସତ୍ୟାଗ୍ରହୀ

 

ବର୍ଷ ତିନିଟା ତଳେ ସରକାରଙ୍କଠାରୁ ଟଙ୍କା କୋଡ଼ିଏ ହଜାର କରଜ କରି ସେତକ ଧନକୁ ବାଲି, ସିମେଣ୍ଟ, ପଥରରେ ପରିଣତ କରି ସାତ ପୁରୁଷି ନିଅଁଟିଏ ପକେଇ ତା’ ଉପରେ ସାଧାରଣ ମଧ୍ୟବିତ୍ତ ପରିବାରଟିଏ ରହିଲା ଭଳି ଘରଟିଏ ତୋଳେଇ ମାଟି ସଙ୍ଗରେ ଜୀବନର ପ୍ରଥମ ଓ ଶେଷ ବନ୍ଧନରେ ଜଡ଼ିତ ହେବା ପୂର୍ବରୁ ବିକ୍ରମବାବୁ ଆହୁରି ଏକ ଦିବ୍ୟ ଦୃଷ୍ଟିରେ ସହରର ମାଷ୍ଟର ପ୍ଲାନଟିକୁ ନିରୀକ୍ଷଣ କରିଥିଲେ ।

 

ମାଷ୍ଟରପ୍ଲାନର ନୀଳରଙ୍ଗର ପ୍ରଶସ୍ତ କାଗଜର ପଟ୍ଟଭୂମି ଉପରେ ଅଙ୍କିତ ଜାଲପରି ଖୋପ ଖୋପ ଧଳାଗାରଗୁଡ଼ିକୁ ଦେଖୁ ଦେଖୁ ତାଙ୍କର ସାରା ଦେହ ପୁଣିଥରେ ରୋମାଞ୍ଚିତ ହୋଇ ଉଠିଥିଲା । ଅବଶେଷରେ ସେ ଏଇ ସଂସାରର ଜାଲରେ ଧରା ପଡ଼ିଲେ ତା’ହେଲେ ।

 

ତାଙ୍କୁ ଯେତେବେଳେ ଚାରି ପାଞ୍ଚ ବର୍ଷ ବୟସ ହୋଇଥିଲା, ଦିନେ ରାତିରେ ସେ ଗୋଟିଏ ସ୍ୱପ୍ନ ଦେଖିଥିଲେ । ସେ ଦେଖିଲେ ଯେ, ଗୋଟିଏ ମସ୍ତବଡ଼ ନେଳୀପାଣିର ସମୁଦ୍ର ଭିତରେ ହଠାତ୍‌ କେଉଁଠୁ କେଜାଣି ସେ ଗଳି ପଡ଼ିଲେ । ପାଣିରେ ପଡ଼ିବାମାତ୍ରେ, ସାଙ୍ଗେ ସାଙ୍ଗେ ସେ ସମୁଦ୍ରର ଅତଳ ଗର୍ଭ ଆଡ଼କୁ ମୁହେଁଇ ଥିଲେ; କିନ୍ତୁ ହଠାତ୍‌ ତଳକୁ ଯିବା ପରିବର୍ତ୍ତେ ତାଙ୍କର ଊର୍ଦ୍ଧ୍ୱଗମନ ପୁଣି ଆରମ୍ଭ ହୋଇଗଲା । ଦେଖୁ ଦେଖୁ ମୁହୂର୍ତ୍ତକ ମଧ୍ୟରେ ସେ ଆସି କୂଳ ଉପରେ ଥୁଆ ହେଲେ । ଗୋଟାଏ ମାଛଧରା ଜାଲର ଭିତର ପଟୁ ସେ ବାହାର ଦୁନିଆକୁ ଦେଖି ପାରୁଥିଲେ-

 

ସ୍ୱପ୍ନଟି ସେ ଭୁଲି ଯାଇଥିଲେ । କିନ୍ତୁ ବହୁବର୍ଷ ପରେ ତାଙ୍କର ଅଘୋରୀ ମନ ଘର ଧରିସାରି ଯେତେବେଳେ କୋଉ ଗୋଟିଏ ଭଲ ସହରରେ ଘରଦ୍ୱାର କରିବା ଉଦ୍ଦେଶ୍ୟରେ ପିଲାଛୁଆଙ୍କ ଭବିଷ୍ୟତ ଦୃଷ୍ଟିରୁ ଉତ୍ତମ, ପବିତ୍ର ସ୍ଥାନଟି ନିରୂପଣ କରିବାପାଇଁ ଆଗଭର ହେଉଥିଲା, ଠିକ୍‌ ସେତିକିବେଳେ ସେଇ ସ୍ୱପ୍ନଟି ମନେ ପଡ଼ିଗଲା ଓ ତତ୍‌କ୍ଷଣାତ୍‌ ବିକ୍ରମବାବୁଙ୍କ ଚୈତନ୍ୟ ପୁରୁଷର ସ୍ୱରପରି ସ୍ୱରଟିଏ ଶୁଣାଗଲା ମଧ୍ୟ, ‘‘ଏଇ ସେଇ ଜାଲ ! ୟାକୁଇ ତୁ ସ୍ୱପ୍ନରେ ଦେଖିଥିଲୁ–ଚିହ୍ନିପାରୁନୁ ?’’

ବିକ୍ରମବାବୁ ଅକାତରେ କରଜ ଟଙ୍କାତକ ସହିତ ନିଜର ଉପାର୍ଜିତ ଆଉ କେତେ ଟଙ୍କା ଏକାଠି କରି ସେଗୁଡ଼ାକୁ ବାଲି, ସିମେଣ୍ଟ, ପଥର, ଲୁହାଛଡ଼ରେ ପରିଣତ କରି ପୋତି ପକେଇଲେ-

ସହରର ମାଷ୍ଟର ପ୍ଲାନଟି ଜଣେ ଫରାସୀ ନଗର-ନିର୍ମାଣ ବିଶାରଦ ତିଆରି କରିଥିଲେ ବୋଲି ସେ ଶୁଣିଥିଲେ । ନଗରର ଭିତ୍ତି ପଛରେ ଫରାସୀ ହାତଟିଏ ଥିବା ଜାଣି ସେ ଆହୁରି ଆନନ୍ଦିତ ହୋଇଥିଲେ । ସ୍ଥାନଟି ପ୍ରତି ତାଙ୍କର ମମତା ଖୁବ୍‌ ବଢ଼ିଯିବା ସ୍ୱାଭାବିକ, ଯେତେବେଳେ ସେ ଦେଖିଥିଲେ ଯେ, ସରକାରୀ ସହାନୁଭୂତିପ୍ରାପ୍ତ ଗୃହନିର୍ମାଣ ସମବାୟ ସମିତି ପକ୍ଷରୁ ତାଙ୍କୁ ଯଚା ଯାଇଥିବା ପ୍ଲଟ୍‌ଟି ମାଷ୍ଟରପ୍ଲାନର ଗୋଟିଏ କୃତ୍ରିମ ହ୍ରଦ ଚିହ୍ନିତ ଅଞ୍ଚଳର ଠିକ୍‌ ପ୍ରଥମ ଧାଡ଼ିରେ ହିଁ ରହିଥିଲା ।

ହ୍ରଦ ! ଘର ସାମନାରେ ହ୍ରଦ ! –ଘରର ଦକ୍ଷିଣ ମୁହାଁ ପିଣ୍ଡା ଉପରେ ଅବସରପ୍ରାପ୍ତ ଜୀବନର ବାକିତକ ସମୟ ଆଜିକୁ କୋଡ଼ିଏ ବର୍ଷ ପରେ କେମିତି କଟିବ, ସେଇ ବିଷୟରେ ସେ ଅନେକଥର ଆଲୋଚନା କରି ସାରିଥାନ୍ତି ତାଙ୍କର ସହଧର୍ମିଣୀ ସହିତ ।

‘‘ରିଟାୟାର ବାସିଦିନ ତମେ ମତେ ଆଉ କୋଉଠି ଦେଖିବ ନାହିଁ–ଦେଖିବ ଏଇ ପିଣ୍ଡାରେ ! ମୁଁ ମଧ୍ୟ ଆଉ ପଢ଼ାପଢ଼ି ଲେଖାଲେଖିରେ ଆଉ ମୁହୂର୍ତ୍ତେ ଜୀବନକୁ ନଷ୍ଟ କରିବି ନାହିଁ । ମୋର ଜାତକରେ ଅଛି, କୌଣସି ହ୍ରଦକୂଳରେ ହିଁ ମୋର ମୃତ୍ୟୁ ହେବ ।’’

 

‘‘ସେମିତି ହେଲେ ଏ ଘର ବିକ୍ରୀ କରିଦିଅ । ଚାଲ ଆମର ସାତପୁରୁଷି ଗାଁକୁ । ସେଠି ହ୍ରଦ ଫ୍ରଦ କିଛି ନାହିଁ ।’’

 

ସ୍ତ୍ରୀଙ୍କର ଆଶଙ୍କାକୁ ବିକ୍ରମ ବାବୁ ବୁଝିପାରନ୍ତି; କିନ୍ତୁ ତା’ଠାରୁ ବଳି ଆଶଙ୍କା ସେ ଶୁଣିପାରନ୍ତି ତାଙ୍କ ସ୍ୱରରୁ । ଘର ବିକ୍ରୀ କରିଦିଅ ! ଏତେ ଅର୍ଥ, ସମୟ, ଆଉ ମମତାପୂର୍ଣ୍ଣ ସ୍ୱପ୍ନ ଖଟେଇ ଯେଉଁ ଘରଖଣ୍ଡକ ସେ ନିଜ ହାତରେ ତିଆରି କରିଚନ୍ତି, ସେଇଟା ଯେ ଦିନେ ବିକ୍ରୀ ହୋଇଯାଇପାରେ, ଏପରି ଆଶଙ୍କା ତାଙ୍କୁ ଉତ୍ତେଜିତ, ବିରକ୍ତ କରେ ।

 

‘‘ଶୁଣ ! ଘରଟାକୁ ବିକ୍ରୀ କରିବା ପାଇଁ ତରତର ହୁଅ ନାଇଁ । ସେ ବେଳ ଏପର୍ଯ୍ୟନ୍ତ ଆସିନାହିଁ । ଆସିଲାବେଳକୁ ୟାର ଦାମ୍ ଅନ୍ତତଃ ଦଶଗୁଣ ବଢ଼ି ଯାଇଥିବ । ହ୍ରଦକୂଳର ଘର–ବୁଝିଛ ତ ? ଗୋଟିଏ ବର୍ଗ ଇଞ୍ଚ ଜମି ସେଦିନ ହେଇ ଯାଇଥିବ ଗୋଟିଏ ସୁନାଇଟା ଭଳି ମୂଲ୍ୟବାନ । ସେ ଦିନକୁ ଅବଶ୍ୟ ସେଥିରେ ଭାଗ ବସିବା ପାଇଁ ଏ ଲୋକଟିକୁ ଏଠି ପାଇବ ନାଇଁ–ଯେ ବସିଥାନ୍ତା ଏଇ ପିଣ୍ଡାରେ, ତୁମର ଏଇ ପଣତ କାନି ଉହାଡ଼ରେ ହ୍ରଦକୁ ଅନେଇ– !’’

 

ଏହିପରି ବିଶ୍ୱାସ ଥିଲା ବିକ୍ରମ ବାବୁଙ୍କର ଯେ, ନିଜେ ହାତରେ ସେ ଯେଉଁ ଘର ଖଣ୍ଡିକ ତିଆରି କରିଥିଲେ, ତାହା ହୁଏତ ତାଙ୍କର ଜୀବଦ୍ଦଶାରେ ବିକ୍ରୀତ ବିକ୍ରି ପରହାତକୁ ଭଡ଼ା ପାଇଁ ମଧ୍ୟ ହସ୍ତାନ୍ତରିତ ହେବନାହିଁ ।

 

ବିକ୍ରମବାବୁଙ୍କ ନୂଆ ଘରର ରଙ୍ଗକାମ ସେଇଦିନ ଶେଷ ହେବାର ଥିଲା । ସେଦିନ ବଡ଼ି ସକାଳୁ ଉଠି ନିଜ ଘର ସାମ୍ନା ହ୍ରଦଇଲାକା ଉପରେ ଗୁଡ଼ାଏ କଅଣ କାଠଖୁଣ୍ଟ ପୋତାପୋତି ହେଉଥିବାର ଦେଖି ବିକ୍ରମ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ । ମୁହଁ ନ ଧୋଇ ଅଘଷା ପାଟିରେ ଫାଟକ ଫିଟାଇ ସେ ହଦ୍ର ଇଲାକାକୁ ଚାଲିଲେ । ବେଶି ଦୂର ନୁହେଁ । ଘରଠୁଁ ମାତ୍ର ପଚାଶ ଶହେ ଗଜ ଦୂରରେ ଧମାଧମ କାମ ଚାଲିଥାଏ ।

 

ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବିକ୍ରମ ବାବୁଙ୍କ ଆଶଙ୍କାର ଗୋଟାଏ ଅତୀନ୍ଦ୍ରିୟତାର ଦିଗ ଉନ୍ମୋଚିତ ହୋଇ ସାରିଥାଏ । କାମ ନିକଟରେ ଖଣ୍ଡେ ଚାରପାଇ ଉପରେ ଶୋଇଥିବା ଜଣେ ଲୋକର ମାଟିଆ ହାଫ୍‌ପ୍ୟାଣ୍ଟକୁ ଦେଖୁ ନ ଦେଖୁଣୁ ସମୁଦାୟ ବ୍ୟାପାରଟା ଗୋଟାଏ ଦୁଃସ୍ୱପ୍ନ ପରି ତାଙ୍କ ଆଖି ଆଗରେ ଚମକିଗଲା । ନିକଟକୁ ଯିବାମାତ୍ରେ ସେ ଦେଖିପାରିଲେ, ସେଇ ମାଟିଆ ହାଫ୍‌ପ୍ୟାଣ୍ଟ ପିନ୍ଧା ଲୋକଟିର ବାକିତକ ପୋଷାକକୁ । ଅବକାରୀ କନଷ୍ଟେବଳଟିର ନିଦ ତଥାପି ଭାଙ୍ଗି ନ ଥିଲା ।

 

‘‘ହୋ ! ଏଠି କଅଣ ଚାଲିଛି ?’’ ବିକ୍ରମବାବୁ ନିର୍ବିଚାରରେ ସେତେବେଳକୁ ଅଧାତିଆରି ଗୋଟିଏ ଝୁମ୍ପୁଡ଼ି ଘରର ମାଟି ମୂଳଦୁଆ ଉପରେ ଚକା ପକାଇ ବସି ପଡ଼ିଥିଲେ ।

 

ଅବକାରୀ କନଷ୍ଟେବଳଟି ଉଠିବା ପୂର୍ବରୁ ଆଉ କେତେଜଣ ଲୋକ ସେଠି ଜମି ସାରିଥାନ୍ତି । ଜଣେ ହିନ୍ଦୁସ୍ଥାନୀ ଲୋକ କନଷ୍ଟେବଳର ପିଠିରେ ଗୋଟାଏ ଥାପଡ଼ ମାରି ତାକୁ ନିଦରୁ ଉଠେଇ ବସେଇ ଦେଲା ଓ ବିକ୍ରମ ବାବୁଙ୍କୁ ଶୁଣେଇ ଶୁଣେଇ କହିଲା–

 

‘‘ୟେ ସରକାରୀ ହୈ ସରକାରୀ ! କୋଇ ଚୋରାଲୁକ୍‌କା କାମ୍‌ ନେହିଁ ଚଲ୍‌ ରହା ହୈ । ହମାରା ପାସ୍‌ ପରମିଟ୍‌ ହୈ ! ଆରେ କ୍ୟା ଶୋ ରହା ହୈ ? ମୈ ବୋଲ୍‌ ରହାଥା ନା ତୁମକୋ ? ଇଧର୍‌କା ଆଦ୍‍ମୀ ଗଡ଼ବଡ଼ କରେଙ୍ଗେ–ହାମାରା ନୋକ୍‌ସାନ ହୋଗା– !’’

 

‘‘ମୁଁ ତୁମକୁ କଦାପି କରେଇ ଦେବିନାହିଁ । ମୁଁ ସୂର୍ଯ୍ୟଙ୍କୁ ଚାହିଁ ପ୍ରତିଜ୍ଞା କରୁଛି, ଏଠି ମୋ ଘର, ମୋ ପିଲା ଛୁଆ ଏ ଘରେ ରହନ୍ତି । ଏଠି ଆହୁରି ଅନେକ ଲୋକଙ୍କ ଘର, ସେଠି ମଧ୍ୟ ପିଲାଛୁଆ, ଝିଅ ବୋହୂ ଅଛନ୍ତି । ଏଠି ଆହୁରି ଅନେକ ଲୋକଙ୍କ ଘର ହେବ, ସେଠି ବି ପିଲାଛୁଆ, ଝିଅ ବୋହୂ ରହିବେ । ଏଠି କଦାପି ମୁଁ ମଦ ଦୋକାନ ବସେଇ ଦେବିନାହିଁ, ଦେବିନାହିଁ, ଦେବିନାହିଁ...ଏଇ ଦେଖ, ମୁଁ ନିଜେ ବସିଲି ଏଠି ସତ୍ୟାଗ୍ରହରେ !’’

 

ବିକ୍ରମବାବୁ ଅଘଷା ମୁହଁରେ ସତ୍ୟାଗ୍ରହରେ ବସିଗଲେ ।

 

ବିକ୍ରମବାବୁ ଜଣେ ସରକାରୀ ଚାକିରିଆ । ବିକ୍ରମବାବୁ ଜଣେ ଜଣାଶୁଣା, ସମାଜରେ ପ୍ରତିଷ୍ଠା ପାଇଥିବା ଲୋକ । ଜଣେ ପ୍ରତିଷ୍ଠିତ ସରକାରୀ ଚାକିରିଆ ସତ୍ୟାଗ୍ରହ କଲେଣି, ଏ ଖବର ଶୁଣିବାମାତ୍ରେ ସ୍ୱାଭାବିକଭାବେ ଜନଗହଳି ବିକ୍ରମବାବୁଙ୍କ ଘର ସାମନା ହ୍ରଦ ଇଲାକାରେ ବଢ଼ିଲା ।

 

ବିକ୍ରମବାବୁ ନିଜକୁ କେନ୍ଦ୍ରକରି ଏତେଗୁଡ଼ାଏ ଲୋକଙ୍କୁ ଦେଖି ଆହୁରି ଆଶଙ୍କିତ ହୋଇଉଠିଲେ ! ସେ ଯେ ଜଣେ ସରକାରୀ ଚାକିରିଆ ଓ ଅବସ୍ଥାଚକ୍ରରେ ପଡ଼ି ସେ ଗୋଟାଏ ଦେଶୀ ମଦ ଦୋକାନ ଆଗରେ ସତ୍ୟାଗ୍ରହରେ ବସି ସାରିଲେଣି, ଏହା ଜାଣିଲା ପରେ ବିକ୍ରମବାବୁ ଆଗରେ ବର୍ତ୍ତମାନ ଦୁଇଟି ମାତ୍ର ପନ୍ଥା ଖୋଲା ରହିଲା । ହୁଏତ ସେ ସେଇଠି ସତକୁ ସତ ସତ୍ୟାଗ୍ରହରେ ବସି ନିଜ ଅନ୍ତରରୁ ପ୍ରକାଶ ପାଇଥିବା ସ୍ୱାଭାବିକ କ୍ରିୟାଟିକୁ ଆଶ୍ରୟ କରି ସଭାଶେଷ ପରିଣତି ପର୍ଯ୍ୟନ୍ତ ଗତି କରିବେ, କିମ୍ବା ଦୁନିଆରେ ଆଉ ପାଞ୍ଚ ଘଟଣାରେ ଯେପରି ଗୋଟିଏ ମୁହଁରକ୍ଷାକାରୀ ସାଲିସ୍‌ର ଦିଗ ଅଛି, ସେମିତି ଗୋଟିଏ ସାଲିସ୍‌ ପାଇଁ ହଠାତ୍‌ ସେ ମାଟିରୁ ଉଠିପଡ଼ି ସିଧା ଘରକୁ ଚାଲିଯିବେ ଓ ଅଘଷା ମୁହଁକୁ ଧୋଇପକେଇ ଯଥାରୀତି ଚା’ ଜଳଖିଆ ଖାଇ ସମୟ ଦେଖି ସେ ତାଙ୍କର ସ୍ତ୍ରୀଙ୍କୁ କହିବେ–‘‘ଶୁଣିଲଣି ! ଏ ସହରର ମାଷ୍ଟରପ୍ଲାନରେ ୟା ଭିତରେ ଗୋଟାଏ ଅଦଳ ବଦଳ ହେଇଗଲା । ଆମ ଘର ଆଗରେ ଯୋଉଠି ଗୋଟିଏ ହ୍ରଦ ଖୋଳା ହବାର ଥିଲା, ସେଠି ହ୍ରଦ ହବ ନାଇଁ । ସେଠି ଗୋଟିଏ ମଦ ଭାଟି ହେବ ।

 

ବିକ୍ରମବାବୁ ସତ୍ୟାଗ୍ରହରେ ବସିଥାନ୍ତି । କିନ୍ତୁ ମନଭିତରେ ସେ ତଥାପି ଭାବୁଥାନ୍ତି, ‘‘ଲାଭଟା କଅଣ ? ଘର ଆଗରେ ହ୍ରଦଟାଏ ହୋଇଥିଲେ ଆଉ ଅଧିକାଟା କଅଣ ହୁଅନ୍ତା ? ଘର ପିଣ୍ଡାରେ ବସି ହ୍ରଦର ନେଳୀ ପାଣିକୁ ଅନେଇ କେଉଁ ଉନ୍ନତିଟା ହେଇଯାନ୍ତା ତାଙ୍କର, ତାଙ୍କ ପରିବାରର କି ଏଇ ଲୋକଗୁଡ଼ାଙ୍କର ? ଖାଲି ପାଣିପିଇ କେତେଦିନ ବଞ୍ଚିବେ ଏ ଲୋକଗୁଡ଼ାକ ? ମଦ ଭାଟିଟିଏ ବସିଲେ ଅନ୍ତତଃ କେତେଗୁଡ଼ିଏ ଲୋକଙ୍କର ଜୀବିକା ତ ଚଳିବ ! ଯେ ମଦ ବିକ୍ରି କଲା ତା’ର ତ ନିଶ୍ଚୟ ଲାଭ, ଯେ ମଦ ପିଇଲାବାଲାଙ୍କ ପାଇଁ ଚାଟ୍‌ ଦୋକାନ, ପାନ ବିଡ଼ି ଦୋକାନ ବସେଇଲା, ତା’ର ଲାଭ । ସବୁରି ଉପରେ ବସିଚି ସରକାର । ସବୁଠୁଁ ବେଶି ଲାଭ ତ ତା’ର ! ଟିକସ ! ଏଇ ଟିକସରୁ ତ ଏତେ କଥା, ଏତେ ଯୋଜନା, ଏତେ ମାଷ୍ଟର୍‍ପ୍ଲାନ । ଏତେ ହ୍ରଦ-!’’

 

ବିକ୍ରମବାବୁ ସତ୍ୟାଗ୍ରହରେ ତଥାପି ବସିଥାନ୍ତି । କିନ୍ତୁ ମନଭିତରେ, ସେ ତାଙ୍କ ନୂଆ ଘର ସାମନାରେ ବସିବାକୁ ଆସିଥିବା ମଦଦୋକାନ ସପକ୍ଷରେ ଯୁକ୍ତି ପରେ ଯୁକ୍ତି ଉଠୁଥାଏ ।

 

‘‘ଦେଖ ! ମଦ ସଂସାରେ ଅଲ୍‍ବତ ରହିବ । ଘର ସାଙ୍ଗରେ ଯେମିତି ପାଇଖାନା, ରକେଟ ପଛଆଡ଼େ ଯେମିତି ଧୂଆଁ ଅଗ୍ରଗତି ପଛପଟେ ସେମିତି କଳାକନା ବୁଲିବୁଲିକା ଚାଲିଥିବ-। ଆଧୁନିକ ସହରରେ ସ୍ଳମ୍‍ ସବୁ କାହିଁକି ଗଢ଼ିଉଠୁଛି ? ଏଗୁଡ଼ାକ କଅଣ ଦୈବାତ୍‍ ଘଟୁଛି-? ଏଗୁଡ଼ିକ ମଣିଷର ଇଚ୍ଛାରୁ ଜାତ ।’’ ବିକ୍ରମବାବୁଙ୍କ ମନେପଡ଼ୁଥାଏ, ଏହିପରି ଗୋଟିଏ ମନ୍ତବ୍ୟ ତାଙ୍କର ଜଣେ ସହପାଠୀଙ୍କର–ଯେ ବର୍ତ୍ତମାନ ଖୁବ୍‌ ଉଚ୍ଚରେ ।

 

ସହପାଠୀଙ୍କର ସେଇ ମନ୍ତବ୍ୟକୁ ସେଦିନ ବିକ୍ରମବାବୁ ଖୁବ୍‌ ବଡ଼ପାଟିରେ ପ୍ରତିବାଦ କରି ଦବେଇ ଦେବାକୁ ବସିଥିଲେ ଓ କହିଲେ–

 

‘‘ମଦ କଦାପି ରହିବ ନାହିଁ–ମଦ ରହୁ–ଏ ସଂସାରରେ ଏଇ ଇଚ୍ଛାରୁ ହିଁ ସବୁ ମନ୍ଦର ଉତ୍ପତ୍ତି-! ମଣିଷ ପ୍ରଥମେ ଇଚ୍ଛା କରିବା ଦରକାର ଯେ ଏ ପୃଥିବୀରେ ମଦ ରହିବା ଏକାନ୍ତ ଆବଶ୍ୟକ ନୁହେଁ–ନା ଆଦୌ ନୁହେଁ ।’’

 

ବିକ୍ରମବାବୁଙ୍କ ଏପରି ଜିଦିଖୋରୀ ଚିତ୍କାରରେ ତାଙ୍କର ଉଚ୍ଚପଦସ୍ଥ ସରକାରୀ ଅଫିସର ବନ୍ଧୁ ଖୁବ୍‌ ଅପଦସ୍ଥ ହେଲାପରି ମୁହଁ ଫଣ ଫଣ କରିଥିଲେ । ବନ୍ଧୁଙ୍କର ସେଇ ମୁହଁ ଫଣ ଫଣଟି ବର୍ତ୍ତମାନ ସତ୍ୟାଗ୍ରହ ମୁହୂର୍ତ୍ତରେ ବିକ୍ରମବାବୁଙ୍କ ମନେପଡ଼ିଯିବାରୁ ତାଙ୍କ କଲିଜା ଭିତର ହଠାତ୍‍ ଶୀତଳ ହୋଇଗଲା । ସେ ବୁଝିପାରୁଥିଲେ ଯେ, ତାଙ୍କର ଏ ମଦଦୋକାନ ସାମନା ସତ୍ୟାଗ୍ରହ ଅନ୍ତତଃ ସରକାରୀ ସ୍ତରରେ ଆଦୌ ସହାନୁଭୂତି ପାଇବ ନାହିଁ । ତା’ଛଡ଼ା ନିଶା ନିବାରଣ ଆଉ ଏକ ସରକାରୀ ନୀତି ନ ହୋଇଥିବା ହେତୁ ରାଜନୈତିକ ସ୍ତରରେ ମଧ୍ୟ ତାଙ୍କ ପିଠିରେ କେହି ପଡ଼ିବେନାହିଁ ।

 

ବିକ୍ରମବାବୁ ତଥାପି ସତ୍ୟାଗ୍ରହରେ ବସିଥାନ୍ତି । ତାଙ୍କର ଅଘଷା ପାଟିରୁ କ୍ରମେ ଗୋଟାଏ ବିଚିକିଟିଆ ଦୁର୍ଗନ୍ଧ ବାହାରି ସାରା ଦେହକୁ ଆଉଣ୍ଡି ପକାଉଥାଏ ।

 

ଏହି ସମୟରେ ତାଙ୍କ କାନ ପାଖରେ କାହାର ଫୁସ୍‌ ଫୁସ୍‌ କଥା ଶୁଣି ବିକ୍ରମବାବୁଙ୍କ ଅନ୍ତର୍ଦ୍ୱନ୍ଦ୍ୱରତ ଚିତ୍ତର ଗୋଟିଏ ଦିଗ ହଠାତ୍‌ ଫିଟିଗଲା ।

 

ସୂର୍ଯ୍ୟ ଦିଗରୁ ମୁହଁ ବୁଲେଇ ବିକ୍ରମବାବୁ ଚାହିଁଲେ, ତାଙ୍କ କାନ ପାଖରେ ପରାମର୍ଶ ଦେଉଥିବା ଲୋକଟିର ମୁହଁକୁ । ସେ ତାଙ୍କର ଜଣେ ଓକିଲ ବନ୍ଧୁ ।

 

‘‘ତୁମେ କ’ଣ ପାଗଳ ହେଲ ?‘‘ ବିକ୍ରମବାବୁଙ୍କ ହାତକୁ ନିବିଡ଼ ଓ ସତ୍‍ ଅନ୍ତରଙ୍ଗ ସହାନୁଭୂତିରେ ହଲେଇ ଦେଇ ସେ କହିଲେ, ‘‘ତୁମେ ଜଣେ ମୂର୍ଖଲୋକ ! ସରକାରୀ ଚାକିରି କରୁଛ–ଘରେ ମାଇପ, ପିଲାଏ, ଏ କଅଣ କଲ ?’’

 

ବିକ୍ରମବାବୁ ତ ସେଇଆ ବସି ବସି ଭାବୁଥିଲେ ଏତେବେଳ ଯାକେ । ସେ ନିରୁତ୍ତର ରହିଲେ ।

 

‘‘ଦେଖ ! ମୁଁ ବୁଝିପାରୁଛି ତୁମ ଅସୁବିଧା । ଅନ୍ତତଃ ମୁହଁରେ ମଧ୍ୟ ସେ ଅଲକ୍ଷଣା ଶବ୍ଦଟା ଉଚ୍ଚାରଣ ନ କରିଥିଲେ ଚଳିଥାନ୍ତା । ହଇଓ ! ଆଜି କାଲି କଅଣ ମାନେ ଥାଏ ସେ ଗୁଲିଖଟି କଥାରେ ? ସତ୍ୟାଗ୍ରହ ! ଚୋର, ଡାକୁ ମଧ୍ୟ ସତ୍ୟାଗ୍ରହ ଦିନ କରୁଚନ୍ତି । ତମେ କଅଣ ଗାନ୍ଧୀ ମହାତ୍ମା ହେଇଛ କିଓ–ସତ୍ୟାଗ୍ରହ କରି ଡରେଇ ଦବ ? ଏ ମଦ ଦୋକାନ କାହାର ଜାଣିଚ-? ତମ ସରକାର ତା’ର ଗୋଲାମ । ଦେଖୁଚ ତ ଅବକାରୀ ବିଭାଗର ନିଜ ଲୋକଙ୍କ ତଦାରଖରେ ଏ କାମ ଚାଲିଚି ! ତମେ ସତ୍ୟାଗ୍ରହ କରୁଚ କାହା ବିରୋଧରେ ? ମଦଦୋକାନୀ ନା ସରକାର ବିରୋଧରେ ?’’

 

ବିକ୍ରମବାବୁ ଯେ ସତ୍ୟାଗ୍ରହର ଏ ଦିଗଟିକୁ ନ ଭାବିଥିଲେ, ତାବି ନୁହେଁ । ସେ ସେହିପରି ଚୁପ୍‌ ହୋଇ ବସିରହିଲେ ।

 

ଓକିଲ ବନ୍ଧୁ ଜଣକ ବିକ୍ରମବାବୁଙ୍କ ମୌନତାକୁ ଅନୁଭବ କରିବାମାତ୍ରେ ତାଙ୍କର ସ୍ୱରର ଆଶ୍ଳେଷ ଆହୁରି ଘନିଷ୍ଠ ହୋଇଉଠିଲା । ସେ ଯେ ବିକ୍ରମବାବୁଙ୍କୁ କୌଣସି ଓକିଲାତି ପରାମର୍ଶ ଦେବାପାଇଁ ଇଚ୍ଛା କରୁଥିଲେ, ତା’ ନୁହେଁ । ତଥାପି ଦୁର୍ଭାଗ୍ୟର, ଚତୁରତାହୀନ ଆଚରଣର ଶିକାର ହୋଇ ସେଠି ଅସତ୍ୟ ନିକଟରେ ବନ୍ଧା ପଡ଼ିଲା ପରି ବସିଥିବା ସତ୍ୟାଗ୍ରହୀଟିକୁ ମୁକୁଳେଇ ନବାପାଇଁ ପ୍ରତ୍ୟେକ ଶୁଭାନୁଧ୍ୟାୟୀ ବନ୍ଧୁ ଯେପରି ଏକ ଓକିଲାତି କରିବା ପାଇଁ ଆଗଭର ହୋଇପଡ଼େ, ସେହିପରି ଆଗଭର ହୋଇପଡ଼ି ବିକ୍ରମ ବାବୁଙ୍କ ଓକିଲ ବନ୍ଧୁ ହଠାତ୍‌ ସେଇ ଯେଉଁ ପ୍ରସ୍ତାବଟି ବାଢ଼ିଲେ, ସେଥିରେ ବିକ୍ରମବାବୁଙ୍କ ଆଉଣ୍ଡି ହଉଥିବା ଦେହଟା ଗୋଟାଏ କାଗଜଠୁଙ୍ଗା ପରି ଭିତରପଟୁ ବାହାରକୁ ହୋଇଗଲା ।

 

‘‘ଶୁଣ ! ତୁମକୁ ଏ ନାଗ-ଚୁଚୁନ୍ଦ୍ରିରୁ ଉଦ୍ଧାର କରିବାପାଇଁ ମାତ୍ର ଗୋଟିଏ ବାଟ ଖୋଲା ଅଛି । ମୁଁ ଦେଖିପାରୁଚି ଯେ, ଏପର୍ଯ୍ୟନ୍ତ କୌଣସି ସାମ୍ୱାଦିକ ଘଟଣାସ୍ଥଳକୁ ଆସି ନାହାନ୍ତି । ତୁମେ ଉଠି ସିଧା ପଳାଅ ଘରକୁ । ତମ ଜାଗାରେ ମୁଁ ବସେଇ ଦଉଚି ଏଇଠିକା ଲୋକକୁ । ବେଶି ନୁହେଁ–ଅଢ଼େଇଟି ଟଙ୍କା ଦେଇଦେବ ତାକୁ–ତା’ର ଦିନକର ମଜୁରୀ । ଖବରକାଗଜରେ ସେଇ ଲୋକଟାର ନାଁରେ ଗୋଟାଏ ସତ୍ୟାଗ୍ରହ ସମ୍ୱାଦ ବାହାର କରିଦବା, ଦରକାର ହେଲେ । ଯାଅ ପଳାଅ !’’

 

ବିକ୍ରମ ହଠାତ୍‍ ଉଠିପଡ଼ିଲେ । ଅଢ଼େଇଟଙ୍କିଆ ସତ୍ୟାଗ୍ରହର ନାଗପାଶରୁ ମୁହୂର୍ତ୍ତକ ମଧ୍ୟରେ ମୁକ୍ତି ପାଇ ସେ ଏକ ଅପୂର୍ବ ଉଶ୍ୱାସ ଅନୁଭବ କଲେ । ସେ ଚାଲିବାକୁ ଲାଗିଲେ–

 

କିନ୍ତୁ ସେ ଘର ଆଡ଼କୁ ମୁହେଁଇଲେ ନାହିଁ । ସେଇ ଅଘଷା ପାଟିରେ ନାକସଳଖ ଚାଲି ଚାଲି ସେ କୁଆଡ଼େ ଚାଲିଗଲେ ।

 

ସୌରଭ, ଅଗଷ୍ଟ ୧୯୭୧

Image

 

ବାପ ଆଉ ପୁଅ

 

କିଛି ନୂଆ ନୁହେଁ ।

 

ଇତିହାସରେ ଅଘଟଣ ନୁହେଁ ।

 

ଗୋଟିଏ କୁତ୍ସିତ, ଅଜାତି, ମ୍ଳେଚ୍ଛ ସ୍ତ୍ରୀଲୋକ ସଙ୍ଗେ ଏକ ଶେଯରେ ଶୋଇବା ପୁରୁଷର ଉଦାହରଣ ଇତିହାସରେ ବିରଳ ନୁହେଁ । ବରଂ ସାଧାରଣ ନିତ୍ୟନୈମିତ୍ତିକ ଘଟଣାଟାଏ । ପାରିବାରିକ, ପାରମ୍ପରିକ ଘଟଣାଟାଏ ।

 

କିନ୍ତୁ–

 

ନୂଆ ଆଉ ଅସହ୍ୟ ହେଉଚି ଯେତେବେଳେ ତୁମେ ତା’ ସହିତ ଶୋଇ ନ ଥାଅ, ଶୋଇବାର ପ୍ରବୃତ୍ତି ନ ଥାଏ, ସେତିକିବେଳେ ସେ ଆସେ, ସ୍ତ୍ରୀ ଯୋନିରେ ନୁହେଁ, ଦୁର୍ଦ୍ଧର୍ଷ ପୁଂ ରୂପରେ ନୁହେଁ,–ସାଧାରଣଭାବେ, ଯେମିତି ଅଚିହ୍ନା ମଣିଷଟିଏ ତୁମ ହତା ଫାଟକ ପାଖରେ ଦିନେ ସକାଳୁ ସକାଳୁ ଆସି ଠିଆହୁଏ, ଆଉ ପଚାରେ–ଅମୁକବାବୁ ଅଛନ୍ତି ?

 

ସେତିକିବେଳକୁ ତୁମେ ଶେଯରୁ ଉଠି ସାରିଥାଅ । ତୁମର ସ୍ତ୍ରୀ (ଯଦି କେହି ଥାଆନ୍ତି) ଆରପାଖ ଘରେ ତାଙ୍କର ସେଇ ସକାଳୁଆ ନିତ୍ୟକର୍ମ ଆରମ୍ଭ କରିଦେଇଥାନ୍ତି, ଯାହର ଅସ୍ପଷ୍ଟ ଅଥଚ ଅତି ପରିଚିତ ଗୋଟିଏ ବା କେତୋଟି ନିର୍ଦ୍ଦିଷ୍ଟ କ୍ରିୟା ବହିର୍ଭୂତ ଶବ୍ଦ ତୁମକୁ କେବଳ ତୁମ ସ୍ତ୍ରୀଙ୍କ ଆଡ଼କୁ ନୁହେଁ; ସମଗ୍ର ମଣିଷ ଜଗତର ରୂପମୟ ଦିଗ ଆଡ଼କୁ ବିମୁଖ କରୁଥାଏ । ତୁମେ ସାମାନ୍ୟ ଉତ୍ତେଜିତ; ଅର୍ଥାତ୍‌ ବିରକ୍ତ ହୋଇ ତୁମ ଘର ସାମନା ବଗିଚାରେ ଛୋଟପିଲାଙ୍କ ପାଇଁ ଲାଗିଥିବା ଗୋଟିଏ ଦୋଳିରେ ସବୁଦିନ ସକାଳ ପରି ସବାର ହୋଇ ଝୁଲିବା ଆରମ୍ଭ କରି ଦେଇଥାଅ । ତୁମେ ଯେ ଚେଷ୍ଟାକରି, ନିଜର ବଳ ଖର୍ଚ୍ଚ କରି, ରଜଦୋଳିରେ ବସିଲା ପରି, ପେଙ୍ଗା ଉପରେ ପେଙ୍ଗା ମାରି ଦୋଳି ଖେଳୁଥାଅ, ତା’ ନୁହେଁ । ତୁମେ କେବଳ ଦୋଳିରେ ବସି ପଡ଼ିଥାଅ । ଆଉ ସକାଳୁଆ ପବନ ତୁମକୁ ଝୁଲାଉଥାଏ–ଅବିକଳ ସେମିତି, ଯେମିତି ଅମୁକ ମିଆଁ ଦୋକାନରେ ତଳକୁ ମୁହଁ କରି ଝୁଲୁଥିବା ସମ୍ପୂର୍ଣ୍ଣ ଖାସୀଟା ଚୋଟ ପରେ ଚୋଟ ଖାଉ ଖାଉ ଆସ୍ତେ ଆସ୍ତେ ହାଲୁକା ହୋଇ ଆସୁ ଆସୁ ଥରେ ଏ ପଟକୁ ଆଉ ଥରେ ସେ ପଟକୁ ଅଣେଇ ହୋଇ ହୋଇ କ୍ରମଶଃ ନିଜର ଅସ୍ତିତ୍ୱକୁ ହରାଇ ବସୁଥାଏ ସେମିତି ।

 

ତୁମେ ଝୁଲୁଥାଅ–‘‘ହଁ–ନାଁ, ନା–ହଁ’’ (ଯାହାକୁ ଇଂରାଜୀରେ କହନ୍ତି ଇଦର–ଅର୍‌) । ଏତିକିବେଳେ ଫାଟକ ରେଲିଂକୁ ଜାବୁଡ଼ି ଧରି ଠିଆହୋଇଥିବା ମଣିଷର ରୂପଟି ତୁମକୁ ତା’ ଆଖିର ଚାହାଣିରେ ଅସହିଷ୍ଣୁ କରାଏ ।

 

ଅମୁକବାବୁ ଅଛନ୍ତି ? ସେ ପୁଣି ପଚାରେ ।

 

ଏହାର ଉତ୍ତର କଅଣ ବା କିପରି ଦେବାକୁ ହେବ, ତୁମେ ହଠାତ୍‌ ବୁଝିପାରନାହିଁ । ଲୋକଟିର ମୁହଁକୁ ସିଧା ନ ଚାହିଁବା ପାଇଁ ତୁମେ ଦୃଢ଼ପ୍ରତିଜ୍ଞ । ଆଉ ତୁମର ଏହି ପ୍ରତିଜ୍ଞାକୁ ଅଧିକ ଶକ୍ତିଶାଳୀ କରୁଥାଏ, ଆରଘରୁ ତୁମ ସ୍ତ୍ରୀଙ୍କର ସେଇ ନିତ୍ୟକର୍ମକାଳୀନ ଅନ୍ୟାନ୍ୟ ସ୍ୱରବର୍ଣ୍ଣଗୁଡ଼ିକ ଅ, ଆ–ଯାହାର କ୍ରମ ପରିଣାମ ତୁମେ ପୂର୍ବରୁ ପଢ଼ିଛ କେତେ ସହସ୍ରବାର ।

 

କ୍ରମଶଃ ଫାଟକ ବାହାରେ ଅପେକ୍ଷା କରିଥିବା ସେଇ ଅନ୍ୟ ବ୍ୟକ୍ତିର ସେ ପ୍ରକାର ଉପସ୍ଥିତି ତୁମ ଉପରକୁ ମାଡ଼ି ମାଡ଼ି ପଡ଼େ କି କଅଣ, ଶେଷରେ ବିରକ୍ତହୋଇ ତୁମେ ପଚାର–

 

‘‘କଅଣ ଦରକାର ? କାହାକୁ ଖୋଜୁଚ ଏ ସକାଳଟାରୁ ?’’

 

ଉତ୍ତର–‘‘କିଛି ନାଇଁ’’

 

ପ୍ରଶ୍ନ–‘‘ତେବେ ଠିଆହୋଇଚ କାହିଁକି ? ଚାଲିଯାଅ ।’’

 

(କିନ୍ତୁ ପ୍ରକୃତରେ ତୁମର କହିବାର କଥା–ଏଠି ଠିଆହୋଇ କଅଣ ଦେଖୁଛ ? ଦେଖିପାରୁନ ମୁଁ ଦୋଳିରେ ବସିଚି ? ମଣିଷ ଦୋଳି ଖେଳୁଥିବା ଅବସ୍ଥାରେ କେତେ ଗୋପନୀୟତା ଖୋଜେ, ଜାଣିନ ?’’)

 

ଲୋକଟି କିନ୍ତୁ ଚାଲିଯାଏ ନାହିଁ । ବରଂ ତୁମର ଫାଟକରେ ତଳୁ ଉପରଆଡ଼କୁ ତୀରପରି ଉଠିଥିବା ଗୋଟିଏ ଲୁହାଦଣ୍ଡା ଉପରେ ନିଜର ନାକକୁ ଚାପିଦେଇ ହତା ଭିତରକୁ ଅନାଏ-। ସେପରି ଅନାଇଲେ ତୁମେ ବିରକ୍ତ ହେବା କଥା, ସେ ହୁଏତ ଜାଣେ ବା ଜାଣେନାଇଁ ।

 

ତୁମେ ଏଥର ତୁମ ଦୋଳିରୁ ଓହ୍ଲାଇବାକୁ ଚେଷ୍ଟା କର । ଗୋଡ଼ଟିକୁ ତଳେ ଲଗାଇ, ଖପ୍‌ କରି ଡେଇଁପଡ଼ିବାକୁ ଇଚ୍ଛା ହୁଏ ତୁମର–ସେ ଲୋକଟି ଉପରକୁ ନୁହେଁ, ବରଂ ଆର ଘରେ ଜିଭଛୋଲାଟାକୁ ପାଟିରେ ପୂରାଇ ଅ ଅ ହେଉଥିବା ତୁମ ସ୍ତ୍ରୀଙ୍କ ଉପରକୁ ।

 

କିନ୍ତୁ, କଅଣ ଭାବି ତୁମେ ତଳକୁ କୁଦିପଡ଼ ନାହିଁ । ବରଂ ତଳେ ଲାଗି ଆସିଥିବା ପାଦରେ ଜୋର୍‌ କରି ମାଟିକୁ ଗୋଇଠାଏ ପକାଇ, ଗୋଡ଼ ଉଠେଇ ନେଇ ତୁମେ ଏଥର ଜୋର୍‌ ଜୋର୍‌ ଝୁଲା ଖାଅ । ଛୋଟ ପିଲାଙ୍କ ଦୋଳିଟା କଟ୍ କଟ୍ ଡାକେ ।

ଏତିକିବେଳେ ତୁମର ଆଖି ପୁଣି ସ୍ଥିର ହୁଏ, ସେଇ ଆର ଲୋକଟିର ମୁହଁ ଉପରେ । ନାକଟାକୁ ସେମିତି ଚାପି ଧରିଥାଏ ସେ ରେଲିଂ ଉପରେ । ନାକ ପରିବର୍ତ୍ତେ ତା’ ମୁହଁ ଉପରେ ଲୁହା ଦଣ୍ଡାଟା କାଟି ଦେଇଥାଏ–ଗୋଟାଏ ଲମ୍ୱା ଗାର । ଏଇ ଲମ୍ୱା ଗାରଟା ଯୋଗୁଁ, ଅଧିକନ୍ତୁ ଏ ଗାର ଶେଷରେ ଲୁହାଦଣ୍ଡାର ଅଗ୍ରଭାଗରେ, ଅନନ୍ତ ଆକାଶକୁ ନିର୍ଦ୍ଦେଶ କରୁଥିବା ସେଇ ତୀର ଚିହ୍ନଟା ଯୋଗୁ ଅଚିହ୍ନା ଲୋକଟାର ସେଇ ମୁହଁଟା ହଠାତ୍‌ କେମିତି ଦୁଇଫାଳ ହୋଇଗଲା ପରି ଦିଶି ଦିଶି ଯାଏ । ଆଶ୍ଚର୍ଯ୍ୟ ହୋଇ ତୁମେ ତୁମ ହତା ଫାଟକଟିର ସେଇ ଅଦ୍ଭୁତ ବିଭାଜନ କ୍ରିୟାଶୀଳତାକୁ ନିରୀକ୍ଷଣ କରି ହଠାତ୍‌ ଦେଖିବାକୁ ପାଅ ଯେ, ଟିକିଏ ପୂର୍ବରୁ ଯେଉଁ ମୁହଁଟା ତୁମକୁ ଗୋଟାଏ ମୁଣ୍ଡାଳିଆ ବସ୍ତୁ ପରି ଏକକ ଦୃଷ୍ଟିରେ ଅନାଇ ରହି ହଇରାଣ କରୁଥିଲା, ତାହା ଆଉ ସେମିତି ଏକକ ଘନତ୍ୱ ଅବସ୍ଥାରେ ନାହିଁ । ସମୁଦାୟ ବସ୍ତୁଟି ଗୋଟିଏ ଚଟକା ବହି ପୃଷ୍ଠାପରି ଧାଡ଼ିଧାଡ଼ିଆ ହୋଇ କିଛି ଗୋଟିଏ ଲିଖିତ ବସ୍ତୁରେ ପରିଣତ ହୋଇସାରିଛି । ସେ ଦୃଶ୍ୟରେ ହଠାତ୍‌ ତୁମ ଦେହ ଉଶ୍ୱାସ ହୋଇଯାଏ । ତୁମକୁ ଏଇ ଉଶ୍ୱାସପଣିଆ ଭଲଲାଗେ । ତେଣୁ ଫାଟକ ସେପଟେ ମଣିଷ ପରିବର୍ତ୍ତେ ପବନରେ ଉଡ଼ି ଆସି ରେଲିଂ ଉପରେ ଚାପିହୋଇ ଯାଇଥିବା ପୃଷ୍ଠାଏ ବହି ବା ତାକୁ ସକାଳର ଖବର କାଗଜ ବୋଲି କହିପାର–ଯାହା କିଛି ହେଉପଛେ, ସେଇ ଘନତ୍ୱହୀନ ଚଟକା ଜିନିଷଆଡ଼କୁ ତୁମେ ହଠାତ୍ ଆକୃଷ୍ଟ ହୋଇପଡ଼ । ତୁମର ଉଶ୍ୱାସପଣିଆ ଯୋଗୁ ଦୋଳିଟି ଏଥିଭିତରେ ଆଉ ଝୁଲିବାର ସୁବିଧା ନ ପାଇ କ୍ରମେ ସ୍ଥିର ହୋଇଥାଏ । ଦୋଳିରୁ ଓହ୍ଲେଇପଡ଼ି ତୁମେ ଫାଟକ ପାଖକୁ ଚାଲିଯାଅ । ଫାଟକ ସେପଟେ ସକାଳର ଖବରକାଗଜ ତଥାପି ତୁମକୁ ତା’ର ବାଁ ଆଉ ଡାହାଣ ଆଖି ଦୁଇଟିରେ ଅନାଇଥାଏ । କିନ୍ତୁ ଖବରକାଗଜମାନଙ୍କର ମଧ୍ୟ ଆଖି ଥାଏ ଓ ସେ ଆଖିଭିତରୁ ଗୋଟାଏ ବାଁ ହେଲେ ଅନ୍ୟଟି ଡାହାଣ । ଏହା ତୁମେ ଜାଣି ମଧ୍ୟ ଜାଣିପାରନାହିଁ । ତଥାପି ଗୋଟିଏ ମଣିଷ ମୁହଁ ଓ କାଗଜ ମୁହଁ ଭିତରେ ଯେଉଁ ବିରକ୍ତିକର ପାର୍ଥକ୍ୟ ଥାଏ, ସେତକୁ ସହଜରେ ଏଡ଼ାଇ ତୁମ୍ଭେ ପଢ଼ିବାକୁ ଆରମ୍ଭ କରିଦିଅ–ଉଭୟ ମଣିଷ ଓ କାଗଜକୁ ସେଇ ଗୋଟିଏ ପ୍ରକାରେ, ଯେମିତି ବାକ୍ୟଟିଏ ପଢ଼ିବାକୁ ଗଲାବେଳେ ତୁମେ ଅଜାଣତରେ ଆରମ୍ଭ କରିଦିଅ ବାକ୍ୟର ଗୋଟିଏ ପାଖରୁ, ଯେଉଁଟି ତା’ର ବାଁ ପାଖ ଓ ଏହାପରେ ସ୍ୱାଭାବିକଭାବେ ଆଖି ଗଡ଼େଇନିଅ ଅନ୍ୟପାଖକୁ ଯେଉଁଟି ତା’ର ଡାହାଣ ପାଖ ।

ଫାଟକ ସେପଟେ ତୁମଆଡ଼କୁ ମୁହଁ କରିଥିବା ମଣିଷଟିର ଡାହାଣ ଆଖିକୁ ତା’ର ବାଁ ମନେକରି ତୁମେ ଏଥର ପଢ଼ିବା ଢଙ୍ଗରେ ପ୍ରଶ୍ନଟିଏ ପଚାର–

‘‘କିଏ ତୁମେ ? କଅଣ ପରିଚୟ ? ଏମିତି ବାମପନ୍ଥୀ ପରି କାହିଁକି ଅନାଇ ରହିଚ ? ଜାଣନାଇ–ତୁମଠାରୁ ଆହୁରି ବଡ଼ ବାମପନ୍ଥୀ ମୁଁ ନିଜେ ?’’

ଲୋକଟି କ’ଣ ବୁଝେ କେଜାଣି । ନିଜ ବାଁ ଆଖି ଉପରେ ଆକ୍ରମଣ ଆଶଙ୍କା କରି କିମ୍ବା ଅନ୍ୟ କୌଣସି କାରଣରୁ ହଠାତ୍‌ ସେଇ ଆଖିଟିକୁ ମିଟିମିଟି କରିଦିଏ । ଏଥର ପୁଣି ତୁମେ ସନ୍ଦେହରେ ପଡ଼ । ଲୋକଟିର ଇସାରାରୁ ସେ ତୁମକୁ ତା’ର ଡାହାଣ ଦେଖାଉଚି ବୋଲି ଭାବିନେଇ ତୁମେ ଏଥର ପୁଣି କଅଣ ମନକୁ ଭାବିନିଅ ଓ ତତ୍‌କ୍ଷଣାତ ସ୍ୱର ବଦଳେଇ ପଚାର–

‘‘କଅଣ କହିଲ ? ତୁମେ ଦକ୍ଷିଣପନ୍ଥୀ ? ତଥାପି ତୁମେ ମୋର ଘରର ଏଇ କ୍ଷୁଦ୍ର ସମୃଦ୍ଧିକୁ ଏମିତି ଡାଆଣା ଭଳି ଅନେଇଚ ? ମୋ ଦୋଳି ଆଉ ମୋ ସ୍ତ୍ରୀଙ୍କର ପ୍ରଭାତକାକଳୀକୁ ପୁଞ୍ଜିପତିମାନଙ୍କ ପରି ଈର୍ଷା ଆଉ ଲୋଭରେ ଆଖୋଉଚ ? ଜାଣନାଇଁ–ତୁମଠାରୁ ଆହୁରି ବଡ଼ ଡାଆଣା ମୁଁ ? ମୋ ସୁଖର ଗୋପନୀୟତା ଆଉ ସମ୍ଭୋଗର ଆକ୍ଷରିକତାରୁ ରତିଏ ବା ପାହିଏ ହେଲେ କେହି ନେଇଯିବାକୁ ମୁଁ କେବଳ ପସନ୍ଦ ନ କରେ ନୁହେଁ, ବାଗରା ମହୁମାଛି ପରି ମୁଁ ଲାହୁଡ଼ରେ ଘଉଡ଼ାଏ ମୋ ଫେଣାକୁ ଆଖେଇଥିବା ଆଖିକୁ ।’’

ପାଠକର ସେପରି ମନ୍ତବ୍ୟରେ ଖବରକାଗଜ ପରି ଦିଶୁଥିବା ଫାଟକ ସେପଟେ ମଣିଷର ମୁହଁଟି କ’ଣ ବୁଝିଲା କେଜାଣି, ଏଥର ଟିକିଏ ହସିଦେଲା ଓ ମୁହଁ ଉପରୁ ମୁଖାଖୋଲିଲା ପରି ଫାଟକଟିକୁ ଆସ୍ତେ ଠେଲି ତୁମ ହତା ଭିତରକୁ ପଶି ଆସିଲା ।

ଲୋକଟିର ସେ ଅନଧିକାର ପ୍ରବେଶ ଯେତେ ନୁହେଁ, ତା’ ମୁହଁର ସେହି ଶୁଖିଲା ଅଥଚ ଅଜଣା ନୁହେଁ ହସଟି ତୁମକୁ ପୁଣିଥରେ ପଛୁଆ ପଛୁଆ ପେଲି ନଉଥିଲା ତୁମର ସେଇ ପିଲାଙ୍କ ଦୋଳି ଆଡ଼କୁ । କିନ୍ତୁ ହଠାତ୍ ତୁମ ଭିତରେ କୌଣସି ଗୋଟିଏ କଅଁଳିଆ ଜିନିଷ ଉପରେ ସର ପରି ଆସ୍ତେ ଜମି ଆସୁଥିବା ଜିନିଷଟି କଠିଣ ପାଲଟିଗଲା । ତୁମର ହାତମୁଠା, ଯେଉଁଟା ଶହେଗୁଣ ହରାଇ ସାରିଥିବା ଅନ୍ଧ ଧୃତରାଷ୍ଟ୍ର ହାତମୁଠାରୁ ଅଧିକ ଟାଣ ଆଉ କଠୋର ବୋଲି ତୁମର ଧାରଣା, ସେଇଟା ଆସ୍ତେ ଆସ୍ତେ ଖୋଲି ଆସୁଥିଲା ସେଇ ଲୁହାଭୀମ ପରି ଦିଶୁଥିବା ଅଜଣା ମଣିଷଟାର ବେକଆଡ଼କୁ ।

ହଠାତ୍‌ ତୁମ ହାତ ଜାବ ପଡ଼ିଗଲା ସେଇ ନିଠେଇ ନିଠେଇ ହସୁଥିବା ଆଉ ପାଦପାଦ କରି ତା’ ଆଗକୁ ଅର୍ଥାତ୍ ତୁମକୁ ପଛକୁ ପେଲି ଆଣୁଥିବା ସେ ମଣିଷଟାର ଦୁର୍ବଳତମ କୌଣସି ଗୋଟାଏ ଅବୟବ ଉପରେ । ତୁମର ଲୌହ ପଞ୍ଝା ଭିତରେ ଅବୟବାଟ ଚାପି ହେଇଯାଉଥିଲା ନିଶ୍ଚୟ । କିନ୍ତୁ ତୁମେ ଚମକି ପଡ଼ିଲ । କାରଣ, ଆଶ୍ଚର୍ଯ୍ୟ ହେଇ ତୁମେ ତୁମର ବଜ୍ର ମୁଠା ଭିତରେ ସେ ଅନୁଭୂତିକୁ ଯେତିକି ନିବିଡ଼ଭାବେ ଅନୁଭବ କରୁଥିଲ, ସେତିକି ଗଭୀରଭାବେ ଆଉ ଗୋଟାଏ କିଛି ଅତିଶୟ ନରମ ଜ୍ଞାନ ମଧ୍ୟ ଲାଭ କରୁଥିଲ ସତେକି ! ତୁମେ ତଥାପି ଚିପୁଥାଅ–ଏଥର ଅନ୍ଧ ଧୃତରାଷ୍ଟ୍ର ପରି ଯେତେ ନୁହେଁ, ଗୋଟିଏ ଅବୈଧ ଶିଶୁର କୁଆଁ କୁଆଁ ଚିତ୍କାରକୁ ଚିପିଦେବା ପାଇଁ ତା’ର ଛୋଟିଆ ଆଁ ଭିତରକୁ ଖୁନ୍ଦି ହୋଇ ଆସୁଥିବା ମେଞ୍ଚାଏ ସ୍ତନ ପରି ।

କିନ୍ତୁ ଅନ୍ଧ ଧୃତରାଷ୍ଟ୍ର ଲୌହ ପଞ୍ଝା ଅଥବା ଅବୈଧ ସ୍ତନର ମାଂସପେଶୀ କେହି ସମଳା ପଡ଼ନ୍ତି ନାଇଁ ସେ ଶୁଖିଲା ଅଥଚ ଅଜଣା ନୁହେଁ, ହସ ଆଗରେ, କାରଣ ସେ ହସତ ସତକୁ ସତ ଖଣ୍ଡିଏ ଖବରକାଗଜ ବା ଧାଡ଼ିଏ ଅକ୍ଷର ନୁହେଁ ଯେ ତୁମେ ତାକୁ ଇଚ୍ଛାକଲାମାତ୍ରେ ଲୋଚାକୋଚା କରି ମାଡ଼ିମକଚି ଦୂରକୁ ଫୋପାଡ଼ି ଦିଅନ୍ତ । ବରଂ ସେଇ ହସଟାର ଏକକ ବା ଘନତ୍ୱ ଏମିତି ବାଁ-ଡାହାଣ ଭେଦଭାବ ଶୂନ୍ୟ ଚପେଇ ନ ହେବା ବସ୍ତୁ ଯେ, ସେଇ ଜିନିଷ ବା ଟିକିଏ ପୂର୍ବରୁ ତୁମ ଫାଟକ ଠେଲି ଭିତରକୁ ମାଡ଼ି ଆସୁଥିବା ସେଇ ଅଜଣା ମଣିଷଟିକୁ ଧକ୍‌କା ମାରି ବାହାରକୁ ଠେଲିବାକୁ ଉଦ୍ୟତ ତୁମ ହାତଟି ହଠାତ୍ ଛିଟିକି ଯାଏ ଓ ତା’ପରେ କ’ଣ ହୁଏ କେଜାଣି, ତୁମର ସେଇ ହଁ–ନାହିଁ ବା ଇଦର୍-ଅର୍-ମନଟିର କେଉଁଠି ଠାଏ କ’ଣ ଯେମିତି ଦିଗ ପରିବର୍ତ୍ତନ କରିଦିଏ-

ସବାଶଷକୁ ଦେଖାଯାଏ ଯେ, ଅଜଣାଲୋକର ଅଗ୍ରଗତିକୁ ରୋଧୁ ରୋଧୁ କେତେବେଳେ ତୁମେ ଯାଇ ଠିଆ ହେଲଣି ତୁମ ହତାର ଫାଟକ ସେପଟେ । ବର୍ତ୍ତମାନ ବାହାରେ ଥିବା ଲୋକଟି ହତା ଭିତରେ ଥାଇ ତୁମକୁ ପଚାରୁଛି–ସେପଟେ । ‘‘କଅଣ ଦରକାର ?’’

ତୁମର ଉତ୍ତର–‘‘କିଛି ନାଇଁ ।’’

ପ୍ରଶ୍ନ–‘‘ତେବେ ଠିଆ ହେଇଛୁ କାହିଁକି, ଚାଲିଯା ।’’

(ସାମ୍ମୁଖ୍ୟ)

Image

 

ପଶ୍ଚାତ୍‌ ଯାତ୍ରୀ

 

‘‘ଆଚ୍ଛା, ସେଦିନ କୌଣସି କ୍ୟାଲେଣ୍ଡର ଆପଣ ଦେଖିପାରିଲେ ? ଖ୍ରୀଷ୍ଟାବ୍ଦ କେତେ ହେବ କହିଲେ ଦେଖି–ଅନ୍ଦାଜ....ଊଣେଇଶି ଶହ ବା ଦୁଇ ହଜାର, କେତେ ?’’

 

‘‘ନା, କିଛି ମନେପଡ଼ୁନି । ତେବେ ମନେପଡ଼ୁଛି...’’

 

‘‘କ’ଣ ମନେପଡ଼ୁଛି ?’’

 

‘‘ମନେହୁଏ ତାତିଲା କରେଇ ପରି ଫୁଟୁଥିଲା ମାଟି । ଝାଳରେ ଗାଧୋଇ, ଝାଳରୁ ପିଇ ପିଇ ମୁଁ ଶୋଷ ମାରୁଥିଲି ।’’

 

‘‘ଓ ! ବୁଝିଲି । ହୁଁ, ଆପଣ କଅଣ କରୁଥିଲେ ସେତେବେଳେ ?’’

 

‘‘ମୁଁ ?–ମୁଁ ଶୋଇଥିଲି ଗୋଟାଏ ଟିଣଘରେ । ମେ ବା ଜୁନ୍‌ ମାସ ଏମିତି କିଛି ହେବ ବୋଧହୁଏ ।’’

 

‘‘ବେଶ୍‌ ଭଲ କଥା । ବର୍ତ୍ତମାନ ମୂଳକଥା ମୁଁ ପୁଣି ପଚାରୁଛି–ଆଚ୍ଛା କୁହନ୍ତୁ ଦେଖି–ଆପଣ କେବେ ନଈରେ ପହଁରିଛନ୍ତି ?’’

 

‘‘ହଁ, ତେବେ ସେତେ ବେଶି ସମୟପାଇଁ ନୁହେଁ–’’

 

‘‘ଭଲ । ପୁଣି ଉତ୍ତର ଦିଅନ୍ତୁ–ମନେକର କଲେକ୍ଟରୀ କଚେରୀଘାଟରୁ ଆପଣ ନଈକୁ ଡେଇଁଲେ । ସୁଅ ଆପଣଙ୍କୁ ଖାନନଗର ମଶାଣି ଆଡ଼କୁ ଭସାଇ ନେବାକୁ ଚାହିଁବ–ଆପଣ କ’ଣ କରିବେ ? ଭାସିଯିବେ ନା ସୁଅ ସାଙ୍ଗରେ ଲଢ଼ିବେ ? ସୁଅର ଉଜାଣି ଯିବେ, ନା ତଳକୁ ଯିବେ ?’’

 

‘‘ଉଜାଣି ଯିବ ନିଶ୍ଚୟ ।’’

 

‘‘ଖୁବ୍‌ ଭଲ । ଏଇଟା ହେଲା ମାଛଜାତୀୟ ଜୀବଙ୍କ ପ୍ରକୃତି । ସୁଅରେ ପଡ଼ିଲେ ତ ଉଠିଲେ ଉପରକୁ । ସୁଅରେ ଭାସିଯିବାକୁ ସେମାନେ ଭଲପାଆନ୍ତି ନାହିଁ । ବୁଝିଲେ ?’’

 

‘‘ହଁ ଆଜ୍ଞା ! ମୁଁ ମଧ୍ୟ ସେହିପରି ଏକ ଜୀବ–’’

 

‘‘ଆଚ୍ଛା, ଏଥର ବର୍ଣ୍ଣନା କରନ୍ତୁ । କି ପ୍ରକାର ସ୍ୱପ୍ନ ଆପଣ ଦେଖିଲେ ?’’

 

‘‘ଏକ ପ୍ରକାର ବିଳମ୍ୱିତ ଓ ଭୟାବହ ସ୍ୱପ୍ନ–ଯେଉଁପ୍ରକାର ସ୍ୱପ୍ନରେ ମଣିଷ ଦଉଡ଼ିବାକୁ ଇଚ୍ଛାକଲେ ବି ଦଉଡ଼ି ପାରେନା । ପଛରୁ ବାଘ, ଭୂତ, ଚୋରତସ୍କର ସମସ୍ତେ ମାଡ଼ିଆସୁଥାଆନ୍ତି; ଅଥଚ ପାଟିରୁ ବଚନ ବାହାରେ ନାହିଁ କି ଗୋଡ଼ ଆଗକୁ ଚଳେ ନାହିଁ ।’’

 

‘‘ହୁଁ ! ଦେଖନ୍ତୁ–ଯାହା କହୁଛନ୍ତି ସଫା ସଫା କୁହନ୍ତୁ । କଠିଣ ଭାଷା ପ୍ରୟୋଗ କରି କ୍ଳିଷ୍ଟ କରି ଦିଅନ୍ତୁ ନାହିଁ ଆପଣଙ୍କର ପ୍ରକାଶଭଙ୍ଗୀକୁ...’’

 

‘‘ଠିକ୍‌ କହିଛନ୍ତି ଆପଣ । ଏ ବି ଏକ ବଦଖୋଇ ମୋର, ତେବେ କଥାଟା ଏଇଆ...’’

 

‘‘ଠିକ୍‌ ମନେପକାନ୍ତୁ ଆଗ । ତା’ପରେ କହିବେ ।’’

 

‘‘ଠିକ୍‌ ମନେପଡ଼ୁଛି ମୋର । ଆପଣ ଶୁଣନ୍ତୁ । କି ପ୍ରକାର ଏକ ଅଦ୍ଭୁତ ଶବ୍ଦରେ ମୋର ନିଦ ଭାଙ୍ଗିଗଲା । ଶୁଣିଲି–ବାୟୁମଣ୍ଡଳରେ ଗୋଟାଏ ପ୍ରବଳ ଆଲୋଡ଼ନ ସୃଷ୍ଟି ହେଇଛି । ସେ କମ୍ପନ ଫଳରେ ମୋ ମୁଣ୍ଡ ଫାଟିଗଲା ପରି ଲାଗିଲା । ଆଖି ଖୋଲି ମୁଁ ଯାହା ଦେଖିଲି, ସେଥିରେ ମୁଁ ବିଚଳିତ ହୋଇପଡ଼ିଲି । ଗୋଟାଏ ଗୁମ୍ଫାପରି ପଥର ଘର ଭିତରେ ମୁଁ ଶୋଇଥିଲି ଉପରକୁ ଚାହିଁ । ଛାତ ଉପରୁ ପଥରସନ୍ଧି ଦେଇ କେତେ ଧାର ଆଲୁଅ ମୋ ଗୁମ୍ଫା ଭିତରକୁ ଝରିପଡ଼ୁଥିଲା । ଗୁମ୍ଫାର ଅନ୍ଧାର ଭିତରେ ସେଇ ଆଲୁଅ ଧାରଗୁଡ଼ାକ ଗୁଡ଼ାଏ ନିଅନ୍‌ବାର ପରି ଦେଖାଯାଉଥିଲା । ଆଶ୍ଚର୍ଯ୍ୟ ହେଇ ମୁଁ ମୋ ଚାରିପଟକୁ ଚାହିଁଲି ।’’

 

‘‘କ’ଣ ଦେଖିଲେ ?’’

 

‘‘ଦେଖିଲି ଖାଲି ପଥର । କେବଳ ମତେ ଛାଡ଼ିଦେଲେ ମୋ ଗୁମ୍ଫାର ସବୁ ପଥର ପାଲଟି ଯାଇଥିଲା । ପଢ଼ିବି ବୋଲି ସାତଖଣ୍ଡ ରାମାୟଣ ମୁଁ ମୋ ଟେବୁଲ ଉପରେ ରଖିଥିଲି । ଅତି ଆଶ୍ଚର୍ଯ୍ୟ ଭାବରେ, ମୋର ସେ ବହିଗୁଡ଼ାକ ବି ପଥରପାଲଟି ଯାଇଥିଲେ ।’’

 

‘‘କ’ଣ ସେଇ ରାମାୟଣ ହେଇ ସେମାନେ ଥିଲେ, ନା ଆଉ କିଛି ?’’

 

‘‘ମନେ ନାହିଁ–ତେବେ ମନେପଡ଼ୁଛି ସେ ପଥର ଉପରେ କେତେଗୁଡ଼ିଏ ଚିତ୍ର କଟାହେଇଥିଲା ।’’

 

‘‘କି ଚିତ୍ର ?’’

‘‘ଏଇ ଗୋରୁ, ଗାଈ, ମେଣ୍ଢା, ବାଘ, ହରିଣ–ଏମିତି କେତେଟା ଅଷଣ୍ଢବା ଚିତ୍ର ।’’

‘‘ବେଶ୍‌, ଆଉ କ’ଣ ଦେଖିଲେ ?’’

‘‘ଆଉ ଦେଖିଲି...ଦେଖିଲି ମୁଁ...ମୁଁ ନିଜେ ମଧ୍ୟ ପରିବର୍ତ୍ତିତ ହୋଇଛି ।’’

‘‘ଅର୍ଥାତ୍‌ !’’

‘‘ଅର୍ଥାତ୍‌–ଦାରୁଭୂତୋ ମୁରାରି ପରି ମୁଁ ଠିଆ ହେଇଥିଲି ମୋ ଗୁମ୍ଫା ଭିତରେ–ଅଦ୍ଭୁତ ଲଙ୍ଗଳା ହେଇ ।’’

‘‘ଓ ! କହନ୍ତୁ କୁହନ୍ତୁ । ବେଶ୍‌ ଇଣ୍ଟରେଷ୍ଟିଂ !’’

‘‘ବାହାରେ ପୁଣି କ’ଣ ଏକ ଅଦ୍ଭୁତ ଶବ୍ଦ ଶୁଭିଲା । ଡରି ଡରି ମୁଁ ଆସିଲି ଗୁମ୍ଫାର ଦୁଆର ପର୍ଯ୍ୟନ୍ତ । ଲଙ୍ଗଳା ହେଇ ଆଉ ଆଗକୁ ଯିବାକୁ ସାହସ ହେଲା ନାହିଁ ।’’

‘‘ଖୁବ୍‍ ଭଲ କରିଛନ୍ତି । କ’ଣ ଦେଖିଲେ ବାହାରେ ?’’

‘‘ବଡ଼ ସାଙ୍ଘାତିକ ଜିନିଷ ସେ । ମୋ ଗୁମ୍ଫାର ବାହାରକୁ ଆଉ କୁଆଡ଼େ ଚାହିଁବାର ଉପାୟ ନ ଥିଲା । ଚାରିଆଡ଼େ ଖାଲି ଘର-ଘର-ଘର–ନାଲି, ନେଳି, ଧଳା, ହଳଦିଆ–ବହୁତ କୋଠା–ବିରାଟ ପ୍ରାସାଦ–ନଭଶ୍ଚୁମ୍ୱୀ ପ୍ରାସାଦମାଳା–ଏଭରେଷ୍ଟ ଶୃଙ୍ଗଠାରୁ ଆହୁରି ଉଚ୍ଚ ହେବେ ସେମାନେ ।’’

‘‘ଓ, କେ–କୌଣସି ଚିହ୍ନା ଲୋକର ଘର ଦେଖିପାରିଲେ ?’’

‘‘ଚିହ୍ନାଲୋକ ? ସେମାନେ ପରା ସମସ୍ତେ ମୋ ପଡ଼ୋଶୀ । ସେମାନଙ୍କୁ ମୁଁ ଚିହ୍ନି ନାହିଁ-? କାଳୁବାବୁଙ୍କ କୋଠା, କୃଷ୍ଣବାବୁଙ୍କ କୋଠା, ଦାସ୍‌ଙ୍କ କୋଠା, ପଟ୍ଟନାୟକଙ୍କ କୋଠା–ସେମାନେ ସମସ୍ତେ ମତେ ଘେରି ଯାଇଥିଲେ ।’’

 

‘‘ଆଚ୍ଛା, ଏ କାଳୁବାବୁ, କୃଷ୍ଣବାବୁ...ଏମାନେ ସବୁ କଅଣ କରନ୍ତି–ମାନେ ବ୍ୟବସାୟ...’’

 

‘‘କାଳୁବାବୁ–ସେକ୍ରେଟେରୀ, କୃଷ୍ଣବାବୁ–କ୍ଲର୍କ, ଦାସ–ଆଳୁବେପାରୀ ଆଉ ପଟ୍ଟନାୟକ–ଓକିଲ ।’’

 

‘‘ସମସ୍ତେ କୋଠା ତୋଳିଥିଲେ ?’’

 

‘‘ମନେହେଉଚି ତ ସେମିତି ! ନଚେତ୍‌ କାହାର ଆଉ ସେଗୁଡ଼ାକ !’’ କାଳୁବାବୁଙ୍କ କୋଠା କେତେ ମହଲା କହିପାରିବି ନାହିଁ–ତେବେ ସଭା ଉପର ମହଲାର ଘରଗୁଡ଼ାକ ଗୋଟାଏ ବିନ୍ଦୁରେ ମିଳିଯାଇଥିଲେ ।

 

କୃଷ୍ଣବାବୁ ବି କିଛି କମ୍‌ ଉପରକୁ ଉଠିନଥିଲେ । ଦାସଙ୍କ କୋଠା ? ତାଙ୍କ କୋଠାଟି ଥିଲା ନୂଆ ! ସେଇଟା ତ କାଳୁବାବୁ ଆଉ କୃଷ୍ଣବାବୁ ଦୁହିଁଙ୍କ କୋଠା ଭିତରେ ଝୁଲୁଥିଲା !’’

 

‘‘ଓ ! ତା’ହେଲେ ସେମାନେ ସମସ୍ତେ ଆପଣଙ୍କର ଗୁମ୍ଫାକୁ ଘେରି ଯାଇଥିଲେ ?’’

 

‘‘କେବଳ ଘେରିଯାଇନଥିଲେ, ସେମାନେ ମୋ ମୁଣ୍ଡ ଉପରେ ଆଉ ଗୋଟାଏ ଛାତ ବାନ୍ଧି ଦେଇଥିଲେ, ଯେମିତି କି ମୁଁ ଉପରକୁ ବଢ଼ିନପାରେ !’’

 

‘‘ଛାଡ଼, ଏଇ କୋଠା ଛଡ଼ା ଆପଣ ଆଉ କ’ଣ ଦେଖିଲେ ?’’

 

‘‘କହୁଛି–ଦୁଆରମୁହଁରେ ଲୁଚି ଲୁଚି ମୁଁ ପଦାକୁ ଚାହିଁଥିଲି । ସତ କହୁଛି, ମୁଁ ତାଙ୍କ ପ୍ରତି ଈର୍ଷାନ୍ୱିତ ନ ଥିଲି । ମୋର କେବଳ କୌତୂହଳ ଦେଖିବା କଥା, କିଏ କେତେ ବଢ଼ିଛନ୍ତି, ଏଇ ଗୋଟିଏ ରାତି ଭିତରେ । ଏତିକିବେଳେ ମୋ କାନରେ ବାଜିଲା ଗୋଟିଏ ଅଦ୍ଭୁତ ଶବ୍ଦ !’’

 

‘‘କହିପାରିବି ନାହିଁ–ହେଲିକପ୍ଟର ତ ମୁଁ ଦେଖିନାହିଁ–ତେବେ ସେ ଏକ ଅଦ୍ଭୁତ ଯନ୍ତ୍ର–ମାଟିରେ ମଟର ପରି ଗଡ଼ି ଚାଲେ ସେ–ଆକାଶରେ ବି ଉଡ଼ିପାରେ–କିନ୍ତୁ ଚକ ଫକ ତ କିଛି ଦେଖିଲିନାହିଁ ତା’ର !’’

 

‘‘ଚକ ନ ଥିବ ନିଶ୍ଚୟ–ତେବେ ଆପଣଙ୍କ ସ୍ୱପ୍ନକଥା କହନ୍ତୁ–ଆଡ଼େସାଡ଼େ ମୁଣ୍ଡ ଖେଳାନ୍ତୁ ନାହିଁ ।’’

 

‘‘କହୁଛି ଆଜ୍ଞା–ସେ ଯନ୍ତ୍ର ଭିତରୁ ବାହାରି ଆସିଲେ ଜଣେ ବ୍ୟକ୍ତି । ଅସମ୍ଭବ ଧରଣର ମଣିଷ ସେ ଖୁବ୍‌ ମୋଟା–ଖୁବ୍‌ ବୁଢ଼ା ଖୁବ୍‌ ଗେଡ଼ା ମଧ୍ୟ । ପ୍ରଥମେ ମୁଁ ତାଙ୍କୁ ଚିହ୍ନିପାରିଲି ନାହିଁ । କିନ୍ତୁ ପ୍ରକୃତରେ ସେ ମୋର ଚିହ୍ନା ଥିଲେ । ଆପଣ ଆମ ବିଶ୍ୱମୋହନ ବାବୁଙ୍କୁ ଚିହ୍ନନ୍ତି ତ ମିଃ ନାୟକ ?’’

 

‘‘କିଏ ? ଡାକ୍ତର ବିଶ୍ୱମୋହନଙ୍କ କଥା କହୁଛନ୍ତି ଆପଣ ?’’

 

‘‘ଆଜ୍ଞା ହଁ ! –ସେଇ ଭଦ୍ରଲୋକ । କିନ୍ତୁ ସେ ଏତେ ବୁଢ଼ା ଦେଖାଯାଉଥିଲେ କେମିତି କେଜାଣି–ଯେମିତି କି ସେ ସତୁରୀ ବର୍ଷ ଆଗକୁ ପଳାଇ ଯାଇଥିଲେ ସେଦିନ ।’’

 

‘‘ହୁଁ ! –ଡାକ୍ତର ବିଶ୍ୱମୋହନ କଅଣ କଲେ ?’’

 

‘‘କିଛି କଲେ ନାହିଁ । ଖାଲି ମତେ ତାଙ୍କର ବେକରେ ଗୁଡ଼େଇ ହୋଇଥିବା ଷ୍ଟେଥ୍‌ସକୋପଟାକୁ ଦେଖେଇଲେ ଓ କଅଣ ଯେପରି ଠାରୁଥିଲେ...’’

 

‘‘ଓ ଆଚ୍ଛା–ଡୋଣ୍ଟ୍‌ ଓର୍‌ରି, ମୁଁ ବୁଝିଲିଣି–ରୋଗଟା ତମର...ତା’ପରେ ?’’

 

‘‘ହଠାତ୍‌ କଅଣ ଗୋଟାଏ ଛୋଟ ଆଲୁଅ ଜଳିଉଠିଲା–ପଟ୍ଟନାୟକଙ୍କ ଘରେ । ଧୀରେ ଧୀରେ ସେ ଆଲୁଅଟା ବଢ଼ିଲା । ମୁଁ ଜାଣି ପାରି ନ ଥିଲି, ସେ ଆଲୋକର ଉଜ୍ଜ୍ୱଳତା ଏତେ ବେଶି ବୋଲି । ମୁଁ ଚାହିଁଦେବାମାତ୍ରେ ଅନ୍ଧ ହୋଇଗଲି ।’’

 

‘‘ଭେରି ଗୁଡ୍‍–ଗୋ ଅନ୍‌–ଆଗେଇ ଚାଲ । ମୁଁ ବୁଝିଲିଣି ପୂରାପୂରି ସେକ୍‌ସ ସିମ୍ୱଲ !’’

 

ଅବଶ୍ୟ ଏଇଠି ମୁଁ ଟିକିଏ ପ୍ରତିବାଦ କରିଥିଲି ମିଃ ନାୟକଙ୍କ ମନ୍ତବ୍ୟର । ‘‘ନା କଦାପି ଏହା ସେକ୍‌ସ ସିମ୍ୱଲ ନ ହୋଇପାରେ–ଏଇଟା ହେଉଚି ବୋଧହୁଏ ପୂରାପୂରି ଇକନମିକାଲ...’’

 

‘‘ଅଲ୍‌ରାଇଟ–ଆଗେଇ ଚାଲ’’ ମିଃ ନାୟକ କହିଲେ–

 

‘‘ଠିକ୍‌ ଏତିକିବେଳେ କାହାର ପାଦଶବ୍ଦ ମୁଁ ଶୁଣିପାରିଲି ମୋ ଗୁମ୍ଫା ଦୁଆର ମୁହଁରେ । ଗୁମ୍ଫା ଦୁଆର ମୁହଁରେ ପଥର ପାଖେ ମୁଁ ଝୁଣ୍ଟିପଡ଼ିଲି । ମୋ ଆଖି ତ ଯାଇଥିଲା–ମୁହଁରୁ ଲଜ୍ଜା ଯାଇଥିଲା, ବର୍ତ୍ତମାନ ପଥରରେ ଝୁଣ୍ଟି ମୋ ଆଣ୍ଠୁଗଣ୍ଠି ଛିଣ୍ଡିଗଲା–ଲହୁ ବୋହି ଯାଉଥିଲା ବୋଧହୁଏ–କିନ୍ତୁ ମୁଁ କିଛି ଦେଖି ପାରୁନଥିଲି–ମୋ ଆଖି ନ ଥିଲା । ଆଉ ମୋ ଦେହର ଲହୁ ଦେଖିବାପାଇଁ ମୁଁ ବି ପ୍ରସ୍ତୁତ ନ ଥିଲି ।’’

 

‘‘ହଠାତ୍ ବାହାରେ ଭୀଷଣ କୋଳାହଳ ଆରମ୍ଭ ହୋଇଗଲା । ମନେହଲା, ଗୁଡ଼ାଏ ଲୋକ ସତେ ଯେମିତି ମୋ ଗୁମ୍ଫା ଆଡ଼କୁ ମାଡ଼ିଆସୁଛନ୍ତି । ଗୁମ୍ଫାର ଦୁଆରେ ଶୁଭିଲା–ଠକ୍, ଠକ୍, ଠକ୍ ।’’

 

‘‘କିଏ ସେ ?’’ ମୁଁ ପ୍ରଶ୍ନ କଲି ।

 

ଉତ୍ତର ଆସିଲା ‘‘–ପୁଲିସ୍–ପୁଲିସ୍ ତୁମକୁ ଖୋଜୁଛି ?’’

 

‘‘ପୁଲିସ୍‌ ମତେ ଖୋଜୁଛି ?’’ ଖୁବ୍ ଆଶ୍ଚର୍ଯ୍ୟ ହୋଇ ମୁଁ ପଚାରିଲି ।

 

‘‘ହଠାତ୍ ଦୁମ୍ କରି କ’ଣ ଗୋଟାଏ ଶବ୍ଦ ଶୁଭିଲା–ମୁଁ ଚିତ୍‌ପଟାଙ୍ଗ ହେଇ ପଡ଼ିଗଲି–ଯୋଉ ପଥରକୁ ଆଉଜି ମୁଁ ବସିଥିଲି, ସେଇଟା ପଡ଼ିଗଲା ପଦାକୁ ।’’

 

କାହାର କର୍କଶ ରବ ଶୁଭିଲା–‘‘ଦେଖ, ତୁମକୁ ଏ ଘର ପନ୍ଦର ମିନିଟ ଭିତରେ ଛାଡ଼ିଦେବାକୁ ହେବ–ଯୋଗାଡ଼ ଆରମ୍ଭ କର ।’’

 

ଚମକି ପଡ଼ିଲି ମୁଁ । ‘‘ଘର ଛାଡ଼ି ଚାଲିଯିବାକୁ ହବ ? ମତେ ? ପୁଣି ପନ୍ଦର ମିନଟ ଭିତରେ ? ଏ କୋଉ ଯୁଗର ନିୟମ ?’’ –ସାମାନ୍ୟ କ୍ରୋଧ ଓ ପ୍ରକାଣ୍ଡ ବିସ୍ମୟ ପ୍ରକାଶ କରି ମୁଁ କହିଲି, ଆଖି ମୋର ଅନ୍ଧ ହୋଇ ଯାଇଥିଲା । ସେ ପୁଲିସ୍‍ଟାର ମୁହଁ ମତେ ଦେଖାଯାଉନଥିଲା । ମୁଁ କେବଳ ଶୂନ୍ୟକୁ ବକି ଚାଲିଥିଲି ।

 

ପୁଲିସ୍‌ଟା ନିଶ୍ଚୟ ଗୋଟାଏ ଅତିକାୟ ମାନବ ହୋଇଥିବ । ତା’ର ବିକଟ ହସ ସେଇ ସୂଚନା ଦେଉଥିଲା । ତାଚ୍ଛଲ୍ୟ କରି ସେ କହିଲା–‘‘ଦେଖ୍‌ ଟୋକା ! –ଆଉ ବେଶି ସମୟ ନଷ୍ଟ କରନା-ବାନ୍ଧ୍‌ ତୋ ଜିନିଷ ପତ୍ର–ରିଫ୍ୟୁଜି ଆକ୍ଟ ଅନୁସାରେ ତତେ ବର୍ତ୍ତମାନ ସ୍ଥାନାନ୍ତରିତ କରାଯିବ–ତୋର ଏ ଜାଗାକୁ ମିଃ ଦାସ କିଣି ନେଇଛନ୍ତି ।’’

 

‘‘ହୁଆଟ୍‌ !’’ ରାଗିଯାଇ ମୁଁ ଚିତ୍କାର କରି ଉଠିଲି । ଆହୁରି ରାଗିଯାଇ ପୁଲିସ୍‌ ପୁଣି ଗର୍ଜି ଉଠିଲା ।

 

ମୁଁ ଡରିଗଲି ନାହିଁ । ସେ ପୁଲିସ୍‌ ହେଉ ବା ଯିଏ ହେଉ, ସେ ମତେ ମୋ ପୈତୃକ ଜାଗାରୁ ହଟେଇ ଦେଇପାରିବ ନାହିଁ । ମିଃ ଦାସ ଯେତେ ବଡ଼ ଲୋକ ହୁଅନ୍ତୁ ନା କାହିଁକ, ସେ ମୋ କୁଡ଼ିଆକୁ ଅଧିକାର କରିପାରିବେ ନାହିଁ ।

 

ଅଧୀର ହୋଇ ମୁଁ ପଚାରିଲି–‘‘ପୁଲିସ୍‌ ! ତୁମେ ମତେ ଏଠୁ ହଟାଇ ପାରିବ ନାହିଁ–ତୁମେ ଫେରିଯାଅ !’’

 

ବିକଟ ହସ ହସି ପୁଲିସ୍‌ ପୁଣି କହିଲା, ‘‘ପୁନର୍ବସତି ବିଭାଗ ତରଫରୁ ଆଦେଶ ଆସିଛି, ତତେ ଆଉ ଜାଗାକୁ ନିଆଯିବ, ଚାଲ୍‍–ସମୟ ହେଲା ।’’

 

ହଠାତ୍‌ ମୋ ଦୁଇହାତକୁ ଆସି କେହି ଧରି ପକେଇଲା । ପୁଲିସ୍‌ ମତେ ଧରୁଛି ଭାବି ମୁଁ ହାତଟାକୁ ଛାଟିଦେଲି । କିନ୍ତୁ ଆଉ କାହାର ଶବ୍ଦ ଶୁଣି ମୁଁ ଧୀର ହେଲି । ଜଣେ କେହି ଆଗନ୍ତୁକ ସେ ନିଶ୍ଚୟ । ତାଙ୍କ ସହିତ ମୋର ପରିଚୟ ନ ଥିଲା ପରି ଲାଗିଲା । ତାଙ୍କ ସ୍ୱର ମୋର ଚିହ୍ନା ନ ଥିଲା । ଭଦ୍ରଲୋକ ହଠାତ୍‌ ମୋ କାନ୍ଧରେ ହାତ ପକେଇ ମତେ ତାଙ୍କ ପାଖକୁ ଟାଣିନେଲେ । ବନ୍ଧୁପରି ସେ ମତେ ଆଦର କଲେ । ମୋ’ପାଇଁ ସେ ପୁଲିସ୍‌ଙ୍କୁ ଅନୁରୋଧ କଲେ । କିନ୍ତୁ ପୁଲିସ୍‍ଙ୍କର ସେଇ ଗୋଟାଏ ଜିଦ ।

 

ଆଗନ୍ତୁକ ପୁଲିସ୍‌ର ଏ ବ୍ୟବହାରରେ ବିଶେଷ ମର୍ମାହତ ହେଲେ । ସେ କହିଲେ, ‘‘ଶୁଣନ୍ତୁ ପୁଲିସ୍‌ବାବୁ ! ଆପଣଙ୍କ କାମ ହେଲା ଅନ୍ୟକୁ ସାହାଯ୍ୟ କରିବା । ଏ ଜଣେ ଅନ୍ଧ, ପୁଣି ଅନ୍ଧାରି ମୁଲକରେ ୟାଙ୍କର ଘର । ଏପରି ରାଗିଲେ ତ କାମ ଚଳିବ ନାହିଁ !’’

 

ସେ ଭଦ୍ରଲୋକଙ୍କ ବିଚିତ୍ର କଥାଶୁଣି ମୁଁ ପ୍ରଥମେ ଟିକିଏ ବିରକ୍ତ ହେଲି । କିନ୍ତୁ ଯାହାହେଉ, ସେ ଯେ ତଥାପି ମୋ ପକ୍ଷ ନେଇ କଥା କହୁଛନ୍ତି, ଆଉ ତାଙ୍କଠେଇଁ ଦୟାମାୟା ଟିକେ ଅଛି, ସେଇତକ ଯୋଗୁଁ ମୁଁ ଆଶ୍ୱସ୍ତ ହେଲି ।

 

ଭଦ୍ରଲୋକଙ୍କ କଥା ଶୁଣି ପୁଲିସ୍‌ କଅଣ ବୁଝିଲେ କେଜାଣି, ସତକୁ ସତ ସେ ଟିକିଏ ନମ୍ର ହୋଇଗଲେ । କଅଁଳେଇ କରି ସେ କହିଲେ, ‘‘ଶୁଣନ୍ତୁ ବାବୁ !’’

 

ଆଃ, ଭାରୀ କଅଁଳିଆ, ମିଠା କଥା ସେ କହିଲେ ଏଥର । ଧୀରସ୍ଥିର ହୋଇ ମୁଁ ଶୁଣିଲି-। ରାଜ୍ୟର ନୂଆ ନିୟମ କାନୁନ ମୁଁ କିଛି ଜାଣିନଥିଲି ।

 

ପୁଲିସ୍‌ କହିଲେ, ‘‘ଆଜ୍ଞା, ଆପଣଙ୍କୁ ଏ ଘର ଛାଡ଼ିବାକୁ ପଡ଼ିବ–ଆପଣଙ୍କୁ ନୂଆଘର ମିଳିବ–ଚାଲନ୍ତୁ ଅଧଘଣ୍ଟାକ ଭିତରେ ଆପଣ ପାଇଯିବେ ନୂଆଘର ।’’

 

‘‘କୋଉଠି ?’’ ସନ୍ଦିହାନ ହୋଇ ମୁଁ ପଚାରିଲି, ‘‘କ’ଣ ଦଣ୍ଡକାରଣ୍ୟରେ ?’’ ହସିଲେ ପୁଲିସ୍‍ବାବୁ–ବଡ଼ ମିଠାହସ ଖଣ୍ଡେ । ସେଥିରେ ଥଟ୍ଟା ନ ଥିଲା–ଥିଲା ପ୍ରକୃତ ଦୟା–ମୋର ଅଜ୍ଞତା ପ୍ରତି ତାଙ୍କର ସହାନୁଭୂତି ଥିଲା । ହସି ହସି ପୁଲିସ୍‍ କହିଲେ, ‘‘ଆଜ୍ଞା, ଆଦେଶ ଅଛି ଯେ, ଆପଣଙ୍କୁ କାଲିଫର୍ଣ୍ଣିଆ ଯିବାକୁ ପଡ଼ିବ । ସେଇଠି ଘର ମିଳିବ ।’’

 

‘‘କାଲିଫର୍ଣ୍ଣିଆ ?’’ ମୁଁ ଛେପ ଢୋକିଲି । ମୋର ଆଉ କିଛି କହିବାର ନ ଥିଲା ।

 

‘‘ହଁ ଆଜ୍ଞା !’’ ପୁଲିସ୍‍ ଉତ୍ତର ଦେଲେ, ‘‘କାଲିଫର୍ଣ୍ଣିଆରେ ଆପଣ ଘର ପାଇବେ ଖୁବ୍‌ ସୁନ୍ଦର ଘର, ଆଗେ ସାହେବମାନେ ଯୋଉଠି ରହୁଥିଲେ, ସେଇଠି ।’’

 

ମୁଁ ନିରୁତ୍ତର ରହିଲି ।

 

ମୋ ହାତ ଧରି ପୁଲିସ୍‌ ଏଥର ମୋତେ ଟାଣିଲେ ।

 

ଜନ୍ମଭୂମିକୁ ଛାଡ଼ି ମୁଁ ରିଫ୍ୟୁଜି ହୋଇ ଚାଲିଲି କାଲିଫର୍ଣ୍ଣିଆ । ଭୟ, ବିସ୍ମୟ, ତନ୍ଦ୍ରା–ସବୁ ଘେରି ଆସୁଥିଲା ମତେ ।

 

ପୁଲିସ୍‌ର ମୁହଁ ମୁଁ ଦେଖିପାରୁନଥିଲି । ସେ ବୋଧେ ହସୁଥିବ । ମୋ’ପରି ଗୋଟାଏ ଆଦିମ ମନୁଷ୍ୟ ସହିତ କାରବାର କରିବାରେ ସେ ଖୁବ୍‌ ମଜା ପାଇଥିବ ନିଶ୍ଚୟ ।

 

ସେମାନେ ମତେ ଧରି ନେଉଥିଲେ କାଲିଫର୍ଣ୍ଣିଆକୁ ଥଇଥାନ ପାଇଁ । ଦିନେ–ମୋର ମନେପଡ଼ୁଛି–ଏଇ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାକୁ ଯିବି ବୋଲି କେତେ ଲୋକଙ୍କୁ ମୁଁ ଖୋସାମତ କରିଥିଲି–କେତେ ହାକିମଙ୍କ ଗୋଡ଼ ଧରିଥିଲି–ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ସେମାନେ ମୋର ନାଁ କାଟି ଦେଇଥିଲେ ତାଙ୍କ କାଗଜରୁ । ଆଜି ସେମାନେ ମତେ ବାନ୍ଧି ନେଉଛନ୍ତି ସେଇ ଜାଗାକୁ । ତଥାପି ମୋର ଆନନ୍ଦ ନାହିଁ । କାହିଁକି ? କାରଣ, ପୁଲିସ୍‌ ମୁହଁରୁ ଶୁଣିଲା ପରେ କାଲିଫର୍ଣ୍ଣିଆ ପ୍ରତି ମୋର ମୋହ ତୁଟି ଯାଇଥିଲା–ମୋହ ଲାଗୁଥିଲା ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, ଶୁକ୍ରରେ ।

 

ପୁଲିସ୍‌ ମୋ ସାଙ୍ଗେ ସାଙ୍ଗେ ଚାଲିଥିଲେ । ଅଧବାଟରେ ସେ ମୋ ସାଙ୍ଗରେ ଖୁବ୍‌ ଦୋସ୍ତି ବି ଜମେଇ ସାରିଥିଲେ ।

 

ମୁଁ ତାଙ୍କୁ ପଚାରିଲି, ‘‘ଆଚ୍ଛା, ମଙ୍ଗଳ ଗ୍ରହକୁ କ’ଣ ଆମେ ଯାଇପାରିବା ନାହିଁ ?’’

 

ମୋ କାନରେ ମୁହଁ ଗୁଞ୍ଜି ପୁଲିସ୍‌ କଅଣ ପଦେ କହିଲେ ।

 

ସେତେବେଳକୁ ମୋ ଆଖି ସଫାହୋଇ ଆସିଲା । ଏଥର ମୁଁ ସ୍ପଷ୍ଟ ଦେଖିପାରିଲି ସବୁକଥା । ମୋର ନିଦ ଭାଙ୍ଗିଯାଉଥିଲା ହୁଏତ ।

 

ମି: ନାୟକ ମୋର ସବୁକଥା ରେକର୍ଡ଼ କରିସାରିଥିଲେ । ଏ ପ୍ରକାର ସ୍ୱପ୍ନର ଅର୍ଥ କଅଣ–ସେ ନିଶ୍ଚୟ ବୁଝିପାରିଥିବେ । କିନ୍ତୁ କେଜାଣି କାହିଁକି; ମତେ କହିଲେ ପରଦିନ ତାଙ୍କୁ ଦେଖା କରିବାପାଇଁ । ପରଦିନ ମୁଁ ତାଙ୍କ ଘରୁ ବାହାରି ଆସୁଛି, ଠିକ୍‌ ସେତିକିବେଳେ ଗୋଟାଏ ଖବରକାଗଜ ହକର୍‍ ସେଇବାଟ ଦେଇ ଡାକି ଡାକି ଚାଲିଗଲା–

 

‘‘ପ୍ୟାରିସ୍‌ ଆକାଶରେ ଚତୁର୍ଥ ସ୍ପୁଟ୍‌ନିକ୍‌–ଶିଖର ସମ୍ମିଳନୀ ଭାଙ୍ଗିଗଲା ।’’

 

ସେତେବେଳେ ମୁଁ ଖବରକାଗଜ ହକର୍‌ର ଡାକ ଶୁଣୁ ନ ଥିଲି–ମିଃ ନାୟକ ମତେ କହୁଥିଲେ ଯେ, ଆଗାମୀ ବସନ୍ତଋତୁ ପୂର୍ବରୁ ମତେ ଅନ୍ତତଃ କିଛିଦିନ ପାଇଁ କୌଣସି ମାନସିକ ସାନାଟୋରିଅମରେ ରହିବାକୁ ପଡ଼ିପାରେ; କିନ୍ତୁ ମୁଁ ସେ କଥା ମଧ୍ୟ ଭାବୁ ନ ଥିଲି–ଭାବୁଥିଲି ଆଗାମୀ ବସନ୍ତଋତୁ ପୂର୍ବରୁ ମୋ ଅଫିସ୍‌ ତହବିଲ୍‌ରୁ ଅନ୍ୟୁନ ପାଞ୍ଚହଜାର ଟଙ୍କା ହାତସଫେଇ କରିବାପାଇଁ ସୁଯୋଗ ମତେ ମିଃ ନାୟକ ଏତଦ୍ଦ୍ୱାରା ଦେଇନାହାନ୍ତି ତ !

Image

 

ପଛର ମଣିଷ

 

ମାତ୍ର ସତେଇଶ ବର୍ଷ ବୟସ୍କ ନୌବାହିନୀ ଅଫିସ୍‍ର ଲୁଇଗିଡ଼ୁରାଣ୍ଡିଲା ପିନେ, ସାମରିକ ଆଦେଶ ଅନୁସାରେ ନିଜର ଉଇଲ ତିଆରି କରିସାରିଥିଲେ । ନିଜର ସମସ୍ତ ଆସବାବପତ୍ର ମଧ୍ୟ ସଜାଡ଼ି ରଖିଥିଲେ । ସେ ଜାଣନ୍ତି, ନିଜର ପ୍ରିୟ ଜୀବନଟିକୁ ସେ ଦେଶଲାଗି ଉତ୍ସର୍ଗ କରିଛନ୍ତି । ଆଗରେ ତାଙ୍କର ଏକ ମହାନ ବିପଦସଙ୍କୁଳ କର୍ତ୍ତବ୍ୟର ପରଓ୍ୱାନା ରହିଛି । ଏହି ଆଦେଶକୁ ପାଳନ କରୁ କରୁ ସେ ନିଜ ଜୀବନଟିକୁ ନିଶ୍ଚୟ ହରାଇବେ । ହଁ, ଏଥିରେ ଆଉ ସନ୍ଦେହ କ’ଣ ଅଛି ? ମୃତ୍ୟୁ ସୁନିଶ୍ଚିତ-ପିନେଙ୍କର ଆଖି ଦୁଇଟି ନିବଦ୍ଧ ହୋଇଆସିଲା । ସେ ଗୋଟିଏ ଦୀର୍ଘଶ୍ୱାସ ଛାଡ଼ିଲେ । ବେଶ୍‌–କିନ୍ତୁ ମୃତ୍ୟୁକୁ ସେ ଡରିଯିବେ ? କର୍ତ୍ତବ୍ୟ ଓ ମୃତ୍ୟୁ... ? କର୍ତ୍ତବ୍ୟ କରୁ କରୁ ମୃତ୍ୟୁ...ହାଃ ହାଃ । ଇଟାଲୀର ସତେଇଶ ବୟସର ତରୁଣ ନୌବାହିନୀ ଅଫିସ୍‍ର ଲୁଇଗି ଡୁରାଣ୍ଡିଲା ପିନେ ନିଭୃତ କୋଠରୀରେ ବସିରହି, ହସି ହସି ପୁଣି ଅସ୍ୱାଭାବିକ ଭାବେ ସ୍ଥିର ହୋଇ ଉଠିଲେ । ତା’ପରେ ସେ ଖଣ୍ଡିଏ କାଗଜରେ ମା’ ଙ୍କ ପାଖକୁ ଶେଷପତ୍ରଟି ଲେଖି ବସିଲେ–

 

‘‘ମା, ଏ ଚିଠି ପାଇବା ପୂର୍ବରୁ ବୋଧହୁଏ ସବୁ ଶେଷ ହୋଇ ଯାଇଥିବ । ମୁଁ ଯେଉଁ ବିପଦ ସଙ୍କୁଳ ପଥରେ ପାଦ ଦେଇଥିଲି, ତାହା ବିଫଳ ହେବାକୁ ଯାଉଛି ।’’

 

X X X

 

ପିନେ ଅବିବାହିତ । ଅବିବାହିତ ହିଁ ଏ ଦୁଃସାହସିକ କାର୍ଯ୍ୟ ପାଇଁ ବାଞ୍ଛନୀୟ । ମାତ୍ର ପିନେ ଆଶାବାଦୀ । ତାଙ୍କର ସମ୍ମୁଖସ୍ଥ କର୍ତ୍ତବ୍ୟଟି ଦୁଃସାଧ୍ୟ ନିଶ୍ଚୟ, ମାତ୍ର ଏଇ ଦୁଃସାଧ୍ୟକୁ ସାଧ୍ୟ କରିବା ପାଇଁ ତ ବୀର ପୁରୁଷର ଜନ୍ମ । ନୌସେନାଧ୍ୟକ୍ଷଙ୍କ ଆଦେଶପତ୍ର ଖୋଲି ଆହୁରି ଥରେ ମନୋଯୋଗ ସହକାରେ ସେ ପଢ଼ିନେଲେ ଓ ମନେ ମନେ କହିଲେ, ‘‘ହଁ, ଅତି ସ୍ପଷ୍ଟ । ମାତ୍ର ଏଇ କ୍ଷୁଦ୍ର ବୁଡ଼ାଜାହାଜଗୁଡ଼ିକ ଠିକ୍‌ କାମ ଦେବ ତ ?’’

 

ତା’ପରେ ଆଦେଶପତ୍ରର ଅନ୍ୟ ଏକ ଛତ୍ର ଉପରେ ଦୃଷ୍ଟି ନିକ୍ଷେପ କଲେ ପିନେ । ସେ ସମ୍ପୂର୍ଣ୍ଣରୂପେ ଅନୁଭବ କରିଥିଲେ, ତାଙ୍କର ସମ୍ମୁଖସ୍ଥ ସେଇ ଭୟଙ୍କର ଛାୟାଟିକୁ; ତଥାପି ଆଦେଶପତ୍ରର ଏଇ ଛତ୍ରଟିକୁ ପଢ଼ୁ ପଢ଼ୁ ସେ ହାସ୍ୟ ସମ୍ୱରଣ କରିପାରିଲେ ନାହିଁ । କିନ୍ତୁ ଠିକ୍‌ ତା’ର ପରମୁହୂର୍ତ୍ତରେ ସେ ପୁଣି ଅନୁଭବ କଲେ, କିଏ ଯେପରି ତାଙ୍କ ଭିତରେ ଅସହାୟଭାବେ ଚିତ୍କାର କରି ଉଠୁଛି । ଏ କ’ଣ ? କେହି ଯେପରି ତାଙ୍କୁ ସ୍ମରଣ କରାଇଦେଉଛି, ‘‘ପିନେ ! ତୁମେ ଯେ ଅସମ୍ପୂର୍ଣ୍ଣ ! ଏ ସଂସାରକୁ ଆସିଥିଲ ଚାଲିଯିବ, ଚାଲିଯାଅ । ତୁମର ଦୁଃଖ ନାହିଁ । କିନ୍ତୁ ଏ ସଂସାର ତୁମକୁ ଛାଡ଼ିବ କିପରି ପିନେ ? ସଂସାର ପ୍ରତି ତୁମର କ’ଣ ଏତିକିମାତ୍ର କର୍ତ୍ତବ୍ୟ !’’

 

ବର୍ଷ ବର୍ଷ ଧରି ଦୀର୍ଘ ସତେଇଶ ବର୍ଷର ଅନୁଭୂତି ଗୋଟି ଗୋଟି ହୋଇ ଦେଖାଦେଲା ତାଙ୍କର ସ୍ମୃତିପଟରେ । ଏକ ସୈନିକର କଠୋର ଶୃଙ୍ଖଳିତ କର୍ତ୍ତବ୍ୟପୂର୍ଣ୍ଣ ଜୀବନ ଦୀର୍ଘକାଳ ପାଳନ କରିବା ସତ୍ତ୍ୱେ ଓ ଆଜି ତାଙ୍କର ମନ ଘନ ଘନ ଆନ୍ଦୋଳିତ ହୋଇଉଠୁଛି–ପ୍ରବଳ ବାତ୍ୟାନ୍ଦୋଳିତ ଫଳଭାରାକ୍ରାନ୍ତ ବୃକ୍ଷରୁ ଇତସ୍ତତଃ ବିକ୍ଷିପ୍ତ ଫଳଗୁଡ଼ିକପରି । ତାଙ୍କ ଜୀବନର ସମସ୍ତ ଆଶା ଓ ଆକାଙ୍‌କ୍ଷା ଯେପରି ଗୋଟି ଗୋଟି ହୋଇ ଝଡ଼ି ପଡ଼ୁଥିଲେ । ପିନେ ବିଚଳିତ ହୋଇ ଉଠିଲେ । ସମ୍ମୁଖସ୍ଥ ଦର୍ପଣରେ ନିଜର ବଳିଷ୍ଠ ତେଜୋବନ୍ତ ଶରୀରଟି ଉପରେ ଦୃଷ୍ଟିପଡ଼ିଲା ତାଙ୍କର–‘‘ହଁ, ଏଇ ଶରୀରଟା-ସମୂହ କଲ୍ୟାଣଦୃଷ୍ଟିରୁ ଏଇ ଶରୀରର ଧ୍ୱଂସ ହିଁ ଆଜି ସେମାନେ ଚାହାନ୍ତି । କେବଳ ସେମାନେ କାହିଁକି, ମୋର ବି କ’ଣ ସତେ ଏତେ ମମତା ରହିଛି ଏଇ ଦେହଟା ପ୍ରତି...’’

 

ଭାବି ଚାଲିଛନ୍ତି ସେ ଓ ମନକୁ ବୁଝାଇ ଚାଲିଛନ୍ତି–‘‘ନିଶ୍ଚୟ ! କାହିଁକି ତାଙ୍କ ଆତ୍ମା ଶାନ୍ତିଲାଭ ନ କରିବ ! ସେ ତ ସଂସାରକୁ ଯଥେଷ୍ଟ ଉପଭୋଗ କରିଛନ୍ତି, ଆଉ ଜୀବନର ସବୁ କ୍ଷେତ୍ରରେ ହସି ହସି ବରଣ କରିଛନ୍ତି ସେ-କର୍ତ୍ତବ୍ୟ । ହସି ହସି ଆକଣ୍ଠ ପାନ କରିଛନ୍ତି ସେ–ମଦିରା-। ମୁଗ୍‌ଧ ହୋଇ ସଙ୍ଗୀତ ଗାନ କରିଛନ୍ତି ଅସଂଖ୍ୟ ଥର । ବନ, ପର୍ବତ, ନଦୀ, ସମୁଦ୍ର ସବୁରିକୁ ଚାହିଁ ସେ ମୁଗ୍‌ଧ ହୋଇଛନ୍ତି । ଆକାଶର ନୀଳିମା ଆଉ ସମୁଦ୍ରର କାଳିମା, ଅସଂଖ୍ୟ ଥର ସେ ଲଙ୍ଘନ କରିଛନ୍ତି ଏସବୁର ପରିସୀମା । ଗୁଳିଗୋଳା, ବନ୍ଧୁକ, କମାଣ, ତରୀ, ରଣତରୀ, ଯୁଦ୍ଧଭେରୀ ଆଉ ବୋମାର ବିସ୍ଫୋରଣ ସବୁଠାରେ, ସବୁଥିରୁ ସେ ଆବିଷ୍କାର କରିଛନ୍ତି ଜୀବନକୁ, ଆଉ ସେଇ ମାଦକତାରେ ନିଜକୁ ହଜାଇ ଦେବାକୁ ସାରାଜୀବନ ଚେଷ୍ଟା କରିଆସିଛନ୍ତି–ଯେ କୌଣସି ଶିଳ୍ପୀ, ବୈଜ୍ଞାନିକ ଆଉ ଧର୍ମଯାଜକ ଓ ପରିବ୍ରାଜକ ପରି । କିନ୍ତୁ ତଥାପି ଏ ଅସ୍ଥିରତା ଆଉ ଏ ଅଦ୍ଭୁତ ନିଃସଙ୍ଗତା !

 

X X X

 

ସୂର୍ଯ୍ୟର ପ୍ରଥମ ରଶ୍ମିର ସେଇ ଉଚ୍ଚାଟକ ଆଘାତରେ ମୋହନିଦ୍ରା ଭଙ୍ଗ ହେଲା ପିନେଙ୍କର । ହାତଘଡ଼ିକୁ ଚାହିଁ ଦେଖନ୍ତି ତ ପାଞ୍ଚଟା ବାଜି ପଇଁତିରିଶ । ଓଃ ! ବହୁତ ସମୟ ଶୋଇ ପଡ଼ିଛନ୍ତି ତା’ହେଲେ ! ଆଜି ତାଙ୍କର ଜୀବନର ଏ ଗୋଟିଏ ନୂତନ ଓ ଏକ ଚମକପ୍ରଦ ସକାଳ । ପ୍ରାତଃକର୍ମ ଶେଷକରି ପିନେ ବାହାରି ପଡ଼ିଲେ ସାଧାରଣ ପୋଷାକରେ ।

 

ଡିସେମ୍ୱର ୧୮,୧୯୪୧–ଆଉ ମାତ୍ର ଆଠଟି ଦିନ ବାକି ଅଛି । ଏହି ଆଠଟି ଦିନ ପରେ, ଅବଶ୍ୟ ତାଙ୍କ ପାଇଁ ଆଉ କିଛି ଭାବିବାପାଇଁ ନ ଥିବ । କିନ୍ତୁ ଚିରକାଳ କାନ୍ଦିବା ପାଇଁ ସେ ପ୍ରସ୍ତୁତ କରିଯିବେ ଏକ ବାଳିକାକୁ ଏବଂ ତାହାହିଁ ଜୀବନ । ପିନେ ଅନୁଭବ କରୁଥିଲେ । ଯାହାର ପଛରେ କାନ୍ଦିବାକୁ କେହି ନାହିଁ, ସେ ଜୀବନ କି କେବେ ସାର୍ଥକ ହୁଏ ? ସେ କାର୍ଯ୍ୟ କି କେବେ ସଫଳ ହୁଏ ?

 

ତା’ପରେ ପିନେ ସାମରିକ ନିୟମ ଅବହେଳା କରି ଗୁପ୍ତରେ ବିବାହ କଲେ । ଜଣେ ଅଜଣା ଅଶୁଣା, ସଂପୂର୍ଣ୍ଣ ଅପରିଚିତା ଝିଅ–ଇଟାଲୀର ଜୋନିଆ ସହରର ଜଣେ ସଂଭ୍ରାନ୍ତବଂଶୀୟା ସୁନ୍ଦରୀ ଭାଲେରିଆ ବୁଟିଙ୍କୁ ।

 

ଆଠଟି ଦିନ । ମାତ୍ର ଆଠଟି ଦିନ । କିନ୍ତୁ ଓଃ ! ଜୀବନ ଓ ଅମୃତ, ଅମୃତ ଓ ଜୀବନ; କିନ୍ତୁ ଏହାରି ଭିତରେ କି ରୋମାଞ୍ଚକର ମଧ୍ୟ ସେଇ ଅଦ୍ଭୁତ ଡାକ ! ମୃତ୍ୟୁର ସିତ୍‌କାରଇ ଜୀବନର ଅମୃତକୁ ଆହୁରି ମଧୁର, ଆହୁରି ସୁନ୍ଦର ସୌରଭମୟ କରିଦିଏ ।

 

ଆଠଦିନ ପରେ ଫେରି ଆସିଲେ ପିନେ ପୁଣିଥରେ, ଆପଣାର ସେଇ ପ୍ରିୟ ଇଟାଲୀୟ ନୌବିହାରର ଅଭ୍ୟନ୍ତରକୁ–କର୍ତ୍ତବ୍ୟର ଡାକରେ ।

 

ସେଦିନ ଡିସେମ୍ୱର ୧୮ ତାରିଖ । ସୁବିଶାଳ, ସୁରକ୍ଷିତ ଆଲେକ୍‌ଜାଣ୍ଡ୍ରିଆ ବନ୍ଦର ସନ୍ନିକଟ ସମୁଦ୍ରଗର୍ଭରେ ପହଞ୍ଚିଥାଏ ଗୋଟିଏ ଇଟାଲୀୟ ବୁଡ଼ା ଜାହାଜ, ‘‘ସିରେ ।’’ ସଙ୍ଗେ ସଙ୍ଗେ ପିନେ ଓ ତାଙ୍କର ଅନ୍ୟାନ୍ୟ ସହକର୍ମୀଗଣ ତିନିଟି ଦଳରେ ବିଭକ୍ତ ହୋଇଗଲେ । ପ୍ରତ୍ୟେକ ଦଳ, ବାଇଶଫୁଟ ଲମ୍ୱ ଓ ମାତ୍ର ଏକୋଇଶ ଇଞ୍ଚ ଚଉଡ଼ା ତିନିଟି ଅତି ଛୋଟ, ସଂକୀର୍ଣ୍ଣ ବୁଡ଼ାଜାହାଜ ବା ପିଗ୍‌ ଆହୋରଣ କରି ସାବଧାନତାର ସହିତ ଅଗ୍ରସର ହେଲେ ।

 

ଏଇ ବୁଡ଼ା ଜାହାଜ ବା ପିଗ୍‌ଗୁଡ଼ିକ ଏକ ବିଶେଷ ପ୍ରକାର ଓ ଆକୃତିର ଯନ୍ତ୍ର । ଏହାର ଗତି ଘଣ୍ଟାକେ ପ୍ରାୟ ତିନି ମାଇଲ । ଏହି ଗତିରେ ସେମାନଙ୍କୁ ଅନ୍ତତଃ ଦଶ ମାଇଲ ଜଳଭାଗ ଅତିକ୍ରମ କରିବାକୁ ହେବ । ଡିସେମ୍ୱର ଅର୍ଥାତ୍‌ ପୌଷର ଶୀତ ରାତ୍ରି । ଏହିପରି ଅବସ୍ଥାରେ ରାତ୍ରି ପ୍ରାୟ ୯ଟା ବେଳଠାରୁ ଆରମ୍ଭ ହେଲା ଏଇ ଲୋମହର୍ଷଣକାରୀ ଜଳଯାତ୍ରା–ତାହା ପୁଣି ସମୁଦ୍ରର ଅତଳ ଗର୍ଭରେ, ମାତ୍ର ଏକୋଇଶ ଇଞ୍ଚ ଚଉଡ଼ା କାଠଗଡ଼ ପରି ମନ୍ଥର ବୁଡ଼ା ଜାହାଜରେ । ଏହି ଭେଳାରେ ବସିବାକୁ ହେଲେ ଘୋଡ଼ାରେ ବସିଲାପରି ଦୁଇକଡ଼କୁ ଗୋଡ଼ ଲମ୍ୱାଇ ବସିବାକୁ ହୁଏ । ସେ ଯାହାହେଉ, ବର୍ତ୍ତମାନ ଏଇ ଅଲୌକିକ ବୀରବୃନ୍ଦ ଅତି ସାବଧାନତାର ସହିତ ଆଗେଇବାକୁ ଆରମ୍ଭ କଲେ କେତୋଟି କଇଁଛ ପରି ।

 

ସୁଷୁପ୍ତ ଆଲେକ୍‌ଜାଣ୍ଡ୍ରିୟା । ଦୁଇଟି ବିରାଟ ବ୍ରିଟିଶ ରଣତରୀ, ‘‘ଏଚ୍‌.ଏମ୍‌.ଏସ୍‌. ଭାଲିଆଣ୍ଟ’’ ଓ ‘‘ଏଚ୍‌ ଏମ୍‌ ଏସ୍‌ କୁଇନ୍‌ ଏଲିଜାବେଥ୍‌’’ର ଡେକ୍‌ ଉପରେ କେବଳ କେତୋଟି ମୁଷ୍ଟିମେୟ ପ୍ରହରୀଙ୍କୁ ବାଦ୍‌ ଦେଲେ ଅନ୍ୟ ସମସ୍ତେ ପ୍ରାୟ ନିଦ୍ରିତ ଅଥବା ଆମୋଦ ପ୍ରମୋଦରେ ରତ । ଭାଲିଆଣ୍ଟ ଜାହାଜଟିକୁ ନଷ୍ଟ କରିବାର ଭାର ନେଇଥିଲେ ପିନେ ଓ ତାଙ୍କର ସହକର୍ମୀ ଏମିଲିଓ, କୁଇନ୍‌ ଏଲିଜାବେଥ୍‌କୁ ନଷ୍ଟ କରିବାର ଭାର ନ୍ୟସ୍ତ ଥିଲା ଲେଫଟ୍‌ନାଣ୍ଟ ଆଣ୍ଟୋନିଓ ଓ ତାଙ୍କର ଅନ୍ୟଜଣେ ସହକର୍ମୀଙ୍କ ଉପରେ । ଆଉ ଶେଷରେ ଷୋଳହଜାର ଟନ୍‌ ଓଜନର ଏକ ପ୍ରଶସ୍ତ ତୈଳବାହୀ ଜାହାଜର ଧ୍ୱଂସ ନିମିତ୍ତ ଭିନସେନଜୋ ଓ ତାଙ୍କର ସାଥୀ ଆଦେଶପ୍ରାପ୍ତ ହୋଇଥିଲେ ।

 

ବନ୍ଦର ଦିଗରେ ଦଶ ମାଇଲ ଅଗ୍ରସର ହେବାପାଇଁ ଯେତିକି ଧୈର୍ଯ୍ୟ ଦରକାର, ତା’ଠାରୁ ଧୈର୍ଯ୍ୟ ସଂଗ୍ରହ କରି ମଧ୍ୟ ସେହି ‘ପିଗ୍‌’ ଆରୋହଣକାରୀ ଦଳଟି ବନ୍ଦର ଭିତରକୁ ପ୍ରବେଶ କରିପାରିଲେ ନାହିଁ–ପ୍ରଥମେ । ବନ୍ଦରର ପ୍ରତିରକ୍ଷାକାରୀ ସେଇ ପାଣିତଳର ଇସ୍ପାତ ଜାଲର ଦୁର୍ଭେଦ୍ୟ ପ୍ରାଚୀର ନିକଟରେ ପହଞ୍ଚି ସେଇ ଜଳଚର ମନୁଷ୍ୟଗୁଡ଼ିକ ନାନା କଳ୍ପନା ଜଳ୍ପନା କରି ଶେଷରେ ହତୋତ୍ସାହ ହୋଇ ଉଠୁଥିଲେ ।

 

ବର୍ତ୍ତମାନ ଉପାୟ ? ବନ୍ଦର ଭିତରକୁ ପ୍ରବେଶ କରିବାପାଇଁ ହେଲେ ପିନେ ଦେଖିଲେ ଗୋଟିଏ କରତ ନେଇ ସେଇ ଲୁହା ଜାଲଟିକୁ କାଟିବାକୁ ପଡ଼ିବ । କିନ୍ତୁ ଏ ତ ଏତେ ସହଜ କଥା ନୁହେଁ । କୌଣସି ବୈଦ୍ୟୁତିକ ଗୁପ୍ତଚର ଯନ୍ତ୍ର ଅଥବା ଜାଲସଂଲଗ୍ନ କୌଣସି ଡିନାମାଇଟ ବିସ୍ଫୋରକ ଯଦି ରଖାଯାଇଥାଏ !

 

ରାବଣର ପ୍ରାସାଦ ଠାବକାରୀ ତିନିଟି ଦୁଃସାହସିକ ମର୍କଟ ଦଳପରି ଶେଷରେ ଶ୍ରାନ୍ତକ୍ଲାନ୍ତ ଆଉ ଭଗ୍ନମନୋରଥ ହୋଇ ସେମାନେ ନିଃସହାୟଭାବେ କେବଳ ଘୂରି ବୁଲୁଥିଲେ, ସେତେବେଳେ ସୁଷୁପ୍ତ ଆଲେକ୍‌ଜାଣ୍ଡ୍ରିୟାର ଚତୁଃପାର୍ଶ୍ୱରେ ।

 

ଆଗକୁ ପଥରୁଦ୍ଧ । ଆଉ ପଛରେ ହୁଏତ ଅପେକ୍ଷା କରିଥିଲା ମୃତ୍ୟୁ, ସାମରିକ ଦଣ୍ଡ କିମ୍ୱା ହୁଏତ ଯେ କୌଣସି ଦୈବୀଦଣ୍ଡ, ବିଫଳତାର ଏକ ଚରମ ମୁହୁର୍ତ୍ତ । ସେମାନେ ଭାଙ୍ଗିପଡ଼ୁଥିଲେ । ସମୁଦ୍ରର ଅତଳ ଗର୍ଭର କେଉଁ ଏକ ପଙ୍କିଳ ଜଳ ଉପରେ ।

 

ହଠାତ୍‌ ଉଦ୍ଭାସିତ ହୋଇଉଠିଲା ଆଲେକ୍‌ଜାଣ୍ଡ୍ରିଆ ପୋତାଶ୍ରୟର କକ୍ଷ । ଜଳିଉଠିଲା ଫ୍ଳଡ୍‌ ଲାଇଟ । ସମୁଦ୍ର ତଳର ଜଳଚର ମନୁଷ୍ୟ କେତୋଟି, କେତୋଟି ବେଙ୍ଗ ଅପେକ୍ଷା ଆହୁରି ନିଃସହାୟଭାବେ ଦବି ଯାଉଥିଲେ–ତଳକୁ ତଳକୁ ।

 

କିନ୍ତୁ ତାହା ହିଁ ଥିଲା ଅପୂର୍ବ ସୁଯୋଗର ମୁହୂର୍ତ୍ତ ଏବଂ ସୁଯୋଗ ଗ୍ରହଣ କରିବାର ଅର୍ଥ ହିଁ ଜୀବନକୁ ବିପନ୍ନ କରି ଯୁଦ୍ଧକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବା ଓ ଅଗ୍ରସର ହେବା ।

 

ହଠାତ୍‌ ପୋତାଶ୍ରୟର ସୀମାରକ୍ଷୀ ସେଇ ତା’ର ଜାଲଟି ଖୋଲାଗଲା ସେମାନଙ୍କ ଆଗରେ ଓ ସେଇ ଫ୍ଳଡ୍‍ ଲାଇଟ୍‌ ଯୋଗେ ଜଳମଧ୍ୟସ୍ଥ ଗୁପ୍ତଚରମାନେ ଲକ୍ଷ୍ୟକଲେ ଯେ, ସମୁଦ୍ରଆଡ଼ୁ ଆସୁଥିବା ତିନିଟି ବ୍ରିଟିଶ୍‌ ଡ୍ରେଷ୍ଟୟର ପୋତାଶ୍ରୟ ମଧ୍ୟକୁ ପ୍ରବେଶ କରିବା ନିମିତ୍ତ ମୁହେଁଇ ଆସିଛନ୍ତି । ସେମାନଙ୍କର ଜଳମନ୍ଥନକାରୀ ପ୍ରୋପେଲରର ପାଣି ହାବୁକାରେ ପିନେ ଓ ତାଙ୍କ ‘ପିଗ୍‌’ ଟି ଘନଘନ ଓଲଟ ପାଲଟ୍‌ ହୋଇଗଲେ; କିନ୍ତୁ ସେଇ ଧକ୍‌କା ଗୁଡ଼ିକଇ ତାଙ୍କୁ ଓ ତାଙ୍କର ଦଳକୁ ଠେଲି ନେଇଗଲା, ଡେଷ୍ଟ୍ରୟରଗୁଡ଼ିକର ପଛେ ପଛେ, ସୁରକ୍ଷିତ ବନ୍ଦରଟିର ଅନ୍ତରାଳକୁ ।

 

ପ୍ରଥମ ଲକ୍ଷ୍ୟ ସାଧିତ ହେଲା ନିଶ୍ଚୟ । କିନ୍ତୁ ଚରମ ଲକ୍ଷ୍ୟ ବର୍ତ୍ତମାନ ଆରମ୍ଭ ହେଲା । ପ୍ରତି ମୁହୂର୍ତ୍ତର ସେଇ ସ୍ପନ୍ଦନଗୁଡ଼ିକ, ଜୀବନ ଓ ମରଣର ସ୍ପନ୍ଦନ ।

 

ହାୟ ଭାଲେରିଆ ବୁଟି ! ଇଟାଲୀୟ ନୌବାହିନୀର ଆଦେଶପ୍ରାପ୍ତ ଅଫିସର ଡୁରାଣ୍ଡିଲା ପିନେ କାହିଁକି କେଜାଣି ପଛକୁ ଅନେଇଦେଲେ । କିନ୍ତୁ ସେ ଆଶ୍ୱସ୍ତ ହେଲେ । ସବୁଦିନ ପରି ସେଦିନ ତାଙ୍କର ପଶ୍ଚାତ୍ ଭାଗ ଏତେ ଶୂନ୍ୟ, ନୀରବ ଆଉ ଖାଁ ଖାଁ ଲାଗୁ ନ ଥିଲା । ତାଙ୍କର ପଶ୍ଚାତ୍‍ଭାଗର ସାନ୍ଦ୍ର ସାମୁଦ୍ରିକ ଜଳରାଶିରୁ ଏକ ଅବୋଧ୍ୟ, ଅନାହତ ଶକ୍ତି ସେତେବେଳେ ତାଙ୍କୁ ପଛକୁ ଟାଣି ନ ଧରି ଚାପ ଦେଉଥିଲା–ଆଗକୁ ଆଗକୁ, ଶୀଘ୍ର ଶୀଘ୍ର ! ଜୀବନ ପ୍ରତି ସଚେତନ ହୁଅ ପିନେ, କେହି ଯେପରି କାତରଭାବେ ଅନୁରୋଧ କରୁଥିଲା ତାଙ୍କୁ ।

 

ପିନେ ବର୍ତ୍ତମାନ ଆଗେଇ ଚାଲିଛନ୍ତି–ଅତି ସାବଧାନତାର ସହିତ; ଧୀରେ ଧୀରେ, ନିଜର ଲକ୍ଷ୍ୟସ୍ଥଳ ସେଇ ଭାଲିଆଣ୍ଟ ଜାହାଜ ଦିଗରେ । ଅନ୍ୟ ଦଳ ଦୁଇଟି ମଧ୍ୟ ଚାଲିଛନ୍ତି ନିଜ ନିଜ ପଥରେ, ନିଜ ନିଜର ଲକ୍ଷ୍ୟରେ । ହଠାତ୍ ପିନେଙ୍କର ‘ପିଗ୍‌’ ଟି ଧକ୍‌କା ଖାଇ ଚହଲି ଉଠିଲା । ସତର୍କ ହୋଇ ଉଠିଲେ ପିନେ, କିଏ ? କିଛି ନାହିଁ । ଆଗରେ ଆଉ ଏକ ଇସ୍ପାତ ପରଦା । ଓଃ ! ପରଦା ଆଉ ପରଦା, ବାଧା ଆଉ ବାଧା । ମଣିଷର ହୃଦୟଠାରୁ ଆହୁରି ମୂଲ୍ୟବାନ, ଆହୁରି ସଂରକ୍ଷିତ ଏକ ଯୁଦ୍ଧ ଜାହାଜ–ଅସଂଖ୍ୟ ପରଦା ଭିତରେ !

 

ପିନେ ଦେଖିପାରିଲେ–ସେଇ ପ୍ରତିବନ୍ଧକ ପରଦାର ଅପର ପାର୍ଶ୍ୱରେ ରହିଛି ‘‘ଭାଲିଆଣ୍ଟ’’–ଶତ୍ରୁର ପ୍ରାଣକେନ୍ଦ୍ରର ସ୍ପନ୍ଦନ ଉଠୁଛି ସେଇଠାରୁ । କିନ୍ତୁ ଏଇ ଇସ୍ପାତ ଜାଲିଟିକୁ ଅତିକ୍ରମ କରାଯିବ କିପରି ! ବର୍ତ୍ତମାନ ଏକମାତ୍ର ଉପାୟ, ଏଇ ଜାଲର ଉପରେ ଜଳର ଉପର ସ୍ତରକୁ ଉଠି ସର୍ବସମକ୍ଷରେ ‘ପିଗ୍‌’ ଟିକୁ ଜାଲ ଆରପଟକୁ ଟେକି ନେବା । କିନ୍ତୁ କି ଅସମ୍ଭବ ଏ ଯୁକ୍ତି-! ସେମାନଙ୍କୁ ଅନ୍ଧ ମନେକରାଯିବା କ’ଣ ବୁଦ୍ଧିର ପରିଚାୟକ ?

 

କିନ୍ତୁ ତାହା ହିଁ ହେଲା । ଅପୂର୍ବ ଆତ୍ମବିଶ୍ୱାସ ଧରି ଜଳ ଉପରକୁ ଉଠିପଡ଼ିଲେ ପିନେ ଏବଂ ତାଙ୍କର ସହକର୍ମୀ ମିଲି ଓ–‘ପିଗ୍’ ଟି ସହିତ । କିଛି ଘଟିଲା ନାହିଁ । ‘ପିଗ୍’ ଟିକୁ ତା’ର ଜାଲିର ଆରପଟକୁ ଡିଆଇଁନେଲେ ସେମାନେ । ନା, ତଥାପି କିଛି ଘଟିଲା ନାହିଁ । ବର୍ତ୍ତମାନ ସେ ଦୁହେଁ ମଧ୍ୟ ଅତିକ୍ରମ କରିଗଲେ ତା’ର ଜାଲିଟିକୁ । ତଥାପି କିଛି ନାହିଁ । ଓଃ ! ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ !

 

ଜାଲ ଅତିକ୍ରମ କରି ପିନେ ପୁଣି ଚାହିଁଲେ ପଛକୁ । ଭାଲେରିୟାର ଶୁଭେଚ୍ଛା ବୋଳିହୋଇ ଯାଉଥିଲା ତାଙ୍କର ମୁହଁ ଉପରେ–ଜଳିରାଶିର ପ୍ରତ୍ୟେକ ତରଙ୍ଗ ସହିତ ।

 

ଇଟାଲୀୟ ନୌ-ବିଭାଗ ଶତ୍ରୁପକ୍ଷୀୟ ସେଇ ତିନିଟି ଜାହାଜର ଧ୍ୱଂସ ପାଇଁ ନିର୍ଦ୍ଧିଷ୍ଟ କରିଦେଇଥିଲେ ଉପଯୁକ୍ତ ସମୟ, ମଧ୍ୟ ସେମାନଙ୍କ ପାଇଁ ଆପଣାର ମୃତ୍ୟୁବେଳର ଘଣ୍ଟା ବଜାଇବା ପାଇଁ ସତେ କି ନିଜ ଛଡ଼ା ଆଉ ଦ୍ୱିତୀୟ ବ୍ୟକ୍ତି କେହି ନ ଥିଲେ ସେଠି । ଟାଇମ୍‌ବମ୍ବ ସାହାଯ୍ୟରେ ପ୍ରଥମେ ରାତ୍ରିର ଶେଷଭାଗରେ, ଅର୍ଥାତ୍ ପାଞ୍ଚଟା ପଞ୍ଚାବନରେ ପୋତାଶ୍ରୟସ୍ଥ ତୈଳବାହୀ ଜାହାଜ ଓ ପରେ ପରେ ଛଅଟା ପାଞ୍ଚରେ ଓ ୬ଟା ୧୫ରେ ଯଥାକ୍ରମେ ‘ଭାଲିଆଣ୍ଟ’ ଓ ‘ଏଲିଜାବେଥ୍‌’ ର ଧ୍ୱଂସ ସାଧନ ସଙ୍ଗେ ସଙ୍ଗେ ପିନେ ଓ ତାଙ୍କର ଦଳ ଉପରକୁ ଉଠିବେ ଓ ପହଁରି ପହଁରି କୂଳରେ ଲାଗିବେ । ସେଠାରୁ ଗୋଟିଏ ମାଛଧାରା ଡଙ୍ଗା ଅପହରଣ କରି ଡିସେମ୍ବର ଚବିଶ ତାରିଖରେ ଅନ୍ୟ ଏକ ନିର୍ଦ୍ଦିଷ୍ଟ ଉଡ଼ା ଜାହାଜରେ ସେମାନେ ପ୍ରତ୍ୟାବର୍ତ୍ତନ କରିବେ, ଏହାହିଁ ଥିଲା ସମୁଦାୟ କାର୍ଯ୍ୟକ୍ରମ ।

 

‘ପିଗ୍’ ବର୍ତ୍ତମାନ ‘ଭଲିୟାଣ୍ଟ’ର ସମୀପସ୍ଥ ହେଲା । ପିନେ ହାତ ଘଡ଼ିକୁ ଚାହିଁଲେ–ଯଥେଷ୍ଟ ସମୟ ଅଛି । କିଛିକ୍ଷଣ ଚିନ୍ତା କରି ପିନେ ଠିକ୍ କଲେ ଯେ, ବୋମାଗୁଡ଼ିକୁ ଜାହାଜର ଏକନମ୍ବର ଟୁ ରେଟ୍ ତଳେ ରଖିଲେ ଠିକ୍ ହେବ । ପ୍ରକୃତ ସ୍ଥାନ ନିରୂପଣ ନିମିତ୍ତ ପିନେ ଉଠିଲେ ଉପରକୁ । ଉପରକୁ ଉଠିଲାବେଳେ ସେ ‘ପିଗ୍‌’ ର ନିରାପତ୍ତା ପାଇଁ ଓ ପିଗ୍‌କୁ ଖୋଜି ପାଇବା ପାଇଁ, ତାହାକୁ ନିଜ ଦେହରୁ ଲମ୍ବିଯାଇଥିବା ଗୋଟିଏ ଦଉଡ଼ି ସହିତ ବାନ୍ଧିଦେଇଥିଲେ । କିନ୍ତୁ ଭାଲିଆଣ୍ଟର ତଳଭାଗକୁ ପରୀକ୍ଷା କରି ପିନେ ଯେତେବେଳେ ତଳକୁ ଫେରନ୍ତି, ସେ ଦେଖିଲେ ଯେ, ତାଙ୍କର ବନ୍ଧୁ ଏମିଲିଓ ହଠାତ୍ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି । କେବଳ ସେତିକି ନୁହେଁ, ‘ପିଗ୍’ର ପ୍ରୋପେଲରଟି ମଧ୍ୟ ନଷ୍ଟ ହୋଇଯାଇଛି–ବୋଧହୁଏ ସେଇ ଦଉଡ଼ିଟା ଯୋଗୁ । ବର୍ତ୍ତମାନ ପିଗ୍ ଓ ଏମିଲିଓ ଦୁଇଟି ଭରସାକୁ ହରାଇ ପିନେ ଏକାକୀ ସନ୍ତରଣ କରିବାକୁ ଲାଗିଲେ, ସେଇ ଅଜଣା ସମୁଦ୍ରର ତଳେ ତଳେ । କେବଳ ସେତିକି ନୁହେଁ, ଯେହେତୁ ପିଗ୍ ଆଉ ଚଙ୍କିବାକୁ ନାରାଜ; ତେଣୁ ପିଗ୍‌ର ସମସ୍ତ ଭାର ପ୍ରାୟ ୬୬୦ ପାଉଣ୍ଡ ଓଜନର ଏକ ବିସ୍ଫୋରକ ବୋମାକୁ ମଧ୍ୟ ବହନ କରିବାକୁ ହେଲା ତାଙ୍କୁ । ସମୁଦ୍ର ତଳର କାଦୁଅ ଆଉ ପଙ୍କର ଭୁଟି ଉଠୁଥିଲା ତାଙ୍କ ପଛରେ ।

 

ଏ ସମସ୍ତ ନୈରାଶ୍ୟଜନକ ପରିସ୍ଥିତିରେ ବୁଡ଼ିରହି ପିନେ ସେତେବେଳକୁ ନିଶ୍ଚେଷ୍ଟ ଓ ନିରାଶ ହୋଇପଡ଼ିଥିଲେ । ହାତ ପାଦ ଓ ମସ୍ତିଷ୍କ ଆଉ ଚଳିବାକୁ ଅକ୍ଷମ ହେଉଥିଲେ । ଚତୁର୍ଦ୍ଦିଗ ଏକ ଦୁଃସ୍ୱପ୍ନପରି ମାଡ଼ିବସୁଥିଲା ତାଙ୍କୁ । ପାଣିତଳେ ବହୁତ ସମୟ ବୁଡ଼ି ରହିବାର ପ୍ରତିକ୍ରିୟା ସବୁ ଗୋଟି ଗୋଟି ହୋଇ ଫଳିବାକୁ ଆରମ୍ଭ କରି ଦେଇଥିଲା । ହୁଏତ ଯେଉଁ ପରିସ୍ଥିତିରେ ପଡ଼ି ଏମିଲିଓ ଚାଲିଗଲେ, ସେଇଭଳି ଏକ ଦୁର୍ବିସହ ପରିସ୍ଥିତି ତାଙ୍କର ବିବେକକୁ ଅଧିକ ଅଧିକଭାବେ ଭାରାକ୍ରାନ୍ତ କରିଦେଲା ।

 

କିନ୍ତୁ ହଠାତ୍, ସେଇ ଦୁଃସ୍ୱପ୍ନ ମଧ୍ୟରେ ପିନେ ଅନୁଭବ କଲେ, ସତେ ଯେପରି ଦୁଇଟି ବାହୁ ଘେରିଆସୁଥିଲା ତାଙ୍କର ଗଳାର ଚତୁଃପାର୍ଶ୍ୱରେ । ଚମକି ଉଠିଲେ ପିନେ । ନା–ତାହା ମୃତ୍ୟୁର ବାହୁବନ୍ଧନ ନୁହେଁ । ସେ ବନ୍ଧନ ହେଉଛି ପ୍ରଗାଢ଼ ପ୍ରେମ ଆଉ ପ୍ରତୀକ୍ଷାର ବନ୍ଧନ ! ତାହା ଭାଲେରିୟା ବୁଟିର ବନ୍ଧନ ।

 

ଧୀରେ ଧୀରେ ଦେହର ସମସ୍ତ ଅବଶତାକୁ ମନ ଉପରୁ ପୋଛି ସଫା କରିଦେଲେ ପିନେ । ଭୂମଧ୍ୟସାଗରର ସେଇ ପୌଷରାତ୍ରିର ଜଣେ ପ୍ରେମିକ ସାମରିକ ଗୁପ୍ତଚର ପିନେ ଇଞ୍ଚ ଇଞ୍ଚ କରି ଆଗେଇ ଚାଲିଲେ–ପିଠିରେ ୬୬୦ ପାଉଣ୍ଡ ଓଜନର ବୋମା ଆଉ ପାଦତଳେ ସାମୁଦ୍ରିକ ଦଳ, ଆଉ କିଏ ଜାଣେ ହୁଏତ ସେଇ ପଙ୍କିଳ ସମୁଦ୍ର ତଳରେ ଯାହା ଉପରେ ପାଦରଖି ସେ ପାଦ ପାଦ କରି ସେ ଆଗେଇ ଚାଲିଥିଲେ, ସେ ଗୁଡ଼ିକ ସବୁ କଅଣ ? ମାଇନ୍ ବା ଶିଉଳୀଧରା ପ୍ରବାଳର ପାହାଚ କେତୋଟି !

 

ରାତି ତିନିଟା । ବିସ୍ଫୋରଣ ପାଇଁ ଆଉ ତିନି ଘଣ୍ଟା ବାକି ଅଛି । ପ୍ରାୟ ମୂର୍ଚ୍ଛାଗତ ଅବସ୍ଥାରେ ସେ ଉଠିଲେ ଉପରକୁ । ସେତେବେଳକୁ କିନ୍ତୁ ଜାହାଜ ତଳେ ବୋମାଟି ରଖାଯାଇ ସାରିଥିଲା । ଅବଶ୍ୟ ଜାହାଜ ଦେହରେ ବୋମାଟି ଖଞ୍ଜିବା ଉଚିତ ଥିଲା ତାଙ୍କର । କିନ୍ତୁ ଏତେ ଟିକିନିଖି କାମ ପାଇଁ ଆଉ ଶ୍ୱାସ ନ ଥିଲା ତାଙ୍କ କୃତ୍ରିମ ଶ୍ୱାସଯନ୍ତ୍ରରେ । ତଥାପି କିନ୍ତୁ ସେ ଦୃଢ଼ ନିଶ୍ଚିତ ଥିଲେ ଯେ, ଜାହାଜଟି ନିଶ୍ଚୟ କ୍ଷତିଗ୍ରସ୍ତ ହେବ ସେଇ ବୋମା ବିସ୍ଫୋରଣରେ ।

 

ଉପରକୁ ଭାସିଉଠିବାମାତ୍ରେ ସେ ନିଜକୁ ଓ ତାଙ୍କର ସହଚର ଏମିଲିଓଙ୍କୁ ଆବିଷ୍କାର କଲେ ଏକ ପ୍ରଖର ସର୍ଚ୍ଚଲାଇଟ୍‌ ଆଲୋକ ସମ୍ମୁଖରେ । ତତ୍‌କ୍ଷଣାତ୍ ଗର୍ଜିଉଠିଲା ମେସିନଗନ୍ । ପିନେ ଓ ତାହାଙ୍କର ସହଚର ଏମିଲିଓ ଜାହାଜ ରକ୍ଷକର ଦୃଷ୍ଟି ଆଉ ଏଡ଼ାଇପାରିଲେ ନାହିଁ । ଗୋଟିଏ ନଙ୍ଗର୍‌ ଭେଳାକୁ ଆଶ୍ରୟ କରି ଏମିଲିଓ ଭାସୁଥିଲେ । ସମୁଦ୍ରଗର୍ଭରେ ତାଙ୍କର ଅମ୍ଳଜାନ ଯନ୍ତ୍ର ହଠାତ୍ ଖରାପ ହୋଇଯିବାରୁ ସେ ପ୍ରାୟ ସଂଜ୍ଞାହୀନ ଅବସ୍ଥାରେ ଜଳଉପରକୁ ଭାସି ଉଠିଥିଲେ ।

 

ପିନେ ଓ ଏମିଲିଓଙ୍କୁ ବନ୍ଦୀ କରାଗଲା । ଡଙ୍ଗା ସାହାଯ୍ୟରେ ଜାହାଜ ପାଖକୁ ନିଆଗଲା ସେମାନଙ୍କୁ । ରାତି ତିନିଟା ତିରିଶି । ଜାହାଜର ଏକ୍‌ଜିକ୍ୟୁଟିଭ ଅଫିସରଙ୍କ ଜେରା ଆରମ୍ଭ ହେଲା । ମାତ୍ର ନିଜର ପଦବୀ ଓ ନମ୍ବର ବ୍ୟତୀତ ଅନ୍ୟ କିଛି ପ୍ରକାଶ କରିବାକୁ ଦୃଢ଼ଭାବେ ମନାକରିଦେଲେ ପିନେ । ତା’ପରେ ତାଙ୍କୁ ଜାହାଜର ତଳମହଲାର ଏକ ସଂକୀର୍ଣ୍ଣ କୋଠରୀରେ ବନ୍ଦୀ କରାଗଲା । ପିନେ ଜାଣି ପାରିଲେ, ଯେଉଁ କୋଠରୀରେ ବନ୍ଦୀ ହୋଇଛନ୍ତି, ତାହାର ଅବସ୍ଥିତି ଜାହାଜ ତଳର ସେଇ ବୋମାର ଅବସ୍ଥିତିଠାରୁ କେତେ ଦୂରରେ ! ତାହା ତ ଠିକ୍ ସେଇ ବୋମାଟିର ଅବ୍ୟବହିତ ଉପରେ !

 

ହାତ ଘଡ଼ିକୁ ଚାହିଁ, ମୃତ୍ୟୁର ସବାର୍ ହୋଇ ବସିରହିଲେ ପିନେ । ପାଞ୍ଚଟା ତିରିଶି, ଧୀରେ ଧୀରେ କଣ୍ଟା ଘୂରିଚାଲିଛି ଆଗକୁ ଆଗକୁ ।

 

ସେତିକିବେଳେ ପିନେ ତାଙ୍କର ହାତର ସେଇ ଆଙ୍ଗୁଠିଟିକୁ ଚାହିଁଥିଲେ । ତାରି ଉପରେ ଅଙ୍କିତ ହୋଇଥିବା ଗୋଟିଏ ନାମ–ଭାଲେରିଆ–ସେଇ ମୁଦିଟି ଉପରେ । ଏକ ପ୍ରତିଜ୍ଞାବଦ୍ଧ ତପସ୍ୟାରତ ଯୁବକ ଏକ ଶୀତ ରାତିରେ, କୌଣସି ଏକ କରକାଯୁକ୍ତ ପୁଷ୍କରିଣୀର ଜଳ ଭିତରେ ଠିଆ ହୋଇ ବହୁ ଦୂରରେ ପ୍ରେମିକାର ବାତାୟନରେ ଜଳୁଥିବା ରାତ୍ରିର ସେଇ ଏକମାତ୍ର ଦୀପଶିଖାଟିକୁ ଅନାଇ ରହି, ତହିଁରୁ ସଂଗୃହୀତ ଉନ୍ମାଦନାରେ ବଞ୍ଚି ରହିଥିଲା ପରି-ବଞ୍ଚି ରହିଥିଲେ ପିନେ ମୃତ୍ୟୁର ଅପେକ୍ଷାରେ ।

 

ହଠାତ୍ ରାତ୍ରିର ନିସ୍ତବ୍‌ଧତା ଭଙ୍ଗ ହେଲା । ଗୁରୁଗମ୍ଭୀର ଗର୍ଜନରେ କମ୍ପିଉଠିଲା ବିଶାଳ ଆଲେକ୍‌ଜାଣ୍ଡ୍ରିୟା ପୋତ୍ରାଶୟ । ଚମକି ପଡ଼ିଲେ ପିନେ । ସେ ଜାଣିପାରିଲା ଯେ, ତାଙ୍କର ପ୍ରଥମ ଦଳଟି ସେଇ ତୈଳବାହୀ ଜାହାଜଟିକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି । ତା’ପରେ ସଫଳ ହେବ ମଧ୍ୟ ତାଙ୍କର କାର୍ଯ୍ୟକ୍ରମ । ଭାଲିଆଣ୍ଟ ଧ୍ୱଂସ ହେବ । କିନ୍ତୁ ତାହାରି ସହିତ–

 

ଧଡ୍‌ ଧଡ୍ ଧଡ୍‌–ପିନେଙ୍କର ଆବାଜ୍‌ ଶୁଣି ପ୍ରହରୀ ଦ୍ୱାର ଖୋଲି ଦେଲା । ‘‘ମୋତେ ଜାହାଜର ଅଧ୍ୟକ୍ଷ ନିକଟକୁ ନେଇଚାଲ’’ ଅନୁରୋଧ କଲେ ପିନେ । ତତ୍‌କ୍ଷଣାତ୍ ତାଙ୍କୁ ଅଧ୍ୟକ୍ଷଙ୍କ ନିକଟକୁ ନିଆଗଲା । ଅଧ୍ୟକ୍ଷ-କ୍ୟାପଟେନ୍‌ ଚାର୍ଲସ୍ ମାର୍ଗନ୍ !

 

‘‘ଆପଣଙ୍କର ଜାହାଜ ଆଉ ମାତ୍ର ୧୦ ମିନିଟ୍ ପରେ ଧ୍ୱଂସ ପାଇଯିବ–ଯେହେତୁ ଆପଣଙ୍କର ଜାହାଜର ଧ୍ୱଂସ ସାଧନ ମୋର ଲକ୍ଷ୍ୟ–କୌଣସି ନିର୍ଦ୍ଦୋଷ ଜୀବନର ନୁହେଁ । ତେଣୁ ଆପଣ ଆପଣଙ୍କ କର୍ମଚାରୀମାନଙ୍କୁ ଜାହାଜରୁ କାଢ଼ିନେଇ ନିରାପଦ ସ୍ଥାନକୁ ପଠାଇଦେଇପାରନ୍ତି କ୍ୟାପ୍‌ଟେନ୍‌’’, ପିନେ ଖବର ଦେଲେ ।

 

‘‘ଜାହାଜର କେଉଁ ସ୍ଥାନରେ ବିସ୍ଫୋରକ ରଖିଛ, ଯଦି ପ୍ରକାଶ ନ କର, ତା’ହେଲେ ତମକୁ କିନ୍ତୁ ଜାହାଜରୁ କାଢ଼ି ନିଆଯିବ ନାହିଁ ।’’ ଧମକ ଦେଲେ ଚାର୍ଲସ୍ ମାର୍ଗନ୍ । ପିନେ କିନ୍ତୁ ରହିଲେ ନୀରବ ନିରୁତ୍ତର ।

 

ତା’ପରେ ପିନେଙ୍କୁ ନେଇ ପୁଣି ସେଇ କୋଠରୀରେ ବନ୍ଦ କରିଦେଲେ ସେମାନେ । ସଙ୍ଗେ ସଙ୍ଗେ ପିନେ ଶୁଣି ପାରିଲେ, ଜାହାଜର କର୍ମଚାରୀମାନଙ୍କୁ ଡେକ୍ ଉପରକୁ ଚାଲି ଆସିବାକୁ ଆଦେଶ ପ୍ରଚାରିତ ହେଲା । ୬ଟା ୬ମିନିଟ୍‌ । ବଜ୍ରନିନାଦ ସହିତ ଭାଲିଆଣ୍ଟରେ ଆରମ୍ଭ ହେଲା ପ୍ରଳୟଙ୍କରୀ କମ୍ପନ । ପିନେଙ୍କର କୋଠରୀର ଦ୍ୱାରଟି ହଠାତ୍ ଛଟିକି ଗଲା ଓ କିଛି ଦୂରରେ ସଂଜ୍ଞାହୀନ ଅବସ୍ଥାରେ ଛାଟି ହୋଇପଡ଼ିଲେ ପିନେ । ଅବଶ୍ୟ ଅଳ୍ପ ସମୟ ପରେ ତାଙ୍କର ଚେତନା ଫେରିଆସିଲା । ଗୋପନରେ ସେ ଜାହାଜ ଡେକ୍ ଉପରକୁ ଉଠିଲେ । ସେଠାରେ ୬ଟା ୧୫ ମିନିଟ୍‌ରେ ସେ ନିଜ ଆଖିରେ ଦେଖିଲେ, ‘‘କୁଇନ୍ ଏଲିଜାବେଥ୍’’ ଜାହାଜର ଇଞ୍ଜିନ୍ ଘର ଉପରକୁ ଉଡ଼ିଯିବା ସଙ୍ଗେ ସଙ୍ଗେ ଜଳ ଉପରେ ଅଗ୍ନିର ତାଣ୍ଡବଲୀଳା ଆରମ୍ଭ ହୋଇଗଲା । ତାଙ୍କର ତୃତୀୟ ଦଳ ମଧ୍ୟ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

 

କିନ୍ତୁ ପିନେ ! ବର୍ତ୍ତମାନ ସେ ଶତ୍ରୁର ବନ୍ଦୀ । କିନ୍ତୁ ସେଥିପ୍ରତି ଭ୍ରୁକ୍ଷେପ ନ ଥିଲା ତାଙ୍କର-। ସେ ଯେ ଏକାକୀ ମଧ୍ୟ ତାଙ୍କର ଲକ୍ଷ୍ୟ ସାଧନ କରି ପାରିଛନ୍ତି, ଏହାହିଁ ଥିଲା ସେଇ ମୂହୂର୍ତ୍ତର ଗୌରବ ।

 

ଅନ୍ୟାନ୍ୟ ଯୁଦ୍ଧବନ୍ଦୀଙ୍କ ପରି ପିନେଙ୍କୁ କାଇରୋ ପଠାଯାଇଥିଲା । ତା’ପରେ ସେଠାରୁ ତାଙ୍କୁ ପାଲେଷ୍ଟାଇନ ପଠାଗଲା । ଏହିଠାରେ ରକ୍ଷକମାନଙ୍କ ଚକ୍ଷୁରେ ଧୂଳି ଦେଇ ସେ ଆତ୍ମଗୋପନ କଲେ; କିନ୍ତୁ ମିତ୍ରପକ୍ଷରେ ଶ୍ୟେନଦୃଷ୍ଟି ତାଙ୍କୁ ଅତିଶୀଘ୍ର ଆବିଷ୍କାର କଲା ସିରିଆର ଏକ ନିଭୃତ ଜଙ୍ଗଲ ଭିତରେ । ତା’ପରେ ତାଙ୍କୁ ଭାରତକୁ ଅଣାଗଲା ଯୁଦ୍ଧବନ୍ଦୀ ଭାବେ । ଏଠାରେ ସମସ୍ତ କଟକଣା ସତ୍ତ୍ୱେ ସେ ଆତ୍ମଗୋପନ କରିବାକୁ ସମର୍ଥ ହେଲେ । ତଥାପି ପୁଣିଥରେ ତାଙ୍କୁ ଖୋଜି ବାହାର କରାଗଲା ।

 

ଭାରତରେ ପହଞ୍ଚିଲା ପରେ ପରେ ଦିନେ ସେ ଅକସ୍ମାତ୍‌ ଗୋଟିଏ ପତ୍ର ପାଇଲେ, ପତ୍ରଟି ଲେଖିଥିଲେ ତାଙ୍କ ସ୍ତ୍ରୀ । ପ୍ରିୟତମା ଭାଲେରିୟାର ପତ୍ର ପଢ଼ୁ ପଢ଼ୁ ତାଙ୍କର ଭ୍ରୂକୁଞ୍ଚିତ ହୋଇଉଠିଲା । ତାଙ୍କର ମୁହଁ ଲାଲ ପଡ଼ିଗଲା । ତାଙ୍କ ଭିତରର ଅସଂଖ୍ୟ ସ୍ନାୟୁମଣ୍ଡଳ ହଠାତ୍ ବିଦ୍ରୋହ କରିଉଠିଲା । ଚିଠିଟିକୁ ଚିରି ଫୋପାଡ଼ି ଦେଲେ ସେ । ସବୁ କିଛି ଅସହ୍ୟ ହୋଇଉଠିଲା । ସେ ଆଦୌ ବିଶ୍ୱାସ କରିପାରିଲେ ନାହିଁ ଯେ, ମଣିଷ ପୁଣି ଏଭଳି କୃତଘ୍ନ ହୋଇପାରେ । ଭାଲେରିଆର ଚିଠିରେ, ‘‘ରେଂଜୋ’’ ବୋଲି ନାଁଟିକୁ ବାରମ୍ୱାର ଆବିଷ୍କାର କରି ସାମରିକ ଅଫିସର ଲୁଇଗି ଡୁରାଣ୍ଡିଲା ପିନେଙ୍କର ଛାତି ଭିତରେ ବିସ୍ଫୋରଣ ଘଟିଥିଲା । ରେଂଜୋ ନାମଟି ହେଉଛି ତାଙ୍କ ସାନ ଭାଇର ।

 

୧୯୪୩, ହତୋତ୍ସାହିତ ଇଟାଲୀର ମୁସୋଲିନୀ ସରକାର ସନ୍ଧି ସ୍ୱୀକାର କଲା ବ୍ରିଟ୍ରେନ୍ ସହିତ ।

 

ପିନେଙ୍କର ରାଜନୈତିକ ଜୀବନରୁ ଘନଘଟା ଦୂର ହୋଇ ଧୀରେ ଧୀରେ ଆଲୋକିତ ହୋଇଉଠିଲା ତାଙ୍କର ଭବିଷ୍ୟତ ଜୀବନପଥ । କାରାଗାରର ଦ୍ୱାର ଉନ୍ମୁକ୍ତ ହେଲା । କିନ୍ତୁ ‘‘ରେଂଜୋ’’–ନାଃ ! ପିନେଙ୍କର ସମସ୍ତ ଉତ୍ସାହ ଭାଙ୍ଗି ପଡ଼ିଥିଲା ଅନେକ ଦିନରୁ । ତଥାପି ଜନ୍ମଭୂମି ପ୍ରିୟ ଇଟାଲୀର ମାଟି ତାଙ୍କୁ ଆହ୍ୱାନ କଲା । ଭାଲେରିଆର ସମସ୍ତ ପ୍ରତାରଣା ସତ୍ତ୍ୱେ ପିନେଙ୍କ ପାଇଁ ଯଥେଷ୍ଟ ଅର୍ଥ ଥିଲା ସେଇ ମାଟିର ଡାକରେ ।

 

X X X

 

ସାମରିକ ଅଫିସର ପିନେ ସେଦିନ ପ୍ରସ୍ତୁତ ଥିଲେ ସବୁ କିଛି ପାଇଁ । ତାଙ୍କର ବେଲ୍‌ଟରୁ ଝୁଲୁଥିଲା ସେଇ ପିସ୍ତଲ୍‌ଟା ମଧ୍ୟ, ଯେଉଁ ପିସ୍ତଲଟା ବାରମ୍ୱାର ତାଙ୍କୁ ସ୍ମରଣ କରାଇ ଦେଇଥିଲା, ତାଙ୍କୁ ସେଇ ଗୋଟିଏ ନାଁ-ରେଂଜୋ । ପିନେଙ୍କର ପାଦ ପଡ଼ିଲା ତାଙ୍କ ବାସଗୃହର ପ୍ରଥମ କକ୍ଷରେ, ହଠାତ୍ ତାଙ୍କର ଆଖି ବୁଲିଗଲା ।

 

ଅବୋଧ ଶିଶୁଟିଏ ତା’ର ମା କୋଳରେ ବସି ମା’ ର ଆଖିରୁ ଲୁହ ପୋଛି ଦେଇ ପଚାରୁଛି–

 

‘‘ମା, ତୁମେ ସବୁବେଳେ ଏତେ କାନ୍ଦୁଛ କାହିଁକି ?’’ ହଠାତ୍ ସମସ୍ତ ଅବୟବ ଶିଥିଳ ହୋଇଗଲା ନୌବାହିନୀ ଅଫିସର ଡୁରାଣ୍ଡିଲା ପିନେଙ୍କର । ହଠାତ୍ ତାଙ୍କର ମନେପଡ଼ିଲା, ସେଇ ବିପଦସଙ୍କୁଳ ପଥର ଯାତ୍ରୀ ହେବାର ପୂର୍ବଦିନ ସେ ଯେଉଁ ମୁହଁଟିକୁ ଏତେ ନିକଟରେ ରଖି, ଯାହାର ଆଖିରୁ ଲୁହ ପୋଛିଦେଇ କହିଥିଲେ; ତୁମେ ସବୁବେଳେ ଏତେ କାନ୍ଦୁଛ କାହିଁକି ଭାଲେରିଆ ?

 

ବୁଝିବାକୁ ଆଉ ବାକି ରହିଲା ନାହିଁ ପିନେଙ୍କର । ଓଃ, ଏଇ ତା’ହେଲେ ରେଞ୍ଜୋ ! ତାଙ୍କ ନିଜର ପୁଅ ।

 

ତିନିଟି ହୃଦୟର ସମ୍ମିଳିତ ଉଚ୍ଛ୍ୱାସ ମଧ୍ୟରେ ଶେଷ ହେଲା ସେଇ ବୀରପୁରୁଷର ଅଭ୍ୟର୍ଥନା ନିଜର ପରିବାରରେ ।

 

୧୯୪୫ର ଇଟାଲୀୟ ମହୋତ୍ସବ ଦିବସ । ଦେଶରେ ସର୍ବୋଚ୍ଚ ସମ୍ମାନସୂଚକ ପଦକ ଧରି ଅପେକ୍ଷା କରିଛନ୍ତି ଇଟାଲୀର ରାଜକୁମାର ଉମ୍ୱୋଟୋ । ହଠାତ୍ ଜନଗହଳି ମଧ୍ୟରୁ ବାହାରି ଆସିଲେ ଜଣେ ଦୀର୍ଘକାୟ ବ୍ୟକ୍ତି ଓ ରାଜକୁମାରଙ୍କର ସମ୍ମୁଖୀନ ହେଲେ । ସେ ହେଉଛନ୍ତି ବ୍ରିଟିଶ କମାଣ୍ଡ୍‌ର ଭାଇସ୍‌ ଆଡ୍‌ମିରାଲ୍‌ ସାର୍‌ ଚାର୍ଲସ୍ ମର୍ଗାନ୍‌ । ଏହି ହେଉଛନ୍ତି ସେହି ବ୍ୟକ୍ତି, ଚାରିବର୍ଷ ତଳେ ଇଟାଲୀର ପ୍ରଧାନ ଶତ୍ରୁପକ୍ଷର ସେନାଧ୍ୟକ୍ଷ କ୍ୟାପଟେନ ମର୍ଗାନ୍‌, ଯାହାଙ୍କଦ୍ୱାରା ବନ୍ଦୀ ହୋଇଥିଲେ ପିନେ–ଯୁଦ୍ଧ ଜାହାଜ ଭାଲିଆଣ୍ଟର ସେଇ କୋଠରୀରେ । ଶତ୍ରୁ ହେଲେ ହେଁ ବୀରତ୍ୱର ଉପଯୁକ୍ତ ସମ୍ମାନ ଦେବାକୁ ଆଗେଇ ଆସିଛନ୍ତି ଚାର୍ଲସ୍‌ ମର୍ଗାନ୍‌ ।

 

‘‘ପ୍ରିନ୍‌ସ ଉମ୍ୱୋଟୋ !’’ ଅନୁରୋଧ କଲେ ଚାର୍ଲସ୍ ମର୍ଗାନ୍ ‘‘ଚାରିବର୍ଷ ତଳେ ଯେଉଁ ବୀରଙ୍କ ସମୟୋଚିତ ସତର୍କବାଣୀ ମୋର ଓ ମୋର ସତର ଶହ କର୍ମଚାରୀଙ୍କ ଜୀବନ ରକ୍ଷା କରି ପାରିଥିଲା, ସେଇ ମହାନ୍‌ ବ୍ୟକ୍ତି ଲୁଇଗି ଡୁରାଣ୍ଡିଲା ପିନେଙ୍କର ପ୍ରଶସ୍ତ ବକ୍ଷରେ ଏଇ ମୂଲ୍ୟବାନ ପଦକଟି ଝୁଲାଇ ମୁଁ ତାଙ୍କର ଅମର ଆଦର୍ଶର ଉଚିତ ସମ୍ମାନ ଅର୍ପଣ କରିବାର ସୁଯୋଗ ଟିକକ ଲାଭ କରିପାରେ କି ?’’

 

‘‘ଦି ଫ୍ରଗ୍‌ମ୍ୟାନ ହୁକ୍ରିପ୍ଳଡ୍‌ ଦି ଫ୍ଳିଟ୍‌’’ ନାମକ ଲେଖାଟି ରିଡସ ଡାଇଜେଷ୍ଟରୁ ପଢ଼ିଲା ପରେ......୧୯୫୯

Image

 

ଶେଷ ସମ୍ୱାଦ

 

ରୋଷେଇଘରର ଶୂନ୍ୟ ଫୁଡ଼୍‍କ୍ୟାନ୍‌ କେଇଟାକୁ ଦରାଣ୍ଡୁ ଦରାଣ୍ଡୁ ତିନିବର୍ଷର କଅଁଳ ହାତଟିଏ କୋଉ ଅଥାନରେ ଛୁଇଁ ହେଇଗଲା । କଅଁଳ ଓଃ, ଭାରି କଅଁଳ ! ଛୋଟ ପିଲାଟି ପାଟିରୁ ଥପଥପ ହେଇ ନାଳ ବୋହି ପଡ଼ିଲା । ପାଟିଟାଏ କରି ଉଠିଲା ସେ–

 

‘‘ମମି ! ମମି ! ଫୁଡ଼୍‍ ! ଫୁଡ଼୍‍ !’’

 

‘‘ଫୁଡ଼୍‍ ? ହାଃ-ଦ୍ୟାଟ୍‌ ମଷ୍ଟ୍ ବି ଏ ଟାଇଗର୍ ବେବି ! ଲିଭ୍ ଇଟ୍‌ ଆଲୋନ୍‌ !’’

 

‘‘ଟାଇଗର୍ ? ହ୍ୱାଟସ୍‌ ଏ ଟାଇଗର୍‌ ମମି !’’

 

‘‘ଓ ! ସଟ୍‌ ଅପ୍‌ !’’

 

ତାର ମା’ ପୂର୍ବପରି ଆଖିବୁଜି ପଡ଼ିରହିଲା ।

 

ତା’ର ଡାଡ଼ି ପୂର୍ବପରି ତାଙ୍କର ପିସ୍ତଲଟିକୁ ସଫା କରିବାରେ ବ୍ୟସ୍ତ ରହିଲେ ।

 

X X X

 

ମନିପ୍ଲାଣ୍ଟର ନୁଆଁଣିଆ ଲଟାରେ ହନି-ସକର୍‌ଟିଏ ଅଳ୍ପଦିନ ତଳେ ବସାକରି ଅଣ୍ଡା ଦେଇଥିଲା । ଅଣ୍ଡା ଫୁଟି ଛୁଆ ହେବାଦିନ ଛୋଟ ବିଲେଇ ଛୁଆଟିଏ ମନିପ୍ଲାଣ୍ଟ ଲଟାରେ ଚଢ଼ିବାକୁ ବାରମ୍ବାର ଚେଷ୍ଟାକରି ବିଫଳ ହେବା ଦେଖି ଛୋଟ ପିଲାଟିର ହୃଦୟ ଦୟାର୍ଦ୍ର ହୋଇପଡ଼ିଲା । ବିଲେଇ ଛୁଆଟିକୁ ନିଜ ହାତରେ ଉଠାଇ ନେଇ ସେ ତାକୁ ସିଧା ହନି-ସକର୍‌ର ସଦ୍ୟ ପ୍ରସ୍ଫୁଟିତ ଛୁଆଟି ପାଖରେ ଥୋଇଦେଲା । ବିଲେଇ ଛୁଆଟି ବିମୂଢ଼ ଦୃଷ୍ଟିରେ ଚଢ଼େଇ ଛୁଆଟିକୁ ଅନାଇଲାବେଳେ ତିନିବର୍ଷର ପିଲାଟିର ହୃଦୟରେ ଏକ ଅଦ୍ଭୁତ ପ୍ରେମଭାବ ଜାଗିଉଠିଲା–

 

‘‘ମମି ! ମମି ! ସଞ୍ଜିତା ଲଭ୍‌ଡ଼ ମି ଟୁଡ଼େ !’’

 

‘‘ଲଭ୍‍ଡ଼? ସଞ୍ଚିତା ଲଭ୍‍ଡ଼୍‍ ୟୁ ? ହାଃ-ଦ୍ୟାଟ୍‌ ମଷ୍ଟ୍‌ ବି ହଙ୍ଗର ବେବି ?’’

 

‘‘ହଙ୍ଗର ? ହ୍ୱାଟ୍‌ସ୍ ଏ ହଙ୍ଗର ମମି ?’’

 

‘‘ଓ ! ଆଇ ଡୋଣ୍ଟ୍‌ ନୋ-ସଟ୍‌ ଅପ୍‌ !’’

 

ତାର ମା’ ପୂର୍ବପରି ଆଖି ବୁଜି ପଡ଼ିରହିଲା ।

 

ତାର ବାପା ପୂର୍ବପରି ତାଙ୍କର ପିସ୍ତଲକୁ ସଫା କରିବାରେ ବ୍ୟସ୍ତ ରହିଲେ ।

 

X X X

 

ସେଦିନ ଅଧରାତିରେ ତିନିମହଲା ଫ୍ଲାଟରେ ଗୋଟାଏ ଭୟଙ୍କର ଶବ୍ଦ ଶୁଣି ସବା ଉପର ମହଲାର ଲୋକେ ଚିତ୍କାର କରିଉଠିଲେ–

 

‘‘ନକ୍‌ସଲାଇଟ ! ନକ୍‌ସଲାଇଟ !’’

 

ଠିକ୍ ସେତିକିବେଳେ ସବା ତଳମହଲାରୁ ଆଉ ଗୋଟାଏ ଚିତ୍କାର ଶୁଣାଗଲା–‘‘ଧର୍ମ ! ଧର୍ମ !’’

 

ଘଟଣା ସ୍ଥଳରେ ଉପସ୍ଥିତ ଜଣେ ସାମ୍ୱାଦିକ ଉଭୟ ଶବ୍ଦକୁ ଟିପିରଖି ପରଦିନ ଖବରକାଗଜରେ ଯାହା ପ୍ରକାଶ କଲେ ତାହା ଥିଲା ଏହିପରି :–

 

‘‘ମମି ! ମମି ! ନକ୍‌ସଲାଇଟ ! ନକ୍‌ସଲାଇଟ !’’

 

‘‘ନକ୍‌ସଲାଇଟ ? ହସଅପ୍ ହସଅପ୍‌ ବେବି ! ଦ୍ୟାଟ୍‌ ମଷ୍ଟ୍‌ ବି ଗଡ୍‌ ହିମ୍‌ସେଲ୍‌ଫ, ବେବି-!’’

 

‘‘ଗଡ଼୍ ? ହ୍ୱାଟ୍‌ସ୍‌ ଏ ଗଡ଼୍‍ ମମି ?’’

 

‘‘କିପ୍‌ କ୍ୱାଏଟ୍‌, କିପ୍ କ୍ୱାଏଟ୍‌–ଦ୍ୟାଟ୍‌ସ ଏ ବ୍ଲାସଫେମି ।’’

 

X X X

 

ଶେଷ ସମ୍ବାଦ–ସ୍ତ୍ରୀ ଲୋକଟିର ମୃତଦେହ ନିକଟରେ ଆଉ ଗୋଟିଏ ରକ୍ତର ଚୁଆରେ ପୁରୁଷଟିର ରକ୍ତାକ୍ତ ଶରୀରଟି ପଡ଼ିଥିଲା । ପାଖରେ ତିନିବର୍ଷର ଛୋଟ ପିଲାଟିଏ ଗୋଟିଏ ପିସ୍ତଲ ହାତରେ ଧରି ଠିଆହୋଇଥିଲା ।

 

‘‘ଏ ବନ୍ଧୁକଟା..... ?’’ (ଜଣେ ସାମ୍ୱାଦିକଙ୍କ ଜିଜ୍ଞାସାରେ ପିଲାଟି ଚମକିପଡ଼ିଲା) ‘‘ନା !’’ ହଠାତ୍‌ ମୁର୍ଖଲୋକଙ୍କ ଉପରେ ବିଜ୍ଞ ଲୋକର ବିରକ୍ତି ପରି ଛୋଟ ପିଲାଟି ଚିହିରି ଉଠିଲା–‘‘ଏଟା ବନ୍ଧୁକ ନୁହେଁ ! ମୋ ଡାଡ଼ିଙ୍କର ଏଟା ଟୟ ! ମୋ ମମି ୟାକୁ ଡାକନ୍ତି–ମାଇଁ ଲଭ୍‌ !’’

Image